ବିନୟ ମହାପାତ୍ର

ଥରେ ପଛକୁ ଚାହିଁ, ଦେଖ !
କଣ ଛାଡି ଗଲ,
ଜୀବନର ଚଲା ପଥେ,
ବର୍ଷା ଉପରାନ୍ତେ,
କାଦୁ ପଚ୍ ପଚ୍ ଗାଆଁ ଦାଣ୍ଡେ
ତୁମର ସେ କୁନିକୁନି ପାଦ ଚିହ୍ନ,
ଅବା ମନ୍ଦିରର ଚଟାଣରେ
ସଦ୍ୟଧୂଆ, ତୁମ ଓଦା ପାଦର ଦସ୍ତଖତ ।

କାଦୁଅ ତ କେବେଠାରୁ ଶୁଖି ସାରିଲାଣି,
କେତେ ଯେ ବାଟୋଇ ଚାଲି ଗଲେ,
ଦଳି ଚକଟି ତୁମ ପାଦ ଚିହ୍ନ,
ହେଲେ, କୁନି କୁନି ପାଦ ଥାପି
ତା ଉପରେ କେହି ବି ଚାଲିଲାନି,
କିନ୍ତୁ ତୁମର ସେ ପାଦ ଚିହ୍ନ
କେବେ ଠାରୁ ଲିଭି ସାରିଲାଣି ।


ତଥାପି, କିଛି ପାଦ ଚିହ୍ନ
ଏବେ ବି ଜଳଜଳ ଦିଶି ଯାଏ,
କିନ୍ତୁ, ସେ ପାଦ ଚିହ୍ନ, ତୁମର ନୁହଁଇ ।

ତୁମେ ଡରି ଗଲ,
ଅନୁକୂଳ କରି, ବାଟୋଇ କେବେ
ପଛକୁ ଦେଖେନା ବୋଲି,
ଦେଖିଲେ, କାଳେ ଅଶୁଭ ହୁଏ,
ଅତୀତର ଭୁତ ଡରାଇ ଦିଏ,
ପାଦ ଅଟକି ଯାଏ, ରାସ୍ତା ମଝିଟାରେ
ଆଉ ବୃକ୍ଷ ଛାୟାରେ ଢୁଳ‌ଉ ଢୁଳଉ
ସେଇଠି କାଳେ ବାଟୋଇକୁ
ନିଦ ଆସିଯାଏ ।

କେମିତି ତୁମେ ଡରି ଗଲ
ପଛେ ଛାଡି ଆସିଥିବା,
ନିଜ ପାଦ ଚିହ୍ନ ଦେଖିବାକୁ,
କୁନିକୁନି ପାଦ, ବଡ଼ ହେଲାପରେ,
ଏମିତି ଏ ପଥ ସରିଗଲା,
ହେଲେ ଫେରିକି ଦେଖିଲନି ଥରେ ।

ଡରି ଗଲ, ଭୁଲିବାର ବାହାନା କରିଲ,
ପଛେ ରହିଗଲା ପଥ,
ଆଉ ତୁମ ରାସ୍ତା ସରିଗଲା,
ସେ କେବଳ ତୁମ ଅତୀତ ନଥିଲା ବନ୍ଧୁ,
ସିଏ ବି ତ, ତୁମ ଇତିହାସ ଥିଲା,
ହେଲେ ଅବଶୋଷ, ପଢିବାକୁ ସେଥିରେ
କିଛି ବି ଲେଖିକି ଗଲନି, ସାଧା କାଗଜରେ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *