ବିନୟ ମହାପାତ୍ର

ଦୁନିଆର ଭିଡ଼ଭାଡ୍ ବଜାରଠୁ
ବହୁତ ଦୂରରେ,
ସବୁକିଛି ଭୁଲି ଯାଇ,
ପର୍ବତଘେରା ସବୁଜ ଉପତ୍ୟକାର,
ଅଜଣା ଏ ଗହନ କାନ୍ତାରେ,
ଅବା କେଉଁ ମରୂର,
ଉତ୍ତପ୍ତ ଶୈକତ ଶେଜରେ,
ମୁଁ ଆଜି ଏକାଏକା
ନିଜେ ନିଜକୁ ଖୋଜୁଛି …
ମୃତ ମୋର ମନ ପାଇଁ
ଦୁଇ ଘଡ଼ି ନିରୋଳା ମୁହୁର୍ତ୍ତ,
ଆଉ, ଦୁଇ ବୁନ୍ଦା ଅମୃତ ଚାହୁଁଛି,
ସତେ ଅବା ଜ୍ୱଳନ୍ତ ପ୍ରାଣ ପାଇଁ
ବୁନ୍ଦାଏ ମନ୍ଦାକିନୀ, ସଲିଳ ମାଗୁଛି ।
ସବୁ ସୁଖ, ଦୁଃଖ, ଖଟା ମିଠା
ଯେତେ ମୋର ଅନୁଭୂତି ଥିଲା,
ବିସ୍ମୃତିର କାଳ କୋଠରୀରେ
ସମସ୍ତଙ୍କୁ ବନ୍ଦ କରିଦେଲି,
ଯେତେ ମୋର ସମ୍ବନ୍ଧ, ସବୁ ଭୁଲି ଗଲି,
ବିତିଗଲା ଦିନର ରଙ୍ଗିନ୍ ଅବା,
କଳାଧଳା କାଣିଚାଏ ସ୍ମୃତି,
ଆଜି ଆଉ ମନେ ପଡ଼େନାହିଁ,
ମନ ଡଷ୍ଟବିନ୍ ମୋର,
ଆଜି ପୁରା ଶୁନ୍ୟ ରଖିଲି,
ନୂଆନୂଆ ଅଳିଆ ପାଇଁ,
ଖାଲି କରି ଦେଲି ।
କଥା ପଦକରେ ମୋର
ଆଜି କିଏ ଖୁସି ହୋଇ ଯିବ,
ସେଇମିତି ମୋର କେହି ନାହିଁ,
ମୋ କାମ, ଅବା କଥା କେଇ ପଦ,
କାହା ମନେ ଦୁଃଖ ଦେଇ ଦେବ,
ଆଜି ଆଉ ଡର ଲାଗେ ନାହିଁ,
ସେ ଚିନ୍ତା, ଆଜି ମୋର ନାହିଁ ।
ଆସିବାକୁ କେହି ନାହିଁ ଆଜି,
କାହା ପ୍ରତୀକ୍ଷାରେ,
ମନେ ଉଦବେଗ ନାହିଁ,
ସଙ୍ଗ ସୁଖ ପାଇଁ ମନ, କାହାକୁ ଲୋଡୁନି,
କାହାର ମିଳନ ଉତ୍କଣ୍ଠା, ମନରେ ଜାଗୁନି,
ମୋ ସାନ୍ନିଧ୍ୟ ପାଇଁ ଆଜି,
କେହି ବି ଝୁରୁନି,
କେହି ମୋତେ ଛାଡ଼ିଯିବ ବୋଲି
ମୋତେ ଆଉ ଡରଡର ଲାଗୁନି ।
ରିକ୍ତ ଆକାଶର ମୁକ୍ତ ବିହଙ୍ଗମ ସାଜି
ବିସ୍ତୀର୍ଣ୍ଣ ଆକାଶରେ ମନ ଭରି ଉଡ଼େ,
ଆକାଶର କଳା କଳା ବାଦଲରେ
ବଜ୍ର, ବିଜୁଳିର ଭୟ ନାହିଁ ତିଳେ,
ଜତନରେ ଗଢ଼ା, ନୀଡ଼ ମୋର,
ଭାଙ୍ଗି ଯିବ ବୋଲି,
ଆଜି ମୋତେ ଡରଡର ଲାଗୁନି,
ଆଉଥରେ ନୂଆ ନୀଡ଼ ଗଢିବାର ସ୍ୱପ୍ନ,
ମନେ ମୋର ତିଳେ ମାତ୍ର ଜାଗୁନି ।
ମୁଁ ଯେ ଏକେଲା,
ଏକ ମୁକ୍ତ ବିହଙ୍ଗମ,
କାହା ପାଇଁ ଗଢିଦେବି ନୀଡ଼,
ଡର ନାହିଁ ମନେ,
ଆଉଥରେ ଜୀବନେ ଆସିବ,
ଫନି ଅବା ଆମ୍ଫାନର ଝଡ଼ ।
ନିଜ ସାଥେ ପ୍ରେମ କରି,
ନିଜ ସାଥେ,
ମନ ଖୋଲି କଥା ହୋଇ
ନିଜ ସାଥେ ବନ୍ଧୁତା,
କରି ମୁଁ ନେଲିଣି
ମନେ ମନେ କଥା କହି,
ନିଜ ଭିତରେ,
କେମିତି ହଜିବାକୁ ହୁଏ
ସେ କଳା ଆଜି,
ମୁଁ ଶିଖି ସାରିଲିଣି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
