ଆଶୁତୋଷ ଆଚାର୍ଯ୍ୟ
ସପ୍ତାହ ଗୋଟାରେ ଦୋକାନ ଆଉ ଗରାଖଙ୍କୁ ଆପଣେଇ ନେଲା ବାବୁଲା । ପରିଷ୍କାର ପରିଛନ୍ନଠୁ ଆରମ୍ଭ କରି ହିସାବ କିତାବ, ଆଉ ରୋଷେଇ ବାସର ତନଖି ଯାଏ । ରୋଷେୟା ସୋମେନ ମୁଖାର୍ଜୀଠୁ ଆରମ୍ଭ କରି ବାସନ ମାଜୁଥିବା ବଙ୍ଗାଳୀ ବୌଦି ରେଶମା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକଟ । ସବୁ କାମ ଯେମିତି ଠିକରେ ହେବା ଦରକାର । ତାର ଚଳଚଂଚଳ ଭଙ୍ଗୀକୁ ଦେଖି ସୋମେନ ଦା ଛିଗୁଲେଇ କଣ ସବୁ ବଙ୍ଗଳା ଭାଷାରେ କହିଯାଏ । ୟେ କିଛି ବୁଝିପାରେନା । କ୍ୟାସ କାଉଣ୍ଟର ପାଖରେ ବସିଥିବା ମାଲିକ ଦିନା ସାହୁ, ଯାହା କେବଳ ମୁରୁକି ମୁରୁକି ହସୁଥାଏ ।
ବାବୁଘାଟ । ଗଙ୍ଗା କୁଳିଆ ଜାଗା । କଲିକତା ସହରର ଏକ ପ୍ରମୁଖ ବସ୍ ଷ୍ଟାଣ୍ଡ । ଗହଳ ଚହଳ ଚବିଶି ଘଣ୍ଟା । ଦୋକାନ ବଜାର ଭିଡ଼ । ଆଉ ସେଇଠି ଦିନା ସାହୁର ଦୋକାନ । ମହାକାଳୀ ହିନ୍ଦୁ ହୋଟେଲ । କୋଡିଏ ଫୁଟରେ ସତର ଫୁଟର ଗୋଟେ ଝୁପୁଡି ଘର । ପଶ୍ଚିମ ପଟକୁ ଗୋଟେ ପ୍ଲାଇ ଦିଆ ଅସ୍ଥାୟୀ କାନ୍ଥ ଘରଟିକୁ ଦୁଇ ଭାଗ କରିଛି । ଭାଗେରେ ହୋଟେଲ ଚାଲେ ଆଉ ଭାଗେ ବ୍ୟବହାର ହୁଏ ଶୋଇବା ଆଉ ପରିବାପତ୍ର ରଖିବା ପାଇଁ । କଲିକତାରୁ ବସ ଯୋଗେ ଓଡିଶା ଫେରନ୍ତା ଲୋକଙ୍କ ପସନ୍ଦ ଏଇ ମହାକାଳୀ ହୋଟେଲ । ଶସ୍ତାରେ ପେଟ ଭରା ଖାଦ୍ୟ ମିଳେ କୁଆଡେ ଏଇଠି ।
ବାଲେଶ୍ଵରର ଭୋଗରାଇ ଅଞ୍ଚଳରେ ଦିନା ସାହୁର ଘର । ବାପା ଉପରେ ରାଗି ଚାଲିଆସିଥିଲା କଲିକତା । ଛଅ ଭାଇର ଘର । ତା ଘରୁ ପଳେଇ ଆସିବାଟା ହୁଏତ ବାପାଙ୍କ ପାଇଁ ଏତେ ଗୁରୁତ୍ୱ ରଖିଲାନି । ଦକ୍ଷିଣକାଳୀ ମନ୍ଦିର ପାଖେ କେଉଁ ଗୋଟେ ଛୋଟିଆ ଶିବ ମନ୍ଦିରରେ କେଇବର୍ଷ କାଳ ଝାଡୁ ପୋଛା ମାରିଲା । ତା’ପରେ ଦମଦମ୍ ଅଞ୍ଚଳରେ କିଛିଦିନ ଟାଙ୍ଗା ଟାଣିଲା ଆଉ ପରେପରେ ରିକ୍ସା । କେବେ ଥରେ କେଉଁ ଏକ ବଙ୍ଗାଳୀ ଲୋକଙ୍କୁ ରିକ୍ସାରେ ନେଉନେଉ କହିବସିଲା ତା ଦୁଃଖ କାହାଣୀ । ଆଉ ତା ପରଦିନ ଉଦାର ବଙ୍ଗାଳୀ ଭଦ୍ରଲୋକଙ୍କ କେହି ଜାଣେ ଦୂର