ଏ ପଂକ୍ତିଗୁଡିକ ଶୁଣୁ ଶୁଣୁ ଜାଇର କରୁଣ କାହାଣୀ ଓଡି଼ଶାର ଜନମାନସରେ ଫୁଟିଉଠେ । ଏକ କିମ୍ବଦନ୍ତୀକୁ ନେଇ ଚମତ୍କାର ଗାଥା କବିତା ରଚନା କରିଥିଲେ ଗୋଦାବରୀଶ ମିଶ୍ର । ‘କାଳିଜାଇ’ କବିତା ପାଇଁ ସେ ଘରେ ଘରେ ପରିଚିତ । ଏକାଧାରାରେ ଆଦର୍ଶି ଶିକ୍ଷକ, ସାହିତ୍ୟିକ, ସମାଜ ସଂସ୍କାରକ, ସମ୍ପାଦକ, ରାଜନେତା; ଏ ସବୁ ମିଶି ଏକ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ । ସାହିତ୍ୟର ସବୁ ବିଭାଗରେ ତାଙ୍କର ଦକ୍ଷତା ଅସୀମ ।
ତାଙ୍କର ଜନ୍ମ ହୁଏ ୧୮୮୬ ଅକ୍ଟୋବର ୨୬ରେ ବାଣପୁର ଅନ୍ତର୍ଗତ ଶ୍ରୀନିବାସପୁର ଶାସନରେ । ବାଲ୍ୟକାଳରୁ ତାଙ୍କୁ ଜୀବନର କଠୋର ବାସ୍ତବତା ସହ ପରିଚିତ ହେବାକୁ ପଡି଼ଥିଲା । ଅଳ୍ପ ବୟସରୁ ପିତାମାତାଙ୍କୁ ହରାଇଥିଲେ । ଦାରିଦ୍ର୍ୟ ତାଙ୍କ ପାଠପଢ଼ାରେ ଏକ ବିରାଟ ବାଧକ ସାଜିଥିଲା । ଅନ୍ୟ ଘରେ ବିଭିନ୍ନ କାମ ଓ ଟିଉସନ କରି ସେ ଟଙ୍କା ଯୋଗାଡ଼ କରୁଥିଲେ । ସେ ରେଭେନ୍ସା କଲେଜରୁ ଦର୍ଶନ ଶାସ୍ତ୍ରରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
କଲିକତାରୁ ଓଡି଼ଶା ଫେରି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସିଂହଭୂମି ଜିଲ୍ଲାରେ ଓଡି଼ଆ ଭାଷାର ସଂରକ୍ଷଣ ପାଇଁ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ଚକ୍ରଧରପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ । ଏହା ପରେ ନିଜ ଗ୍ରାମକୁ ଫେରି ଗାଁରେ ଶିକ୍ଷା, କୁଟୀର ଶିଳ୍ପ ଆଦି ଭିତ୍ତିଭୂମି ସମେତ ସାମାଜିକ ବିକାଶରେ ମନୋନିବେଶ କରିଥିଲେ । ସ୍ୱାଧୀନତା ପୂର୍ବ କାଳରେ ସେ ପାରଳା ମହାରାଜାଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷାମନ୍ତ୍ରୀ ରହି ଉତ୍କଳ ବିଶ୍ୱବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ହାଇକୋର୍ଟ ଆଦି ସ୍ଥାପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅବିସ୍ମରଣୀୟ । ଗୋପବନ୍ଧୁଙ୍କ ପରଲୋକ ପରେ ସେ କିଛି କାଳ ‘ସମାଜ’ର ସମ୍ପାଦକ ରହିଥିଲେ । ଶିଶୁ ସାହିତ୍ୟ, କବିତା, ଗଳ୍ପ, ଅନୁବାଦ, ପ୍ରବନ୍ଧ, ନାଟକ, ଜୀବନୀ, ଭ୍ରମଣ କାହାଣୀ, ସମାଲୋଚନା, ବ୍ୟଙ୍ଗ ସାହିତ୍ୟ ଆଦି ପ୍ରାୟ ପ୍ରତିଟି ବିଭାଗକୁ ସେ ଋଦ୍ଧିମନ୍ତ କରିଛନ୍ତି । ‘ଅର୍ଦ୍ଧ ଶତାବ୍ଦୀର ଓଡି଼ଶା ଓ ତହିଁରେ ମୋ ସ୍ଥାନ’ ତାଙ୍କର ପ୍ରସିଦ୍ଧ ଆତ୍ମଜୀବନୀ । ଏଥିପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୫୬ ଜୁଲାଇ ୨୬ରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପରଲୋକ ହୋଇଥିଲା ।
ତାଙ୍କ ରଚନାବଳୀ
- ନାଟକ
- ପୁରୁଷୋତ୍ତମ ଦେବ
- ମୁକୁନ୍ଦ ଦେବ
- କବିତା
- କଳିକା
- କିଶଳୟ
- ଚୟନିକା
- କୁସୁମ
- ଗୀତିଗୁଚ୍ଛ
- ଗୀତାୟନ
- ଜୀବନୀ
- ନେପୋଲିୟାନ
- ଦାସତ୍ୱମାନେ
- ପ୍ରବନ୍ଧ
- କଙ୍କାଳର ଆର୍ତ୍ତନାଦ
- ଷଢେଇକଳା ଖରସୁଆଁ
- ଉପନ୍ୟାସ
- ଅଭାଗିନୀ
- ଘଟାନ୍ତର
- ଅଠରଶହ ସତର
- ନିର୍ବାସିତ
- ଆତ୍ମଜୀବନୀ
- ଅର୍ଦ୍ଧ ଶତାବ୍ଦୀର ଓଡି଼ଶା ଓ ତହିଁରେ ମୋ ସ୍ଥାନ
- (୧୯୨୩ ପର୍ଯ୍ୟନ୍ତ ଘଟଣା ଆଧାରିତ ଅସମ୍ପୂର୍ଣ୍ଣ ଆତ୍ମଜୀବନୀ)