ସତ୍ୟନାରାୟଣ ଗନ୍ତାୟତ

ଜଣେ ଭୂମିଷ୍ଠ ହେବା ମାତ୍ରେ ପହିଲେ ତ ଗର୍ଭଧାରିଣୀ ଜନନୀଙ୍କର ସନ୍ତାନ ! ପରେ ନିଶ୍ଚେ ଉଭୟ ଜନନୀ ଓ ଜନକଙ୍କର ! ତଦୁତ୍ତାରେ ଅବଲୀଳା କ୍ରମେ ସେ ପରିବାର ଓ ବଂଶାଦି ସହ ସମ୍ପର୍କିତ ଅନ୍ୟାନ୍ୟ ଅନେକଙ୍କର କ’ଣ ନା କ’ଣ ଗୋଟେ ହୋଇ ଯାଇଥାଏ । ତା’ର ଶିଶୁ ସୁଲଭ ଚପଳାମୀ ଭିତରେ କଥା କହିବା ଆରମ୍ଭ ହେଉହେଉ ଲେଖାରମ୍ଭ ଓ ପଢାରମ୍ଭ କଥା ଉଠେ ଓ ନିଜ ଓଜନଠୁ ବେଶୀ ବହି ବସ୍ତାନିର ବୋଝ ଲଦି ଦିଆଯାଏ ତା ପିଠିରେ । ତେଣିକି ସେ ପାଠ ପଢେ, ପରୀକ୍ଷାରେ ଭଲ ଲେଖି ଭଲ ମାର୍କ ଆଣି ସଭିଙ୍କୁ ଟପିବାକୁ ବାଧ୍ୟ । ବାପାମାଆଙ୍କ ଦ୍ୱାରା ତା’କୁ ନେଇ ଦେଖା ଯାଇଥିବା ସେମାନଙ୍କ ନିଜ ସ୍ପପ୍ନ ପୂରଣ କରିବା ହିଁ ତା’ ଜୀବନର ଚରମ ଓ ପରମ ଲକ୍ଷ୍ୟ ଭାବେ ତା’ ଉପରେ ଆରାପିତ କରିଦିଆ ଯାଏ । ଫଳତଃ ଆଦ୍ୟ କୈଶୋରରୁ ହିଁ ଅନିଚ୍ଛା ସତ୍ତ୍ୱେ ତା’କୁ ପରିବାରର ସୁଖ ଛାଡ଼ି ପଢିବା ମାଧ୍ୟମରେ ବଢି ନିଜକୁ ଏକ ସ୍ଥିରୀକୃତ ଭାବେ ହିଁ ଗଢିବାର୍ଥେ ସ୍ଥାନାନ୍ତରିତ ହେବାକୁ ପଡ଼େ ଓ ପୁନରାଗମନ ପ୍ରାୟତଃ ଆଉ ସମ୍ଭବ ହୋଇପାରେନା ।
ଏମନ୍ତ ଜୀବନଯାପନ ସହ ସତେ ଅବା ସେ ଲେଖି ଯୋଡ଼ି ଚାଲିଥାଏ କେତେବେଳେ କୋଉଠି କାହାର ନା କାହାର କ’ଣ ନା କ’ଣ ହୋଇ ପୃଷ୍ଠା ପରେ ପୃଷ୍ଠା, ଅଧ୍ୟାୟ ପରେ ଅଧ୍ୟାୟ, ତାକୁ ମାଧ୍ୟମ କରି ତା’ ଅଲକ୍ଷ୍ୟରେ ତା’ ଦ୍ୱାରା ଲେଖାଇ ନେଉଥିବା କୌଣସି ନା କୌଣସି ସୂତ୍ରଧରଙ୍କ ନିଜସ୍ୱ ନିର୍ଦେଶାନୁସାରେ !! ସମୟ ସହ ଏମନ୍ତ ଲେଖା ଚାଲିଥିବା ଜୀବନର ବହି ମୋଟେଇ ଯାଉଥାଏ, ବୟସ ବଢି ଚାଲିଥାଏ ଓ ତା’ ସହ ଜୀବନର ଏ ଯାତ୍ରା ଯେ କେତେ ପ୍ରଲମ୍ବିତ ତଥାପି ଅଜଣା ହୋଇ ରହିଥାଏ । ଯାତ୍ରା ଲମ୍ବି ଚାଲିଥାଏ ।
ତେବେ ଏହାରି ଭିତରେ ଅବଶ୍ୟ କ୍ଷଣେ ମିଳେ, ଯେବେ ଲେଖା ଯାଇଥିବା ଜୀବନର ପୃଷ୍ଠାମାନଙ୍କୁ ଓଲଟାଇବାକୁ ଭାରି ଇଚ୍ଛା ହୁଏ । କ୍ରମଶଃ ଏହି ଇଚ୍ଛା ତୀବ୍ର ହୋଇ ଅଥୟ କରାଏ ଓ ମନେହୁଏ ଯେ ଏଯାବତ ଲେଖା ହୋଇ ମୋଟେଇ ଚାଲିଥିବା ଏ ଜୀବନ ବହିର ମଲାଟଟି ହୁଏତ ତୋରା ସିନା, କିନ୍ତୁ ଏହା ଭିତରେ ରହିଛି ପୃଷ୍ଠା ପରେ ପୃଷ୍ଠା ଅନେକ ଅଜଣା ଅପଢା ପାଠ, ଯାହା କେହି କେମିତି କୋଉ ଖଞ୍ଜରେ ଲେଖାଇ ନେଇଛି ! ବଡ଼ ବିବ୍ରତ ବୋଧହୁଏ ଭାବିଲେ ଏ ଜୀବନ ଯାତ୍ରାର ଲକ୍ଷ୍ୟ ସତରେ କଣ ? କେଉଁଠି ଓ ଆହୁରି କେତେଦୂର ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ??
ଏଭଳି ଭାବନା ଏଥର ମନେପକାଇ ଦିଏ ସେ ଯାବତ ଅନ୍ୟର ହୋଇ ଭୁଲି ଯାଇଥିବା ନିଜ ଭିତରର ‘ମୁଁ’ଟିକୁ ! ତ’ ଏଣିକି ମନ ହୁଏ ସେଇ ସୁକୁମାର ‘ମୁଁଟି’କୁ ଟିକେ ନିଘା କରିବାକୁ ! ଆପଣାକୁ ଏକରକମ ଅକ୍ତିଆର କରି ନେଇଥିବା ଭିତର ଓ ବାହାରର ସକଳ ହୋହୋ ଘୋଘୋ, ଫି କ୍ଷେତ୍ରରେ ‘ନୋହିଲେ ନଚଳେ’ ମଣି ଲୋଡ଼ା ହୋଇଥିବା ଯେତେ ସବୁ ଅଯଥା ଅନୁମୋଦନ, କାନ ସହ ମନ ଡେରି ଶୁଣିଶୁଣି ଆପଣା ବାସ୍ନାରେ ଆପଣାକୁ ସଗର୍ବ ଫୁଲାଇ ଆସିଥିବା ମିଛିମିଛିକା ମହୁବୋଳା ପ୍ରଶଂସା ସବୁକିଛି ପ୍ରତେ ହୁଏ ଅଳୀକ, ଅଳୀକ !!
ଠିକ ଏତିକିବେଳେ ସତେ ଅବା ତା’ ନିଜ ମନ ଆସି ଗୋଟାପଣେ ଉଭା ହୋଇଯାଏ ଆଗରେ ! ମନ ସହ ପଛରେ ଜଡ଼ିତ ହୋଇ ରହିଥିବା ବିବେକ ବି ଜାଗି ଉଠି ଭାରି ଉଚ୍ଚାଟିତ କରେ ଏଥର ନିଜ ଆଡ଼ିକି ମୁହାଁଇ ଆପଣା ମାଫିକ୍ ନିଜମତେ ଏଯାବତ ଲେଖି ପାରି ନଥିବା ନିଜ ଜୀବନର କଥାମାନ ଲେଖି ପୃଷ୍ଠା ପରେ ପୃଷ୍ଠା ଯୋଡ଼ି ଆପଣାକୁ ସଜାଡ଼ି ପରିପୂର୍ଣ୍ଣ ଅନୁଭବିବାକୁ ! ଆଉ ଏଇ ନୂଆପଣକୁ ପଢି ପାରିବା ହିଁ ପ୍ରକୃତ ପକ୍ଷେ ନିଜର ସତ୍ୟ ସ୍ୱରୂପକୁ ଅନ୍ୱେଷଣ କରିବା ! ସୁତରାଂ ନିଜ ପାଖକୁ ଫେରିଲେ ହିଁ ଏବଂବିଧ ଅନ୍ୱେଷଣାର୍ଥେ ଯାତ୍ରାରମ୍ଭ ସମ୍ଭବ ହୋଇଥାଏ ।
ନିଜେ ନିଜ ଜୀବନ ଲେଖିବା ଅର୍ଥ ନିଜ ପଥ ନିଜେ ଫେଇବା ଓ ଆଗେଇ ଚାଲିବା । କେହି ସାଥୀ ମିଳନ୍ତୁ ବା ନମିଳନ୍ତୁ “ଏକଲା ଚଲୋ” କ୍ରମେ ନିଜ ଭିତରର ‘ମୁଁ’ଟି ସହ ଏକାନ୍ତ ହୋଇ ଜୀବନ ଜୀଇବା । ନିଜ ଅନୁଭବ, ନିଜ ଆଶା ଆକାଂକ୍ଷା ଓ ଅଭୀପ୍ସାକୁ ସର୍ବାଗ୍ରେ ରଖି ନିଜେ ନିଜକୁ ସଜାଇ ନିଜର ନାୟକ ଓ ନିୟାମକ ନିଜେ ହେବା । ନିଜ କାହାଣୀ ନିଜେ ରଚିବା ।
କାରଣ ଅନ୍ୟ ସୃଷ୍ଟ ଭିନ୍ନ ମାନଦଣ୍ଡରେ ନିଜକୁ ମାପିଲେ ତହିଁରୁ ବାସ୍ତବତା ଓ ଯଥାର୍ଥତା ପ୍ରାପ୍ତିର ଆଶା କ୍ଷୀଣ ହୋଇଥାଏ । କିନ୍ତୁ ନିଜ ମନକୁ ପଚାରି, ମନକୁ ମନୋପୂତ ଭାବେ ପଢି, ନିଜ ଅଭ୍ୟନ୍ତର ଫେଡ଼ି ତୃତୀୟ ନୟନରେ ନିଜ ଉପରେ ଅନ୍ତର୍ଦୃଷ୍ଟି ନିକ୍ଷେପ କରିପାରିଲେ ନିଜ ନିରବତା ସୃଷ୍ଟ ବାସ୍ତବତାକୁ ଶୁଣି ହୁଏ ଓ ଜୀବନ ଭିତରେ ସମାହିତ ସତ୍ୟ ସ୍ୱତଃ ଉଦ୍ଭାସିତ ହୁଏ ।
ମନ ତ ନିଶ୍ଚିତ ଭାବେ ଗୁରୁ ! ସତତ ସଠିକ ନିର୍ଣ୍ଣୟ ଓ ନିର୍ଦ୍ଦେଶ ପ୍ରଦାନକାରୀ । ମନଠୁ ବଳି ବଡ଼ ଗ୍ରନ୍ଥ ଆଉ ନାହିଁ, ଯା’ ଭିତରେ ପ୍ରତିଟି ପୃଷ୍ଠାରେ ସନ୍ନିହିତ ଆମ ଆଶା, ଆମ ସ୍ୱପ୍ନ, ଆମ ସଙ୍ଘର୍ଷ ଓ ଆମ ସାଫଲ୍ୟର ଶୁଦ୍ଧପୂତ ସତ୍ୟପାଠ ! ବରଂ କହିହେବ ଯେ ମନ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଏକକ ଗ୍ରନ୍ଥାଗାର, ଯାହାର ପାଠକ ବା ଶିଷ୍ୟ ହୋଇ ଅବିରତ ଆଦରି ପାରିଲେ ଜୀବନପଥରୁ ଅଜ୍ଞାନାନ୍ଧକାର ହଟି ଜ୍ଞାନାଲୋକ ଉଦ୍ଭାସିତ ହୋଇଥାଏ !
ଏବଂ ଏଭଳି ମନୋପୂତ ଭାବେ ନିଜେ ନିଜକୁ ନିଜ ଆଇନାରେ ଚିହ୍ନି ପାରିଲେ ଅନ୍ୟର ମତ, ଅନ୍ୟର ଅନୁମୋଦନ, ଅନ୍ୟର ସମ୍ମତି ଓ ଅନ୍ୟର ସ୍ୱୀକୃତି ଆଉ ଲୋଡ଼ା ପଡ଼େନି । କାରଣ ନିଜ ମନ ହିଁ ନିଜ ମତ, ନିଜ ଲକ୍ଷ୍ୟ ଓ ନିଜ ଦିଶା ନିର୍ଭରଯୋଗ୍ୟ ଭାବେ ନିର୍ଦ୍ଧାରଣ କରତଃ “ଚରୈବତି ଚରୈବତି” ଉଚ୍ଚାରି ନିଜକୁ ଆଗେଇ ନେଉଥାଏ ଜୀବନର ସତ୍ ପଥରେ !!
କସ୍ମରୀ ନଗର, ରାୟଗଡା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।