ବିନୟ ମହାପାତ୍ର

ମାଆ ଯେବେଠାରୁ ଘରର ସବୁ ଝରକା ବନ୍ଦ କରିଦେଇଛି ସେବେଠାରୁ ଘର ଭିତରଟାରେ ଏକ ହାଲକା ଅନ୍ଧକରର ପତଳା କୁହୁଡ଼ି ଘେରି ରହିଛି । ମାଆର କଡ଼ା ତାଗିଦ୍, କେହି ବି, କେବେ ବି ଯେପରି ଗୋଟିଏ ବି ଝରକା ନଖୋଲେ । ସେଇ ଦିନଠାରୁ ଅନ୍ଧକାର ଭିତରେ ବଞ୍ଚି ରହିବା ଯେପରି ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି । ଆଜି କିନ୍ତୁ ନିଜର ଛୋଟିଆ, ଅନ୍ଧାରୁଆ ବନ୍ଦ କୋଠରୀଟାରେ ଅର୍ଜୁନ ଯେପରି ଅଣନିଶ୍ୱସୀ ହୋଇ ଯାଉଥିଲା । ମନେମନେ ଭାବିଲା, କେତେଦିନ ଏମିତି ଅନ୍ଧାର ଭିତରେ ବଞ୍ଚିବ? ଏବେ ଯାଉଛି ଝରକା ସବୁ ଖୋଲିଦେବି, ଟିକିଏ ଶୀତଳ, ନିର୍ମଳ ପବନ ତ ମିଳିବ, ଘର ଭିତରର ଅନ୍ଧାରରେ ଟିକିଏ ଆଲୁଅ ବି ଆସିବ ! ବାହାର ଦୁନିଆରେ କେତେ ସବୁଜିମା ଭରି ରହିଛି, କେତେ ଫୁଲ ଫୁଟିଛି ତାର ଆନନ୍ଦ ତ ନେଇପାରିବ !

ଅର୍ଜୁନ ଝରକା ପାଖକୁ ଗଲା, ଝରକା ଖୋଲିବାକୁ ଯେତେବେଳେ ହାତ ବଢାଇଲା, ହଠାତ୍ ମାଆ କେଉଁଠି ଥିଲେ କେଜାଣି, ପଛରେ ଆସି ଠିଆ ହୋଇଗଲେ, କହିଲେ, ଆରେ ହେଇ, ଏ କଣ କରୁଛୁ ? ଖୋଲନା ସେ ବନ୍ଦ ଝରକାକୁ ।

ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି ମାଆ ? ଦେଖୁନ ଘର ଭିତରେ କିପରି ନିଶ୍ୱାସ ରୁନ୍ଧି ହୋଇଯାଉଛି, ବହୁତ ଅନ୍ଧାରୁଆ ବି ଲାଗୁଛି । ଭାବୁଛି ଝରକା ସବୁ ଖୋଲିଦେବି । ଟିକିଏ ତାଜା ପବନ ଆସିବ, ଟିକିଏ ଆଲୁଅ ବି ଆସିବ, ବନ୍ଦ କୋଠରୀର ପରିବେଶ ବଦଳି ଯିବ, ମନଦେହ ସବୁ ତାଜା ଲାଗିବ ।

ମାଆ ଟିକେ ସନ୍ଦେହଭରା ଆଖିରେ ଅର୍ଜୁନ ମୁହଁକୁ ଚାହିଁଲେ, ମୁହଁ ତାଙ୍କର ଗମ୍ଭୀର ଦେଖା ଯାଉଥିଲା । ସତେଯେପରି କିଛି ଗୋଟାଏ ଅସ୍ଵାଭାବିକ ଘଟଣା ଘଟିବାର ଆଶଂକା ତାଙ୍କ ମନକୁ ଡରାଇ ଦେଉଥିଲା, ଏବଂ ଗଭୀର ଚିନ୍ତାରେ ତାଙ୍କର ମନ ବିଚଳିତ ହୋଇ ଯାଉଥିଲା । ଟିକିଏ ବିରାମ ନେଇ, ଡରରେ ଶୁଖି ଆସୁଥିବା ତାଙ୍କ ପାଟିରୁ ବଡ଼ କଷ୍ଟରେ ନିଗାଡ଼ିନିଗାଡ଼ି ଟୋପିଏ ଛେପ ଏକାଠି କରି ପିଇଗଲେ, ନିଜର ଶୁଖିଲା କଣ୍ଠକୁ ଟିକିଏ ଓଦା କରିନେଲେ । ତାପରେ ସେ ଅର୍ଜୁନର ଆହୁରି ପାଖକୁ ଲାଗି ଆସି, ତାର ହାତ ଧରି ଟାଣିନେଲେ ଖଟ ପାଖକୁ, ସେଇଠି ତାକୁ ବସାଇ ଦେଇ ବଡ଼ ନିରୀହ ଚାହାଣୀରେ ଥରେ ତାକୁ ଦେଖିନେଇ ପଚାରିଲେ, ତୋତେ ବିଶ୍ୱାସ ହେଉଛି, ବାହାରେ ଶୁଦ୍ଧ ଶୀତଳ ପବନ ବୋହୁଛି ଆଉ ନିର୍ମଳ ଆଲୋକ ଅଛି ବୋଲି ?

ମାଆଙ୍କର ଏପରି ସନ୍ଦେହଭରା ପ୍ରଶ୍ନ ଶୁଣି ଅର୍ଜୁନ କିଛିକ୍ଷଣ ହତବାକ୍ ହୋଇ ରହିଗଲା, କିଛିକ୍ଷଣ ନିରବ ରହିବା ପରେ କହିଲା, ଏଥିରେ ସନ୍ଦେହ କରିବାର କଣ ଅଛି ମାଆ ? ଏଇଟା ସର୍ବବିଦିତ ସାଧାରଣ କଥାଟିଏ । ଘର ବାହାରେ ଯେ ନିଶ୍ଚୟ ଶୁଦ୍ଧ ଶୀତଳ ପବନ ବୋହୁଥିବ, ଏଥିରେ ସନ୍ଦେହ କଲାପରି କଣ ଅଛି ? ଶୁଦ୍ଧ ପବନ ନିର୍ମଳ ଆଲୋକ ପାଇଁ କେବଳ ବନ୍ଦ ଝରକାକୁ ଥରେ ଖୋଲିବାର ଆବଶ୍ୟକତା ରହିଛି । ଏଇ ବନ୍ଦ ଝରକା ସବୁ ଥରେ ଖୋଲିଦେଲେ ଦେଖିବ, ଘର ଭିତରକୁ ଶୀତଳ ପବନ ଅବଶ୍ୟ ଆସିବ, ଆଲୋକ ବି ଆସିବ । ଏଇ ରୁନ୍ଧି ହୋଇ ଯାଉଥିବା ଅନ୍ଧାରୁଆ ଘରଟି ପୁଣି ଶୁଦ୍ଧ ଶୀତଳ ପବନରେ ଭରିଯିବ ଆଉ ଆଲୋକିତ ମଧ୍ୟ ହୋଇଯିବ । କିନ୍ତୁ ଝରକା ଖୋଲିବାକୁ ତୁମେ କାହିଁକି ମନାକରୁଛ ?

