ପ୍ରତିଭା ଖିଲାର

ମୋତେ ଆଉ ପଚାରନା
ସେ କଥା

ବାରମ୍ବାର ଗଢୁଥିବା ଭାଙ୍ଗୁଥିବା
ପକ୍ଷୀ ଥଣ୍ଟରେ ପୃଥିବୀ
ଭୁଲିଗଲାଣି କେଉଁ କାଳୁ ସବୁ ମାୟାର ଅଧା ଅଙ୍କା ମୁହଁ,
ପଥର ଫାଙ୍କରେ ଲୁଚିଥିବା ମନ୍ତୁରା ପାଣି ମୁନ୍ଦାକ ବି
କେଉଁ କାହାଣୀର ଅତୃପ୍ତ ଲୁହ,

କେମିତି ବୁଝେଇବି କୁହ !

ଆଜି ବି ଝର୍କା ଖୋଲିଲେ
ସେ ପୁରୁଣା ଝଡ଼ର ଭୟ
ହଜିଥିବା ହଳେ କାନଫୁଲ, ପଟେ ପାଉଁଜିର
ପ୍ରଶ୍ନ ପରେ ପ୍ରଶ୍ନ
ସେଠି ଯେତିକି ଆଲୁଅ ସେତିକି ଅନ୍ଧାର,

କୁହ !
ପାଇବ କି
ବଦଳିଯାଇଥିବା ଦରଦୀ ମଣିଷ, ସମୁଦ୍ରର ଗୀତ,
ବାଲିଘର, ଅସରାଏ ବର୍ଷା,
ପାହାଡ଼ର ଛାତି, ଜଙ୍ଗଲର ଜୀବନ,
ତାଜା ରକ୍ତରେ ଫୁଟୁଥିବା ଖରାବେଳ, ନଈମୁହାଁ ସଂଜ,
ଶୁଖିଲା ଡାଳରେ ଦୁଇ ଚଢ଼େଇଙ୍କ ନିଦ,
ଫେରାର୍ ଅତୀତ ଆଉ
ନିଆଁ ପାଣିରେ ଲୁଚିଥିବା ପ୍ରେମିକାର କୋହଭର୍ତ୍ତି ଚିଠିର ଉତ୍ତର !

ଆଉ ପଚାରନା
କେତେଥର ମେଘ ଭାଙ୍ଗିଲେ
ମୋ ପରି, ତୁମ ପରି,
ଈଶ୍ୱରଙ୍କ ଅଭିଶାପ ପରି ମୃତ୍ୟୁ ହେବ ଅମର,
କେତେଥର ଲୁଚିଗଲେ ଇନ୍ଦ୍ରଧନୁ
ମାଗିବାକୁ ହେବ ନାହିଁ
ଆକାଶକୁ ହସ ତାରାଙ୍କର
କେତେ ଋଣ କଲେ
ସୁଝିବାକୁ ହେବ ନାହିଁ
ଜୀବନକୁ ମୁଠାଏ ବିଶ୍ଵାସ ।

ମୋତେ ଆଉ ପଚାରନା ସେକଥା
ଭଲପାଇବାର ସବୁ ଭାଷା
ଗୋଟେ ଗୋଟେ ବିଚ୍ଛେଦ ରଙ୍ଗର ଲଫାପା ।

ଲିଙ୍ଗରାଜ ନଗର, ଭୁବନେଶ୍ୱର

ଲେଖକ ପରିଚୟ

ସାହିତ୍ୟ : ସୁଆଦିଆ ଲାଗୁଥିବା ଗୋଟେ ଜୀବନ, ପୁଣି ବଂଚିବା ପାଇଁ ଟିକେ ଅମ୍ଳଜାନ । କବିତା ସଂକଳନ ‘ଦେବୀଦତ୍ତ ଓ ଅନ୍ୟାନ୍ୟ କବିତା’ ପାଇଁ ‘ଟାଇମପାସ’ ପ୍ରକାଶନ ତରଫରୁ ପ୍ରଥମା ପୁରସ୍କାର ପ୍ରାପ୍ତ କରିଥିବା କବି ଆହୁରି ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସୈରିନ୍ଧ୍ରୀ ସାହୁଙ୍କ ସମ୍ପାଦନାରେ ବାଲେଶ୍ଵରରୁ ପ୍ରକାଶ ପାଉଥିବା ‘ଧ୍ଵନି ପ୍ରତିଧ୍ଵନି’ରେ ୨୦୦୦ ମସିହାରେ ପ୍ରଥମଥର ପାଇଁ ମୋ କବିତା ପ୍ରକାଶ ପାଇଥିଲା । ନାନା ପତ୍ରପତ୍ରିକା, ସମ୍ବାଦପତ୍ରରେ ପ୍ରକାଶିତ ହେବା ସହିତ ଆକାଶବାଣୀ କଟକ କେନ୍ଦ୍ରରେ କବିତା ଉପସ୍ଥାପନା କରିବାର ସୁଯୋଗ ମଧ୍ୟ ପାଇଥିଲେ ।

Related Posts

Leave a Reply

Your email address will not be published. Required fields are marked *