ଶ୍ରୀବାସ କୁମାର ନାୟକ
ସ୍ତ୍ରୀ ଲୋକଙ୍କ କଥା ନକହିବା ଭଲ । ତାଙ୍କୁ ଯେତେ କହିଲେବି ସୁଧୁରିବେନି… । କାଳେ, ବାସି ପରିବାରେ ରୋଷେଇ ହୁଏନି । ସବୁଦିନ ସଜ ପରିବା ଦରକାର । ଆରେ…ଲକ୍ଡାଉନ୍ ସମୟରେ ସରକାର କହୁଛନ୍ତି ପ୍ରତିଦିନ ବଜାରକୁ ଯାଅନି । ଏକାଥରେ ସପ୍ତାହେ ପାଇଁ ପରିବା, ସୋଉଦା କିଣି ଆଣିବାକୁ । ଏମିତି ହେଲେ ଦୋକାନ ବଜାରରେ ଭିଡ ହେବନି । ହେଲେ, ଏ ପ୍ରାଣୀଙ୍କୁ ବୁଝେଇବ କିଏ! କିଏ ବା ୟାଙ୍କୁ କହିବ ସରକାରଙ୍କ ନିୟମ କି ସଚେତନତାର କଥା । ନ୍ୟୁଜ କେବେତ ଦେଖିବେନି । ସବୁବେଳେ ଟିଭି ଖୋଲି ସିରିଏଲକୁ ଅନେଇଥିବେ । ଖବରକାଗଜ ମୂଲ୍ୟବି ଆମ ମ୍ୟାଡାମଙ୍କୁ ଜଣା ନାହିଁ । ଖବରକାଗଜ ଯଦି ଧରିଲେ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତି କିମ୍ବା ସୁନ୍ଦର ହେବାର ରହସ୍ୟ, ନହେଲେ ରାଶି ଫଳ ପଢିବେ । ପୁଣି ସେ ଖବରକାଗଜକୁ ରୋଷେଇ ଘର ଥାକରେ ପକେଇ ଡବା ରଖିବେ । ନହେଲେ ରୁଟି ବେଲି ଥୋଇବେ । ଛାଡ….ମୋ ଭାଗ୍ୟଟାତ ସେଇଆ ।
ଦେଖୁନ ନୂଆ ଗାଡିଟା କିଣିଲି ଯେ…ଲକ୍ଡାଉନରେ ଘରେ ରହିରହି ବ୍ୟାଟେରୀ ଡାଉନ ହେଲାଣି । ଏମିତି ସକାଳ ବକର ବକର ହୋଇ ଗାଡି ପୋଛା ସାରିଲେ ଦୀପକ ବାବୁ । କାରଟା ଧରି ବାହାରି ଗଲେ ବଜାର ଆଡେ । ପାଞ୍ଚ ମିନିଟ ଯାଇଛି କି ନାହିଁ ଫେରିଆସିଲେ । ମୁହଁଟା ଟିକେ ବିବର୍ଣ୍ଣ ଦିଶୁଥାଏ । ବୋଧହୁଏ ଲକ୍ଡାଉନରେ ଗାଡି ନେଇ ଯାଉଥିବାରୁ ଛକରେ ପୁଲିସ ଅଟକେଇ କିଛି କହିଛି । ମୁହଁଟା ଶୁଖିଗଲା ପରି ହୋଇଥାଏ । ସେ ଶୁଖିଲା ମୁହଁକୁ ବି ଅଧା ଢାଙ୍କି ରଖିଥାଏ ଡର । ଗାଳି ଶୁଣିବାର ଭୟ । କାରଣ ପରିବା ନଆଣିପାରିଲେ, ବରଷିି ଯିବେ ରେଣୁ ମ୍ୟାଡାମ୍ । ତେଣୁ ଯେମିତିବି ହେଲେ ପରିବା ଆଣିବାକୁ ହେବ । ହଠାତ୍ ଦୀପକ ବାବୁଙ୍କ ମୁଣ୍ଡରେ ବୁଧିଟିଏ ଢୁକିଲା । ବିରକ୍ତିକର ମୁହଁରେ ମୃଦୁ ହସଟିଏ ହସି ତରତର ହୋଇ ଘର ପୋଟିକ ଆଡକୁ ଚାଲି ଆସିଲେ । ହେଲେ ସବୁ ଆଶା ଯେମିତି ମଉଳି ଗଲା । ପୋଟିକରେ ଥିବା ଆଲନ୍ଧୁ, ଧୁଳି, ମଳି, କଳଙ୍କି ଲଗା ବାପାଙ୍କ ପୁରୁଣା ସାଇକେଲଟାକୁ ଦେଖି ।