ଅର୍ଜୁନ ମନେମନେ ଭାବୁଥିଲା, ମାଆ କାହାକୁ ଏତେ ଡରୁଛନ୍ତି ? ବାହାରେ କିଏ ଅଛି, କଣ ଅଛି ଝରକା ସେପଟେ ? ପିଲାଦିନେ ରାତିରେ ଶୋଇଲାବେଳେ ଅଝଟ କଲେ, ଝରକା ସେପାଖେ ବାୟା ବୁଲୁଛି ବୋଲି କହି ଡରାଇଡରାଇ ଶୁଆଇ ଦେଉଥିଲେ ମାଆ । ମୁଁ ଏବେ ବି କଣ ସେଇ ଦୁଇ ବର୍ଷର ଛୋଟ ପୁଅଟିଏ ହୋଇ ରହିଛି ? ମୁଁ ଏବେ ଯେ ବହୁତ ବଡ ହୋଇ ସାରିଲିଣି । ସବୁ କଥା ଜାଣୁଛି ବୁଝୁଛି, ସତ କଣ ମିଛ କଣ ଜାଣି ପାରିବାର ଜ୍ଞାନ ମୁଁ ପାଇ ସାରିଲିଣି । ନିଜର ସନ୍ଦେହକୁ ଅର୍ଜୁନ ଆଉ ବେଶି ସମୟ ନିଜ ମନ ଭିତରେ ଲୁଚେଇ ରଖି ପାରିଲାନି, ଶେଷରେ ମାଆକୁ ପଚାରି ବସିଲା;

: ମାଆ ! ତୁମେ କାହାକୁ ଏତେ ଡରୁଛ ? ବାହାରେ ତ ସବୁ ଠିକ୍ ଠାକ୍ ଅଛି । ଅସ୍ଵାଭାବିକ କିଛି ବି ନାହିଁ । ବାହାରେ ଏବେ ବି ପବନ ବୋହୁଛି, ସୂର୍ଯ୍ୟ ଏବେ ବି ଆକାଶରେ ଅଛି । ଝରକା ଖୋଲିଦେଲେ ଦେଖିବ, ଘରର ପବନ ବି ଶୁଦ୍ଧ ହୋଇଯିବ ଆଉ ଏଇ ଅନ୍ଧାରୁଆ ଘରଟି ଟିକିଏ ଆଲୋକିତ ହୋଇଯିବ । କାହିଁକି ଡରୁଛ ତୁମେ, କାହାକୁ ଏତେ ଡର ?

ମାଆ ଏତେବେଳେ ଯାଏ ଅର୍ଜୁନ ସାମ୍ନାରେ ଠିଆ ହୋଇ ତାକୁ ଟୁକ୍ ଟୁକ୍ କରି ନିରବରେ ଦେଖୁଥିଲେ, ଶୁଣୁଥିଲେ, କିନ୍ତୁ ତାର ପ୍ରଶ୍ନ ଶୁଣି ସାରିବା ପରେ ସେ ଅର୍ଜୁନର ଆହୁରି ପାଖକୁ ଲାଗି ଆସି ତା ପାଖରେ ବସିଗଲେ । ମାଆ ତାଙ୍କର ମମତାମୟୀ ହାତ ଦୁଇଟି ଅର୍ଜୁନ ମଥାରେ ଥରେ ବୁଲେଇ ଆଣି ନିଜ ପାଖକୁ ଆଉଜେଇ ନେଇ ଟିକେ ଗେଲ କରି କହିଲେ;

: ଧନରେ, ମୁଁ ଜାଣିଛି, ବାହାରେ ପବନ ବୋହୁଛି, ଆଲୁଅ ବି ଅଛି, କିନ୍ତୁ ମୁଁ ଆହୁରି ବି ଜାଣିଛି, ସେ ପବନରେ କଣ ଅଛି, ସେ ଆଲୋକ କେଉଁଠୁ ଆସୁଛି । ହୁଏତ ତୁ ଦେଖିପାରୁନୁ, ଅଥବା ତୁ ଦେଖିବାକୁ ଚାହୁଁନୁ, ହୁଏତ ତୁ ଜାଣିଛୁ, ଦେଖିଛୁ କିନ୍ତୁ କେବେ ବୁଝିବାକୁ ଚେଷ୍ଟା କରିନୁ । ଏଇ ବନ୍ଦ ଝରକା ଆରପଟେ କଣ ସବୁ ଘଟୁଛି ।

ମାଆଙ୍କର ଏ କଥା ଅର୍ଜୁନକୁ ଟିକିଏ ଡରାଇଦେଲା, ତାର ଡରିବା ବଡ଼ ସ୍ଵାଭାବିକ ଥିଲା । କାରଣ, ସବୁ ମାଆ କଲ୍ୟାଣମୟୀ, ମମତାମୟୀ, ନିଜ ସନ୍ତାନର ସୁରକ୍ଷା ତାଙ୍କର ପ୍ରାଥମିକତା ହୋଇଥାଏ । ବାହାରେ ନିଶ୍ଚୟ କିଛି ଅସ୍ଵାଭାବିକ ଘଟଣା ଘଟୁଛି, ଯାହା ମାଆକୁ ବହୁତ ନିଷ୍ଠୁର ଭାବେ ଡରାଇ ଦେଇଛି । କିନ୍ତୁ କଣ ସେ ଘଟଣା, ଯାହା ମାଆ ଅନୁଭବ କରି ପାରୁଛିନ୍ତି, ଅଥଚ ଏତେ ବର୍ଷ ବହି ଘୋଷିଘୋଷି, ଗୁଡ଼ାଏ ଡିଗ୍ରୀ ଏକାଠି କରିସାରିବା ପରେ ବି ସେ ବୁଝିପାରୁନଥିଲା ।

ମାଆ ପୁଣି କହିଲେ, ଧନରେ, ଆଜି ସମୟ ବଦଳିଯାଇଛି । ଦିନ ଥିଲା ଯେତେବେଳେ ଆମେ “ବସୁଧୈବ କୁଟୁମ୍ବକଂ” କହି ସାରା ଦୁନିଆକୁ ଆପଣାର କରି ନେଉଥିଲୁ । ସମଗ୍ର ବିଶ୍ଵ ଏକ ପରିବାର ଥିଲା, ଯେଉଁଠି କେହି କାହାକୁ, କାହାର ଜାତି, ଧର୍ମ, ଗୋତ୍ର କଥା ପଚାରୁନଥିଲା, ସମସ୍ତେ କେବଳ ମଣିଷ ଥିଲେ । ମାନବିକତା ମଣିଷର ଏକମାତ୍ର ପରମ ଧର୍ମ ଥିଲା । ଆମର ବେଦ ପୁରାଣ, ଯେତେ ସବୁ ଶାସ୍ତ୍ର ସମସ୍ତେ ସେଇ ଗୋଟିଏ ମାନବିକତା ଏବଂ ମାନବ କଲ୍ୟାଣର ପାଠ ପଢାନ୍ତି । କିନ୍ତୁ ଆଜି କଣ ହେଉଛି ? ଆଜି ମଣିଷ ସଂକୀର୍ଣ୍ଣ ଧର୍ମାନ୍ଧତାର ଶୀକାର ହୋଇଯାଇଛି । ଧର୍ମ ନାଆଁରେ ମଣିଷ ମଣିଷର ଶତ୍ରୁ ପାଲଟିଯାଇଛି ।

ସମୟ ଥିଲା ରାଜନୀତିର ସଂଜ୍ଞା କେବଳ ଜନସେବା ଓ ଜନତା କଲ୍ୟାଣ ଥିଲା । କ୍ଷମତା ପାଇଁ କେବେ ଲଢେଇ ହେଉନଥିଲା, କେହି କାହାକୁ ଆକ୍ଷେପ କରୁନଥିଲେ, ନିଜର ସାମର୍ଥ୍ୟ ଅନୁସାରେ ଜନତା ଜନାର୍ଦ୍ଦନର ସେବାରେ ନିଜର ଜୀବନ ଉତ୍ସର୍ଗ କରି ଦେଉଥିଲେ ।

କିନ୍ତୁ ଆଜି ନେତାଙ୍କ ପାଇଁ ଜନତା ଜନାର୍ଦ୍ଦନ ନୁହେଁ, ବରଂ ଜନତା ଗୋଟିଏ ମୁର୍ଖ ଗୋଷ୍ଠୀ, କାଠର ଗୋଟିଏ ଗୋଟିଏ ନିର୍ଜୀବ କଣ୍ଢେଇ । ନିଜର ସ୍ଵାର୍ଥ ପାଇଁ ନେତାମାନେ ଯେପରି ଚାହିଁବେ ସେପରି ସେମାନଙ୍କୁ ବ୍ୟବହାର କରିପାରିବେ । କେବେ ଧର୍ମର ଅଫିମ, କେବେ ଜାତିର ଅଫିମ କେବେ ଆଉ କିଛି ମୁଦ୍ଦାର ନିଶା ଖୋଇ ଭାଇକୁ ଭାଇ ବିରୁଦ୍ଧରେ ଲଢେଇ ଦିଅନ୍ତି । ନିରୀହ ଜନତା ରକ୍ତର ହୋଲି ଖେଳେ ଏବଂ ସତ୍ତା ଲୋଭୀ ଶକୁନି, ଭାଇ ଭାଇ ଭିତରେ ଲଢେଇ ଦେଖି ତାର ଆନନ୍ଦ ନେଉଛନ୍ତି, କିନ୍ତୁ ଭୁଲି ଯାଉଛନ୍ତି ମହାଭାରତ ଯୁଦ୍ଧରେ ଶକୁନି ବି ଜୀବିତ ରହି ନଥିଲା । ସତ୍ତା ଲୋଭୀ ଅଭିମାନୀ ଦୁର୍ଯ୍ୟୋଧନ ଯେତେବେଳେ ପ୍ରାଣ ବିକଳରେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରର ଯୁଦ୍ଧ ଭୂମିକୁ ଛାଡ଼ି ପଳାୟନ କଲା, ସେତେବେଳେ ସେ ନିଜର ପ୍ରିୟ ପୁତ୍ର ଲକ୍ଷ୍ମଣ କୁମାରର ଶବ ଉପରେ ବସି ନିଜ ପରିଜନଙ୍କର ରକ୍ତର ନଦୀରେ, ଆରପାରିକୁ ଯାଇ ପାରିଥିଲା ।

ଆମେ ନିଜକୁ ଧାର୍ମିକ କହୁ, କିନ୍ତୁ ମାନବ ଭିତରେ ମାଧବଙ୍କୁ ଦେଖି ପାରୁନା । ଆମେ ମନ୍ଦିର ତୋଳି ନିଜର ଧର୍ମର ଧ୍ଵଜା ତୋଳି ଧରି ଉତ୍ସବ ପାଳନ କରୁ, କିନ୍ତୁ ସେଥିପାଇଁ କେତେ ଗରିବଙ୍କର ଘର ଉଜୁଡ଼ି ଯାଏ ସେକଥା କେବେ ଆମ ଦୃଷ୍ଟିକୁ ବି ଆସେନା । ଦୃଷ୍ଟିକୁ ଆସିଲେ ବି ଆମେ ମୁଁହ ମୋଡ଼ି ନେଇ ଆଖି ବନ୍ଦ କରିଦେଉ । ଧନରେ, ଆଜି ସମୟ ବଦଳି ଯାଇଛି, ମଣିଷ ବଦଳି ଯାଇଛି । ମାଆବାପା ନିଜର ରକ୍ତକୁ ଜଳେଇ ନିଜ ସନ୍ତାନର ଉଜ୍ଜଳ ଭବିଷ୍ୟତର କାମନା କରନ୍ତି, ପାଠପଢି ପିଲାଏ କିପରି ସଫଳ ହେବେ ତାହା ସୁନିଶ୍ଚିତ କରନ୍ତି, କିନ୍ତୁ ଯୋଗ୍ୟ ହୋଇଗଲା ପରେ ପିଲାମାନେ କିପରି ରୋଜଗାରକ୍ଷମ ହେବେ ସେକଥା କିଏ ସୁନିଶ୍ଚିତ କରିପାରିବ ? କିଏ ତାର ଉତ୍ତରଦାୟିତ୍ଵ ନେବ ? ଭୋଟ ନେବାବେଳେ ନେତାମାନେ ଜନତାକୁ କେବଳ ମିଥ୍ୟା ଆଶ୍ଵାସନା ଦେଇ ସରକାର ଗଢିବେ ଏବଂ ସବୁ ପ୍ରତିଶୃତି ଭୁଲିଯିବେ । ଏଠାରେ ସତକୁ ସତ କହିବା ଭୁଲ, ମିଥ୍ୟାର ପ୍ରଚାର ନକରିବା ଅପରାଧ । ସରକାରଙ୍କୁ ବିରୋଧ କରିବା ମାନେ ଦେଶଦ୍ରୋହ ପରି ଜଘନ୍ୟ ଅପରାଧ କରିବା । ଅସଲ ମୁଦ୍ଦାରୁ ଜନତାଙ୍କର ଧ୍ୟାନ ହଟାଇବା ପାଇଁ କେବେ ଅଭିନେତା, ଅଭିନେତ୍ରୀଙ୍କ ପ୍ରେମ ପ୍ରସଙ୍ଗ କେବେ ପଡ଼ୋଶୀ ରାଷ୍ଟ୍ରର ଅପାରଗତା କେବେ କେଉଁ ଅଭିନେତାର ଆତ୍ମହତ୍ୟା, କିମ୍ବା ଆମର ଧର୍ମ ବିପଦରେ ପଡ଼ିଛି ଯେପରି ପ୍ରସଙ୍ଗ ଉପରେ ଟିଭିରେ ତର୍କବିତର୍କ ହୁଏ, ଖବରକାଗଜର ପୃଷ୍ଠା ଭରିଯାଏ । ସେସବୁ ଖବର ସାମ୍ନାରେ ବେରୋଜଗାରି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବେକାବୁ ଦରବୃଦ୍ଧି, ଗରିବଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଆଦି ଜନତାର ଅସଲ ମୁଦ୍ଦା ଗୌଣ ହୋଇଯାଏ, ସମାଜର ଅସଲ ସମସ୍ୟା କଥା ଲୋକେ ଭୁଲି ଯାଆନ୍ତି, ଏବଂ ନେତାମାନଙ୍କର ନୋଟଙ୍କିର ଆନନ୍ଦ ଉଠାନ୍ତି । ସରକାର ଏବଂ ବିପକ୍ଷର ପକ୍ଷ ନେଇ ବନ୍ଧୁବନ୍ଧୁ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଏ । କେବେ ମାରକାଟ୍ ପରି ଦଙ୍ଗା ହୁଏ, ସହରରେ କର୍ଫ୍ୟୁ ଜାରି ହୋଇଯାଏ ତ କେବେ ଦଙ୍ଗା ବାହାନାରେ, ହତ୍ୟା, ଲୁଟ୍ ଧର୍ଷଣ ଆଦି ଘଟିଯାଏ । ଜଣେ ଆଉ ଜଣଙ୍କ ଉପରେ ଆରୋପ ଲଗାଏ, ତା ଉପରେ କେବଳ ରାଜନୀତି ହୁଏ, କିନ୍ତୁ ଦୁସ୍ଥଜନାର ଅବସ୍ଥାରେ କିଛି ସୁଧାର ହୁଏନି ।

ମହାମାରୀ ସମୟରେ ବୃତ୍ତି ହରାଇ, ହଜାର ହଜାର ଶ୍ରମିକ, ଅପ୍ରେଲ ମାସର ଧୁଧୁ ଅଗ୍ନିବର୍ଷି ଖରାରେ, ହଜାରହଜାର ମାଇଲ୍ ରାସ୍ତା ନିଜ ସାଥିରେ ଗର୍ଭବତୀ ପତ୍ନୀ, ଦୁଧମୁହାଁ ଛୁଆକୁ କୋଳରେ ଧରି ପାଦରେ ଚାଲିଚାଲି ଯିବାର ଦୃଶ୍ୟ ଦେଖି ଦେଶ, ପ୍ରଦେଶର ସରକାରଙ୍କ ଆଖିରେ ଲୁହ ଟୋପେ ଦିଶେନା । କେତେ ନିରୀହ ଜନତାଙ୍କର ଚାକିରି ଚାଲିଗଲା । ଦିନେ ବିପଦ ସମୟରେ ପ୍ରାଣ ବିକଳରେ ଘରମୁହାଁ ହୋଇଥିବା ଜନତା ଆଜି ପୁଣି ପେଟର ଭୋକ ମେଣ୍ଟେଇବା ପାଇଁ ପରଦେଶୀ ହୋଇଯାଉଛି । ଜନତାର ଦୁଃଖ ଦୂର କରିବାର ଚିନ୍ତା କାହାର ନାହିଁ, ଦେଶର ନେତାମାନଙ୍କ ପାଇଁ ଏ ସବୁ କିଛି ସମସ୍ୟା ନୁହେଁ । ସୁଦୂର ପୂର୍ବାଞ୍ଚଳରେ ଜାତିଆଣ ଲଢେଇରେ ନିରୀହ ନାରୀମାନଙ୍କୁ ଉଲଗ୍ନ କରି ରାଜରାସ୍ତାରେ ପ୍ୟାରେଡ଼ ହୁଏ, ଧର୍ଷଣ ହୁଏ, ସରକାର ଏସବୁରୁ ନିଜର କାନି ଝାଡ଼ି ଦିଅନ୍ତି, ସେମାନଙ୍କୁ ଲଜ୍ଜା ଆସେନା ।

ଏସବୁ ପରେ ବି ବାହାରେ ଶୁଦ୍ଧ ପବନ ବୋହୁଛି, ନିର୍ମଳ ଆଲୋକ ଅଛି ବୋଲି ତୁ ଆଶାବାଦୀ ? କିନ୍ତୁ ମୁଁ ଭଲ ଭାବରେ ଜାଣିଛି, ତୁ ଝରକା ଖୋଲିଲେ ତୋତେ ଶୁଦ୍ଧ ପବନ ତ ମିଳିବନି, ବରଂ ମିଳିବ କେବଳ ଜଳା ବାରୁଦର ଗନ୍ଧ, ଗଳିତ ଶବର ଦୁର୍ଗନ୍ଧ, ଆହତ ଜନତାର ଆର୍ତ୍ତଚିତ୍କାର ଆଉ ବୁଭୂକ୍ଷୁ ଶିଶୁର ମୁଠାଏ ଭାତ ପାଇଁ ବ୍ୟାକୁଳ କ୍ରନ୍ଦନ । ଯେମିତି ଯୁଦ୍ଧ ପରବର୍ତ୍ତୀ ସମୟରେ କେଉଁ ଏକ ବିଭୀଷିକାମୟ ଜ୍ୱଳନ୍ତ ଯୁଦ୍ଧଭୂମିର ଦୃଶ୍ୟ । ତୁ ଜାଣିଛୁ ? ଟିକିଏ ଦୂରରେ ଯେଉଁ ବସ୍ତି ଦିଶୁଛି, ସେଠାରେ ତୁ ଦେଖିପାରିବୁ କାମ ହରାଇ ବେକାର ବସିଥିବା ଶ୍ରମିକ । ଘରେ ତାର ଭୋକରେ ଆଉଟୁପାଉଟୁ ହେଉଥିବା ବିକଳ ସନ୍ତାନ, ଦରଚିରା ଲୁଗାରେ ନିଜ ଶରୀରକୁ ଘୋଡ଼ାଇ ରଖିବାର ବୃଥା ଚେଷ୍ଟା କରୁଥିବା ବଢିଲା ଝିଅ । ଲିଭା ଚୁଲି ମୁଣ୍ଡରେ ଜଗି ବସିଥିବା ବିଚାରି କିଂକର୍ତ୍ତବ୍ୟବିମୁଢା ନିରିହା ମାଆ । ନିଜର ବିଣ୍ଡି ପଡ଼ିଯାଇଥିବା ଦୁଇ ଶକ୍ତ ହାତକୁ ଟୁକ୍ ଟୁକ୍ ଅଶ୍ରୁଳ ଆଖିରେ ଚାହିଁ ବେକାର ବସି ରହିଥିବା କାମିକା ଶ୍ରମିକର ଅସହାୟତା । ନିଜର ଭୋକିଲା ଶିଶୁକୁ ଦେଖି ମଧ୍ୟ କଛି କରିପାରୁ ନଥିବାର ଅସହାୟତା । ନିଜର, ନିଜ ପରିବାରର ପେଟର ଭୋକ ମେଣ୍ଟେଇବା ପାଇଁ ଅନ୍ଧାର ଗଳିର କୋଣରେ ମିଞ୍ଜିମିଞ୍ଜି ଜଳୁଥିବା ବତୀଖୁଣ୍ଟ ତଳେ ନିଜ ଦେହର ଦୋକାନ ସଜାଇ ଠିଆ ହୋଇଥିବା ସେଇ ଯୁବତୀ ଏବଂ ଦେହର ଭୋକ ମେଣ୍ଟେଇବା ପାଇଁ ଶହେ ଟଙ୍କିଆ ନୋଟ ଦେଖାଇ ଠିଆ ହୋଇଥିବା ଧୋବ ଧାବୁଳିଆ ଗରାଖର କଥାବାର୍ତ୍ତା, ମୂଲଚାଲ ଏଠି କାହାକୁ ଶୁଭେନା ।

ଏଇଠି ସମାଜରେ କେବଳ ଖାଦ୍ୟ ଏବଂ ଖାଦକର ସମ୍ପର୍କ, ଭୋକରେ ଗରିବର ପେଟ ଜଳୁଛି, ଆଉ କାମନାର ଅଗ୍ନିରେ ପଇସା ବାଲା ଧୋବ ଧାବୁଳିଆ ବାବୁର ଦେହ ଜଳୁଛି । ସେ ଦୃଶ୍ୟ ଦେଖିଲେ, କବି ବିନୟ ମହାପାତ୍ରଙ୍କ ‘ଶବ ବାହକ’ କବିତାର ଏଇ ପଂକ୍ତି ତୋର ବି ନିଶ୍ଚୟ ମନେ ପଡ଼ିଯିବ ।

ଏଇ ଜାଗ୍ରତ ଶ୍ମଶାନେ
ମାଳମାଳ ଶବ, ଆଉ
ପଲପଲ ଶାଗୁଣାର ମେଳି
ଖାଦ୍ୟ ଆଉ ଖାଦକର ଅନନ୍ତ ଶିଙ୍କୁଳି ।
(କବିତା “ଶବ ବାହକ”)

ବାହାରେ ଆଲୋକ ଦିଶୁଛି ସତ, କିନ୍ତୁ ସେ ଆଲୋକ ସୂର୍ଯ୍ୟର ନୁହେଁ, ସେ ଆଲୋକ ବାହାରେ ଜଳୁଥିବା ଜୀଅନ୍ତା ମଣିଷ ଚିତାର ଆଲୋକ, ଦଙ୍ଗାରେ ଜଳୁଥିବା ଘରର ନିଆଁର ଆଲୋକ । କେଉଁଠି ଧର୍ମ ନାଆଁରେ, କେଉଁଠି ଜାତି ନାଆଁରେ, କେଉଁଠି ପ୍ରତିବାଦ ନାଆଁରେ, କେବେ କେଉଁଠି ସମର୍ଥନ ନାଆଁରେ ରାସ୍ତାରେ ଟାୟାର ଜଳେ କେବେ ବଜାର, କେବେ ବସ୍ତି ଜଳିଯାଏ । କିନ୍ତୁ କେବେ ହେଲେ କାମିକା ହାତକୁ କାମ ମିଳେନା, ରାସ୍ତାରେ ଏକୁଟିଆ ଯାଉଥିବା ଝିଅକୁ ସୁରକ୍ଷା ମିଳେନା, କ୍ଷୁଧାର୍ଥକୁ ମୁଠାଏ ଆହାର ମିଳେନା । ତଥାପି ରାଜସ୍ତୁତି ଗାନ ହୁଏ, ସଭା ସମିତିରେ ନେତାମାନଙ୍କର ଲମ୍ବାଲମ୍ବା ଭାଷଣ, ବୃଥା ଆଶ୍ଵାସନ ମିଳେ । ଜନତା ନେତାଙ୍କ ଅଭୟ ବାଣୀରେ ସନ୍ତୁଷ୍ଟ ହୋଇଯାଏ । କେବେ ପୁରା ହେଉନଥିବା ସୁନେଲି ଭବିଷ୍ୟତର ବୃଥା ସ୍ୱପ୍ନ ଦେଖେ ।

ଏସବୁ ଶୁଣିଲା ପରେ ଏବେ ବି କଣ ତୋର ଇଚ୍ଛା ହେଉଛି, ଝରକା ଖୋଲି ବାହାରର ଦୃଶ୍ୟ ଦେଖିବାକୁ ? ଏସବୁ ଦେଖି ଶୁଣି ତୁ ଆଜିଯାଏ ବୁଝିପାରୁନୁ, କିଛି ବି ଭାବି ପାରୁନୁ ?

ଜଣା ନାହିଁ ଅର୍ଜୁନର ବାପା କେତେବେଳେ ତା ରୁମ ବାହାରେ ଠିଆ ହୋଇ ସେମାନଙ୍କର କଥା ଶୁଣୁଥିଲେ । ମାଆର କଥା ସରିବା ପୂର୍ବରୁ ସେ ରୁମ ଭିତରକୁ ଆସି ଯାଇଥିଲେ । ପଢା ଟେବୁଲ ପାଖରୁ ଚଉକିଟାକୁ ଘୋଷାଡ଼ି ଆଣି ସେମାନଙ୍କ ସାମ୍ନାରେ ବସିଗଲେ । ଥରେ ମାଆକୁ ଏବଂ ଥରେ ଅର୍ଜୁନକୁ ଦେଖି, ଟିକିଏ ହସିଦେଲେ । ସେ, ସବୁବେଳେ ଏମିତି ବିନ୍ଦାସ । ତାଙ୍କର ଚିନ୍ତା, ଦୁଶ୍ଚିନ୍ତା କିମ୍ବା ତାଙ୍କର ସମସ୍ତ ଭୟକୁ ସେ ଖୁବ୍ ସହଜରେ ନିଜ ଭିତରେ ହଜମ କରିନିଅନ୍ତି । କେବେ ବି ସେ କଥା ଅନ୍ୟକୁ ଜାଣିବାର ସୁଯୋଗ ଦିଅନ୍ତି ନାହିଁ । କିନ୍ତୁ ଆଜି ତାଙ୍କର ଏ ହସ କିଛି ଭିନ୍ନ ଥିଲା, ବୁଝି ହେଉନଥିଲା ଏ ହସର ପ୍ରକୃତ ଅର୍ଥଟା କଣ । ସେ ତାଙ୍କର ଦୁଇ ହାତ ବଢାଇ ଗୋଟିଏ ହାତ ଅର୍ଜୁନର ଜଙ୍ଘ ଉପରେ ଅନ୍ୟଟି ମାଆର ଜଙ୍ଘ ଉପରେ ରଖିଲେ । ସତରେ ବାପାଙ୍କ ହାତରେ ମ୍ୟାଜିକ୍ ଥାଏ । ସେ ହାତର ସ୍ପର୍ଶ ଏକ ନିର୍ଭୟତାର ଅନୁଭବ ଦିଏ । ବାପା ଯେତେବେଳେ କାନ୍ଧରେ ହାତ ପକାଇ ପାଖକୁ ଆଉଜାଇ ନିଅନ୍ତି ସେତେବେଳେ ମନରେ ଅସୀମ ସାହସର ଅନୁଭବ ହୁଏ । ମନେହୁଏ ଯେପରି ମୋ ପାଇଁ ଦୁନିଆଁରେ କିଛି ବି ଅସମ୍ଭବ ନୁହେଁ । ସବୁ କିଛି କରି ପାରିବାର କ୍ଷମତା ନିଜ ଭିତରେ ଅନୁଭବ କରି ହୁଏ । ଆଜି ବି ତାଙ୍କର ହାତ ଆମ ଦୁଇ ଜଣଙ୍କୁ ସେଇ ନିର୍ଭୟତାର ଆଶ୍ଵାସନ ଦେଉଥିଲା ।

ମାଆ ଏବଂ ଅର୍ଜୁନର ମୁହଁକୁ ବାପା କିଛି ସମୟ ନିରୀକ୍ଷଣ କରିନେଲେ, ଯେପରି ସେ ମାଆ ପୁଅଙ୍କ ମନର ଭୟ ଏବଂ ସନ୍ଦେହକୁ ମାପି ନେବାକୁ ଚାହୁଁଥିଲେ । ଟିକିଏ ହସି ବାପା କହିଲେ,

: ଅର୍ଜୁନ ! ତୋ ମାଆ ଯାହା କିଛି କହିଗଲା ସେସବୁ ମିଥ୍ୟା ନୁହେଁ । ସେସବୁ ସତ । ଆଜିର ସମାଜ, ପରିବେଶ ଏବଂ ପରିସ୍ଥିତି ବହୁତ ବଦଳି ଯାଇଛି । କିନ୍ତୁ ଏହାର ଅର୍ଥ ନୁହେଁ, ଯେ ଏ ସବୁକୁ ଡରି ଆମେ ଆମ ଘର ଭିତରେ କବାଟ ଝରକା ସବୁ ବନ୍ଦ କରି, ହାତରେ ହାତ ବାନ୍ଧି ବସିଯିବା, ଏପରି କଦାପି ନୁହେଁ । ବାହାରେ ଠିଆ ହୋଇ, ନର୍ଦ୍ଦମାକୁ ସଫା କରି ହୁଏନି, ନର୍ଦ୍ଦମା ସଫା କରିବାକୁ ହେଲେ ନର୍ଦ୍ଦମା ଭିତରକୁ ଓହ୍ଲେଇବାକୁ ପଡ଼େ । ପହଁରା ଶିଖିବା ପାଇଁ ପାଣିରେ ପଶିବାକୁ ହୁଏ । ଯଦି ତୁମେ ଚୁପ୍ ବସିଯିବ ତେବେ ଏଇ ନର୍ଦ୍ଦମାର ପାଣି ଦିନେ ତୁମ ଘର ଭିତରେ ପଶିବାକୁ ବେଶି ଡେରି ଲାଗିବନି । ବେଳ ଥାଉଥାଉ ଏ ସବୁ ସଫା କରିବାକୁ ହେବ । କିନ୍ତୁ କେବେ, କିଏ ସଫା କରିବ ଏ ଆବର୍ଜନାକୁ ? ଦୁଷ୍ଟ ଲୋକମାନେ ବେଶି ଶକ୍ତିଶାଳୀ ନଥାନ୍ତି, ତଥାପି ନିର୍ଦ୍ୱନ୍ଦରେ ଅତ୍ୟାଚାର କରିପାରନ୍ତି କାରଣ, କିଛି ଦୁର୍ବଳ ଲୋକ ଏହି ଅତ୍ୟାଚାର ସହିଯାଆନ୍ତି ଏବଂ ସବଳ ଓ ଜ୍ଞାନୀ ଲୋକମାନେ ନିରବ ଦର୍ଶକ ସାଜି ଚୁପ୍ ରହନ୍ତି । କିନ୍ତୁ ଏବେ ଚୁପ୍ ରହିବାର ସମୟ ଆଉ ନାହିଁ । ଆଜି ଏ ସବୁର ପ୍ରତିବାଦ ଓ ପ୍ରତିରୋଧ କରିବାର ସମୟ ଆମ ସମସ୍ତଙ୍କ ପାଇଁ ଆସି ଯାଇଛି । ଯେତେଦିନ ସମାଜର ସଶକ୍ତ ଯୁବଗୋଷ୍ଠୀ, ବୁଦ୍ଧିଜୀବିମାନେ ନିରବ ରହିବେ ସେତେ ଦିନ ପର୍ଯ୍ୟନ୍ତ ଏସବୁ ଏମିତି ଚାଲିଥିବ । ଏବେ ପ୍ରତିରୋଧର ସମୟ ଆସି ଯାଇଛି ।

‘ଆମକୁ କଣ ମିଳିବ’? ସେ ଚିନ୍ତା ନକରି ଆମେ କଣ କରିପାରିବା, ଦେଶ ଓ ଦଶଙ୍କୁ କଣ ଦେଇ ପାରିବା ସେ କଥା ଚିନ୍ତା କରିବାର ସମୟ ଆସି ଯାଇଛି । କେହି କାହା ପାଇଁ ଯୁଦ୍ଧ ଲଢେନା, ନିଜର ଲଢେଇ, ନିଜକୁ ହିଁ ଲଢିବାକୁ ହୁଏ । ତୁମେ ଯଦି ଅପେକ୍ଷା କରି ବସିଯିବ, କି ଦିନେ ନା ଦିନେ ଭଗବାନ ଅବତାର ନେଇ ଆସିବେ ଏବଂ ସଂସାରର ସବୁ ଦୁଃଖ ଦୂର କରିଦେବେ, ତେବେ ସେ ଦିନ କେବେ ବି ଆସିବନି । ପିଲାଦିନେ ତୋ ନାଆଁ ଅର୍ଜୁନ ରଖିଲାବେଳେ ମୁଁ ମୋ ମନରେ କେବେ ସେମିତି ବିଶେଷ କିଛି ଭାବି ନଥିଲି, କିନ୍ତୁ ଆଜି ତୋତେ ଦେଖି ମୋର ମନେ ହେଉଛି ତୋ ନାଆଁ ଅର୍ଜୁନ ଦେବାର ଯଥାର୍ଥତା ଥିଲା, ଏବଂ ଏହି ଯଥାର୍ଥତା ଆଜି ତୋତେ ପ୍ରମାଣ କରିବାକୁ ହେବ । ଆଗରେ ତୋର ମହାଭାରତର ଯୁଦ୍ଧଭୂମି ତୋତେ ଅପେକ୍ଷା କରିଛି । ନିଜ ବିବେକକୁ ତୋର ସାରଥୀ କରିନେ, ତୋର ବିବେକ ବାସୁଦେବ ଶ୍ରୀକୃଷ୍ଣଙ୍କ ପରି ତୋତେ ଗୀତାଜ୍ଞାନ ଦେଇଦେବ । ସତ୍ୟ ନ୍ୟାୟର ମାର୍ଗରେ ଚାଲି ତୋତେ ଏଇ ମହାଭାରତର ଯୁଦ୍ଧ ଜିତିବାକୁ ହେବ ।

