ଡ. ଗୀତାଞ୍ଜଳି ପୃଷ୍ଟି

ସ୍ମୃତି ତୁମେ ଆସ ଅତୀତ ସାଥୀରେ
ଫଗୁଣର ରଙ୍ଗ ନେଇ
ତୁମେ ପୁଣି ଆସ ଭରା ସମ୍ମୋହନେ
ଅନେକ ଯାତନା ସହି ।।
ସ୍ମୃତି ତୁମେ ପରା ଶିଖାଇ ଦେଇଛ
ବଞ୍ଚିବାର ମାୟା ମୋହ
ତୁମ ପାଇଁ ଆଜି ଆବେଗରେ ମୁହିଁ
ନୟନେ ଭରିଛି ଲୁହ ।।
ସ୍ମୃତି ତୁମେ ଥିଲ ମଧୁଠୁ ମଧୁର
ରୋମାଞ୍ଚିତ ରମ୍ୟବନ
ତୁମ ବିନା କାହିଁ କିଏବା ବଞ୍ଚିଛି
ଥିଲେ ଯେତେ ଧନରତ୍ନ ।।
କେବେ ପୁଣି ତୁମେ ଆସି ଚାଲିଯାଅ
ମନକୁ ମୋ ଛୁଇଁଛୁଇଁ
ସୁନେଲି ସ୍ଵପ୍ନରେ ଉତଫୁଲ୍ଲିତ ହୁଏ
ପ୍ରୀତି ଭରା ରଙ୍ଗ ନେଇ ।।
ଶୈଶବରେ ତୁମେ କୈଶୋରରେ ତୁମେ
ବାଲ୍ୟ ଚପଳତା ସାଥେ
ସ୍ମୃତି ତୁମେ ଆଜି ସାଉଁଟା କାହାଣୀ
ଜୀବନ ଜଞ୍ଜାଳ ପଥେ ।।
ସ୍ମୃତି ତୁମେ ମୋର ଅନେକ ପ୍ରଶ୍ନର
ମଧୁଝରା ସମାହାର
ହୃଦୟ ମନ୍ଦିରେ ତୁମକୁ ସାଇତି
ଖୋଜୁଛି ମୁଁ ବାରମ୍ବାର ।।
ଗତିରାଉତ ପାଟଣା, କଟକ, ମୋ – ୮୯୧୭୪୧୬୨୫୧
ଲେଖକ ପରିଚୟ
ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।
