କୌଶିକ ଲେଙ୍କା
ସେ କୁହନ୍ତି ଓଡ଼ିଆ ଜାତିର ମାତ୍ର ଦୁଇଟି ପରିଚୟ ଗୋଟେ ହେଲା ଓଡ଼ିଆ ଭାଷା ଏବଂ ଅନ୍ୟଟି ହେଲେ ଶ୍ରୀ ଜଗନ୍ନାଥ। ଏଥି ସହିତ କୁହନ୍ତି ଆଧୁନିକତା ଏକ ଅନୁକରଣ ସର୍ବସ୍ବ କଳା ନୁହେଁ, ବରଂ ପରମ୍ପରାର ପରିଧି ଭିତରେ ଯାହା ଆତ୍ମିକ ସଂଘ ଭାବେ ପ୍ରତିଭାତ ହୁଏ ତାହା ହିଁ ଆଧୁନିକତା। ସେ ହେଉଛନ୍ତି ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମୀ ମିଶ୍ର । ବାରାଣାସୀ ରେ ଜନ୍ମ ହୋଇଥିବା ଏହି ମହାନ ସାଧକ ଢେଙ୍କାନାଳ ମାର୍ଥାପୁର ହାଇସ୍କୁଲ ରୁ ପାଠ ପଢ଼ା ସାରି ରେଭେନ୍ସା କଲେଜରେ ସଂସ୍କୃତ ରେ ଏମ୍.ଏ କରିଛନ୍ତି । ନିଜ ଜୀବନର ଆଦର୍ଶ ଭାବେ ମଧୁବାବୁ ଏବଂ ନିଜ ବାପାଙ୍କୁ ସେ ସବୁକିଛି ବୋଲି ଭାବନ୍ତି। ସତ୍ୟାନୁସନ୍ଧାନ, ନିର୍ଭୀକତାଓ ଚରିତ୍ରବତ୍ତା ଏହି ତିନୋଟି ଗୁଣକୁ ନିଜ ଜୀବନର ବ୍ରତ ବୋଲି ବିବେଚନା କରି ପଣ୍ଡିତ ଅନ୍ତର୍ଯାମୀ ମିଶ୍ର ବାଟ ଚାଲନ୍ତି ବୋଲି କହନ୍ତି। ତାଙ୍କ ସହ ଏକ ସାକ୍ଷାତକାରରେ ସେ ଦେଇଥିବା କିଛି ପ୍ରଶ୍ନର ଉତ୍ତର ନିମ୍ନରେ ପ୍ରଦତ୍ତ କରାଯାଇଛି।
ଓଡ଼ିଆ ନାମଫଳକକୁ ନେଇ ବାରବାର ଖବର ପ୍ରସାର ହଉଛି, ତା’ପରେ ବି ସଚେତନତା ର ଅଭାବ ରହି ଯାଉଛି କି?
ସଚେତନତା ର ଅଭାବ ତ ରହୁଛି। ମାତ୍ର ଇଂରାଜୀ ନାମଫଳକକୁ ଅନେକେ ପସନ୍ଦ କରୁଛନ୍ତି। ଆମ ଭିତରେ ଇଂରାଜୀ ପ୍ରିତୀ ରହିଛି। ସରକାର ଏ ଦିଗରେ କ’ଣ କରୁଛନ୍ତି। କ’ଣ ପାଇଁ ଆଜି ଯାଏଁ ଭାଷା କମିଶନ ଗଢ଼ି ନାହାଁନ୍ତି। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭାରତ ସରକାରଙ୍କ ଉତ୍କର୍ଷ କେନ୍ଦ୍ର ଅଛି ଏସବୁରେ ଗୁଡ଼ାଏ ଅଯୋଗ୍ୟ ବ୍ୟକ୍ତି ରହିଛନ୍ତି। କେବଳ ନାମଫଳକ ଓଡ଼ିଆରେ ଭାଷା ଯେ ଉପରକୁ ପଳେଇବ ତାହା ମୁଁ ଭାବୁ ନାହିଁ।
ନୂଆ ପିଢ଼ିର ଲେଖକ ଲେଖିକା ମାନଙ୍କ ଲେଖା ଆଉ ପୂର୍ବ ଶୈଳୀର ଲେଖା ଭିତରେ ଫରକ୍ କ’ଣ ଦେଖନ୍ତି ଆପଣ?
ବର୍ତ୍ତମାନ ଯେଉଁ ନୂଆପିଢ଼ିର ଲେଖକ ଲେଖିକା ଲେଖା ଲେଖୁଛନ୍ତି ତାହା ସାମାଜିକ ଚେତନାର ଉତ୍ତରଣ ଘଟାଇ ପାରୁ ନାହିଁ। ତେଣୁ କରି ପାଠକୀୟ ଆଦୃତି ମଧ୍ୟ ଲାଭ କରି ପାରୁ ନାହିଁ ଯେଉଁଠି, ପୁରୁଣା ପିଢ଼ି ର ଲେଖକ ଲେଖିକା ଙ୍କ ଲେଖା ପାଠକୀୟ ଆଦୃତି ଲାଭ କରୁଥିଲା। ସମସ୍ତେ ଭାବୁଛନ୍ତି ଫେସବୁକ ରେ କବିତା ଲେଖିଦେଲେ ସେମାନେ କବି ହେଇଗଲେ। ଆଧୁନିକ ଲେଖକ ଲେଖିକା ଙ୍କର ମନେ ରଖିବା ଉଚିତ ସାହିତ୍ୟ ତିନିଜଣଙ୍କ ଉପରେ ନିର୍ଭର କରେ। ଜଣେ ସ୍ରଷ୍ଟା (ସାହିତ୍ୟିକ) , ଆଉ ଜଣେ ପୋଷଣକର୍ତ୍ତା (ସମ୍ପାଦକ ବା ପ୍ରକାଶକ), ଉପଭୋକ୍ତା (ପାଠକ) । ଏମାନଙ୍କୁ ଆଖି ଆଗରେ ରଖି ସେମାନେ କ’ଣ ଚାହୁଁଛନ୍ତି ସେଇ ଅନୁସାରେ ସାହିତ୍ୟ ସୃଷ୍ଟି କରିବା ଉଚିତ।
ଓଡ଼ିଆ ସାହିତ୍ୟରେ କବିତା ତୁଳନାରେ ନିବନ୍ଧର ସ୍ଥାନ କମି ଯାଉଛି ବୋଲି ଆପଣ ଭାବୁଛନ୍ତି କି?
ନିବନ୍ଧ ଜମା ନାହିଁ କହିଲେ ଚଳେ। ଯାହା ବି ଛପା ଯାଉଛି ସେସବୁରେ ମୌଳିକତା ନାହିଁ। କେବଳ କଳ୍ପନା ଭିତ୍ତିକ ସାହିତ୍ୟ ରଚନା ହେଉଛି। ଓଡ଼ିଆ ଜାତି ନିଜର ବୌଦ୍ଧିକ ଚେତନାକୁ କେବଳ କବିତା ଲେଖାରେ ସାରି ଦେଉଛି। ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅଛି ଏକଥା ସେମାନେ ଜାଣନ୍ତି ନାହିଁ।
ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ବେଶି ହେଉନାହିଁ କାହିଁକି? ସମସ୍ୟା କଉଠି, ଦୋଷ କାହାର, ଭୁଲ କଉଠି ରହି ଯାଉଛି?
ଅନୁବାଦ ଦ୍ୱାରା ସାହିତ୍ୟ ବ୍ୟାପକ ପ୍ରସାର ହୁଏ। ସାହିତ୍ୟ କୁ ବିଶ୍ୱାଭିମୁଖୀ କରିବା ପାଇଁ ଅନୁବାଦର ବହୁ ପ୍ରୟୋଜନୀୟତା ରହିଛି। ବିଶ୍ୱବିଦ୍ୟାଳୟ ସ୍ତରରେ ଅନୁବାଦ ପ୍ରଶିକ୍ଷଣର କୌଣସି ଯୋଜନା ନାହିଁ। ଫଳତଃ ଅନୁବାଦ ଯେଉଁ ମାନେ କରୁଛନ୍ତି ସେସବୁ ଶୁଷ୍କ, ନୀରସ ଓ ପ୍ରାଣହୀନ ହେଉଛି।
ଲେଖକ ମାନେ ନିଜ ଭିତରୁ ପଇସା ଖର୍ଚ୍ଚ କରି ବହି ଛପଉଛନ୍ତି। ଜ୍ଞାନ ଭିତ୍ତିକ ସାହିତ୍ୟ ରଚନା ନାହିଁ। କଳ୍ପନା ଭିତ୍ତିକ ସାହିତ୍ୟ ରଚନା କରି କିଛି ଲାଭ ନାହିଁ। ଉପଭୋକ୍ତା ଙ୍କ ରୁଚିକୁ ଆଖି ଆଗରେ ରଖି ସ୍ରଷ୍ଟା ମାନେ ସାହିତ୍ୟ ରଚନା କରୁ ନାହାଁନ୍ତି।
ଓଡ଼ିଆ ସାହିତ୍ୟର ଧାରା ଓ ପ୍ରଗତି ପାଇଁ ବର୍ତ୍ତମାନ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଭୂମିକାକୁ ଆପଣ କେମିତି ଦେଖନ୍ତି?
