ତପନ କୁମାର ପୁହାଣ

ବୋଉ’ଲୋ ତୋ କଥା ଭାରି ମାନେ ପଡୁଛି। ତୋ ହାତର ସଜ ବାସି ତୋରାଣି ଲୁଣ ଲଙ୍କା ମରିଚ ରେ ଯୋଉ ସୁଖ ଏଠି ୯-୬ ତିଅଣରେ ବି ନାହିଁ। ତୋର ସେ ସାରୁ ମୁଣ୍ଡା ଛେଛା ସୁଆଦ ମାଉଁସ ତିଅଣ ବି ତା ପାସଙ୍ଗ ରେ ପଡିବ ନି। ଡୁଙ୍ଗରି କଥା ବି ଭାରି ମନ ପଡୁଛି। ବିହା କରି ଆଣିବା ଦିନ ରୁ ତା ସହ ଭଲ କରି ଦି ପାଦ କଥା ବି ହେଇ ପାରିନି। ତା ଗୋଲ ମୁହଁ ର କୁଞ୍ଚି କୁଞ୍ଚିଆ ବାଳରେ ନାଲିର ସିନ୍ଦୂର ଆଖି ଆଗରେ ନାଚି ଯାଉଛି। ବେଶୀ ମନେପଡୁଛି ଆମ ଘର କୁ ଆସିଥିବା ନୂଆ କୁଣିଆ କଥା। ତା ସହ ଦି-ଚାରିଟା ଦିନ ରେ ମନ କଣ ଭରିଛି ମୋର। ତାର ନିଖୁଏ ନିଖୁଏ ହାତ ଗୋଡ ମୋ ପାପୁଲିରେ ଏବେ ବି ମୁ ଭାବି ଭାବି ଅଣ୍ଡାଳି ଦଉଚି। ତା ବାଲୁ ବାଲୁ ଆଖି ଦିଟା କୁଆଁ କୁଆଁ ଡାକ ସବୁ ଛାଡି ଫେରିଯିବାକୁ ଇଛା ହଉଛି! ହେଲେ….. ଫେରି ପାରନ୍ତି କି?
ମୋର ସବୁ ଗୋଟି ଗୋଟି କରି ମନ ଅଛି ଲୋ ବୋଉ। ଦାଦନ ଖଟିବାକୁ ଆସିବା କଥା ଜାଣି ତୁ ମୋ ସହ କଥା ହୋଇନଥିଲୁ। କେତେ ଗାଲି ମନ୍ଦ ଦେଇ ଏଠି କେନ୍ଦୁ ପତ୍ର ଥାଳି-ଠୋଲୀ ଚାଷ ବାସ କରି ଆମେ ସୁଖରେ ଚଳିଯିବା ବୋଲି କହିଥିଲୁ। ହେଲେ ମୁ କଣ କରିଥାନ୍ତି କହୁନୁ ଆମେ ସିନା ବାପା ମଲା ପରେ ଦି’ଜଣ ଥିଲେ ଚଲି ଯାଉଥିଲେ। ଡୁଙ୍ଗରି ଘର କୁ ଆସିଲା, ଗର୍ଭାବତୀ ହେଲା, ଆଗକୁ ଛୁଅଟାକୁ ଭଲ ଭବିଷ୍ୟ ଓ ଆମ ଖୁଶି ପାଇଁ ଚାଲି ଆସିଥିଲି ଲୋ। ଏବେ କିନ୍ତୁ ବୁଝୁଛି ତମ ସମସ୍ତଙ୍କୁ ଝୁରୁଛି। କିନ୍ତୁ କଣ ହବ ବୋହିଗଲା ନଈ ଓ ଚାଲି ଯାଇଥିବା ସମୟ ପଛ କୁ ଫେରି ଆସନ୍ତା କି!
ଆଗରେ ଆଗରେ ଏ ଆଲୁଅ ଲାଇଟ ଭାରି ଭଲ ଲାଗିଲା, ଏବେ କିନ୍ତୁ ଘର ଡିବି ଆଲୁଅ କୁ ଖୋଜି ହଉଛି। ରୁଟି ଖଣ୍ଡ ପାଇଁ ଦୌଡିଲା ଭଳି ଆମେ ଏଠି ଠିକାଦାର ପଛରେ କୁକୁର ବିଲେଇ ଭଳି ଦୌଡୁଛୁ। ଦି ପଇସା ପାଇଁ ଦିନ ନାହିଁ ରାତି ନାହିଁ ଗାଳି ମନ୍ଦ ଦେଇ ଖଟାଉଛନ୍ତି। ବାସସ୍ଥାନ ବୋଲି କହିଲେ କିଛି ନାହିଁ। ଯଉଠି କାମ ସେଇଠି ତମ୍ବୁ ମାରିକି ଶୋଇଲୁ – ମନ୍ଦିର ହଉ କି ମସାଣି ହଉ, ପଡିଆ ହଉ କି ଜଙ୍ଗଲ, ଗାଁ ହଉ କି ବଜ଼ାର କିଛି ଫରକ ନାହିଁ। କେବେ ଯଦି ଦେହ ବାଧା ହୁଏ କେହି ନାହିଁଲୋ ସୋରିଷ ତେଲ ରସୁଣ ଫୁଟେଇକି ଘଷି ଦବା ପାଇଁ। କେହି କହିବାକୁ ନାହିଁ ‘ନା…. ଆଜି କାମ କୁ ଯାଆନି’।
ଆଉ କଣ କହିବି, ଯଦି ଫେରି ପାରନ୍ତି ତାହେଲେ କହନ୍ତି ଗୋଷ୍ଠୀ ଝଗଡ଼ାରେ ଠିକାଦାର ରାଗ ଆମ ଉପରେ ସୁଝାନ୍ତି, କାନ-ମୁଣ୍ଡ ଆଉଁଶି ସବୁ ସହି ଯାଉ। ସେତେବେଳେ ତୋ କଥା ଭାରି ମନ ପଡେ, ତୁ ଦେଖୁଥିଲେ ତାଙ୍କ ବେକ ରେ କୋଦାଳ ଲଗେଇ ଦେଇଥାନ୍ତୁ । ରାତି ରେ ଶୋଇଲା ବେଳେ ଆଖିର ତତଲା ପାଣି ରେ ମୁଣ୍ଡ ତଳ ଗାମୁଛା କେତେ ଥର ଭିଜି ଯାଇଛି। ଯଦି କେବେ ସିତରେ ଦୁଲୁକ ଆସେ କେହି ବି ଟିକେ ଆହାଃ କହି ଗୋଦଡି ଟିଏ ବି ଘୋଡେଇ ଦିଅନ୍ତିନି ଲୋ।
