ବିନୟ ମହାପାତ୍ର

ଜୀବନଟା, ଖାଲି କହିବାକୁ,
ଖୋଲା ବହିଟିଏ,
ହେଲେ, ସତରେ କଣ
ଜୀବନଟା ଖୋଲା ବହି ହେଇ ଥାଏ ?
କେଜାଣି ହୋଇ ଥିବ,
ମୋର କିନ୍ତୁ ବିଶ୍ୱାସ ହୁଏନା ।
ଚକ୍ ମକ୍ ରଙ୍ଗିନ ମଲାଟ ତଳେ,
ଜୀବନର କେତେ ଯେ ଅବୁଝା ପୃଷ୍ଠା,
କେତେ ଯେ କାହାଣୀ
କେତେ ହସ, କେତେ ଲୁହ,
ରଙ୍ଗିନ ମଲାଟ ପଛରେ
ମୁହଁ ମାଡ଼ି ପଡ଼ିଥାଏ,
ଜୀବନର ଖୋଲା ବହି,
ସବୁଦିନ ବନ୍ଦ ରହିଯାଏ ।

ଏଇମିତି ରାସ୍ତା କଡ଼ ଷ୍ଟଲରେ
ଝୁଲୁଥାଏ, ଧୁ ଧୁ ବୈଶାଖୀ ଖରାରେ
ମଲାଟର ରଙ୍ଗ ବି ଫିକା ହୋଇଯାଏ,
ପୃଷ୍ଟା ପରେ ପୃଷ୍ଟା ସେତା ପଡ଼ିଯାଏ ।
ହେଲେ, ଗୋଟି ଗୋଟି ଅନ୍ତରର କଥା
ସେଇମିତି ଜୁଳୁ ଜୁଳୁ ଚାହିଁ ରହେ,
କେହି ତ ଦିନେ ଆସିବ,
ଯତନରେ ସାଉଁଟି ନେବ,
ପୃଷ୍ଟା ପରେ ପୃଷ୍ଟା ପଢି ନେବ,
ପଢୁ ପଢୁ କେବେ ହସି ଦେବ,
କେବେ ରୋମାଞ୍ଚିତ ହୋଇ ଯିବ,
କେତୋଟି ମୁହୁର୍ତ୍ତ ପାଇଁ,
ଅନୁଭବି ଜୀବନର ବ୍ୟଥା
ଆଖି ତାର ଜକେଇ ଆସିବ ।

ହେଲେ କେହି ତ ଆସେନି,
କେବେ ବା କେମିତି କିଏ
ବହିଟିକୁ ହାତକୁ ନିଏ,
ମଲାଟରୁ ଧୂଳି ଝାଡେ, ଛବି ଦେଖେ,
ଛବିର ତାରିଫ୍ କରେ,
ହେଲେ ପୃଷ୍ଠାଟିଏ ଲେଉଟାଏ ନାହିଁ ।
ଜୀବନ ତ ଏଇମିତି,
ଅଲୋଡା ବହି ଟିଏ ସତେ,
ସମସ୍ତେ ଖାଲି ମଲାଟ ଦେଖନ୍ତି,
ରଙ୍ଗିନ ଚିତ୍ରରୁ ଅନୁମାନ ଲଗାନ୍ତି,
ବହିଟିର, କାହାଣୀର, ଜୀବନର,
ସୁଖର ଦୁଃଖର, ଚିତ୍ର ଆଉ ଚରିତ୍ରର
ଆଲୋଚନା, ସମାଲୋଚନା କରନ୍ତି ।
ହେଲେ, ଅନୁମାନ କେବେ କଣ
ସତ ହୋଇଯାଏ ?
ଜୀବନର ଖୋଲା ବହି
ସବୁ ଦିନ ଏଇମିତି ବନ୍ଦ ପଡ଼ିଥାଏ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *