ଶିବାଶିଷ ପାଢ଼ୀ

ଧୀରେଧୀରେ କମୁଥିଲା ସହରର ଗହଳି । ତଥାପି ଭିଡ଼ ଥିଲା ଏଯାଏଁ ।ରାତି ପ୍ରାୟ ଦଶଟା ହେଉଥିଲା । ଫେରୁଥିଲା ସୁଦୀପ । ଦିନସାରାର ଧାଁଦୌଡ଼ ପୁଣି ଫେରିବାବେଳର ବ୍ୟସ୍ତବହୁଳ ସହରର ବିପର୍ଯ୍ୟସ୍ତ ଟ୍ରାଫିକ । ହେଲେ ଆଜି ଅନ୍ୟ ଦିନ ପରି ଥକ୍କା ଲାଗୁ ନଥିଲା । ବରଂ ବାରମ୍ବାର କାନରେ ଶୁଣା ଯାଉଥିଲା ଅଧିକାରୀ ସାରଙ୍କ କଥା,

“ବହୁତ ବଢିଆ ସୁଦିପ । ମୁଁ ଆଜି ବହୁତ ଖୁସି । ତୁମ ପାଇଁ ଗର୍ବିତ । ଏଇ ଡିଜାଇନଟାକୁ ଫାଇନାଲ କରିଦେବ ଆଜି । ମୁଁ ନିଶ୍ଚିତ ଯେ  ଏହା ସମସ୍ତଙ୍କୁ ପସନ୍ଦ ଆସିବ ।“

ଅତ୍ୟନ୍ତ କଡା ମିଞ୍ଜାସର ଓ କର୍ମକୁଶଳୀ ଅଫିସର ଅଧିକାରୀ ସାରଙ୍କ ଠାରୁ ଏତେକ କଥା ବୋଧହୁଏ ସମସ୍ତଙ୍କ ପାଇଁ ସ୍ୱପ୍ନ । ସେ କେଇ ପଦ କଥା ହିଁ ଯେମିତି ପୋଛି ନେଉଥିଲା ସମସ୍ତ ଥକ୍କାକୁ । ଅଫିସ ବ୍ୟାଗକୁ ପ୍ରତିଭାଙ୍କୁ ଧରାଇ ଦେଇ ସେ କହିଥିଲେ,

“ମୋର ବହୁତ କାମ ଅଛି ପ୍ରତିଭା । ପୁରା ତିନି ଘଣ୍ଟା ଲାଗିବ । ଯଦି ଖାଇଦେବି ତେବେ ନିଦ ଲାଗିବ । ମୋତେ ଚା’ କପେ ଆଉ କିଛି ବିସ୍କିଟ ଦେଇଦିଅ ।“

ପ୍ରତିଭାଙ୍କ ପାଇଁ ଏ କୌଣସି  ନୂଆ କଥା ନଥିଲା । ସୁଦିପ ବି ଜାଣିଥିଲେ ହଁ ହିଁ  କହିବେ ପ୍ରତିଭା । ଆଜିଯାଏଁ ସେ ସୁଦିପଙ୍କ କଥା କାଟନ୍ତି ନାହିଁ କିନ୍ତୁ ଆଜି ସେ କହିଥିଲେ,

“ହଁ କାମ କରିବ ଯେ, ଯାଅ ପ୍ରଥମେ ବାପାଙ୍କୁ ଦେଖା କରିଦିଅ । ତୁମକୁ ଅପେକ୍ଷା କରିଥିଲେ ସେ ।“

“କଣ ହେଲା ଦେହ ପା ଠିକ ଅଛି ତ ?” ପ୍ରାୟ ବିଗୁଡୁଥାଏ ବାପାଙ୍କ ଦେହ ସେହି ଆଶଙ୍କାରେ ପଚାରିଥିଲେ ସୁଦିପ ।

“ହଁ ଦେହ ଠିକ ଅଛି ଯେ, କଣ କଥା ହେବି କହୁଥିଲେ ସେ ।“ ହେଲମେଟକୁ ରଖୁରଖୁ କହିଥିଲେ ପ୍ରତିଭା ।

ହଠାତ ଆଖି ଆଗକୁ ଆସିଗଲା ବାପାଙ୍କ ଚେହେରା । ବାପା ଏମିତି ଥରେଥରେ ଡାକନ୍ତି । ବିଶେଷ କଥା ନଥାଏ ବରଂ କିଛି ଛୋଟମୋଟ କଥା ପାଇଁ ବସେଇ ଦିଅନ୍ତି ପାଖରେ । ଅନେକ ସମୟରେ ତ କେବଳ ଆଖିଭରି ଦେଖିବା ପାଇଁ ବସାଇ ଦିଅନ୍ତି କିଛି ସମୟ । ଆଉ କେବେ ମନା କରନ୍ତି ନାହିଁ ସୁଦିପ ହେଲେ ଆଜି ତ ସମୟ ନଥିଲା  ।

“ରହ ରହ ସକାଳୁ ଦେଖିବି । ବହୁତ ଜରୁରୀ କାମ ଅଛି  -କହି ବାଥରୁମରୁ ଆସୁଆସୁ ସିଧା ପଢ଼ାଘରକୁ ଚାଲିଗଲେ ସୁଦିପ । ମେଲାଇ ଦେଲେ ଫାଇଲପତ୍ର । ଡିଜାଇନକୁ ପେନସିଲରେ ଫାଇନାଲ କରୁଥିଲେ ସେ । ବାରମ୍ବାର କିନ୍ତୁ ଭୁଲ ହୋଇଯାଉଥିଲା । ପେନସିଲ ଗାରକୁ ରବରରେ ଲିଭାଇ ପୁଣି ନୂଆ ଗାର ଟାଣୁଥିଲେ ସେ ।

ସମ୍ପୂର୍ଣ୍ଣ ମନ ଧ୍ୟାନକୁ ଲଗାଇ ଏକାଗ୍ରତା ଆଣିବାର ଚେଷ୍ଟା କରୁଥିଲେ ବି କେଜାଣି କାହିଁକି ମନକୁ ଧସେଇ ପଶି ଆସୁଥିଲେ ବାପା ।

କଣ କଥା ଥିବ ? ଶୁଣି ଦେଇଥିଲେ ହୋଇଥାନ୍ତା ? କେତେ ସମୟ ଲାଗିଥାନ୍ତା କି ? ଇତ୍ୟାଦି ଭାବୁଭାବୁ ପୁଣି ଭୁଲ ହୋଇଗଲା ଡିଜାଇନ  । ରବରରେ ଏକ ବଡ଼ ଅଂଶକୁ ଲିଭାଉ ଲିଭାଉ ସରି ଆସୁଥିବା ରବରକୁ ଦେଖି ଲାଗିଲା ଯେପରି ସେ ରବରର ସ୍ଥାନ ନେଇ ଯାଇଛନ୍ତି ବାପା । ଆଉ ନିଜକୁ ପେନସିଲର ସ୍ଥାନରେ ପାଉଥିଲେ ସୁଦିପ ।

ବାରମ୍ବାର ଛୁଆଙ୍କ ଭୁଲ ତ୍ରୁଟିକୁ ସୁଧାରି ଅଳ୍ପଅଳ୍ପ ସରି ଆସୁଥିବା  ବାପାଙ୍କ ସେ କ୍ଲାନ୍ତ ଚେହେରା ସହ ଅବଶିଷ୍ଟ ରବର ଯେପରି ସମ୍ପୂର୍ଣ ଖାପ ଖାଉଥିଲା  ।ହଠାତ ଓଦା ହୋଇଗଲା ଆଖି । କାମ ଛାଡ଼ିଦେଇ ବାପାଙ୍କ କୋଠରୀକୁ ଯାଇଥିଲେ ସୁଦିପ ।

ଟେବୁଲ ଲ୍ୟାମ୍ପ ଜଳାଇ କଣ ଗୋଟାଏ ପଢୁଥିଲେ ବାପା । ସୁଦିପ ଯାଇ ପାଖରେ ବସିଗଲେ,

“ଖୋଜୁଥିଲ ପରା ବାପା“। କହିଥିଲେ ସେ ।

ବଢିଥିଲା ବାପାଙ୍କ ହାତ । ସୁଦିପଙ୍କ ମୁଣ୍ଡକୁ ଆଉଁସି ଦେଇ ବାପା କହିଥିଲେ । ହଁ ବାବୁ ଖୋଜୁଥିଲି ଯେ କାମ କିଛି ନାହିଁ । ଆସିବା ଡେରି ହେଲା ତ ସେଇଥିପାଇଁ ପଚାରୁଥିଲି ବୋହୁ କହୁଥିଲା କଣ କାମ କରୁଛୁ ପରା ?

“ହଁ ବାପା ଟିକିଏ ଅଫିସ କାମ ଅଛି ? କିଛି ଦରକାର ଅଛି ହେଲେ କୁହ ?” କହିଥିଲେ ସୁଦୀପ ।

“ଯା ଯା ବାବୁ କାମ କରିବୁ ଯା ।‘ ଏତେ ରାତିରେ କାମ ଛାଡ଼ିକି ତୁ ଆସିଛୁ । ସେତକ ତ ମୋ ପାଇଁ ଯଥେଷ୍ଟ ମୋର ଆଉ କଣ ଦରକାର କହ ?

ଖୁସି ହୋଇ ଯାଇଥିଲେ ବାପା ଆଉ ସେ ଖୁସି ଛଳକୁଥିଲା ତାଙ୍କ ଚେହେରାରୁ କିନ୍ତୁ ସୁଦିପ ଦେଖୁଥିଲେ ଓଦା ହୋଇ ଆସୁଥିବା ବାପାଙ୍କ ଆଖିକୁ ଜାଣୁଥିଲେ ଏ ଲୁହ ଖୁସିର ଲୁହ ।

ଫେରି ଆସିଥିଲେ ସୁଦିପ । ଲାଗିଥିଲେ କାମରେ ହେଲେ ଆଶ୍ଚର୍ଯ୍ୟ ଲାଗୁଥିଲା ତାଙ୍କୁ କାରଣ ତାଙ୍କ ଆଶାଠାରୁ ଆହୁରି ଭଲ ହୋଇଥିଲା ଡିଜାଇନ ହେଲେ ଆଉ ଜମା ଦରକାର ପଡୁ ନଥିଲା ରବରର । ସେ ରବର ସେମିତି ହି ଥିଲା ତାଙ୍କ ଆଖି ସାମ୍ନାରେ  !

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

Leave a Reply

Your email address will not be published. Required fields are marked *