ଅରୁଣ କୁମାର ମିତ୍ର

ନୂତନ ସୂର୍ଯ୍ୟ ନୂତନ ବରଷ ଆନନ୍ଦଘନ ପ୍ରାତଃ
ଆଗାମୀ ଦିନର ଆଶାର ସପନ ସଦ୍ୟ କୁହୁଡ଼ି ସ୍ନାତ ।
ପ୍ରବଳ ଜାଡ଼ରେ ପୁର ଓ ପଲ୍ଲୀ ଆବାହନ ନବ ଦିନକୁ
ଉଚ୍ଛ୍ୱାସ ସହ ଉଦ୍ଦୀପନାରେ ଆକାଶକୁ ନେଲା ମନକୁ ।
ବନଲତା-ଘନ ନୀଳାକାଶ ତଳେ କି ଆଶାରେ ନରନାରୀ
କଣ୍ ବିତିଗଲା କଣ୍ ଆସୁଅଛି ଖୁସିର ଲହରୀ ଜାରି ।
ଶୀତଳ ସକାଳ ଚାଷୀ ନା ଜେହାଲ କି ନୂଆ ପୁରୁଣା ଦିନ
ଧୂସରିତ ଦିଗ ଦିଗନ୍ତ ସବୁ ସୁନେଲି ପାଚିଲା ଧାନ ।
ସୋରିଷର କ୍ଷେତ ଦୂରୁ ପ୍ରସାରିତ ରବି ଶସ୍ୟର ଭାର
କି ନୂଆ ପୁରୁଣା ବରଷ ନା ଦିନ କିଏ ଜାଣେ କି ସକାଳ ।
ଏଇ ନବ ଦିନ କ’ଣ ସଭିଙ୍କ, ସତରେ ଚାଷୀ ମୁଲିଆଙ୍କ
ବାବୁମାନେ ଯେତେ ବଜାନ୍ତି ବଇଁଶୀ, ବାଜେ କେବେ ଧ୍ୱନି ଶଙ୍ଖ !
ସକାଳୁ ଗହଳି ମନ୍ଦିର ଦ୍ୱାରେ, ବ୍ୟସ୍ତ ଚନ୍ଦନ ଲେପନେ
ଇଂରାଜୀ ନୂତନ ବର୍ଷରେ ସଭିଏଁ, ଦେବା ଦେବୀଙ୍କ ଗହନେ ।
ମନେ ପଡୁନାହିଁ ଆମକୁ ବୈଶାଖେପବିତ୍ର ନବ ଦିନକୁ
ହଜାର ଜୁହାର ନିଜେ ହିଁ ନିଜକୁ ପାଳିଲିଣି ଆଜି ଦିନକୁ ।
ଧିରେଧିରେ ପରିବର୍ତ୍ତନ ପଥେ ଗନ୍ତବ୍ୟଟି ଅଜଣା
ଆଚାର ବ୍ୟବହାର ପରମ୍ପରା ସବୁ ବୋଧହୁଏ ବାଟବଣା ।
ଯାଜପୁର ରୋଡ଼, ଯାଜପୁର
ଲେଖକ ପରିଚୟ
କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।