ନିଳ ରଙ୍ଗର ୨୪ ଇଞ୍ଚିଆ ସାଇକେଲ । ଯେଉଁ ସାଇକେଲଟାକୁ ମାମୁଁ ଘର କାଳେ ଯୌତୁକରେ ଦେଇଥିଲେ ବୋଲି ମା’ ଦାବି କେରେ । ହେଲେ ବାପା ତାକୁ ଫାଙ୍କି ଦେଇ କୁହନ୍ତି, ହଁ ତମ ବାପ ଘର ଏମିତି ଦେଲା ବାଲା । ଏଟା ମୁଁ ମୋ ଦରମା ପଇସାରେ କିଣିଛି । ହେଲେ ଦୀପକ ବାବୁଙ୍କର ସେଥିରେ କିଛି ଯାଏ ଆସେ ନାହିଁ । ସେ ସେହି ସାଇକେଲରେ, ସାଇକେଲ ଚଳାଇବା ଶିଖିଛନ୍ତି । ବାପାଙ୍କ ସହ ବସି ମେଳା ଦେଖି ଯାଇଛନ୍ତି । ଦେହ ଖରାପ ହେଲେ ମେଡିକାଲବି । ତେଣୁ ସାଇକେଲଟାକୁ ସେ ତାଙ୍କ ସାଇକେଲ ବୋଲି ଭାବନ୍ତି । କିନ୍ତୁ ବାପାଙ୍କୁ ସେ ସାଇକେଲଟା ଭଲ ମାନେ । ଦୀପକ ବାବୁ ସତରେ ହେଉ କି ମିଛରେ, ପିଲାବେଳେ କେତେ ଥର ମା’କୁ କହିଛନ୍ତି । ବାପାଙ୍କୁ ଏ ୨୪ ଇଞ୍ଚିଆ ସାଇକେଲଟା ମାନୁଛି । ମୋତେ ଟିକେ ବଡ ହେଉଛି । ମୋ ପାଇଁ ୨୨ ଇଞ୍ଚିଆ ସାଇକେଲଟେ ଆଣି ଦେଉନୁ । ଏତିକି କଥାରେ ମା’ ଗର୍ବରେ କହେ ମାନିବନି, ତୋ ମାମୁଁ ଘର ସେମିତି ଦେଇଛନ୍ତି ନା….. ।
ଏ କଥା ଠାକୁର ବାବୁ ବାରମ୍ବାର ଶୁଣିବା ପରେ ମାଷ୍ଟରୀ ପଇସାରୁ କିଛି କିଛି ସଞ୍ଚୟ କରି ବାଇକଟେ କିଣି ଦେଇଥିଲେ । ସେଥିରେ ଦୀପକ ବାବୁ କଲେଜ ଯାଆନ୍ତି । ଠାକୁର ବାବୁଙ୍କୁ ମଧ୍ୟ କହିଛନ୍ତି କେତେଥର ବାଇକ୍ ଶିଖିବା ପାଇଁ । ହେଲେ ଠାକୁର ବାବୁ କହନ୍ତି, ମୋ ସାଇକେଲ ଭଲତ, “ମୁଁ ଭଲ । ତୁ ବାଇକ ଚଲା ।”
ସତରେ, ଦୀପକ ବାବୁ ପିଲାଟି ଦିନରୁ ଦେଖି ଆସୁୂଛନ୍ତି ବାପାଙ୍କୁ । ସକାଳୁ ପରିବା ପାଇଁ ହେଉ, କି ସ୍କୁଲ । ଉଜାଲା ଦିଆ ଧଳା ଧୋତି, ପଞ୍ଜାବି ସହ ମୁଣ୍ଡରେ ଠେକା ବାନ୍ଧି ବାପା ଯେତବେଳେ ସାଇକେଲ ନେଇ ଯାଆନ୍ତି । ବହୁ ଦୂରରୁ ଲୋକେ ଜାଣିପାରନ୍ତି । କିଏ ମଷ୍ଟ୍ରେ କହି ମୁଣ୍ଡିଆଟେ ମାରେ ତ ଆଉକିଏ ଠାକୁର ବାବୁ କୁଆଡେ ଯାଉଛନ୍ତି ବୋଲି ପଚାରନ୍ତି ।
