ଦୀପକ କୁମାର ଶତପଥୀ
ହେ ପ୍ରେମ ତୁ ଚାଲିଯା କେଉଁ ଅଗନା ଅଗନି ବନସ୍ତକୁ
ଯେଉଁଠି ତୋ ସ୍ୱରରେ ସ୍ୱର ମିଳେଇ
ଗୀତ ଗାଉଥିବ ଝରଣା
ଆଉ ତୋ ପାଦରେ ପାଦ ଛନ୍ଦି ନାଚି ଯାଉଥିବ
ମଳୟ ପବନ
ମୋର ଅଛି ବା କ’ଣ?
ମୁଁ ତ ଏକ ଭଙ୍ଗା ବେହେଲାର କର୍କଶ ସ୍ୱରଟି ।
ହେ ପ୍ରେମ ତୁ ଚାଲିଯା ସେଇ ଦୂର ଦିଗନ୍ତର ବିସ୍ତୃତ ଆକାଶକୁ
ଯେଉଁଠି ତୋ ଦେହରେ ସଜେଇ ହୋଇଯିବ
ଇନ୍ଦ୍ରଧନୁର ସାତରଙ୍ଗ
ଆଉ ତୋ ଦେହକୁ ଛୁଇଁ ଯାଉଥିବ
ମାଳ ମାଳ ବାଦଲ ଖଣ୍ଡ
ମୋର ଅଛି ବା କଣ?
ମୁଁ ତ କଣ୍ଟକିତ ଜନଶୂନ୍ୟ ମରୁଭୂମିଟେ ।
ହେ ପ୍ରେମ ତୁ ଚାଲିଯା
ସେଇ ବସ୍ଷ୍ଟାଣ୍ଡ ପାଖ ପାର୍କ ନିକଟକୁ
ଯେଉଁଠି ତୋ ଆଖିରେ ଆଖି ମିଶେଇ ଲାଜ କରୁଥିବେ
କେତେ ଯେ ସୁନ୍ଦରୀ ତରୁଣୀ
ଆଉ ତୋ ସୁନ୍ଦରତାର ମହକରେ ସୁବାସିତ କରିଦେବୁ
ସେଇ ସିଗାରେଟ ଧୂଆଁର ପରିବେଶକୁ
ମୋ ଅଛି ବା କ’ଣ?
ମୁଁ ତ ରାସ୍ତା କଡ଼ର ଥୁଣ୍ଟା ବର ଗଛଟେ ।
କବି ଦୀପକ ଏବେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡିଆ ସାହିତ୍ୟରେ ଗବେଷଣାରତ । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି । ସମାଲୋଚନା ସାହିତ୍ୟ ଉପରେ ନିଜର ରୁଚି ରଖନ୍ଦିତି । କବିତା ରଚନା ତାଙ୍କର ଅନିୟମିତ । ଯୌବନାବସ୍ଥାର ବିଭିନ୍ନ ଆଶା, ନିରାଶା, ପ୍ରେମରେ ଅପାରଗ ପଣିଆ ଆଦି ସବୁକୁ ନେଇ ତାଙ୍କର କବିତାଗୁଡିକ ବେଶ୍ ଆଲୋଡନ ସୃଷ୍ଟି କରିପାରୁଛି ।