ଟିକିଏ ବିରାମ ନେଇ ବାପା ପୁଣି କହିଲେ,

: ପୁଅରେ ! ଆମେ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷ । ମୁଁ ଜୀବନରେ ଏତେ ଅଧିକ ଧନ କେବେ ବି ଯୋଗାଡ଼ କରି ପାରିଲିନି ଯେ ତୋ ଚାଲିବା ପାଇଁ ଖାଲ ଖମା, କଣ୍ଟକିତ ବିହୀନ ପିଚ୍ଛିଳ ରାଜରାସ୍ତା ତିଆରି କରିଦେଇ ପାରିଥାନ୍ତି । କିନ୍ତୁ ମୋର ସୀମିତ ସମ୍ବଳ ଭିତରେ ମୁଁ ତୋତେ ସବୁ ପ୍ରକାରର ରାସ୍ତାରେ ଚାଲି ପାରିବାର କଳାକୌଶଳ ଶିଖାଇ ଦେଇ ପାରିଛି । ତୁ ଆଜି ନିଶ୍ଚିତ ଭାବେ କବି ବିନୟ ମହାପାତ୍ରଙ୍କର ଏହି କବିତା ପଦଟି ଆତ୍ମବିଶ୍ଵାସର ସହିତ ଦୋହୋରାଇ ପାରିବୁ;

ବିଶ୍ୱାସ ମୋ ପଥ ପରେ ନୁହେଁ,
ବିଶ୍ୱାସ ମୋ ଦୃଢ, ନିଜ ରଥ ପରେ,
ରଥ ପାଇଁ ପଥ ଏ ଦୁର୍ଗମ, ହେଲେ
ପଥ କିବା ରୋକିବ ମୋ ରଥ
ଦୁର୍ଜୟ ହୃଦୟ ମୋର, ବଜ୍ର ମୋର ହାତ !
(କବିତା “ପଥ ଓ ରଥ”)

ଜୀବନରେ କାହାକୁ ନିଜର ଆଦର୍ଶ ମାନିନେବା ଭୁଲ ନୁହେଁ, କିନ୍ତୁ କାହାର ଅନ୍ଧଭକ୍ତ ହୋଇଯିବା, ମିଥ୍ୟାର ପ୍ରଚାର କରିବା କେବଳ ପାପ ନୁହେଁ, ବରଂ ଅକ୍ଷମଣୀୟ ଅପରାଧ ମଧ୍ୟ । ସତ୍ୟର ପଥ କଣ୍ଟକିତ, ବନ୍ଧୁର ଏବଂ ଯାତନାରେ ଭରା, ତଥାପି ସତ୍ୟର ମାର୍ଗ ତ୍ୟାଗ କରିବା କଦାପି ଉଚିତ୍ ନୁହେଁ । ଯୁଗେଯୁଗେ ସତ୍ୟର ହତ୍ୟା କରାଯାଇଛି । ଯିଶୁଖ୍ରୀଷ୍ଟଙ୍କୁ କ୍ରଶରେ ଚଢାଇ ଦିଆଗଲା, ସକ୍ରେଟିସଙ୍କୁ ବିଷ ପିଆଇ ଦିଆଗଲା, ଗୌତମ ବୁଦ୍ଧଙ୍କୁ ଧୋଖାରେ ଆମିଷ ଖୁଆଇ ଦିଆଯାଇ ଥିଲା । ଆମ ଇତିହାସ ପୁରାଣ ଏପରି ଅନେକ କାହାଣୀରେ ଭରି ରହିଛି । ସଂସାରରେ ପାପ ବଢିବାର କାରଣ କେବଳ ଏ କଥା ପ୍ରମାଣିତ କରେନି ଯେ ପାପୀ ବଳବାନ ଥିଲା, ବରଂ ଏ କଥା ବି ପ୍ରମାଣିତ କରେ ଯେ ଜ୍ଞାନୀ ଜନଗଣ ନିରବ ଦର୍ଶକ ସାଜି ପାପ ହେଉଥିବାର ଦେଖୁଥିଲେ । କେହି ଜଣେ ବି ପ୍ରତିବାଦ କରିବାର ସାହସ କରି ନଥିଲେ । କୁରୁସଭା ତଳେ ଦ୍ରୌପଦୀ ବସ୍ତ୍ରହରଣ ପ୍ରସଙ୍ଗ, ଏଇ କଥାର ଏକ ଯଥାର୍ଥ ପ୍ରମାଣ । କୁରୁସଭାରେ ଉପସ୍ଥିତ ଜ୍ଞାନୀଜନଙ୍କ ମଧ୍ୟରୁ ଯଦି କେହି ଜଣେ ବି ପ୍ରତିବାଦ କରିଥାଆନ୍ତା ତାହେଲେ ହୁଏତ ମହାଭାରତ ଯୁଦ୍ଧ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । କିନ୍ତୁ ଏ ସବୁ ଘଟଣାକୁ କେବଳ ବିଧି ନିର୍ଦ୍ଦେଶ ଓ ଭଗବାନଙ୍କ ଲୀଳା ବୋଲି ମାନି ନିଆଗଲା ।

ଆଜି ଦେଶରେ ଯାହା ବି ଘଟୁଛି ସେ ସବୁକୁ ମଧ୍ୟ ବିଧି ନିର୍ଦ୍ଦେଶ ଭାବି ଚୁପ୍ ବସିଯିବା କଣ ବୁଦ୍ଧିମାନର କାର୍ଯ୍ୟ ହେବ ? କହନ୍ତି, ଶାନ୍ତି ସ୍ଥାପନ ପାଇଁ ଯୁଦ୍ଧ ଅନିର୍ବାଯ୍ୟ । ଯୁଦ୍ଧ ତ କରିବାକୁ ହେବ । କିନ୍ତୁ ସେ ଯୁଦ୍ଧର ତୁର୍ଯ୍ୟନାଦ କିଏ କରିବ ? କିଏ ? କାହାର ଅପେକ୍ଷାରେ ଅଛେ ଆମେ ସବୁ ? କେବେ ଆସିବ ସେହି ଅବତାରୀ ପୁରୁଷ ? ଦେଶ ସ୍ଵାଧୀନ କରିବାକୁ ଗାନ୍ଧୀ ପୁଣି ଆସିବେ ? କହନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା । କିନ୍ତୁ ଏ ଜଗତ କଣ ମିଥ୍ୟା, କବି ବିନୟ ମହାପାତ୍ରଙ୍କର ଏକ କବିତାର ଏଇ କେତୋଟି ଧାଡ଼ି କି କାହା ମନକୁ ଆନ୍ଦୋଳିତ କରେନି ?

କିପରି ନକାରି ଯିବି
ଜଳଜଳ ଆଖି ଖୋଲି
ଚଉଦିଗେ ଦେଖୁଅଛି ଯାହା ।
ଶୁଣେ ଯେଉଁ ଆର୍ତ୍ତନାଦ ବ୍ୟାକୁଳ କ୍ରନ୍ଦନ,
ଦିନ ଦିପହରେ ଲୁଣ୍ଠିତା ଅବଳାର ରାହା,
ଅନ୍ନ ବିହୁନେ କ୍ଷୁଧାର୍ତ୍ତ ଶିଶୁର କ୍ରନ୍ଦନ,
ଲୋଭ, ହିଂସା ଧର୍ମାନ୍ଧତା ପ୍ରାଣ କରେ ସ୍ୱାହା ।
ଖୋଜୁଛି ସେ ଜ୍ଞାନ,
ଖୋଜୁଛି ସେ ପ୍ରଭୁକୁ
ମୁକ୍ତି ପାଇଁ ନୁହେଁ, ଶକ୍ତି ଟିକେ ଲୋଡ଼େ
ଯିଏ ଭରି ଦେବ ପ୍ରତିଟି ଶିଶୁର ମୁହଁରେ
ତୃପ୍ତିର ହସ ଧାର ଟିକେ,
ରୋପିଯିବ ପ୍ରତିଟି ନାରୀ ହୃଦୟରେ
ସ୍ଵାଭିମାନ, ନିର୍ଭୟର ବୀଜ,
ପ୍ରତିଟି ଯୁବା ହାତକୁ ଯଥୋଚିତ କର୍ମ
ପ୍ରତିଟି ଭୋକିଲା ପେଟକୁ ପେଟଭରା ଅନ୍ନ ।
(କବିତା “ଜଗତ ସତ୍ୟ”)

ବାପାଙ୍କର କଥା ଶୁଣି ଅର୍ଜୁନ ଠିଆହୋଇ ପଡ଼ିଲା । ସ୍ୱତଃ ତା ପାଟିରୁ ବାହାରି ପଡ଼ିଲା,

: ଦେଶକୁ ବେକାରି, ଦାରିଦ୍ରତା, କ୍ଷୁଧା, ଧର୍ମାନ୍ଧତାରୁ ମୁକ୍ତ କରିବାକୁ, ମିଥ୍ୟାଚାରୀ ନେତା, ଅନ୍ଧ ଭକ୍ତଙ୍କର ଗଳାଫଟା ମିଥ୍ୟା ପ୍ରଚାରରୁ ଜନତାଙ୍କୁ ମୁକ୍ତିଦେବା ପାଇଁ ଆଉଥରେ ଯୁଦ୍ଧ ଲଢିବାକୁ ହେବ । ମୁଁ ଲଢିବି ସେ ଯୁଦ୍ଧ । ମୁଁ ଜାଣିଛି, ଏ ଯୁଦ୍ଧ ଜିତିବା ଏତେ ସହଜ ନୁହେଁ ତଥାପି ନହାରିବାର ସଂକଳ୍ପ ନେଇ ମୁଁ ଲଢିବି ଏ ଯୁଦ୍ଧ । ମୁଁ ବି ପଢିଛି ସେଇ କବିତାଟି, ମୋର ବି ମନେଅଛି ସେଇ ଶାଣିତ ଶପଥ;

ସ୍ରୋତ ସହ ସହଜରେ ଭାସିଯିବା
ଚାହିଁନାହିଁ କେବେ,
ଜାଣିଛି ମୁଁ ଜୀବନ ନିଷ୍ଠୁର,
ତଥାପି ସ୍ରୋତ ବିପରୀତ,
ସନ୍ତରଣେ ଅଭ୍ୟସ୍ତ ମୋ ପାଦ ।
ଡରନାହିଁ ତିଳେମାତ୍ର,
ଯୁଦ୍ଧ ହାରିବାରେ,
ହାରିଲେ ଶିଖିବି,
ହରାଇବାର ଗୁରୁମନ୍ତ୍ର ।
ହାରିବା ଭୟରେ କେବେ,
ଅଟକି ଯିବିନି, ଜୀବନ ଯୁଦ୍ଧରେ,
ଚେଷ୍ଟା ମୋର ଅବିରତ ଜିତିବାର ପାଇଁ
ଲଙ୍ଘିଯିବି ଦୁର୍ଗମ ପଥ, ମନେ ଡର ନାହିଁ ।
(କବିତା “ପଥ ଓ ରଥ”)

ବାପା ଏବଂ ଅର୍ଜୁନର କଥା ଶୁଣି ମାଆଙ୍କ ମନରେ ବି ସାହସ ଆସି ଯାଇଥିଲା । ସେ ବୁଝି ଯାଇଥିଲେ ଯେ ଘରର କବାଟ, ଝରକା ବନ୍ଦ ରଖିବା ପରେ ବି, ମଣିଷ ନିରାପଦ ନୁହେଁ । ଗୋଟିଏ ଫନି ତୋଫାନ ସବୁ କିଛି ଘଡ଼ିକରେ ନଷ୍ଟ କରି ଦେଇପାରେ । ବାହାରର ଅଳିଆ ଘର ଭିତରେ ପଶିବା ଆଗରୁ ତାକୁ ସଫା କରିଦେବା ଉଚିତ୍ । ମାଆ ନିଜେ ଯାଇ ଝରକା ଖୋଲିଦେଲେ ଏବଂ ଅର୍ଜୁନ ମଥାରେ ହାତ ବୁଲାଇ ଆଣି କହିଲେ;

: ଧନରେ ! ଘରର ବନ୍ଦ କବାଟକୁ ମୁଁ ଖୋଲିଦେବି । ଯୁଦ୍ଧ ପାଇଁ ମୁଁ ତୋ ମଥାରେ ବିଜୟ ତିଳକ ଲଗାଇ ତୋର ବିଜୟର କାମନା କରିବି । ଧର୍ମର ଜୟ ହୁଏ । ମାନବ ସେବା ହିଁ ମାଧବ ସେବା, ଏଇ ମନୋଭାବ ନେଇ ତୁ ଆଗେଇ ଯିବୁ । ମନର ସଂକଳ୍ପ ଦୃଢ ଥିଲେ, ସତ୍ୟ ଓ ନ୍ୟାