ଅଙ୍କରେ ମୁଁ ସବୁଦିନେ ଗଧ। ତେଣୁ ଯୁକ୍ତ ତିନି ଯିମିତି ଆରମ୍ଭ ହେଲା ମୁଁ ଭାବିଲି ଆର୍ଟସ୍ ପଢିବି। ପଲିଟିକାଲ୍ ସାଇନ୍ସ କି ଓଡ଼ିଆ ଅନର୍ସ ରଖିବି। ରଖିଥିଲେ ଭଲ ବି ହୋଇ ଥାଆନ୍ତା ବୋଲି ଆଜି ଭାବୁଛି। ପରେ ଭାବିଲି କେମିଷ୍ଟ୍ରି ରଖିବି। କାରଣ ଜୁଲୁ ଭାଇ ଆମ କଲେଜ କଲୋନୀରୁ କେମିଷ୍ଟ୍ରି ଅନର୍ସରେ ପଢୁଥିଲା। କେମିଷ୍ଟ୍ରିର ନମିତା ମ୍ୟାଡାମ୍ ବି ମୋର ଭାରି ଫେଭରିଟ୍ ମ୍ୟାଡାମ୍ ଥିଲେ। ସେତେବେଳେ ସୁଚରିତାରେ ତାଙ୍କ କବିତା ନିୟମିତ ବାହାରୁ ଥିଲା। କଥା ପତ୍ରିକାରେ ବି ଗପ ଲେଖୁଥିଲେ ସେ। ତାଙ୍କ ଝିଅ ଜୁଲି ମୋ ସ୍କୁଲମେଟ୍। ସିଏ କିଛିଦିନ ବଟାନିରେ ପଢିବା ପରେ ହୋମିଓପ୍ୟାଥି ପଢିବାକୁ ରାଉରକେଲା ପଳେଇଲା।
କିନ୍ତୁ ଅନର୍ସ ଆଡମିଶନ ଦିନ ବଟାନିରେ ଆଡ଼ମିଶନ ନେଇଗଲି। ବଟାନି ଡିପାର୍ଟମେଣ୍ଟଟା କଲେଜର ଗୋଟେ କଣକୁ। ତା ଆଗରେ ବୁଢା ବରଗଛ। ଉପରେ ଜୁଲୋଜି ଡିପାର୍ଟମେଣ୍ଟ। କଡ଼କୁ କେମିଷ୍ଟ୍ରି ଡିପାର୍ଟମେଣ୍ଟ। ଅନର୍ସରେ ସମୁଦାୟ ଥିଲା ୧୬ଟି ସିଟ୍। ଆମେ ଚାରି ଜଣ ଥିଲୁ ପୁଅ। ମୁଁ, ବିରଞ୍ଚି, ଅଶୋକ ଓ ସରୋଜ, ବାକିସବୁ ଝିଅ।
ବାପା ସେ କଲେଜରେ ଚାକିରି କରୁ ଥାଆନ୍ତି। ଇଂରାଜୀ ବିଭାଗରେ। ତେଣୁ ଫାଷ୍ଟ ଇଅରରେ ମୁଁ ଖାଲି କ୍ଲାସ୍ କରି କରି ଓ ଲାଇବ୍ରେରୀ ଯାଇ ଗୋପୀ ମହାନ୍ତି ଓ ସୁରେନ୍ଦ୍ର ମହାନ୍ତି ଉପନ୍ୟାସ ପଢି ପଢି ସମୟ ସାରିଦେଲି। ସେକେଣ୍ଡ ଇଅରକୁ ବାପାଙ୍କ ବଦଳି ହୋଇଗଲା କେଉଁଝର କଲେଜକୁ। ଆଉ ସେତିକିବେଳେ ଡିପାର୍ଟମେଣ୍ଟ ମୋ ଭିତରକୁ ଧସେଇ ପଶିବା ଆରମ୍ଭ କଲା।
ସେକେଣ୍ଡ ଇଅରରେ ଓଡ଼ିଶାରେ ଅଂଶୁଘାତ ଆରମ୍ଭ ହୋଇଥିଲା ଓ ଆମ ପରୀକ୍ଷା ଜୁନ ମାସରେ ହେଉଥିଲା। ପ୍ରି ଡିଗ୍ରୀ ପରୀକ୍ଷା। ଦୂରଦର୍ଶନରୁ ଖବର ପାଇଲୁ ଅଧାରୁ ପରୀକ୍ଷା ବନ୍ଦ ହୋଇଗଲା ବୋଲି।
ସେକେଣ୍ଡ ଇଅରରେ ପିକନିକ ଗଲୁ ହଦଗଡ଼। ପ୍ରଥମ ଥର ଜାମା ଭିତରେ ଗୋଟେ ରାଉଣ୍ଡ ନେକ ଗଂଜି ପିନ୍ଧି ଓ ସାର୍ଟର ଉପର ବୋତାମ ଖୋଲିଦେଇ ମୁଁ ଫଟୋ ଉଠାଇଲି ସେଠି। ଆଜି ବି ସେସବୁ ଫଟୋ ସ୍ମୃତିରେ ଜୀବନ୍ତ।
