ମୃତ୍ୟୁଞ୍ଜୟ ବେହେରା

ଯାହା ଆଶା କରିଥିଲି
ତାହା କଣ ପାଇପାରିଲି ତୁମଠୁ ?
ପାଇପାରିଲି କି ଋତୁମାନଙ୍କ ସାନିଧ୍ୟ
ନା ରାତିମାନଙ୍କର ଅନୁରାଗ
ମାସମାନଙ୍କ ମାଧୁର୍ଯ୍ୟ
ନା ମୁହୂର୍ତ୍ତମାନଙ୍କ ସଂସର୍ଗ
ଏବେ କି ଉତ୍ତର ବା ଦେବି ମୁଁ
ଏ ବିଦାୟ ବେଳରେ ଅଡ଼ି ବସିଛ
ଫର୍ଦ୍ଦେ ପ୍ରତ୍ୟୟର ସୋହାଗ !
ପରିଚୟଟିଏ ମାଗିଲି ଯେ
ଆଧାର ସଂଖ୍ୟାମାନଙ୍କର
ଗଣିତରେ ଛନ୍ଦି ଦେଲ ମୋତେ
ଅନେକ ସଂଶୋଧନ ପରେବି
ସଂଯୋଗ ହୋଇପାରିଲାନି
ତୁମ ଆତ୍ମା ସହ ମୋ ଆତ୍ମା
ତୁମ ଭାବ ସହ ମୋ ଭାବନା ଯେତେ
ଯାହାକୁ ମୁଁ ସମ୍ପର୍କ ଭାବିଲି
ତାହାକୁ ତୁମେ ଭାବି ବସିଲ
ପ୍ରେମର ପ୍ରମାଣପତ୍ରଟିଏ ସତେ !
ମୋର ସଞ୍ଚିତ ସମସ୍ତ ବିଶ୍ୱାସକୁ
ପଦେ କଥାରେ ଅଚଳ କରିଦେଲ ତୁମେ
ସ୍ୱାଧୀନତାକୁ ମୋର ବନ୍ଦୀ କରି ରଖିଲ
ପରମ୍ପରାର ଅନ୍ଧାରି କୋଣରେ
ମୁଁ ତ ଏବେ ମୋର ନିଜ ଅସ୍ତିତ୍ଵକୁ
ବି ଖୋଜି ପାଏ ନାହିଁ
ସତେଯେମିତି ତୁମ ଆଉ ମୋ ସମ୍ପର୍କ
ଋଣଗ୍ରସ୍ତ ଖାତକ ଓ ମହାଜନର . . . ସଦାକାଳେ . . .
ଅନେକ ଆଶା ବି ଦେଖାଇଥିଲ
ମିଠା ମିଠା ଚାଟୁ ବଚନରେ
ଖେଳାଇ ଦେବାକୁ ସୁନାର ଫସଲ
ମୋର ଏହି ନିପାଣିଆ ବଞ୍ଜର ଦେହରେ
ଫୁଟାଇ ଦେବାକୁ ପଦ୍ମଫୁଲିଆ ହସ
ମୋର ଲୁହପିଆ ଓଠରେ
ସ୍ଵପ୍ନମାନଙ୍କ ପାଇଁ ତୋଳି ଦେବାକୁ ଉଆସ
ଇଛାମାନଙ୍କୁ ଝୁଲାଇ ଦେବାକୁ ଦୋଳିରେ . . .
ହେଲେ ମୁଁ ବା କେମିତି ବୁଝିଥାନ୍ତି
ତୁମେ ଏମିତି ଶୋଷଣ କରିପାର
ଛଳନାରେ ବି ରଙ୍ଗ ଦେଇ
ଲୁଟିପାର ଯେତେ ସବୁ
ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତା ଉପରେ
ବିକ୍ରି କର ବସେଇ
ନିତିପ୍ରତି ତ ମୁଁ ଆତ୍ମହତ୍ୟା କରୁଛି
ଅଭାବୀ ବିକ୍ରିରେ
ଚୁମ୍ବନଟିଏ କି ଆଲିଙ୍ଗନଟିଏ
ଖୁବ ମହଙ୍ଗା ମୋ ପାଇଁ !!
ପ୍ରତାରଣା ପୂର୍ଣ୍ଣ ଯେତେସବୁ ତୁମ ମନକଥା
ନିଜର ଗୁପ୍ତ ଆଶାମାନଙ୍କୁ ହାସଲ କରିବାକୁ
ପ୍ରେମ ତୁମ ପାଇଁ ଗୋଟେ ପ୍ରହସନ
କୁହ ତେବେ . . .ପ୍ରୀତିରେ ନା ଇତିରେ
କେମିତି ଦେବି ତୁମକୁ ବିଦାୟ ସମ୍ଭାଷଣ ??
ଲାଉଲଇ, ଢେଙ୍କାନାଳ
ଲେଖକ ପରିଚୟ
ଜଣେ ବୃତ୍ତଚିତ୍ର ନିର୍ମାତା ଭାବରେ କାର୍ଯ୍ୟରତ ଥିଲାବେଳେ ଲେଖକଙ୍କ ‘ଆଦିବାସୀ ଜୀବନ ଚଳଣି ଓ ସମସ୍ୟା’ ସମ୍ପର୍କରେ ପ୍ରବନ୍ଧ ଓ ସନ୍ଦର୍ଭ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରକାଶିତ । ସାମାଜିକ ଗଣମାଧ୍ୟମ ଫେସବୁକରେ ଜଣେ ସକ୍ରିୟ ବ୍ୟକ୍ତି ଭାବରେ ପରିଚିତ ଲେଖକଙ୍କ ରୁଚି ସାହିତ୍ୟ, ଫୋଟୋଗ୍ରାଫି ଓ ଚିତ୍ରକଳା । ବିଭିନ୍ନ ପତ୍ରପତ୍ରିକାରେ ଲେଖକଙ୍କର କବିତା ଓ ଗଳ୍ପ ପ୍ରକାଶିତ ହେଉଥିବାବେଳେ ଫେସବୁକରେ ଗପ, କବିତା ଓ ଫୋଟୋ ନିୟମିତ ପୋଷ୍ଟ ହେଉଥାଏ ।
