ଧୀରେନ ଆଚାର୍ଯ୍ୟ

ସିଏ କିଏ ସେ ?
ଅପମାନିତ ଆକାଶର ଲୁହ ବିନ୍ଦୁଟିଏ
ନା ଅଭିମାନୀ ମାଟିର ଦୀର୍ଘଶ୍ଵାସ ?
ସଂପର୍କର ମିଶାଣ ଚିହ୍ନ ଉପରେ
ଶୋଇ ରହିଛି …
କ୍ରମାଗତ ବର୍ଷ ପରେ ବର୍ଷ !

ତା’ର ହସ ଦିନେ
ସୁଗନ୍ଧିତ କରିଦେଉଥିଲା
କେତେକେତେ ଛାତିର ଅଗଣା,
ତା’ର ନିଃଶ୍ୱାସ ଗଢ଼ି ଦେଉଥିଲା
ବିଶ୍ୱାସର ନୂତନ ଆକାଶ,
ତା’ର ରକ୍ତ ଦିନେ
ଧୋଇଥିଲା ଅଜ୍ଞାନୀ ମଣିଷର ପାପ,
ତା’ର ଉଦାରତା
ଲଜ୍ୟାନତ କରିଥିଲା
ଆତତାୟୀର ଅହଂକାର ।

ସିଏ ଆଖି ଖୋଲିଲେ
ବିଶ୍ୱ ମାନବିକତା ପ୍ରଣାମୀ ଦେବ ।
ହେଲେ କାହାର ସେ ଶକ୍ତିଅଛି
ତା’ର ନିଦ ଭାଙ୍ଗିପାରିବ ?

ତେବେ କ’ଣ ସେଇ
ବିରଳ ଦିଗବାରେଣୀ ସହଯାତ୍ରୀଟି
ନପୁଂସକ ଶତାବ୍ଦୀମାନଙ୍କର
ଶୋଭାଯାତ୍ରା ଭିତରେ
ସେମିତି ଶୋଇ ରହିଥିବ
ଚିରକାଳ !!

ବାରିପଦା

ଲେଖକ ପରିଚୟ

କାବ୍ୟିକ ଜୀବନର ଆରମ୍ଭ ୧୯୬୫ ମସିହା । ୪୮ବର୍ଷ ବ୍ୟବଧାନରେ ପ୍ରଥମ ସଂକଳନ ‘ମୁଗ୍ଧ କୋଳାହଳ’ର ପ୍ରକାଶନ ୨୦୧୩ରେ । ଅଦ୍ୟାବଧି ଏତିକି ୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ପ୍ରକାଶ ପ୍ରସ୍ତୁତିରେ ଅଛି ପୁସ୍ତକ ‘ସମୟ ସମୟାନ୍ତର’ । ମୋ ସୃଷ୍ଟି ସମୂହ ପ୍ରତ୍ୟାଶା ରହିତ । ତେଣୁ ସେ ବାବଦରେ କୌଣସି ସମ୍ମାନ, ସମ୍ବର୍ଦ୍ଧନା କି ପୁରସ୍କାର ମୁଁ ଗ୍ରହଣ କରେନା ।

Related Posts

Leave a Reply

Your email address will not be published. Required fields are marked *