ଅବସରପରେ ମଧ୍ୟ ପ୍ରତିଦିନ ସକାଳୁ ଏମିତି ବେଶ ପୋଷାକ ହୋଇ, ସାଇକେଲ କେରିଅରରେ ସିମେଣ୍ଟ ଛଣିଆରେ ତିଆରି ବ୍ୟାଗଟେ ମାରି ଦାଇ ବାହାରି ଯାଆନ୍ତି । ଚେକ୍ ଗେଟ୍ ଡେଲି ମାର୍କେଟକୁ ନହେଲେ ବଳିଘାଇ ବଜାରକୁ । ଆମିଷ ବାର ଦିନ ଆମିଷ ଟିକେ ନହେଲେ ନଚଳେ । ଯାଜପୁର ବ୍ରହ୍ଣଣୀ ନଈର ମାଛ । ଭାରି ସୁଆଦିଆ । ପିଲାଟି ଦିନରୁ ସେ ଖାଇ ଆସୁଛନ୍ତି । ବଳିଘାଇ ବଜାର ମଟନର ସ୍ୱାଦ ବି ଭାରି ନିଆରା । ତେଣୁ କି ବର୍ଷା, କି ଖରା , କି ଶୀତ ପ୍ରତି ରବିବାର ସକାଳୁ ଠାକୁର ବାବୁ ସାଇକେଲ ଧରି ପହଞ୍ଚି ଯାଆନ୍ତି । ଯେବେ ବିଳମ୍ବ ହୁଏ ମଟନ ଦୋକାନୀ ଚାହିଁ ରହିଥାଏ । ମଷ୍ଟ୍ରେ ପହଞ୍ଚିଲେ…ଖାଶି କଟାହୁଏ ।
ହେଲେ ସବୁଦିନ ଆମିଷ କରି କରି ରେଣୁ ଦେବି ଚିଡନ୍ତି । ଦିନେ ବାପ, ପୁଅ ଏକାଠି ବିସିଥିବା ବେଳେ ରେଣୁ ମାଡାମ କହିଲେ । “ଦେଖ ବାପା, ତମେ ଆଉ ବଜାର ଯାଅନି । ବୁଢା ହେଲଣି, କେତବେଳେ କୋଉକଥା । ତମ ପୁଅ ଯାଇ ସବୁ ନେଇ ଆସିବେ । ତମେ ଆଉ ସେ ସାଇକେଲ ଚଳାଇ ଯାଅନି ।” ଠାକୁର ବାବୁଙ୍କ ମୁଁହ ଶୁଖିଗଲା । ଦୀପକ ବାବୁ ମନେମନେ ଭାବିଲେ, ବାପା କ’ଣ ବଜାରନଯାଇ ରହିପାରିବେ । ତଥାପି ରେଣୁ ଯାହା କହୁଛି, କିଛି ଭୁଲ କହୁନି । ବାପା ବୁଢା ହେଲେଣି । ଏମିତି ଭାବି ଦୀପକ ବାବୁ ମଧ୍ୟ ତାଗିଦ କରିଦେଲେ । “ନା ବାପା…ତମେ ଆଉ ଏ ସାଇକେଲ ନେଇ ବଜାର ଯିବନି । ମୁଁ ପରିବା, ମାଛ ସବୁ ନେଇ ଆସିବି ।”
ଠାକୁର ବାବୁଙ୍କ ମନ ପୁରା ଝାଉଁଳି ଗଲା । ନାତି ଟୋକା ଦାନ୍ତ ଦେଖେଇ କହିଲା, “ବୁଝିଲ ଜେଜ । ତମେ ବୁଢାହେଲଣି । ମାଛ ଆଣୁ ଆଣୁ ଯଦି ମାଛ ଡେଇଁ ପଡିବ । ତମେ ସାଇକେଲ ସହ ପଡିଯିବ । ତେଣୁ ଆଉ ଯାଅନି ।”
ଠାକୁର ବାବୁ ହସିଦେଇ । ଗୋଟେ ଦମ୍ଭୋକ୍ତି ମାରିଲେ । “ ମୁଁ କଲେଜ ଗଲାବେଳେ ଆଗରେ ଗୋଟେ ଝିଅ, ପଛ କେରିଏଲରେ ଆଉ ଗୋଟେ ଝିଅକୁ ବସେଇ ନେଇଯାଉଥିଲି । କ’ଣ ଏ କଲେଜ ଝିଅଙ୍କ ଠାରୁ ଆଜିକାଲିର ଏ ବରଫ ଦିଆ ମାଛ କଣ ଆହୁରି ଜୋର ଡେଉଁବ ! ଯେ ମୁଁ ପଡିଯିବି ।” ଜେଜେ ନାତି ଠୋ..ଠୋ ହୋି ହସି ଉଠିଲେ ।
ଦୁଇ ଚାରି ଦିନ ବଜାର ନଯାଇ “ ଠାକୁର ବାବୁଙ୍କ ମନ ଭଲ ଲାଗୁନଥାଏ । ତେଣୁ ରବିବାର ସକାଳୁ ଭଲ ମଟନ ଟିକେ ଆଣିବାକୁ ବାହାରୁ ଗଲେ ବଳିଘାଇ ବଜାର ଆଡେ । ମଟନ କେଜିଏ ନେଇ ପହଁଞ୍ଚିଲା ବେଳକୁ ଘରେ ଗୋଲଟେବୁଲ ବୈଠକ ବସିଥାଏ । ରେଣୁ ମାଡାମ ଦୀପକ ବାବୁଙ୍କୁ ଧରି ଦୁଆର ମୁହରେ ବସିଥାନ୍ତି ରାଗ ତମ ତମ ହୋଇ । ସାଇକେଲଟା ରଖି ଡରକୁଳା ହସ ହସି ଠାକପର ବାବୁ କହିଲେ, ଦୀପୁ ଭଲ ମଟନ ଦେଖିକି ଆଣିପାରିବୁନି ତ…. ସେଥିପାଇଁ ମୁଁ ଚାଲିଗଲି ।
