ବିନୟ ମହାପାତ୍ର

ସବୁ କିଛି ନପାଇବା ଭଲ,
ଖୋଜିବାରେ ଆନନ୍ଦ ଥାଏ,
ପ୍ରତୀକ୍ଷାରେ ଉତ୍କଣ୍ଠା ଥାଏ,
କେବେ ବସି ଦିନ ଗଣେ,
କେବେ କାନ୍ଥ ଘଡ଼ି ଦେଖିଦେଖି
ରାତି ପାହିଯାଏ ।
ସବୁ କିଛି ପାଇଗଲେ,
ପ୍ରତୀକ୍ଷାର ଅନ୍ତ ହୋଇଯିବ
ଥରେ ପାଇଗଲେ,
ହରାଇବାର ଡର ଯେ ରହିବ ।
ଥରେ ପାଇଗଲେ, ଲାଗେ,
ସବୁ ସତେ କେତେ ମୂଲ୍ୟହୀନ
ଦରବ ଦେହଘଷା ହୋଇଯାଏ
ପ୍ରାପ୍ତିର ଉତ୍କଣ୍ଠାରେ ଖୁସି,
ପାଇଗଲେ ସ୍ୱାଦହୀନ,
ମନ ଭରିଯାଏ ।
ଆଶା ଛାଡ଼ିଦେଲେ
ନିରାଶାରେ ବୁଡ଼ି ଯିବ,
ଆଶାରେ ବଞ୍ଚି ରହିବା
ଜୀବନର ଅନ୍ୟନାମ ।

ସବୁ କିଛି ନଜାଣିବା ଭଲ,
ନଜାଣିଲେ ଖୁସି ଥାଏ,
ଉତ୍ସୁକତାର ମୁହୁର୍ତ୍ତଗୁଡ଼ିକ
ଜୀଇଁବା ଶିଖାଇ ଦିଏ,
ମୃତ୍ୟୁର ତାରିଖ, ଜଣାଥିଲେ
ମଣିଷ ଯେ ନିତି ଝୁରୁଥାନ୍ତା,
ଫାଶି ଅପେକ୍ଷାରେ କଏଦୀଟେ ପରି
ନିତି ଜୀଇଁ, ନିତି ମରୁଥାନ୍ତା ।
ଅନେକ କିଛି ନପାଇବା ଭଲ
ସବୁ କିଛି ପାଇବା ଆଶାରେ
ପ୍ରତୀକ୍ଷାରେ ଦିନ ଗଣୁଗଣୁ
ଏ ଜୀବନ ସତେ,
କେତେ ଲମ୍ବା ହୋଇଯାଏ,
ପ୍ରତିଟି ଦୁଃଖଦ ମୁହୁର୍ତ୍ତ ପରେ
କେତେ ଅସଜଡ଼ା ସମ୍ପର୍କ
ପୁଣିଥରେ ଯୋଡ଼ି ହୋଇଯାଏ ।

ସବୁ କିଛି ଜାଣି ଗଲେ,
ବିଶ୍ୱାସ ତୁଟିଯିବ,
କେବେ ପଶ୍ଚାତାପ ହେବ,
ଜୀବନରେ କେତେକେତେ
ଅବଶୋଷ ରହିଯିବ,
କେବେ ହତାଶାର ଅନ୍ଧକାରେ
ପ୍ରାଣ ବୁଡ଼ି ଯିବ ।
ସବୁ କିଛି ନଜାଣିଲେ ଭଲ
ସବୁ କିଛି ନପାଇଲେ ଭଲ,
କିଛି ଜିଜ୍ଞାସା, ଜିଜ୍ଞାସାରେ ରହିଥାଉ
ସବୁ ପ୍ରଶ୍ନର ଉତ୍ତର ନମିଳିବା ଭଲ,
କିଛି ଅପ୍ରାପ୍ୟ ରହିଗଲେ,
ବୁଝି ହୁଏ, ମଣିଷ ଜୀବନର ମୂଲ୍ୟ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *