ଦୁଷ୍ମନ୍ତ କୁମାର ବେହେରା
କହି ପାରିବେ କି ?
ମଣିଷ ବଞ୍ଚିଛି ନା ମେଡ଼ିସିନ ମଣିଷକୁ ବଞ୍ଚେଇ ରଖିଛି ?
ମଣିଷ ଘରେ ରହୁଛି ନା ମେଡିକାଲ ଭରସାରେ ଘରେ ରୁହୁଛି ?
ଏମିତି କିଛି ପ୍ରଶ୍ନ ମନରେ ଉଙ୍କି ମାରୁଛି । ହଁ ଏଭଳି କିଛି ଉଦ୍ଭଟ ପ୍ରଶ୍ନ ମନକୁ ଆସିବା ବି ସ୍ୱାଭାବିକ । କାହିଁକି ନା ସମୟ ଯେମିତି ହେଲାଣି । ଘରେ ଘରେ ତ ରୋଗୀ । ଛୋଟ ଛୋଟ କଥାରେ ବି ଆମେ ଧାଉଁଛେ ମେଡିକାଲ । ଏମିତିକି ଲୋକେ ତ ପକେଟରେ ବି ମେଡ଼ିସିନ ଧରି ବୁଲୁଛନ୍ତି । ଆଉ ରହିଲା ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନ ଶୈଳୀ । ଓଃ…ସେ ବିଷୟରେ ନ କହିବା ଭଲ । କଥାରେ ପରା ଅଛି ଦେଶ ଗୁଣେ ବେଶ । ଆମ ପାଣିପାଗ ଓ ଆମ ପରିବେଶ ଅଲଗା । ତାକୁ ନେଇ ଆମର ଖାଦ୍ୟ ପ୍ରଣାଳୀ ବି ଭିନ୍ନ । କାହିଁ କେଉଁ ଆବହମାନ କାଳରୁ ଆମର ପାରମ୍ପାରିକ ଖାଦ୍ୟ ପ୍ରଣାଳୀ ରହିଛି । ହେଲେ କଣ ହେବ ତାହା ତ କେବେଠୁ ଚୁଲି ମୁଣ୍ଡକୁ ଗଲାଣି । ଆଉ କଣ ପୋଡ଼ ପିଠା ଅଛି ନା ଡାଲମା ଭାତ କାହାକୁ ରୁଛୁଛି । ଏବେ ତ ଆମେ ଖାଲି ପଶ୍ଚାତ୍ୟ ଖାଦ୍ୟ କଗାଇବାକୁ ଆଗ୍ରହ ପ୍ରକାଶ କରୁଛେ । ଚିଲି, ଚାଓମିନ, ବର୍ଗର, ପିଜା, କକ… ଇତ୍ୟାଦି ଇତ୍ୟାଦି । ଏଇ ଖାଦ୍ୟ ଖାଇ ଆମେ ଆଉ କୁଆଡେ ଯିବା । କାହାକୁ ସାଥି କରିବା । ପକେଟରେ କଣ ରଖି ବୁଲିବା । ଆପଣ ବୁଝି ପାରୁଥିବେ କେଉଁ ଆଡେ ତୀର ଟା ମାରୁଛି । ଗୋଟିଏ ଧାଡିରେ କହିବା ପାଇଁ ଗଲେ
ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ।
ଛାଡନ୍ତୁ ମୁଁ ସିଧା ସଳଖ ପ୍ରସଙ୍ଗକୁ ଆସୁଛି ….