କଥା ସରିଛି କି ନାହିଁ । ରେଣୁ ମ୍ୟାଡାମ ବାର କଥା କହିଗଲଲେ । “ଦରକାର ନାହିଁ ସେ ମଟନ ଖିଆ । ଆଜି ଯଦି ତମର କଣ ହୋଇଯାଇଥାନ୍ତା ? କିଏ ବୁଝିଥାନ୍ତା । ତମକୁ କହିଲେ ତମେ ମାନିବନି । ସେ ସାଇକେଲରେ ଆଜି ଠାରୁ ତାଲା ପଡିବ । ତମେ କେମିତି ଯାଉଛ ଯାଅ ।”
ସେହିଦିନରୁ ସେ ସାଇକେଲଟାରେ ତାଲା ପଡି ପୋଟିକର ଏକ କଣରେ ଧାନ ବସ୍ତାକୁ ଲାଗି ପଡିଛି । ସେ ସାଇକେଲରେ ଆଉ କିଛି ଅବସ୍ଥା ନାହିଁ । ସାଇକେଲ ଉପରେ ବହଳେ ଧୂଳି । ବୁଢିଆଣି ବସା କରୋନା ଭୁତାଣୁ ପରି ନିଜର ଆଧିପତ୍ୟ ବିସ୍ତାର କରିଛିି । ସିଟ୍ କଭର୍ ଚିରିକି ଛୁଲୁଛି । ଚେନ୍ ଛିଡ ି ପଡିଛି । ଦୁଇଟି ଚକରେ ପମ୍ପ୍ ନାଥିବାରୁ ଟିୟୁ, ଟାୟାର ଯେପରି କରୋନା ଆକ୍ରାନ୍ତଙ୍କ ପରି ପଡିିରହିଛନ୍ତି ମୁର୍ଦାର ପରି ।
କ’ଣ ହେଲାକିରେ ଗାଡି ନେଇ ଯିବାକୁ ପୁଲିସ ବାଲା ଛାଡୁ ନାହାନ୍ତିି କି? ସାଇକେଲ ନବୁ ଯଦି ନୋଉନୁ । ପେପରରେ ଦେଇଛି । ସାଇକେଲ ନେଇ ଯାଇ ହେବ ।
ରେଣୁ ମାଡାମ ଗଡରେଜରେ ରହିଥିବା ସାଇକେଲ ଚାବିଟା ବଢାଇ ଦେଲେ ଦୀପକ ବାବୁଙ୍କ ହାତକୁ । ଠାକୁର ବାବୁଙ୍କ ଖୁସି କହିଲେ ନସରେ । ହେଲେ ବହୁ ଦିନ ହେଲା ସାଇକେଲ ରହି ଯାଇଥିବାରୁ ଚାବିଟା ଖୋଲିଲାନି । ବହୁ କଷ୍ଟରରେ ତେଲ ଦେଇ ମୋଡା ମୋଡି ପରେ ଖୋଲିଲା । ନାତି ଟୋକା କହଲା । ଓ…ହୋ…ଲକ୍ ଡାଉନ୍ ଖୋଲିଲା । ଏ କଥାଟା ଟାପ୍ କରି ଗଳି ଗଲା ଯେମିତି ଦୀପକ ବାବୁଙ୍କ ଛାତିରେ । ମନେମନେ ଭାବିଲେ । ସତେତ ଏ ସାଇକେଲ ଖାଲି ୩ ବର୍ଷ ହେଲା ପଡିରହିନି । ବାପା ମଧ୍ୟ ୩ ବର୍ଷ ହେଲା କୁଆଡେ ନଯାଇ ଘରେ ରହିଛନ୍ତି । କରୋନା ଯୋଗୁଁ ମଣିଷ ମାସ କେଇଟା ଲକ୍ଡାଉନରେ ରହି ବିରକ୍ତି ହେଉଛି । ହେଲେ ବାପ…
ଉଜାଙ୍ଗ, ଆଳି କେନ୍ଦ୍ରାପଡା
୭୭୪୯୮୪୮୧୦୦
(ଲେଖକ ଶ୍ରୀବାସ କୁମାର ନାୟକ ଦୈନିକ ପ୍ରମେୟରେ ବଲାଙ୍ଗିରରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି)