ସତ୍ୟନାରାୟଣ ଗନ୍ତାୟତ

ସହଜେ ଶୀତକାଳ ! ତହିଁରେ ଫେର୍ ରାତିରେ ଭୋଜି ! ଆୟୋଜନ ହୋଇଥାଏ ବର ଘରର ତଥାନାମିତ “ରିସେପସନ” ଉପଲକ୍ଷେ “ଡିନର୍” ! ଏଭଳି ବାହାଘରିଆ ଭୋଜି କଥା ଶୁଣିଲେ ଗତାନୁଗତିକ ଭାବେ ସେଇ ସେଇ କତିପୟ ଦୃଶ୍ୟ ମନ ଆଇନାରେ ନାଚି ଯାଆନ୍ତି । ପ୍ରବେଶ ପଥରେ ସୁଦୃଶ୍ୟ ତୋରଣ ବାଦ୍ ଶୋଭା ପାଉଥିବ ବରକନ୍ୟାଙ୍କ ମାତବରିଆ ଭଙ୍ଗୀର ଏଡ଼େ ବଡ ଫଟୋ ! ବି ଏଲ. ସି. ଡି ପରଦାରେ ତରଙ୍ଗାୟିତ ହେଉଥିବ ଦୁହିଁଙ୍କ ପ୍ରାକ୍ ବୈବାହିକ ଅନ୍ତରଙ୍ଗତାର ଭଳିକି ଭଳି ରୋଚକ ଦୃଶ୍ୟ । ଏସବୁ ସୂଚନାରୁ ଅତିଥି ନିଶ୍ଚେ ଜାଣିଯିବେ ଯେ ବର ସିନେମା ହିରୋ ଓ କନ୍ୟା ସିନେମା ହିରୋଇନ ବାଗିଆ ଦିଶିବାର୍ଥେ କେଡ଼େ ଘାଏଁ ପ୍ରୟାସ ହୋଇଛି !
ତେବେ ଛାଡ଼ ହୋ, ଆଶୀର୍ବାଦ ଦେବା ପାଇଁ ଉଲ୍ଲେଖ ସହ ଭୋଜିର ବି ସବିଶେଷ ସୂଚନା ପ୍ରଦାନ କରତଃ ଆମକୁ ନିମନ୍ତ୍ରଣ କରିଛନ୍ତି ମାନେ ସରଳରେ କହିଲେ ଆମକୁ ଭୋଜି ଖାଇବାକୁ ହିଁ ଡାକିଛନ୍ତି ! ସୁତରାଂ ଏକଥା ହେଜି ଏଥକୁ ମନଧ୍ୟାନ ପ୍ରଦାନ କରନ୍ତେ ଦୃଶ୍ୟମାନ ହେବ ଗୋଟେ ଗୋଟେ କରି ଏକାଧିକ ଧାଡ଼ି । ସବୁ ଧାଡ଼ିରେ ଅନେକ ଖାଦ୍ୟାଶାୟୀ ।
ଅଚାନକ ନଜରକୁ ଆସିଯିବ “ସତେ ଅବା ଦୂର୍ ହୋ ଯା’ ନଜରୋସେ” କହି ଥଣ୍ଡାକୁ ଏକାନଟେ ଉଡ଼ାଇ ଦେବା ପାଇଁ କି କଣ ସଜିଲ୍ ହୋଇଥିବା ଗରମାଗରମ ଚିଜଙ୍କ ବ୍ୟବସ୍ଥା : ସୁପ୍ ସହ ପକୋଡ଼ା ଟିକ୍କାଦି ନାମଧେୟ ଖାଦ୍ୟମାନଙ୍କ ଛଣା ପୋଡ଼ା ସଂସ୍କରଣମାନ ! ସବୁ ଦୁଇ ଗୋଷ୍ଠୀଙ୍କ ପାଇଁ : ଶାସକ ଓ ବିରୋଧୀ ବାଗିଆ ଆମିଷ ଓ ନିରାମିଷରେ ଭାଗ ଭାଗ ହୋଇ !! ଏସବୁ ଚବ୍ୟ ଚୋଷ୍ୟ ଲେହ୍ୟ ଥଣ୍ଡା ପାଇଁ ତ ଅବଶ୍ୟ ଲୋଡ଼ା, ତେବେ ଏସବୁର ପ୍ରାରମ୍ଭିକ ସେବନ ହିଁ କୁଆଡ଼େ ଭୋକୋଦ୍ରେକକାରୀ ଅଟଇ ।
ଏଥୁତ୍ତାରେ ଧୀରେଧୀରେ ଧାଡ଼ିରେ ଆଗକୁ ଯିବା ପରେ ଯାଇ ଆସିବ ଥାଳି କାଉଣ୍ଟର । ଭଲରେ ଏଠୁ ଥାଳିଟିଏ ମିଳିଗଲା ମାନେ ଖାଇବାର୍ଥେ ପୁନଶ୍ଚ ଆଗେଇବାର ମହାର୍ଘ ସୁଯୋଗ ପ୍ରାପ୍ତ ହୋଇଗଲା ବୋଲି ଜାଣ ।
ଏହା ପରେ ସିଧା ଖାଇବା ଚିଜଙ୍କ ଆଗରେ ଠିଆ ହୋଇ ଯିବ ବୋଲି ଭାବିଛ ବୋଇଲେ ଘାବରେଇ ଯିବାକୁ ବାଧ୍ୟ । କାରଣ କ’ଣ କ’ଣ ସବୁ ଆଗରେ ଅଛି ବୋଲି ଥରୁଟେ ଆଖି ବୁଲାଇ ଭଲ କରି ଅନାଉ ଅନାଉ ଦିଶିବ ଏଠି ବି ସବୁ କେମିତି ଦି ଦି ଭାଗ ହୋଇ ଯାଇଛି : ଆମିଷ ଓ ନିରାମିଷ !