” ଆମେ ବଞ୍ଚିଛେ ନା ମେଡ଼ିସିନ ଆମକୁ ବଞ୍ଚେଇ ରଖିଛି “
ଏ କଥା ମୁଁ କହୁନି । ସେଦିନର ଘଟଣା । ଆମ ପରିବାରର ଜଣଙ୍କ ଚେକଅପ ଭୁବନେଶ୍ୱର ଏମ୍ସକୁ ଯାଇଥିଲି । ବଡି ଭୋରରୁ ଉଠି ପହଞ୍ଚିଲି ସେଠି । କାହିଁକି ନା ଆଗରୁ ଏମ୍ସ ବାବଦରେ ବହୁ ଲମ୍ବା ଲମ୍ବା କଥା ଶୁଣିଥିଲି । ଏମ୍ସରେ ଯଦି ରୋଗୀ ଚକିତ୍ସା କରିବାକୁ ଯିବ । ତେବେ ବଡି ଭୋରରୁ ଲମ୍ବା ଲାଇନରେ ଠିଆ ହେବାକୁ ପଡିବ । ଆଉ ମୁଁ ବା ସେଥରୁ ବାଦ ପଡ଼ନ୍ତି କିପରି । ଲାଇନରେ ଠିଆ ହେଲି । ଓଃ ସେଠାକାର ଦୃଶ୍ୟ କି ମନୋରମ ଥିଲା । ସତେ କି ଶାହାଣମେଳା । ଆଗରୁ ଦେଖିଥିଲି ପୁରୀ ମନ୍ଦିରରେ । ଆଉ ଏବେ ସେଇ ଦୃଶ୍ୟ ଏମ୍ସରେ । ଲାଗୁଥିଲା ସତେ ଯେମିତି ସମସ୍ତେ ସେଠି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଆଉ ଡ଼ାକ୍ତରଙ୍କୁ କହୁଛନ୍ତି “ଆମକୁ ବଞ୍ଚିବୁ ” ଆମକୁ ବଞ୍ଚେଇ ଦିଅ । ଏମ୍ସ ପରିସରରେ ଏ ତ ନିତିଦିନିଆ । ତେବେ ସେ ଭିଡ଼ ଭତରେ ଜଣେ ମାଉସୀ ବାରି ହେଇ ଯାଉଥିଲେ । ଗୋଟିଏ କୋଣରେ ଚୁପଚାପ ବସିଥିଲେ । ଆଉ ସମସ୍ତଙ୍କୁ ବଲ ବଲ କରି ଚାହୁଁଥିଲେ । ମୋତେ ବି । ମୁଁ ଲାଇନରୁ ଥାଇ ତାଙ୍କୁ ହିଁ ଦେଖୁଥିଲି । ଲୋକେ ଆସୁଥିଲେ ଲୋକେ ଯାଉଥିଲେ । ରୋଗୀଙ୍କ କ୍ଷେତ୍ରରେ ବି ସେଇୟା । ସମସ୍ତେ ସେଠି ଚିନ୍ତା ମଗ୍ନ । ହେଲେ ସେ ମାଉସୀ ଜଣଙ୍କ ଅବିଚଳିତ ଭାବେ ସେମିତି ହିଁ ବସି ଥାଆନ୍ତି । କେଜାଣି କାହିଁକି ମାଉସୀଙ୍କ ପାଖକୁ ଯାଇ କଥା ହେବା ପାଇଁ ଭାରି ଇଚ୍ଛା ହେଲା । ମୋ କାମ ସାରି ତାଙ୍କ ପାଖକୁ ଯାଇ ଚୁପଚାପ ବସିଲି । ଆଉ ଟିକେ ପରେ ହସି ଦେଇ ପଚାରିଲି “ମାଉସୀ କଣ ହେଇଛି ଆପଣଙ୍କର ” । ସିଆଡୁ ସିଧାସଳଖ ଉତ୍ତର ଆସିଲା “ମୁଁ ଆଉ ବଞ୍ଚବା ପାଇଁ ଚାହୁଁନି “। କେତେ ଦିନ ଆଉ ବଞ୍ଚିବି । ଦିନ କାଳ ତ ଗଲା । ଆଉ ବଞ୍ଚିକି କଣ କରିବି ? ମାଉସୀଙ୍କ ମୁହଁରୁ ଏମିତି କଥା ଶୁଣି ମୁଁ ପୁରାପୁରି ସ୍ତବ୍ଧ । କିଛି କହିବା ଆଗରୁ ସିଏ ଅନର୍ଗଳ କହିଗଲେ । ଆରମ୍ଭ କଲେ ମେଡ଼ିସିନ ମେଡ଼ିସିନ ମେଡ଼ିସିନ ମେଡ଼ିସିନ । ସକାଳୁ ମେଡ଼ିସିନ । ଦିପହରେ ମେଡ଼ିସିନ । ସଞ୍ଜରେ ମେଡ଼ିସିନ । ଆଉ ରାତିରେ ଶୋଇବା ପାଇଁ ବି ମେଡ଼ିସିନ । ସେ ନିଆଁଗିଳା ମେଡ଼ିସିନ ଖାଇ ଆଉ କେତେ ଦିନ ବଞ୍ଚିବି । ସକାଳୁ ଉଠି ମୁହଁ ଧୋଇଛି କି ନାହିଁ ପୁଅ ବହୁ ଆଣି ମୁହଁରେ ପୁରେଇ ଦେବେ ମେଡ଼ିସିନ । ଖାଇ ସାରିଲା ପରେ ହଜମ ହେଉନି । ତାହେଲେ ମେଡ଼ିସିନ । ଟିକେ ଡେରି ପରେ ପୁଣି କଣ ନା ବୁଢ଼ୀ ବେଶୀ ବକର ବକର ହେଉଛି । ଜମା ଶୋଉନି । ପୁଅକୁ ନ କହି ବହୁ ଲୁଚେଇକି ଖାଇବାରେ ଦେଇ ଦିଏ ନିଦ ମେଡ଼ିସିନ । ଏମିତି ପାଇଁ ମେଡ଼ିସିନ । ସେମିତି ପାଇଁ ମେଡ଼ିସିନ । ବାପାରେ ପାଟି ପିତା ହେଇଗଲାଣି । ସ୍ୱାଦ ମରିଗଲାଣି । ସବୁ କଥାରେ ମେଡ଼ିସିନ । ଛିଙ୍କିଲେ ମେଡ଼ିସିନ । କାଶିଲେ ମେଡ଼ିସିନ । ଆଉ କେତେ ଦିନ ବଞ୍ଚିବି ଯେ କହିଲୁ ।
ମୁଁ ବଞ୍ଚିଛି ନା ମେଡ଼ିସିନ ମୋତେ ବଞ୍ଚେଇ ରଖିଛି । ମାଉସୀର ଏଇ ଶେଷ ଧାଡିକ କଥା ଛାତି ଭିତରଟାକୁ ରୁନ୍ଧି ଦେଲା । ମାଉସୀଙ୍କୁ ଚାହିଁ ରହିଥାଏ । ଠିକ ଏହି ସମୟେ ପଛପଟୁ ଶୁଭିଲା “ମା ଯିବା ” । ଦେଖେ ଆଜି ପୁଣି ତ ପାଇଁ ଡାକ୍ତର ମେଡ଼ିସିନ ଲେଖିଛନ୍ତି । ପୁଅର ଏତକ କଥା ସରିଛି କି ନାହିଁ ମାଉସୀ ମୋତେ ଚାହିଁଲେ ମୁଁ ମାଉସୀଙ୍କୁ ଚାହିଁଲି ।
—
ଦୁଷ୍ମନ୍ତ ଜଣେ ଉଦୀୟମାନ କବି, ଗାଳ୍ପିକ । ତାରୁଣ୍ୟର ଆବେଗ ତାଙ୍କ କବିତାରେ ସ୍ପଷ୍ଟ ପ୍ରକାଶ ପାଏ । ଗଳ୍ପରେ କାରୁଣ୍ୟ ଭରି ରହିଥାଏ । ଏହା ବ୍ୟତୀତ ନାଟକ ରଚନା ଓ ନିର୍ଦ୍ଦେଶନା ଦେବାରେ ମଧ୍ୟ ସେ ପରିଚୟ ଅର୍ଜନ କରିଛନ୍ତି । ସୃଜନାତ୍ମକ ସାହିତ୍ୟ ବାହାରେ ସେ ଜଣେ ଯୁବ ସାମ୍ବାଦିକ । ବୈଦ୍ୟୁତିକ ଗଣମାଧ୍ୟମରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଆସୁଛନ୍ତି ।