ମଲା କବିଙ୍କର ଜୟନ୍ତୀ ଓ ବଞ୍ଚିଥିବା କବିଙ୍କର ଶ୍ରାଦ୍ଧ କରାଯାଉଛି ଓଡ଼ିଶା ସାହିତ୍ୟ ଏକାଡେମୀ ରେ।।ଓଡ଼ିଶା ସାହିତ୍ୟ ଏକାଡେମୀ କୁ ଭାଙ୍ଗି ଦିଆ ଯାଉ ନହେଲେ ଓଡ଼ିଆ ସାହିତ୍ୟ କୁ ବଙ୍ଗୋପ ସାଗର ରେ ଭସାଇ ଦିଆଯାଉ।
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ମାନେ କିମ୍ବଦନ୍ତୀ ଉପନ୍ୟାସ ତଥା ଐତିହାସିକ ଉପନ୍ୟାସ କୁ ନେଇ ଚଳଚ୍ଚିତ୍ର ନ କରିବାଟା କେତେ ଦୂର ଠିକ୍?
ସେମାନେ ସାମାଜିକ ଚେତନାର ଉତ୍ତରଣ ଘଟାଇବା ଅପେକ୍ଷା ନିଜର ଆତ୍ମ ପ୍ରଶଂସାରେ ବେଶି ମଗ୍ନ। ସେମାନଙ୍କ କାର୍ଯ୍ୟଧାରାରେ ମୁଁ ପ୍ରସନ୍ନ ନୁହେଁ।
ସାର, ପୁରସ୍କାର ପାଇବାରେ ବିଳମ୍ବ ହେଲା କି?
ମୁଁ ଗାନ୍ଧୀବାଦୀ ଚିନ୍ତାଧାରା ର ଲୋକ। ପୁରସ୍କାର ସମ୍ମାନ ସମ୍ବର୍ଦ୍ଧନା ଏସବୁ ଅଳୀକ ମାତ୍ର। ମୁଁ କୌଣସି ଅଫିସର ପଛରେ ଗୋଡ଼େଇ ନାହିଁ କି କୌଣସି ସାହିତ୍ୟ ସଂଘର ମୁଁ ସଦସ୍ୟ ମଧ୍ୟ ନୁହେଁ। ମୁଁ ଦୃଢ଼ ସମାଲୋଚନା ସମସ୍ତ ଙ୍କୁ କରେ ତେଣୁ ମୋତେ ଯେ ପୁରସ୍କାର ମିଳିବ ତାହା ମଧ୍ୟ ମୁଁ ଭାବି ନଥିଲି। ପଦ୍ମଶ୍ରୀ ପାଇବା ପରେ ଏବଂ ପୂର୍ବରୁ ମୁଁ ସେଇ ଲେଖକ ହେଇ ଅଛି। ପଦ୍ମଶ୍ରୀ କେବଳ ମୋତେ ଏକ ଦାୟିତ୍ୱବୋଧ ଦେଇଛି।
ପୁରସ୍କାର ପାଇବା ପରର ଅନୁଭୂତି କ’ଣ କହିବେ?
କାହା ବିରୁଦ୍ଧରେ ଆଉ ଲେଖି ହେବ ନାହିଁ। ସ୍ତମ୍ଭ ଆଉ ନିର୍ଭୀକ ହେଇ ଲେଖି ହେବ ନାହିଁ।ପୁରସ୍କାର ପାଇଲା ପରେ ଗୋଟେ ସୀମା ଅଛି। ଆଉ ସ୍ତମ୍ଭ ଲେଖିବି ନାହିଁ। ବହି ଲେଖିବି। ଭାଷା ବିଜ୍ଞାନ ଉପରେ ବହି ଲେଖିବି।
ଏମିତି ଦୁଇଟି ବହିର ନାମ କୁହନ୍ତୁ; ଯାହା ବର୍ତ୍ତମାନ ପିଢ଼ି ପଢ଼ିବା ଏକାନ୍ତ ଜରୁରୀ?
ହା’ ଅନ୍ନ, ଅଦେଖା ହାତ,କାହ୍ନୁ ମହାନ୍ତି
କୁଳବୃଦ୍ଧ, ଶତାଦ୍ଦୀର ସୂର୍ଯ୍ୟ ସୁରେନ୍ଦ୍ର ମହାନ୍ତି ଏସବୁ ଆଧୁନିକ ପିଢ଼ି ନିହାତି ପଢ଼ିବା ଏକାନ୍ତ ଜରୁରୀ।