ତଥାପି ଅସଲି ଭୋଜନ କି ଏଡ଼େ ସହଜେ ଆରମ୍ଭ କରି ହୁଏ ? କାରଣ ସାମନାରେ ଥିବା କାଉଣ୍ଟର୍ ମାନଙ୍କରେ କିସମ କିସମର ଭୋଜ୍ୟ ବସ୍ତୁଙ୍କ ମେଳଣ ପରା “ଆସ ଆସ” ବୋଲି ତୁମ୍ଭ ପରି ଖାଉରା, ସରି, ଖାଦ୍ୟାଶାୟୀ ମାନଙ୍କୁ ସତେ ଅବା ଡାକୁଥିବା ପ୍ରାୟେ ମନେ ହେଉଥିବ !
ଏଥର ଆମ ପରି ମଣିଷ କିଞ୍ଚିତ ଥକିଯିବା ଥୟ ।
ହଁ, ଏଠେଇଁ କହିଦେବା ଠିକ ହେବ ଯେ ଆପଣ ସଠିକ୍ ଠଉରାଇ ଥିବା ପରି ଆମେ ହାଲରେ ଏମିତିଆ ଅନୁଭବ ହାସଲ କରିଥିବାରୁ ହିଁ ଏସବୁ ଠିକେ ଠିକେ ଆପଣଙ୍କ ଆଗରେ ବଖାଣି ପକାଇବାକୁ ଏତେ ସରି ହେଉଛୁ ।
ତେବେ ମିଛ କିଆଁ କହିବା ଆମେ ବି ଶୀତରାତିରେ ଭୋଜିଖିଆ ଆଗରୁ କାଗଜ ଗ୍ଲାସରେ ଢଳା ହୋଇ ବଢାଇ ଦିଆ ଯାଇଥିବା ଗରମାଗରମ ଟମାଟୋ ସୁପ୍ ଫୁଙ୍କି ଫୁଙ୍କି ଶେଷ ଢୋକ ଯାଏ ପାନ ପୂର୍ବକ କମ୍ ଆପ୍ୟାୟିତ ହେଲୁ ନାହିଁ । ତେବେ ଗରମ ହେବା ସହ କିଞ୍ଚିତ ଫୁର୍ତ୍ତି ଅନୁଭବିବା ପରେ କ’ଣ ଖାଇବୁ କଥାଟି ଯେବେ ମଥା ଭିତରେ ଢୁକିଲା ତ ଆମର ଧନ୍ଦି ହେବା ଆରମ୍ଭ ହେଲା ।
ତେବେ ଠିକ୍ ଏତିକିବେଳେ ଆମକୁ ସହାୟ ହେବା ପାଇଁ କି କଣ ବି. ବି. ଏ ପଢୁଥିବା ଆମ ପଡ଼ିଶା ଘରର “ସ୍ମାଇଲି” ନାମଧେୟା ସେଇ ଚୁଲବୁଲି ଝିଅଟି ତା’ ସାଙ୍ଗ “ସୁଇଟି” ସହ ଭୋଜି ଖିଆ ସାରି ଗୋଟେ ଗୋଟେ ଆଇସକ୍ରିମଭରା ବଡ଼ କପ ହାତରେ ଧରି ଡଗଡଗ ହୋଇ ଚାଲି ଆସୁଥିବା ବେଳେ ଆମକୁ ଦେଖି ଅଟକି ନମସ୍କାର କରି ପଚାରିଲା : ଡିନର୍ କରିବେ ଅଙ୍କଲ ?
ତ’ ଆମେ ତାକୁ ପଚାରିଲୁ, ” ମାଆରେ, କଣ ସବୁ ହୋଇଛି ? ଆମ କଥା ଶୁଣି ତା ସାଙ୍ଗ ସୁଇଟି “ବୋନଲେସ ମଟନ୍ ବୋନଲେସ ଫିଶ୍ ପ୍ରାନ୍ ଚିକେନ୍ ଏଗ୍ ଜଏଣ୍ଟ୍ … ” କହିବାରମ୍ଭ କରୁ କରୁ ସ୍ମାଇଲି ତାକୁ କହିଲା : ଉହୁଁ ଉହୁଁ , ଅଙ୍କଲ ଇଜ୍ ନଟ୍ ସିର୍ଫ୍ ଭେଜୀ, ହି ଇଜ୍ ଏ ଭିଗାନ୍ ଠୂ !!

ଏହା ଶୁଣି ସେ ଡବିଡବି ସୁଇଟି କହି ଉଠିଲା : ଓଃ ଆଇ ସି, ଦେନ୍ ମୁଁ ଯାହା ଫୀଇଇଲ୍ କରୁଚି ଅଙ୍କଲ୍ ଫୁଡ୍ଡୀ ବି ହୋଇ ନଥିବେ ଆମମାନଙ୍କ ପରି ! ଏଠି ଆଉ କଣ ଏନଜୟ୍ କରିବେ ଯେ ?
ସେ ଏସବୁ କହିବାବେଳେ ଆମ ସ୍ମାଇଲି ବି ତା ଗୋଟେ ଆଙ୍ଗୁଠି ଓଠରେ ଲଗାଇ ଶୂନ୍ୟକୁ ଅନାଇ ଭାବମଗ୍ନା ହୋଇ ଯାଉଥିବା ଦେଖି ଆଉ କାଳ ବିଳମ୍ବ ନକରି ସେ ଦୁହିଁଙ୍କ ଉଦ୍ଦେଶ୍ୟରେ ପଚାରିଲୁ : ସେଠି ଯଦି ରୁଟି, ଡାଲି, ସାଲାଡ୍, ପାମ୍ପଡ ମିଳି ପାରିବ ତ, ହେଇ ମୋର ଏ ଥାଳି ନେଇ ସବୁଥିରୁ ଅଳ୍ପ ଅଳ୍ପ ଆଣିଦେଲେ ମୋର ଚଳିଯିବ ମାଆ ! ଜାଣୁ, ଏଠି ନିରାମିଷାଶୀଙ୍କ ପାଇଁ ବି ଭଳିକି ଭଳି ଆଇଟମ୍ ମାନ ମିଳୁଥିବ, ହେଲେ ମୁଁ ତ ସଂଧ୍ୟା ହେଉ ହେଉ ଦି ପଟ ସେକାରୁଟି ସହ ପରିବା ସନ୍ତୁଳା ବା ଡାଲମା ଗିନାଏ ଖାଇ ଶୋଇବା ବେଳେ ଗିଲାସେ ଉଷୁମ ଖିର ପିଇ ଫି ରାତି ଚଳାଇ ନେବା ଲୋକ !
ଏଥର ସୁଇଟି ମୁହଁ ଖୋଲିଲା । ସ୍ମାଇଲିକୁ କହିଲା : ରୁଟି ମାନେ ତ ରୁମାଲି ରୁଟି ମିଳିଯିବ ଓ ଡାଲି ବଦଳରେ କିନ୍ତୁ ଡାଲଫ୍ରାଏରେ ହିଁ ଚଳାଇ ନେବାକୁ ହେବ, ଆଇ ଗେସ୍ ?
“ତେବେ ସାଲାଡ୍ ମାନେ ଆପଣ ଗ୍ରୀନ ସାଲାଡ ତ ସିଓର୍ ନେବେ, ଫ୍ରୁଟ୍ ସାଲାଡ୍ ବି ତହିଁରେ ଆଡ୍ କରନ୍ତୁନା ଅଙ୍କଲ !” କହି ସୁଇଟି କଥାରେ ଯୋଗ ଦେଲା ସ୍ମାଇଲି !
ମୁଁ ସ୍ମାଇଲିକୁ ସମ୍ମତି ସୂଚକ ସ୍ମାଇଲ ଦେବା ଦେଖି ମୋ ଥାଳି ନେଇ ସୁଇଟି ଓ ସ୍ମାଇଲି ଭେଜ୍ କାଉଣ୍ଟର୍ ଆଡ଼କୁ ଡଗଡଗ ହୋଇ ଆଗେଇ ଯାଉଯାଉ ମୋ ଉଦ୍ଦେଶ୍ୟରେ କହି ଉଠିଲେ : ଥ୍ୟାଙ୍କ୍ ୟୁ ଅଙ୍କଲ, ଆପଣଙ୍କ ଡିନର୍ ଆଣିବା ନାଁରେ ଆମ ଦୁହିଁଙ୍କୁ ଫେର୍ ଆଉଥରେ ଆଇସକ୍ରିମ ଖାଇବାର ଚାନ୍ସ ମିଳିଯିବ ! ଜାଣିଥିବେ ତ’ ଅଙ୍କଲ୍, ଶୀତରାତିରେ ଆମମାନଙ୍କ ପାଇଁ ଏମିତିକା “ଡିନର୍” ମାନେ “ହଟ୍ ଆଣ୍ଡ୍ ସ୍ପାଇସ୍”ରୁ ସୁରୁ ହୋଇ “ସୁଇଟ୍ ଆଣ୍ଡ୍ ଆଇସ୍”ରେ ଫିନିସ୍ “ହେବାକୁ ବାଧ୍ୟ !!”
“ଓଃ, ଏଥିପାଇଁ ଏଠି ପଶୁପଶୁ ପହିଲେ ‘ହଟ୍’ କରାଇ ଏଠୁ ବାହାରିବା ବେଳକୁ ଫେର୍ ସେଇ ସେଇ “କୂଲ୍” କରି ଛାଡ଼ିବାର ଯାବତ ବନ୍ଦୋବସ୍ତ କରାଯାଇଛି, ନୁହେଁ ? “
ଝିଅ ଦିହିଁଙ୍କୁ କହିଲୁ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

ହଟ ଓ କୂଲ ଶୀର୍ଷକ ରମ୍ୟକଥନରେ ଗନ୍ତାୟତ ସତ୍ୟନାରାୟଣଙ୍କ ଅପ୍ରିୟ ସତ୍ୟ ଖାଦ୍ୟକୁ ରୋଚକ ଶୈଳୀରେ ପରଷିଥିବା ନିରାମିଷ ପଦାର୍ଥ ଦେଖି ଆସିଲୁ। ଭଲ ଲାଗିଲା।
ଏହି ପାଠକ ମଧ୍ୟ ଆମିଷ ମୁକ୍ତ ଭୋକ୍ତା ହୋଇଥିବାରୁ ଭେଗାନ ଓ ଭେଜିଟାରିଆନର ସୂକ୍ଷ୍ମ ଫରକ ଦେଖାଇଥିଲେ ଅଧିକ ଆନନ୍ଦିତ ହୋଇ ଥାନ୍ତି।
ଆପଣଙ୍କ ବିଜ୍ଞ ମତାମତ ପାଇଁ ସକୃତଜ୍ଞ ଧନ୍ୟବାଦ ସାର୍ କ୍ଷୀର ପାନ ସହ ଭିଗାନ୍ ଲେଖିବା ଭୁଲ୍ ହୋଇ ଯାଇଛି । ଆଗକୁ ସଜାଡଗବି ।
ସୁ ଲେଖକ ସମ୍ମାନନୀୟ ସତ୍ୟ ନାରାୟଣ ଗନ୍ତାୟତ sir ସମାଜର ବାସ୍ତବ ଚିତ୍ରକୁ ସ୍ଵକୀୟ ଢଙ୍ଗରେ ପ୍ରତିପାଦନ କରିଛନ୍ତି। ଆଜିକାଲି ଯୁବଗୋଷ୍ଠୀ ପ୍ରାୟ ନନଭେଜ ପ୍ରିୟ । ଏହା ଗୋଟିଏ ନିଆରା ପ୍ରବନ୍ଧ ହୋଇଛି। ମୁଁ ଓ ନ୍ ଲି ଭେଜୀ। ଲେଖକ ଭେଜୀ। ଦୁହେଁ ଭେଜୀ ସ୍କେୟାର୍।
ରୋଚକ ମତାମତ, ବିଜ୍ଞ ବି, ପ୍ରିୟ ସୁଲେଖକ ଭାଇ ନିରଞ୍ଜନ ଧନ୍ୟବାଦ ଜଣାଉଛି । ଶୁଭମସ୍ତୁ