ସେକେଣ୍ଡ ଇଅର ଅଧାରୁ ଥାର୍ଡ଼ ଇୟର ପିଲା ବାହାରି ଯାଆନ୍ତି। ଟେଷ୍ଟ ପରୀକ୍ଷା ପରେ। ତା ପରେ ଆରମ୍ଭ ହେଲା ମାମଲତି ସରସ୍ବତୀ ପୂଜାରୁ। ରାତି ରାତି ଧରି ଅନିଦ୍ରା ହୋଇ ଆମେ ଡିପାର୍ଟମେଣ୍ଟ ସଜାଉ। ଆମ ଘର ଯେହେତୁ କଲେଜ କ୍ୟାମ୍ପସରେ ଥିଲା, ମାଙ୍କ ଶାଢୀ ନେଇ ସଜାହୁଏ ପେଣ୍ଡାଲ୍। କାରଣ- ସେତେବେଳେ ଅଧ୍ୟାପକମାନେ ଡିପାର୍ଟମେଣ୍ଟ ବୁଲିବାକୁ ଆସୁଥିଲେ। କହୁଥିଲେ- କୋଉ ଡିପାର୍ଟମେଣ୍ଟ ପୂଜା ଭଲ ହୋଇଛି ବୋଲି।
ଆମ ଡିପାର୍ଟମେଣ୍ଟରେ ଥିଲେ ପାଞ୍ଚ ଜଣ ସାର୍ ଓ ମ୍ୟାଡାମ୍। ସୁଧୀର ସାର୍ ଥିଲେ ହେଡ଼୍। ସିଏ ଆଉ ନାହାନ୍ତି, ପୃଥିବୀରୁ ବିଦାୟ ନେଲେଣି। ଦେବକୀ ମ୍ୟାଡାମ୍, ଶାନ୍ତି ମ୍ୟାଡାମ୍, ଜ୍ଯୋତ୍ସ୍ନା ମ୍ୟାଡାମ୍ ଓ ନଳିନାକ୍ଷ ସାର୍। ନଳିନାକ୍ଷ ସାର୍ ବି ପୃଥିବୀରୁ ବାହୁଡ଼ି ସାରିଲେଣି। ଶାନ୍ତି ମ୍ୟାଡାମ୍ କଲୋନୀରେ ରହୁଥିଲେ।
କିନ୍ତୁ ଦେବକୀ ମ୍ୟାଡାମ୍ ଥିଲେ ନିଆରା। ସକାଳୁ ଏକାଥରେ କ୍ଲାସ୍ ଆରମ୍ଭ କରିବେ ଯେ ସଂଜ ପାଞ୍ଚଟା ବି ଛଅଟା ଯାଏ। ଥିଓରି, ପ୍ରାକ୍ଟିକାଲ୍ ସବୁ। ମ୍ୟାଡାମଙ୍କ ପରି ଜେନେଟିକ୍ସ କେହି ପଢାଇ ପାରିବେନି।
ଥାର୍ଡ଼ ଇୟରରେ ପିକନିକ ଗଲା ବେଳେ ଦେବକୀ ମ୍ୟାଡାମ୍ ମନା କଲେ। କହିଲେ- ମୁଁ ଯିବିନି। ମୁଁ ଯାଇ ଅନୁରୋଧ କଲି- ମ୍ୟାଡାମ୍, ଆମର ତ ଏଥର ସରିଯିବ। ତାପରେ କୋଉ ଦେଖା ଯେ। ଚାଲନ୍ତୁ ପ୍ଲିଜ୍। ମ୍ୟାଡାମଙ୍କ ଉତ୍ତର ଆଜି ବି ମନେ ଅଛି- ପାଗଳା କି ତୁ ! କଲେଜ ସରିଗଲେ କଣ ସଂପର୍କ ସରିଯାଏ ? ମୁଁ ପରା ତୋ ମାଷ୍ଟ୍ରାଣୀ। ସବୁଦିନେ ତୁ ମତେ ମନେ ରଖିଥିବୁ। ଥାର୍ଡ଼ ଇଅରରେ ପିକନିକ ଯାଇଥିଲୁ କପିଳାସ, ଯୋରନ୍ଦା।
ବଟାନି ଡିପାର୍ଟମେଣ୍ଟରେ ପ୍ରଜ୍ଞା ଅପା ଆମ ବ୍ୟାଚର ଥିଲେ ବି ଆମଠାରୁ ବଡ଼ ଥିଲେ। ଅରୁ, ଉମା , ପ୍ର୍ରିୟଦର୍ଶିନୀ, ଉଷା ଆଉ ସବୁ ଝିଅ ଏବେ ମାଷ୍ଟ୍ରାଣୀ। ପ୍ରାଚୀ କଟକରେ ଅଛି। ଆଗରୁ ଫୋନ କରୁଥିଲା। ଏବେ କମି ଯାଇଛି।
ଅଶୋକ ଥିଲା ତୀବ୍ର ବାତରା। ଢଗ ପକେଇ ଯେତକ କମେଣ୍ଟ ମାରିବାରେ ଥିଲା ଓସ୍ତାଦ୍। ସେ ଏବେ ନୂଆପଡ଼ାରେ ମାଷ୍ଟ୍ର। ବିରଞ୍ଚି ଚୁପଚାପ୍। ସରୋଜ ହିପ୍ପି ରଖି ହିରୋମାର୍କା ଥିଲା। ଏବେ ଚଣ୍ଡୀଗଡ଼ରେ ବଡ଼ ହୋଟେଲ ମାଲିକ ସେ। କଥା କଥାକେ ହିନ୍ଦୀ କହୁଛି। ସେ ଯାଜପୁରରେ ଅନର୍ସ ପଢିବା ଆଗରୁ ପ୍ରେମ କରୁଥିଲା। ତାକୁ ହିଁ ବାହା ହେଲା।
ପରେ ବିରଞ୍ଚି, ଅଶୋକର ପ୍ରେମ ହୋଇଗଲ। କିନ୍ତୁ ହତାଶିଆ। ବିରଞ୍ଚି ପ୍ରେମ ସବୁଠୁ ରୋମାଂଚକର ଥିଲା।
ସେ ଡିପାର୍ଟମେଣ୍ଟଟା ମୋ ଘର ଥିଲା ଦି ବର୍ଷ। ସକାଳୁ ରାତି ଯାଏ ଆମେ ସେଇଠି ରହୁ। ଦୁନିଆ ଯାକର ଖଟି, ମିଶିକି ଟ୍ୟୁସନ୍ ଯିବା, ଅନନ୍ତ ଗୋପାଳ ମେସରେ ପ୍ରେମପତ୍ର ଲେଖିବା ଓ ଉତ୍ତର ଆସିଲେ ଭାବପ୍ରବଣ ହେବା ଆଉ ନ ଆସିଲେ କୋହ ଉଠିବା ସେଇଠୁ ଆରମ୍ଭ ହୋଇଥିଲା।
ବାପାଙ୍କ ସ୍କୁଟର ବି ସେଇ ସମୟରେ ମୁଁ ଚଲେଇବା ଆରମ୍ଭ କରିଥିଲି। ସବୁଦିନେ ସଂଜକୁ ଲାଇନ୍ ମାରିବାକୁ ଆମେ ସେଥିରେ ବାହାରୁ। ବିରଜାଙ୍କ ପାଖକୁ ଯାଉ।
କଥାରେ କଥାରେ, ହସମଜାରେ, ସଂପର୍କକୁ ବୁଝିବା ଆଗରୁ, ଜୀବନରେ ସେ ସମୟ ଆଉ କେବେ ନ ଆସିବ ବୋଲି ଜାଣିବା ଆଗରୁ ପ୍ଲସ୍ ଥ୍ରୀ ସରିଗଲା। କେ କୁଆଡ଼େ ପଳେଇଲେ। ନା ଥିଲା ମୋବାଇଲ ନା ଲ୍ୟାଣ୍ଡଫୋନର ସେମିତି ଖାସ ସୁବିଧା। ଚିଠିକୁ ମୁଁ ଅନେଇ ବସେ। ବିରଞ୍ଚି ଆଉ ପ୍ରିୟଦର୍ଶିନୀର ଚିଠି ଆସେ। ଆଉ ସମସ୍ତଙ୍କର ବି ଆସୁଥିଲା। ଆସ୍ତେ ଆସ୍ତେ ସବୁ ଉଭେଇ ଗଲା। ପ୍ରଥମେ ସପ୍ତାହକୁ ଗୋଟେ, ପରେ ମାସକୁ ଗୋଟେ ବାଟ ଦେଇ ବର୍ଷକୁ ଆଉ ଗୋଟେ ବି ଚିଠି ଆସିଲାନି।
ଏବେ ତ ସମସ୍ତେ ଯେଝା ଜୀବନରେ ବହୁତ ବ୍ୟସ୍ତ। ଗୋଟେ ହ୍ବାଟସଆପ୍ ଗ୍ରୁପ୍ ଟୁନା କଲା ଯେ ସେଥିରେ ସମସ୍ତେ ଫରଓ୍ବାର୍ଡ଼ ମେସେଜ୍ ନହେଲେ ଗୁଡ଼ ମର୍ଣ୍ଣିଂ, ଗୁଡ଼୍ ନାଇଟ୍ ଲେଖି କାମ ସାରୁଛନ୍ତି।
ଜୀବନ ଯିମିତି ବାଗରେ ନେଇଛି, ସମସ୍ତେ ସିମିତି ବାଗରେ ଯାଇଛନ୍ତି।
ସମସ୍ତେ ପୁରୁଣା ସମୟକୁ ଝୁରୁଛନ୍ତି। ହେଲେ ଯାହା ଯାଇଛି ତ ଯାଇଛି। ସମସ୍ତେ ଯାଜପୁରରେ ଗୋଟେ ଭୋଜି କରିବା ପାଇଁ କହୁଛନ୍ତି। ହେଲେ ତାହା ଆଜିଯାକେ ହୋଇପାରିନି।
କେବେ ହେବ କେଜାଣି ?
I have related my college days.