ସମ୍ପର୍କୀୟଙ୍କ ଏଇ ମହାକାଳୀ ହୋଟେଲକୁ ଚାଲିଆସିଥିଲା ଦିନା । ସେଇ ହୋଟେଲ ରହି ରୋଷେଇ ବାସଠୁ ବାସନା ମଜା ଯାଏ କରୁକରୁ ପଇସା ଉପରେ ପଇସା ଯୋଡି ଦିନେ ମାଲିକଙ୍କୁ ଅନୁନୟ କରିଥିଲା ଯେ ଝୁପୁଡି ହୋଟେଲକୁ ତାକୁ ଦେଇଦେବାକୁ । ମାଲିକଙ୍କର ବି ଅନ୍ୟାନ୍ୟ ବ୍ୟାପାର ଥିଲା । ଦିନା ସାହୁର ସଚ୍ଚୋଟପଣିଆ ନେଇ ସେ ଖୁସି ବି ଥିଲେ । ଆଉ ତା’ପରେ ଦିନା ସାହୁ ହେଇଗଲା ଦିନା ବାବୁ । ହୋଟେଲ ମହାକାଳୀର ନୂଆ ମାଲିକ ।
ଗାଁ ଛାଡିବାର ପ୍ରାୟ ପନ୍ଦର ବର୍ଷ ପରେ ଯୋତା କୁର୍ତ୍ତା ପିନ୍ଧା ଦିନାକୁ ଗାଁରେ ଦେଖି ସମସ୍ତେ ଶଙ୍କିଗଲେ । ହାତରେ ଏଚ. ଏମ.ଟି ଘଣ୍ଟା, ଚିପା ପ୍ୟାଂଟ ପିନ୍ଧା ଲୋକ ଯେ ଦିନା,ଏକଥା କେହି ବିଶ୍ୱାସ କରିବାକୁ ନାରାଜ । ଘରେ ପହଞ୍ଚୁ ପହଞ୍ଚୁ ମାଆ ତାର ଛାଡିଲା ବାହୁନା । ବାପା ନିରବ । ଦିନାକୁ ଗଡ଼ ଜିତିଲା ପରି ଲାଗୁଥାଏ । ଉପର ଦି ଭାଇ ବାହା ହେଇ ସାରିଥିଲେ । ଭାଉଜଗୁଡା ୟାକୁ ଦେଖି ବେଶି ଖୁସି ଲାଗୁ ନଥିଲେ । କୁଆଡ଼େ ଥିଲା ଚାଲିଆସିଲା ଭାଗ ଖାଇବାକୁ !
ଓଳିଏ ଘରେ ରହି ପୁଣି କଲିକତା ବାହାରିଲା ଦିନା । ମାଆ ତାର ଠାକୁରାଣୀଙ୍କ ରାଣ ପକେଇଲା । ପୁଅ ଏତେ ଦିନାକେ ଫେରିଛି । ହାତ ଛନ୍ଦି ନଦେଲେ ଆଉ ଫେରିବ କି ନା କିଏ ଜାଣେ । ବଡ ଅଡୁଆ ପରିସ୍ଥିତି । ଶେଷରେ ଦିନା ରାଜି ହେଲା । ଗାଁ ପାଖ ବଣିଆ ସାହିର ଝିଅ ମାଳତୀ ସହ ଖୁବ ଜାକଜମକରେ ବାହାଘର ହେଇଗଲା । ଚଉଠି ସରୁଣୁ ଧାଇଁଲା ଦିନା କଲିକତା । ମାଇପି କାନିରେ ବନ୍ଧା ହେଲେ ବେପାର ବେଉସା ବୁଡିବ । ଆଉ କିଛିଦିନ ରହିବାକୁ ମାଆ, ମାଇପ ରାଣ ଅଳି କଲେ ହେଲେ ଦିନା ଶୁଣିବାକୁ ନାରାଜ ।
ଦିନା କଲିକତା ଗଲା ସିନା ହେଲେ ମାଇପି ସୁଆଗ ପାଇଁ ମାସେ କି ପନ୍ଦର ଦିନରେ ଥରେ ଘରକୁ ଧାଇଁଲା । ମାଇପକୁ ନେଇ କଲିକତାରେ କିଛିଦିନ ରଖିଲା ପାଖରେ । କିନ୍ତୁ ଗହଳ ଦୋକାନ, କଲିକତା ପାଣିପବନ ଆଉ ନୂଆ ମାଇପକୁ ଏକାଠି ସମ୍ଭାଳି ପାରିଲାନି ସେ । ହପ୍ତାଏ ପରେ ମାଇପ ଫେରିଲା ଘରକୁ ।
ଦିନାର ହୋଟେଲ କହିଲେ ସାମ୍ନାସାମ୍ନି ତିନି ଧାଡ଼ିରେ ଶାଳ କାଠର ଡେସ୍କ ଆଉ କେଇ ଖଣ୍ଡ ପ୍ଲାଷ୍ଟିକ ଚେୟାର । ରାତି ଦଶ ବାଜିଲେ, ଦିନା ଯାଏ ପାଖ ହାଟକୁ ପରିବା ଆଣି । ହାଟରୁ ବଳକା ବାଳକି ପଚାସଢା ପରିବା ମେଞ୍ଚେ ଧରି ଫେରିଆସେ ଦୋକାନକୁ । ସଦ୍ୟ ପରିବାରେ ଶସ୍ତା ଖାଇବା ଦେଇ ହୁଏନି I ପରିବା ସବୁ ଥୋଇ ଚିତ ହେଇ ଶୋଇଯାଏ ସଉପ ଉପରେ । ଠିକ ସକାଳ ପାଞ୍ଚରେ ଉଠେ । ଗଙ୍ଗା କୂଳରେ ନିତ୍ୟକର୍ମ ଆଉ ଗଙ୍ଗାସ୍ନାନ ପରେ ହୋଟେଲରେ ଆଞ୍ଚ ଲଗାଇ କୋଇଲା ପକାଏ । ସୋମେନ୍ ଦା ଆସୁ ଆସୁ ସକାଳ ସାତ । ତିଆରି ହୁଏ ଚାହା, ଜଳଖିଆ ଆଉ ଖରାବେଳ ମିଲ ପାଇଁ ପ୍ରସ୍ତୁତି । ଆଗରୁ ଦୁଇଟା ପିଲା କାମ କରୁଥିଲେ । ରାତି ରୋଷେଇ ବି ହେଉଥିଲା । ପିଲାଗୁଡା ବଙ୍ଗାଳୀ ଟୋକାଙ୍କ ମେଳରେ ମିଶି ବିଡ଼ି ଟାଣିଲେ, ପଇସା ଚୋରି କଲେ କ୍ୟାସ ବାକ୍ସରୁ । ଧକିଆ ମାରି ସେମାନଙ୍କୁ ବାହାର କରିଦେଲା ଦିନା । ଏବେ ଆଉ ରାତି ରୋଷେଇ ନାହିଁ । ଖାଲି ଜଳଖିଆ ଆଉ ଦିନ ମିଲ୍ । ଦିନ ମିଲ୍ ରୁ ବଳିଲେ ରାତିକୁ ହୋଟେଲ ଖୋଲେ ନହେଲେ ନାଇଁ । ଦୀପାବଳୀ ଅମାସିଆରେ, ଗାଁକୁ ଗଲା ବେଳେକୁ ଦିନାକୁ ମିଳିଥିଲା ବାବୁଲା । ତାରି ଗାଁ, ଗଉଡ଼ ସାହିର ପିଲା । ବାବୁଲାର ବୟସ ବାର କି ତେର ହେବ । ଜନ୍ମରୁ ମାଆ ଛେଉଣ୍ଡ । ବାପା ମଦ ପିଇ ଅଧାଦିନ ଘର ମାଡେନା । ବଡ଼ ନିଉଁଛୁଣିଆ ପିଲାଟା । ସାଇ ଭାଇ ହାତଟେକା ଖାଇ ବଂଚିଛି । ବାବୁଲାର ବାପାଟା ଲେଖାଯୋଖାରେ ଦିନାର କକେଇ ହେବ । ତାହାରି ଅନୁରୋଧରେ ବାବୁଲାକୁ ସାଙ୍ଗରେ ଆଣିଥିଲା କଲିକତା ।
ବାବୁଲାଟା ଖାଇବା ରଙ୍କ । ଗୁଦୁଲୁଗାଦୁଲୁ ଚେହେରା, ଗୋରା ଦେହ । ମଧ୍ୟମ ଉଚ୍ଚତା । ଯାହା ପାଏ ଖାଇଯାଏ । ପେଟଟି ପୁରିଥିଲେ ତା ମନ ଖୁସ୍ । ବାବୁଲା ବି କାମରେ ତତ୍ପର । ହୋଟେଲ କାମ ତଦାରଖ କରିବାଠୁ ଆରମ୍ଭ କରି ହାଟ ସଉଦାରେ ବେପାରୀ ସହ ଦର ଝିଙ୍କିବାରେ ଏବେ ପାରଙ୍ଗମ ହେଇଗଲାଣି । କିଏ କହିବ ଟୋକାଟା ଏଇ ସପ୍ତାହେ ହେଲା କଲିକତା ଆଇଛି !
ଏବେ ଦିନା ସାହୁକୁ ଆରାମ୍ କରିବାକୁ ଫୁରସତ ମିଳେ । ବାବୁଲାକୁ ଲୋକ ଛୋଟ ବାବୁ ଡାକୁଛନ୍ତି । ବାବୁଲା ଖୁସି ଆଉ ଦିନା ବି । ଏଇ ବାହାନାରେ ଯଦି ବେଶି କାମ ହେଉଛି ହଉ । ପର ପୁଅ କଉ ନିଜର ହେଲାଣି ଯେ । ଦିନା, ମନେ ମନେ ହସେ । ଦିନ ସାରା ଠେକୁଆଟେ ପରି ଧାଉଁଥିବ ବାବୁଲା । ପ୍ଲେଟ ସଫା ହେବ, ପାଣି ଆସିବ, ଚାଉଳ ପଡିଲା କି ନାଇ, ଡାଲି କେତେରେ ପରିବା କେତେ, ଏସବୁର ହିସାବ ସେ ରଖେ । କିଏ କଣ କହିଲା ତାକୁ ପରବାୟ ନଥାଏ । ରାତି ହେଲେ ବଳକା ଭାତ ଆଉ ମାଛ ଭଜା ଖଣ୍ଡେ ଖାଇଦେଲେ ହେଲା ତାର ।
ମଗୁଶିର ପୁନେଇଁ ପରେ ଗାଁରୁ ଫେରି ଦିନା ଯେତିକି ଖୁସି ଲାଗୁଥିଲା ଠିକ ସେତକ ଦୁଃଖି । ଭାବ ବାରି ସୋମେନ ଦା ପଚାରିବାରୁ ଦିନା ଘଟଣାଟା କହିଲା । ମାଇପି ତାର ଗର୍ଭବତୀ । ଆଉ ଏବେ ମିଳାମିଶା ବନ୍ଦ । ଠୋଠୋ ହସିଲା ସୋମେନ ଦା । ମିଠା ଖର୍ଚ୍ଚ ମାଗିଲା ଏ ଖୁସି ଖବର ପାଇଁ । ଆଉ ଥଟ୍ଟା ବି କରି କହିଲା “ନଅ ମାସ ଅପେକ୍ଷା କର, ଅପେକ୍ଷା ଫଳ ମିଠା” । ମନେ ମନେ ଅସନ୍ତୋଷ ହେଇ ଦିନା ଶହେ ଟଙ୍କିଆଟେ ବଢେଇ ଦେଲା ସୋମେନ ଦା ହାତକୁ ।
ତା’ପର କିଛି ଦିନ ଯେମିତି ଚାଲିବା କଥା ଚାଲିଲା । ବାବୁଲା ପ୍ରାୟ ଦୋକାନ ବନ୍ଦ କରି ବାହାର ପାଖେ ବେଞ୍ଚ ଉପରେ ଶୋଇପଡେ । ବାବୁଲାର ପତଳା ନିଦ । ଟିକିଏ ଶବ୍ଦରେ ଉଠିବସିବା ପିଲା । ସେଦିନ ଶନିବାର । ଶୀତ ଦିନିଆ ଥଣ୍ଡା ପରିବେଶ । ଆଉ ହଠାତ ରାତି ଗୋଟାଏ ସରିକି ବାବୁଲାର ନିଦ ଭାଙ୍ଗିଗଲା । ସେ ଶୁଣିପାରିଲା କିଛି ଅପ୍ରାକୃତିକ ଶବ୍ଦ । ଠିକ ପ୍ଲାଇ କାଁଥ ଆରପାଖ ଦିନା ସାହୁ ଶୋଇବା ଜାଗାରୁ । ଧାଇଁ ଯାଇ ଦେଖିଲାବେଳକୁ ଚାରିକାତ ମେଲି ପଡିଛି ଦିନା । ଦେହରେ ଲୁଗା ନାହିଁ । ଚାରିଆଖି ମିଶିଯିବାରୁ ଧଡପଡ ହେଇ ଦେହରେ ଗାମୁଛା ପକେଇଦେଲା ଦିନା । ବାବୁଲା ବି ଲାଜରେ ଫେରିଆସିଲା ।
ତା ପରଦିନ ହୋଟେଲ ପଛପଟେ ବାବୁଲା ଦୁଇ ବାଲ୍ଟି ପାଣି ଆଣି ଗାଧୋଇଲାବେଳେ ତାକୁ ଲାଗିଲା ଯେମିତି କେହି ତା ପଛରେ ଅଛି । ବୁଲି ଚାହିଁଲା ବେଳକୁ ଦିନା । ହାତରେ ଗୋଟେ ନାଲି ରଙ୍ଗର ଛିଟ ସାର୍ଟ । ବାବୁଲାକୁ ସାର୍ଟଟି ବଢ଼େଇ ଦେଲା ଆଉ ପିନ୍ଧିବାକୁ କହିଲା । ଅଭାବୀ ପିଲାଟା । ଖାଇବା ଆଉ ପିନ୍ଧିବାରେ ସୁଖ ପାଉ । ଗୁଣୁଗୁଣେଇ ଦିନା ଚାଲିଗଲା । ବାବୁଲା ସେଦିନ ଖୁବ କାମ କରିବା ସହ ସାର୍ଟଟିରେ ଦାଗ ନଲାଗିବାକୁ ନେଇ ଖୁବ ଯତ୍ନବାନ ଥିଲା । ଏ ଡ୍ରେସ ସେ ଘରକୁ ପିନ୍ଧି ଫେରିବ । ବାପାକୁ ଦେଖେଇବ । ବାପା ତାର ମଦ ନପିଇଥିଲେ ଖୁବ ଖୁସି ହେବ । ପିଇଥିଲେ …. ଆଉ ଆଗକୁ ଭାବିପାରିଲାନି ସେ । ଦିନ ଯାଇ ସଂଜ ହେଲା ଆଉ ସଂଜ ଯାଇ ରାତି ।
ମୁଠେ ଖାଇ ଯେ ଯାହାର ଶୋଇବାକୁ ଗଲେ । ଦିନା ସାହୁ ତା ଘରକୁ ଆଉ ବାବୁଲା ହୋଟେଲ ବେଞ୍ଚରେ । କିଛି ସମୟ ପରେ କେଜାଣି କାହିଁକି ଦିନା ବାବୁଲାକୁ ଭିତରକୁ ଡାକିଲା । ସ୍ନେହରେ ତାରି ପାଖେ ଶୋଇଯିବାକୁ କହିଲା । ଛୋଟିଆ ଘର । ଯଦିଓ ଅସୁବିଧା ନାଇଁ ତଥାପି ବାବୁଲା ଦିନା ପାଖେ ଶୋଇବାକୁ କୁନ୍ଥୁକୁନ୍ଥୁ ହେଲା ।
ମୋତେ ପର ଭାବୁଛୁ କିରେ ? ଏତିକି କଥା ଶୁଣିଲା ପରେ ବାବୁଲା ଦିନା ସାହୁ କଡ଼କୁ ଏକପାଖିଆ ହେଇ ଶୋଇଗଲା । ରାତି ଗାଢ଼ ହଉହଉ ଦିନା ସାହୁର ଗୋଟେ ହାତ ଆସି ବାବୁଲାର ଛାତି ଉପରେ ରହିସାରିଥିଲା । ମାଆ ଛେଉଣ୍ଡ ପିଲାଟାକୁ ମାଆ ପାଖେ ଶୋଇଲା ପରି ଲାଗୁଥିଲା କି କଣ, ନିଶ୍ଚିତରେ ଘୁଙ୍ଗୁଡ଼ି ମାରି ସକାଳକୁ ଅପେକ୍ଷା କରିଥିଲା ବାବୁଲା ।
ଦିନକୁ ଦିନ ଦିନା ସାହୁର ଆଦର ପାଇ ବାବୁଲା ନିଜକୁ ଧନ୍ୟ ମନେ କରୁଥିଲା । ଶନିବାର ରାତିର ଘଟଣାକୁ ଏକ ଆକସ୍ମିକ ଦୁର୍ଘଟଣା ଭାବି ସେ ତାକୁ ଭୁଲିବାକୁ ଆରମ୍ଭ କରିସାରିଥିଲା । ଏବେ ସବୁ ଦିନ ସେ ଦିନା ସାହୁ ପାଖରେ ଶୁଏ । ଘୋଡ଼ି ହେବା ପାଇଁ ଦୁଇଟା ଚଦର ବଦଳରେରେ ଗୋଟେ ଚଦର ବ୍ୟବହାର ହୁଏ । ସେଦିନ ଦିନା ପରିବା ହାଟରୁ ଫେରିଲାବେଳକୁ ଦିନା ଆଣିଆସିଲା ଦଶଟା ସରିକି ରସଗୋଲା । ରାତିଖିଆ ସରିଲା ପରେ ବଳେଇ ବଳେଇ ଖୁଏଇଲା ବାବୁଲାକୁ । ଶୋଇବାକୁ ଗଲେ ଦୁଇଜଣ ଗପସପ କରି ।
ସେଦିନ ରାତିଟା ଥିଲା ଅନ୍ୟ ରାତିଠୁ ଅଲଗା ପ୍ରକାର । ଛାଇ ନିଦରେ ଥିବା ବାବୁଲା ଅନୁଭବ କରିପାରୁଥିଲା ତା ଛାତି ଆଉ ପେଟ ଉପରେ ବୁଲୁଥିଲା ହାତ ପାପୁଲିର ଉଷ୍ମତା । ନିଦ ଭାଙ୍ଗିଗଲେ ବି କିଛି କହିପାରୁ ନଥଲା ବାବୁଲା । ସେ ତା ପିଚା ଉପରେ ଅନୁଭବ କରିପାରୁଥିଲା ଏକ କଠିନ ଜିନିଷର ଚାପ । ଶୁଣିପାରିଥିଲା ହସ୍ ହସ୍ ଗରମ ନିଶ୍ୱାସର ଆବାଜ । ଆଉ କିଛି ସମୟର ନୀରବତା ପରେ ଦିନା ସାହୁର ପ୍ରଶାନ୍ତିର ଘୁଙ୍ଗୁଡ଼ି ।
ଭୟ ଆଉ ଆତଙ୍କରେ କଟିଲା ବାବୁଲର ରାତି ।
ସକାଳଟା କଲିକତା ଆକାଶରେ ମେଞ୍ଚେ କୁହୁଡି ନେଇ ଆସିଥିଲା । ସ୍ୱାଭାବିକ ଥିଲା ବାତାବରଣ । ହୋଟେଲ କାମ ଆରମ୍ଭ ହେଲା । ଦିନା ସାହୁ ସବୁଦିନ ପରି ବ୍ୟବହାର କରିଥିଲା ବାବୁଲା ସହ । ସତେଯେପରି କିଛି ଘଟିନି କିମ୍ବା କିଛି ଜାଣିନି ସେ । ସଂଜ ହେଉହେଉ ବାବୁଲା ଏକପ୍ରକାର ହତାଶ ହେଇଗଲା । ରାତିର ପୁନରାବୃତ୍ତି ସେ ଚାହୁଁ ନଥିଲା । ଆଉ ଦିନା ସାହୁର ଅନୁରୋଧକୁ ଖାତିର ନକରି ରାତିରେ ସେ ନିଜର ବିଛଣାପତ୍ର ଧରି ଚାଲିଆସିଲା ହୋଟେଲର ବେଞ୍ଚ ଉପରକୁ । ତା ଚିରାଚରିତ ଜାଗାକୁ । ଏକାଠି ଶୋଇବାକୁ ଦିନା କେତେ ବୁଝାଇଲା । ବାବୁଲା କିନ୍ତୁ ନଛୋଡ଼ବନ୍ଧା । ଦିନା ସାହୁ ସତେକି ପାଗଳ ହେଇସାରିଥିଲା । ରାତି ଅଧାଅଧି ସମୟରେ ଦିନା ଏକ ପ୍ରକାର ଟାଣି ନେଇଗଲା ବାବୁଲାକୁ । ଭୟରେ ଶିହରି ଉଠିଲା ବାବୁଲା । ଦିନା ସାହୁର ଗୋଟେ ଶକ୍ତ ଚଟକଣାରେ, ମୁହୂର୍ତ୍ତେ ଲାଗିଲା ତା ଚିତ୍କାର ସବୁ ଲୁହରେ ବତୁରିଯିବାକୁ ।
ଗୋଟେ ହାତରେ ଦିନା ଝିଙ୍କିଦେଲା ବାବୁଲାର ପ୍ୟାଣ୍ଟ । ଦୁର୍ବଳ ବଟମ୍ କେଇଟା ଛିଡି ଯାଇ ପ୍ୟାଣ୍ଟଟି ଆଣ୍ଠୁ ତଳେ ଲଟକି ରହିଲା । ବାବୁଲାକୁ ତଳେ ପକେଇ ପଶୁ ପରି ହାମୁଡ଼ି ହେଇଗଲା ତା ଉପରେ ଦିନା । ସତେଯେପରି ପାହାଡ଼ ତଳେ ପେଷି ହେଇଯାଉଛି ବାବୁଲା । ଧୀରେ ଧୀରେ ଅଣନିଶ୍ଵାସୀ ହୋଇଉଠିଲା ସେ । ତା ବେକ ଆଉ ପିଠିରେ ଓଠର ଲାଳ । ଛାତିରେ ଦୁଇ ହାତର ଶକ୍ତ ଜାଵ । ଭୟରେ ପାଟି ତାର ଚୁପ ହେଇ ସାରିଥିଲା । ଦେହ ଥରି ଉଠୁଥିଲା କଷ୍ଟରେ । କିଛି ସମୟ ପରେ ସେ ଅନୁଭବ କଲା ସତେଯେମିତି ଗୋଟେ ଧାରୁଆ ଛୁରୀ ତାର ମଳଦ୍ୱାରଟାକୁ ବାରମ୍ବାର ଆଘାତ କରିଚାଲିଛି । ଏମିତି କେଇମିନିଟ ବିତିଯିବା ଭିତରେ ସଂଜ୍ଞାହୀନ ହେଇସାରିଥିଲା ବାବୁଲା ।
ଆଖି ଖୋଲିଲା ବେଳକୁ ଦିନ ଏଗାର । ଦେହରେ ଅସହ୍ୟ ପୀଡା । ଖଇଫୁଟା ତାତି । ଚଟାଣରେ ଠାଏ ଥାଏ ରକ୍ତ । ଗୋଡ଼ ଉଠେଇବାକୁ ଶକ୍ତି ନାହିଁ । କାନ୍ଥ ସେପଟୁ ଚିହ୍ନା ଗ୍ରାହକ କେଇଟାର ସ୍ୱର । ବାବୁଲାକୁ ଖୋଜା ପଡିଛି ।
ବାରଟା ବେଳକୁ ଦିନା ଭିତରକୁ ଆସିଲା । ଆଖି ଉଠେଇ ଚାହିଁଲା ବାବୁଲା । ଲେଞ୍ଜେରା ଭର୍ତ୍ତି ଆଖି । ତା ହାତକୁ ଦିନା ବଢ଼େଇଦେଲା ଦୁଇ ଖଣ୍ଡ ପାଆଁଶ ଟଙ୍କିଆ ନୋଟ । ରାତିର କଥା କଥା କାହାକୁ ନକହିବା ପାଇଁ ସାମାନ୍ୟ ଉଚ୍ଚ ସ୍ୱରରେ ତାଗିଦ କଲା । ଘୃଣାରେ ଥରି ଉଠିଲା ବାବୁଲା । ପାଟି ଖୋଲି କିଛି କହିପାରିଲା ନାହିଁ, ଧାରେ ଲୁହ ବୋହିଗଲା ଯାହା । ଦେହରେ ଯେମିତି ତାର ଶହେ ହାତୀର ବୋଝ । ପଇସାକୁ ଫିଙ୍ଗି ଦେଲା ଦିନା ସାହୁର ମୁହଁକୁ । ଦିନା ପୁଣି ଦୋକାନ ସମ୍ଭାଳିବାକୁ ଚାଲିଗଲା । ଲୋକଙ୍କ ଭୋକ ନମେଣ୍ଟିଲେ ଦୋକାନ କଣ ଚାଲିବ !
ଦିନ ସାରା ଆଉ କଥାବାର୍ତ୍ତା ନାହିଁ । ସଂଜକୁ ବାବୁଲାକୁ ନେଇ ଦିନା ବସେଇ ଦେଲା କଲିକତାରୁ ଓଡ଼ିଶା ଯାଉଥିବା ଡାଏନା ବସ୍ ରେ । ବାବୁଲା ଏକପ୍ରକାର ମୁକ ପାଲଟି ଯାଇଥିଲା । ଦିନା କଣ୍ଡକ୍ଟରକୁ ଟିକେଟ ବାବଦକୁ ପଇସା ବଢ଼େଇ ଦେଲା । ପରେ ଡ୍ରାଇଭରକୁ କହିଲା ବାଲେଶ୍ୱରରେ ଉତାରି ଦେବା ପାଇଁ । ବାବୁଲା ଚୁପଚାପ ବସିଥାଏ । ରୁଟି ଆଉ କିଛି ବଳକା ତରକାରୀ ଗୋଟେ ଜରି ପୁଡ଼ିଆରେ ବାନ୍ଧି ଦିନା ବଢ଼େଇ ଦେଲା ବାବୁଲାକୁ । “ବାଟରେ ଭୋକ ହେଲେ ଖାଇନେବୁ….”
ବାବୁଲା ଆଉ ସମ୍ଭାଳି ପାରିଲାନି । ସକାଳୁ ଏଯାଏ ପେଟରେ ଦାନା ପଡିନି । ଦିନା ହାତରୁ ପୁଡ଼ିଆଟା ଏକ ରକମ ଛଡେଇ ଆଣି ହାଉଁହାଉଁ କରି ଖାଇଗଲା ବାବୁଲା । “ଶଳା ! ଗରିବଗୁଡ଼ା ସବୁ ଆଜନ୍ମ ଭୋକିଲା ହେଇ ରହିବେ” ….ହସି ଉଠିଲା ଦିନା । ଗାଡି ଛାଡିବା ସଂକେତ ଦେଇ ସାରିଥିଲା । ଦିନା, ଦୋକାନ ମୁହାଁ ହେଲା ଆଉ ଗାଡି ଧୂଆଁ ଛାଡି ଦୌଡୁଥିଲା ଠିକ ବିପରୀତ ଦିଗରେ ।
ତା’ପରଦିନ ସକାଳ ଥିଲା ସବୁଦିନ ପରି ସାଧାରଣ । ବାବୁଲା ହୁଏତ ବାଲେଶ୍ଵରରେ ପହଂଚି ସାରିଥିଲା । ବାବୁଘାଟକୁ ଅଗଣିତ ବସ୍ ଆସିଲେ ଗଲେ । ଗଙ୍ଗାରେ ଜୁଆର ଆସିଲା । ସୂର୍ଯ୍ୟ ଦେବତା ପଶ୍ଚିମକୁ ଗଲେ ।
ସଞ୍ଜମୁଣ୍ଡକୁ ସୋମେନ ଦା ଆଉ ଗୋଟେ ବଙ୍ଗାଳି ପିଲା ଧରି ଆଣିଥିଲା ବଡ଼ବଜାରରୁ । ଗୋପାଳ । ଦୋକାନରେ କାମ କରିବ । ଦୁଇମୁଠା ଖାଇ ବଂଚିଯିବ । ସପ୍ତାହେ ଭିତରେ ଗ୍ରାହକ ବାବୁଲାକୁ ଭୁଲି ଗୋପାଳକୁ ଆପଣେଇ ସାରିଥିଲେ । ଦିନା ସାହୁ ବି ଗୋପାଳ କାମରେ ଖୁସି ଥିଲା ।
ଭୋକକୁ ହଟେଇ ଜୀବନର ମାନେ କିଛି ନାହିଁ । ସେଇ ମହାକାଳୀ ହିନ୍ଦୁ ହୋଟେଲ ପରିସର ଭିତରେ ଦିନା ଧୀରେଧୀରେ ଭୋକ ଆଉ ଜୀବନର ଜଟିଳ ସମିକରଣ ସବୁକୁ ସରଳ ଭାବରେ ବୁଝିଯାଉଥିଲା ।
କୃଷ୍ଣଚନ୍ଦ୍ରପୁର, ହିନ୍ଦୋଳ, ଢେଙ୍କାନାଳ, ମୋବାଇଲ : ୭୯୭୮୭୩୯୮୨୦
ଲେଖକ ପରିଚୟ
ପ୍ରାୟ ଦ୍ଵିତୀୟ ଶ୍ରେଣୀରୁ ମିନାବଜାର, ଜହ୍ନମାମୁଁ ଠାରୁ ଆରମ୍ଭ କରି ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳାଠୁ ପ୍ରାଚ୍ୟ ଆଉ ପାଶ୍ଚାତ୍ୟ ସାହିତ୍ୟ ଯାଏଁ ଅନେକ ଗଳ୍ପ ଓ ଉପନ୍ୟାସ, ନିଷିଦ୍ଧ ହେଉକି ବିବାଦୀୟ ପଢିବାକୁ ସୁଯୋଗ ପାଇଛି । ରାତିରାତି ଡିବିରି ଜାଳି ପଢୁପଢୁ କଅଁଳ ବୟସରେ ବି ମୋ ମାନସିକତା ଯୁବସୁଲଭ ତଥା ପରିପକ୍ଵ ହୋଇସାରିଥିଲା । କଲେଜ ଯିବା ସମୟରେ କିନ୍ତୁ ଗଳ୍ପ ଆଉ କବିତା ଲେଖିବା ଆରମ୍ଭ କଲି । କଲେଜ ବାର୍ଷିକ ମାଗାଜିନରେ ଛପିବା ଏବଂ ସାଙ୍ଗ ତଥା ଶିକ୍ଷକଙ୍କ ଦ୍ୱାରା ଆଦୃତ ମୋତେ ପ୍ରେରଣା ଦେଲା । ସେବେଠୁ ନିୟମିତ ଜୀବନର ଅନୁଭବକୁ ନେଇ ଗୀତି କବିତା ଓ ମୁକ୍ତଛନ୍ଦ କବିତା ତଥା କ୍ଷୁଦ୍ରଗଳ୍ପ ଲେଖୁଛି ।
ପ୍ରାୟତଃ ସମାଜର ଅକୁହା କଥା ଗୋଡ଼ିକ ମଧ୍ୟରୁ ୟେ ବି ଗୋଟିଏ, ଅନେକ ସଂକୋଚ କରି ପ୍ରକାଶ କାରିବାକୁ ଆଗ୍ରହ କରନ୍ତି ନାହିଁ… ମାତ୍ର ମାର୍ଜିତ ଶବ୍ଦ ସମାହାରରେ ନିଃସଙ୍କୋଚ ଭାବରେ ସୁନ୍ଦର ଉପସ୍ଥାପନା କଲେ ମୋର ଲେଖକ ବନ୍ଧୁ …
ଭୋକ କେବଳ ପେଟର ନ ଥାଏ, ପେଟର ଭୋକଠୁ ଅଧିକ ଭୟଙ୍କର ଯେ ସେ ଦୀନା ସାହୁର ଦେହର ଭୋକ..ଏବଂ ତା’ର ସେଇ ଜ୍ୱାଳାର ପୂର୍ତ୍ତି ପୁଣି ଅପ୍ରାକୃତିକ ଓ ଜୋରଜବରଜସ୍ତ ଭାବରେ… ଏହାକୁ ଯଥାର୍ଥ ଭାବେ ରୂପ ଦେଇଛନ୍ତି ଲେଖକ ବନ୍ଧୁ ଏ ଗଳ୍ପ “ଭୋକ “ରେ…, “ଖୁବ ସୁନ୍ଦର ଲେଖା.. ମନଛୁଆଁ ହେଇଛି “