ଭାସ୍ଵତୀ ବାସୁ
ତିଥିର ମାଆ ବେଶ ଆଧୁନିକା
ବିଚାରରେ, ପୋଷାକରେ, ମନସ୍କରେ ।
କିନ୍ତୁ ଯେବେ ଦୁହିଁଙ୍କ ପାଦର ମାପ ସମାନ ହେଇଗଲା
ତିଥିର ମାଆଙ୍କ ଛାତି ଦୁଲୁକିଲା
ଝିଅଗୁଡ଼ାକ ପୁଅଙ୍କ ଠାରୁ ଜଲଦି ବଡ଼ ହେଇଯାଆନ୍ତି
ପୁଅଟିଏ ହେଇଥିଲେ
ଆଉ କିଛିଦିନ ଶୈଶବ ଦେଖି ହୁଅନ୍ତା ବୋଧେ..
କେଜାଣି ?
ତିଥି କହେ -“କେମିତି ସମ୍ଭାଳୁଛ ସବୁ ! ତମକୁ ନମସ୍କାର”
ତିଥିର ମାଆଙ୍କ ନିଶ୍ଵାସ ଘନ ହୁଏ
କେମିତି ସମ୍ଭାଳିବ ତିଥି !
କେମିତି ସମ୍ଭାଳିବ
ଚଢ଼େଇଙ୍କ ପେଟକୁ, ଆଶ୍ରିତଙ୍କ ମନକୁ, ଜୀବନ ସାଥୀଙ୍କ ଦେହକୁ, ବଡ଼ଙ୍କ ପାଦଧୂଳି ଆଉ ସାନଙ୍କ ସ୍ନେହକୁ !
ନିଜକୁ ଅନେଇବ ନା ପରକୁ !
ଆକାଶକୁ ଦେଖିବ ନା ଘରକୁ !
ନିଜ ଥାଳିର ଖାଇବା ଅଭାବୀଙ୍କ ଥାଳିରେ ଦବ
ନା ଶାଶୂଙ୍କ ଆଖିରୁ ମାଛ ତରକାରୀ ଲୁଚେଇବ !
ତିଥିର ମାଆ ତିଥିର ଡେଣାରେ ପର ଖୋସନ୍ତି
ଆଖିରେ ଲଗେଇ ଦିଅନ୍ତି ସ୍ୱପ୍ନ
କୁହନ୍ତି -“ଉଡ଼ି ଯା ଝିଅ, ମାପି ନେ ଦିଗବଳୟକୁ
କିନ୍ତୁ ମନେରଖ
ବସାଟିଏ ରଖିଥିବୁ ଫେରି ଆସିବାକୁ
କୁଟା ଖଣ୍ଡିଏ ବି ଖସିବାକୁ ଦବୁନି
ଯେତିକି ସମ୍ପର୍କ, ସେତିକି ଆଶ୍ରୟ ।”
ଏଥର ଥରଥର ହୃଦୟ ନେଇ କେବଳ ଦେଖିବାକୁ ଅପେକ୍ଷା,
ତିଥି, ମାଆଙ୍କ ଚପଲ ପିନ୍ଧିବ ନା ନୂଆ !
ଭୁବନେଶ୍ୱର, ଖୋର୍ଦ୍ଧା, ମୋ – ୯୯୩୮୭୧୩୩୪୬
ଲେଖକ ପରିଚୟ
ବାବୁଜୀଙ୍କ ଯିବା ପରେ ସେଇ ଶୁନ୍ୟ କାଳରେ ହିଁ ମୁଁ କବିତା ଲେଖିବା ଆରମ୍ଭ କଲି କହିଲେ ଚଳେ । କବିତା ମୋ ପାଇଁ ମାନସିକ ଯନ୍ତ୍ରଣା ନିବୃତ୍ତିର ଗୋଟେ ବାଟ ପାଲଟିଗଲା । ଜୀବନର ଯାବତୀୟ ଉତ୍ଥାନପତନ କବିତା ଆକାରରେ ବାହାରି ଆସେ ଆଉ ମୁଁ ଶାନ୍ତ ହୁଏ । ମୋ କବିତା ମୋ ଡାଏରି ଭଳି । କବିତା ଲେଖେ କାରଣ ମୁଁ ଅନ୍ତର୍ମୁଖୀ । ବାହାରେ ଖୁବ ହସେ ହେଲେ ମନ ଖୋଲି ପାରେନା । ଡରେ । କବିତାରେ ବହୁତ ସତ “ରୂପକ” ପଛରେ ଲୁଚେଇ କହିଦେଇ ହୁଏ । “ବାଦଶାହ ଓ ପ୍ରେମିକା” ଏବଂ “ବାଟ ଅବାଟ” ନାମରେ ଏଯାବତ ଦୁଇଖଣ୍ଡ ସଂକଳନ ପ୍ରକାଶିତ ହୋଇସାରିଛି ।