ସତ୍ୟନାରାୟଣ ଗନ୍ତାୟତ

ଭଲ ମାନେ ନିଶ୍ଚିତ ଭଲ । ଆଉ ଯାହା ଭଲ ନୁହେଁ ତାକୁ ସହଜରେ ଖରାପ ବୋଲି କହିହେବ । ଅର୍ଥାତ ଭଲ ସହ ଖରାପ ବି ରହିଅଛି । ସଭିଏଁ କିନ୍ତୁ ଭଲ ସହ ।

ଖରାପକୁ କିଏ ବା କିଆଁ ଲୋଡିବ ଯେ ?

ଏକଥା ସତ ଯେ କେହି ଭଲ କି ଖରାପ ହୋଇ ଜନମି ନଥାନ୍ତି । ଜନ୍ମଦାତା ଓ ଜନ୍ମଦାତ୍ରୀ ତ ଚାହାଁନ୍ତି ତାଙ୍କ ଜନ୍ମିତ ନବଜାତକଟି ଭଲ ହେଉ । ତେଣୁ ତାକୁ ଭଲ ହେବା ପାଇଁ ପିଲାବେଳୁ ହିଁ ଶିଖାଯାଏ । ଏହି ଶିକ୍ଷା ନିଜ ଘରୁ ଆରମ୍ଭ ହୋଇଥାଏ । ତେଣୁ ତ କହନ୍ତି, “ଘର ହିଁ ଆଦ୍ୟ ପାଠଶାଳା” !

ତା’ ପରେ ସ୍କୁଲରେ ଦାଖଲ ହେଉହେଉ ସେଠି ଭଲ କଣ ଓ ଖରାପ କଣ ଏ ନେଇ ଶିକ୍ଷା ଆରମ୍ଭ ହୋଇଯାଏ ଏବଂ ଆଶା କରାଯାଏ ଯେ ଏହାର ଫଳ ସ୍ଵରୁପ ପିଲାଏ ବଡ଼ ହେଲେ ଯାହା ବି ହୁଅନ୍ତୁନା କାହିଁକି ପହିଲେ ଯେମିତି ଭଲ ମଣିଷ ହେବେ । ଏମିତି ବିଭିନ୍ନ ସ୍ତରର ଶିକ୍ଷା ଗ୍ରହଣ ଭିତର ଦେଇ ଆଗେଇ ଯାଉଥିବା ବେଳେ ପିଲାଏ ବାହାର ଦୁନିଆ ସଂସ୍ପର୍ଶରେ ଆସନ୍ତି । ଏହି କ୍ରମରେ ଖରାପ କଣ ବି ଅବଲୀଳା କ୍ରମେ ସେମାନଙ୍କୁ ଗୋଚର ହୋଇଯାଏ । ତ’ କେହିକେହି କିଛି କ୍ଷେତ୍ରରେ ଖରାପ କଥା, ଖରାପ କାମ ଓ ଖରାପ ଲୋକଙ୍କ ଆଡ଼କୁ ଆକର୍ଷିତ ହୋଇଯାନ୍ତି । ଫଳତଃ ସେସବୁ ଖରାପ ପ୍ରଭାବରୁ ମୁକ୍ତ ହୋଇ ନପାରି ଧୀରେଧୀରେ ଖରାପ ହୋଇଯାନ୍ତି । ଏହି ଧାରା ପ୍ରାୟତଃ ଅବ୍ୟାହତ ରହିଆସିଛି । ତେଣୁ ଭଲ ସହ ଖରାପ ବି ସମତାଳରେ ରହିଆସିଛି ।

ସଭିଏଁ ଜାଣନ୍ତି ନୀତିପରାୟଣ ହେବା ଭଲ । ନିୟମନିଷ୍ଠ ହେବା ଭଲ । ଶୃଙ୍ଖଳିତ ହେବା ଭଲ । ସାଧୁ, ସଚ୍ଚୋଟ ଓ ସଦାଚାରୀ ହେବା ଭଲ । ଏମିତି ଭଲ ହେବା ବିଷୟକ ସୁଗୁଣଙ୍କ ସଂଖ୍ୟା ଅଗଣନ । ଆଉ ଏସବୁଙ୍କ ଅଭାବ ଅଥବା ଏସବୁଠୁ ବିଚ୍ୟୁତି ସତତ ଖରାପ ବୋଲି କିଏ ବା ନଜାଣନ୍ତି ଯେ ?

ତଥାପି ଭଲ ଅପେକ୍ଷା ବହୁ ବେଳେ ଖରାପ ବେଶ୍ ଆକର୍ଷି ନେଇ ଯାଇ ଭରିଦିଏ ତା ଖାଳୋଇରେ । ହଁ, ଜୀବନ ଯାପନାର୍ଥେ ଭଲ ବାଟରେ ଚାଲିବା, କୁପଥ ବା ଖରାପ ପନ୍ଥା ଆପଣାଇବା ତୁଳନାରେ ନିଶ୍ଚେ ସେତେଟା ସୁଗମ ନୁହେଁ, ଯଦିଓ ଅସମ୍ଭବ ବ୍ୟାପାର ବି ନୁହଁଇ ।

ତଥାପି ଖରାପର ବାହ୍ୟ ଆକର୍ଷଣରେ ବିମୋହିତ ହୋଇ ଅନେକ ଖରାପ ବାଟରେ ପାଦ ଦିଅନ୍ତି । ଥରେ କୁପଥଗାମୀ ହେବାପରେ ଭଲ ପଥକୁ ଆସିବା ଦିଗରେ ଆଉ ମନ ବଳାନ୍ତିନି । ଫଳରେ ଭଲ ହୋଇ ପାରନ୍ତିନି ।

ବେଳେବେଳେ ଭଲ ଓ ଖରାପ ସମ୍ପର୍କୀୟ କଥା ଛଳରେ ଏଇଆ କୁହା ଯାଇଥାଏ ଯେ ଭଲ ଲୋକମାନଙ୍କ ପାଇଁ ହିଁ ସକଳ କଷ୍ଟ ଦୁଃଖ ଓ ବିବିଧ ସମସ୍ୟା ସତେଯେମିତି ସଜିଲ ହୋଇ ରହିଥାଏ । ଅଗତ୍ୟା ସେମାନେ ଏସବୁ ଅଙ୍ଗେ ନିଭାଇ ଯେନତେନ ସହି ସମ୍ଭାଳି ସଂସାର ଚଳାଇ ନେଉଥିବା ବେଳେ ଖରାପ ଲୋକଙ୍କ ବଡ଼ତି କିନ୍ତୁ ଛାଏଁଛାଏଁ ହୋଇ ଚାଲିଥାଏ । ଲୋକଟିଏ ଯେତେ ଭଲ ହୋଇଥିଲେ ହେଁ ରକ୍ତ ମାଂସଧାରୀ ମଣିଷଟିଏ ! ସୁତରାଂ ଖରାପ ହୋଇ ବି ଭଲରେ ଥିବା ଲୋକଙ୍କୁ ପ୍ରତ୍ୟକ୍ଷ କରି ଆସୁଥିବା ବେଳେ ଭଲ ଲୋକଟିଏ ଅଧୈର୍ଯ୍ୟ ହୋଇପଡ଼ିବା ସ୍ୱାଭାବିକ । କହନ୍ତି ସିନା ଖରାପର ତାତ୍କାଳିକ ଫାଇଦା ଯେତେ ଲୋଭନୀୟ ହେଲେସୁଦ୍ଧା ତା’ କୁପରିଣାମ ସମୟ କ୍ରମେ ନିଶ୍ଚେ ଭୋଗିବାକୁ ହୋଇଥାଏ ! ଯାହା ଖରାପ ଲୋକେ ଜାଣି ବି ଅଜଣା ହୋଇ ମାତି ରହିଥାନ୍ତି ! ଫଳ ମିଳେ ବି । ତଥାପି କ୍ୱଚିତ ସୁଧାରି ଥାନ୍ତି ଆପଣାକୁ ।

ନସୁଧାରିବାର ବି କାରଣ ରହିଛି । ଆମ ସମୟରେ ସମାଜ ଜଣେ ଖରାପ ବୋଲି ଜାଣି ବି ଭଲ ଲୋକଙ୍କୁ ପଛରେ ପକାଇ ତାକୁ ହିଁ ସକଳ ସମ୍ମାନ ଓ ଯଥେଷ୍ଟ ଗୁରୁତ୍ୱ ଅଯଥାରେ ଦେଇ ଚାଲିଥାଏ, ଯାହା ପ୍ରକାରାନ୍ତରେ କିଛି ଭଲ ଲୋକଙ୍କ ଭଲପଣକୁ ଦୋହଲାଇ ଦେଇ ଖରାପ ଦିଗକୁ ଠେଲି ଦିଏ ।

ତେବେ ଏସବୁର ଅର୍ଥ ଆଦୌ ଏଇଆ ନୁହେଁ ଯେ ଖରାପ ହେବା ବରଂ ଭଲ । କାରଣ ଏବେବି ବହୁ ବେଳେ କୁହାଯାଏ ଯେ ସଂସାରରୁ ଦୟା, କ୍ଷମା, କରୁଣା, ସ୍ନେହ, ପ୍ରେମ, ସେବା ଓ ସଦିଚ୍ଛାଦି ଭଲ ଗୁଣମାନ ସମ୍ପୂର୍ଣ୍ଣ ହଜିଯାଇ ନାହାନ୍ତି ବୋଲି ହିଁ ସଂସାର ଚାଲିଛି । ଭଲ କାମ ବି ହେଉଛି । ସୂର୍ଯ୍ୟ, ଚନ୍ଦ୍ର ଆଦି ଆତଯାତ ହେଉଛନ୍ତି । ସଂଖ୍ୟାରେ ନୂନ ଓ ନଗଣ୍ୟ ହୋଇ ଥାଇପାରନ୍ତି ସିନା, ଭଲ ଲୋକ ନିଶ୍ଚୟ ଅଛନ୍ତି । ସେଭଳି ଭଲ ଲୋକଙ୍କୁ ହିଁ ଖୋଜା ଲୋଡ଼ା ହୋଇଥାଏ । ତେଣୁ ତ ସବୁବେଳେ କୁହାଯାଏ ଯେ “ଭଲ ଲୋକଙ୍କ ଖୋଜା ଚାଲିଛି” !

ଏମିତିରେ ଭଲ କଥା ଓ ଭଲ କାମକୁ ଖରାପ ବୋଲି ହୁଏନା ।

ଆପଣ “ଆଃ କି ସୁନ୍ଦର ହତ୍ୟା କାଣ୍ଡଟେ ହୋଇ ପାରିଛି ” ବା “ବାଃ ପଡ଼ୋଶୀ ଜଣକ କେତେ ବଢିଆ ମଦ ପିଇ ନିତି ରାତିରେ କେତେ ଉତ୍ପାତ ହେଉଛନ୍ତି” ଇତ୍ୟାଦି ଇତ୍ୟାଦି କେହି କହୁଥିବା ଶୁଣିଛନ୍ତି ? ହଁ, ବରଂ ସଚରାଚର ଏଇଆ ଶୁଣାଯାଏ ଯେ,

“ଆହାଃ !!! ଅଭାବୀ ପରିବାରର ହେଲେ ବି କେଡ଼େ ଅଧ୍ୟବସାୟୀ ଓ ମେଧାବୀ ପିଲାଟା ସତରେ ! ମାଟ୍ରିକ ପରୀକ୍ଷାରେ ପ୍ରଥମ ହେଲା” ଅଥବା “ବାଃ ! ବାହା ହୋଇ ଆସୁଆସୁ ଦେଖ କେମିତି ବୟସ୍କ ଶାଶୁଶ୍ୱଶୁରଙ୍କ ସେବା କରିବା ଆରମ୍ଭ କରିଦେଇଛି ତାଙ୍କର ନୂଆ ବୋହୁଟି” ଜାତୀୟ କଥାମାନ !

ସୁତରାଂ ଖରାପ ଯେତେ ଭଲେଇ ହେଲେବି ଖରାପ ଇ ! ଅପରପକ୍ଷରେ ଭଲ ଯେ ସଦାକାଳେ ଭଲ, ଏକଥା ଆମେ ନିଶ୍ଚେ ସଜୋର କହିବୁ ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *