ସଂଘମିତ୍ରା ଭୂତିଆ

ଯେବେ ଆମେ ଦୁହେଁ ପରସ୍ପରକୁ
ଜାଣି ନଥିଲୁ,
ସେବେ ହିଁ ହେଇଥିଲା
ଆମର ପ୍ରଥମ ଦେଖା !

ଯେବେ ଦୁହେଁ ନାଁ ଜାଣିଲୁ ଦୁହିଁଙ୍କର
ସେବେ ଜଣେ ଅନ୍ୟର
ଭାଷା ଚିହ୍ନିବା ଛଡ଼ା
ଆଉ କିଛି କାମ ନଥିଲା ଆମର ।

ଆବଶ୍ୟକତାଠୁ ଅଧିକ
କଥା କହିବା,
ସେ ହିଁ ଆରମ୍ଭ କରିଥିଲା ତା’ ଆଡୁ ।

ତା’ ହାତରେ କେବେବି ନଥିଲା
ମୋ ପାଇଁ ଲାଲ ଗୋଲାପ,
ଚକୋଲେଟ୍ କି ଜହର ଶିଶି !
ତଥାପି କେହିକେହି
ପ୍ରେମ, ବନ୍ଧୁତା କିମ୍ବା ଶତ୍ରୁତାର ପରିଚୟ
ଆଣି ଥୋଇଲେ ଆମ ଭିତରେ,
ସେପାଇଁ ସେ,
ଜାଣିଜାଣି ହଜିଗଲା କୋଉ ଗୋଟେ
ଚିହ୍ନା ସହରରେ !

ଏବେ ମତେ ଯେକେହି ବି
ପଚାରିଲେ ତା’ କଥା
ମୁଁ କହୁଛି ସେ ମରି ସାରିଛି
ଗୋଟେ ସଡ଼କ ଦୁର୍ଘଟଣା କି
ବିଜୁଳି ଖସିବାରେ !

ସୁକିନ୍ଦା, ଯାଜପୁର

ଲେଖକ ପରିଚୟ

ସମକାଳର ଓଡ଼ିଆ କଥା, କବିତା ଜଗତରେ ସଂଘମିତ୍ରା ଭୂତିଆ ବେଶ୍‍ ପ୍ରତିଭାସମ୍ପନ୍ନା । ପ୍ରେମ, ସମୟ, ସମାଜ ଓ ଜୀବନକୁ ଅତି ଅନ୍ତରଙ୍ଗ ଭାବେ କଥା, କବିତାରେ ବର୍ଣ୍ଣନା କରିବାରେ ତାଙ୍କର ସ୍ୱକୀୟତା ସୁସ୍ପଷ୍ଟ । ବିଶେଷକରି ଗଭୀର ଦୃଷ୍ଟିଭଙ୍ଗୀ ସହ ନିଜସ୍ୱ ଶୈଳୀ ଓ କାବ୍ୟ-ପରମ୍ପରା ଯୋଗୁଁ ସେ ସ୍ୱତନ୍ତ୍ର ଏବଂ ତାଙ୍କ ସ୍ୱର ସଶକ୍ତ । ତାଙ୍କର ଗଳ୍ପ, କବିତା ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଇଛି ଢେର ପାଠକପ୍ରିୟତା ।

Related Posts

Leave a Reply

Your email address will not be published. Required fields are marked *