ଏବେ ଗୋଟେ ଗାଁ ରେ ନୂଆ ପାଣି ଟାଙ୍କି କାମ ଚାଲିଛି। ଟିକେ ଅଧିକ ଖଟଣି ହେଲେ ଭଲ କଞ୍ଚା ପଇସା ମିଳୁଛି। ଆ ପରେ ତୋ ପାଖକୁ, ଡୁଙ୍ଗରି ପାଖକୁ, ଆଉ କୁନି କୁଣିଆ ପାଖକୁ ଫେରିଆସିଥାନ୍ତି…ହେଲେ..? ତୋ ପାଟି ରୁ ଆଜି କାହିଁ ମୁକୁରା ରେ ଡାକ ଶୁଣିବାକୁ ଭାରି ଇଛା ହଉଛି। ତୋ ହାତ ରୁ ମାଣ୍ଡିଆ ଯାଉ ଟିକେ ପିଇବାକୁ ଇଛା ହଉଛି। ଡୁଙ୍ଗୁରି ଗାଲ କୁ ଟିକେ ଚିପି ଦେଇ ତା ସହ ଗମାତ ହବାକୁ ଇଛା ହଉଛି। କୁନି ଝିଅକୁ ଛାତିରେ ପକେଇ ତା ମୁଣ୍ଡକୁ ଆଉଁଶି ତା କଅଁଳିଆ ଆଖି କୁ ଗେଲ କରିବାକୁ ମନ ଟାଣୁଛି। ବୋଉଲୋ ତୋ କଥା ମାନି ଦାଦନ ଖଟିବାକୁ ନଆସି ଘରେ ରହି କେନ୍ଦୁ ପତ୍ର ଥାଳି-ଠୋଲୀ ଚାଷ ବାସ କରି ଅନ୍ତତ ତମ ପାଖାରେ ତ ଥାନ୍ତି। ହେଲେ..କଣକରିବି ଏ ଦରପୋଡା ଶରୀରଟା କଣ ଉଠୁଛି!!!!!!!
ଡୁଙ୍ଗରି ତ ନିସ୍ତେଜ ମୁକ ହୋଇଯାଇଛି ମୋ ଗେଲ୍ଲୀକୁ ଧରିକି, ତୁ ରା ଧରି କି ପାଗିଳି ଭଳି କାନ୍ଦୁଛୁ “ମୋ ମୁକୁରା ରେ ..ମୁକୁରା” ଲୁହ ପୋଛିବାକୁ ଚାହିଁକି ବି ପୋଛି ପାରୁନି। ଲୋକେ କୁହାକୁହି ହେଉଥିଲେ ଠିକାଦାର ପଠେଇଥିଲା ମୁକୁରା କୁ ଇଲେକ୍ଟ୍ରି ଖୁଣ୍ଟ ରେ ଚଢି ଲାଇନ କାଟିବା ପାଇଁ। ବିଚରା ଟା କରେଣ୍ଟ ଅଛି ବୋଲି ନଜାଣି ଚଢିଗଲା, ଭୁଲବଶତଃ ହାତ ତାରରେ ବାଜିଗଲା କରେଣ୍ଟ ଥିବା ଫେଜ୍ ରେ। ଛାଟିଦେଲା ଯେ ଆସିକି ପିଟି ହୋଇପଡିଲା ଟ୍ରାନ୍ସଫର୍ମର ଟାଙ୍କି ଉପରେ। ଚିଲାଉଥିଲା କାଳେ ଲାଇନ୍ କାଟ ଲାଇନ୍ କାଟ….କରେଣ୍ଟ କାଟିଲା ବେଳକୁ ଦେହ ତା ଦରପୋଡା ହୋଇ ପ୍ରାଣ ବାୟୁ ଟା ତାର ଉଡିଗଲାଣି।
ରାଣ୍ଡ ବୁଢ଼ୀ ମା ଟା, ନୂଆ ବୋହୂଟେ ହାତରେ ତାର ୨୦-୨୫ ଦିନର ଛୁଆଟେ କଣ ହବ କେଜାଣି ପରିବାରଟି ର? କଣ ହବ ସରକାର ଓ ଠିକାଦାର କିଛି ମୋଟା ଅଙ୍କର କ୍ଷତିପୂରଣ ଦେଇ ଘଟଣା ଟିକୁ ଦବାଇ ଦେବେ। ଆଉ କିଛି କଥା ହଉଥିଲେ ନା ବେଶୀ କିଛି ମିଳିବନି ସିଏ କାଲେ ପାଗଳ ବୋଲି ଠିକାଦାର ଓ ସରକାର ମିଳିତ ପ୍ରମାଣ ଉଦ୍ୟମ କରିଲେଣି। ଆଉ କିଛି କହୁଥାନ୍ତି ବିଚରା ବାହାସପାଟିଆ ଦେଖେଇ ଚଢିଯାଉଥିଲା ଆଗ ବୁଝିବା କଥା ନା କରେଣ୍ଟ ଅଛିକି ନାହିଁ। ଯାହା ତା ଭାଗ୍ୟ ରେ ଥିଲା ହେଲା ଏବେ ତା ପରିବାର ର ଭାଗ୍ୟ!
ଭାଗ୍ୟ..ସେଟା କଣ, ପୁଣି ଗୋଟିଏ ଗରିବ ର, ଅଛି କି? ସତ କଣ!….କରେଣ୍ଟ କଟା ହୋଇଥିଲା କି ନାହିଁ, ମୁ ଖୁଣ୍ଟ ରେ ଚଢିବା ପୂର୍ବରୁ ବୁଝିଥିଲି କି ନାହିଁ, ମୋତେ କିଏ ପଠେଇଥିଲା? ସେକଥା କିଏ ଶୁଣିବ। ବଞ୍ଚିଥିଲା ବେଳେ ତ କିଏ ଶୁଣିଲେନି ଆଉ ଆଜି? – ମୁକୁରା ମହୀମଣ୍ଡଳ ରୁ ବିଦାୟ ବେଳେ ଭାବୁ ଥାଏ। ଖତେଇ ହୋଇ ପଚାରି ଯାଉଥାଏ ଦାଦନ ଖଟୁଥିବା ଓ ତା ପ୍ରତି ଆକର୍ଷିତ ଯୁବ ପିଢ଼ିଙ୍କୁ..’ମୋ ପାଳି ସଇଲା ଏବେ କାହା ପାଳି’???

ତପନଙ୍କ ଘର ଯାଜପୁର ଜିଲ୍ଲା ବାରବାଟୀ ନିକଟସ୍ଥ ବେତଣ୍ଡା ଗାଁରେ । ଏବେ ସେ ପୁନେରେ ଏକ ବହୁ-ରାଷ୍ଟ୍ରୀୟ କାର୍ଯ୍ୟାଳୟ ରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଡାଟା ବିଶେଷଜ୍ଞ ଭାବେ କାର୍ଯ୍ୟରତ । ମା ଆଉ ମାଟିଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଆଉ ଖାଦ୍ୟ ପ୍ରତି ରହିଛି ତାଙ୍କର ଅହେତୁକ ମମତା ଆଉ ଦୁର୍ବଳତା । କ୍ଷୁଦ୍ର ପ୍ରବନ୍ଧ ଆଉ କବିତା ଲେଖିବାକୁ ସହ ସେ ନୂଆ ନୂଆ ଜାଗା ବୁଲିବାକୁ ମଧ୍ୟ ପସନ୍ଦ କରନ୍ତି ।
Mob. +9-7569612246
Email. puhan73@gmail.com
Betanda, Barabati, Jajapur,
ODISHA-755008

Related Posts

One thought on “ଦରପୋଡା

  1. Awesome writing Lekhakaa janakaa moraa atayantaa nibida bandhu tankaa lekhaa bahut marmasparshii heichi. Apanaa lekhibaa jari rakhantu . Apananku ama tarafaru bahut bahut bhala paiba (Jeevan)

Leave a Reply

Your email address will not be published. Required fields are marked *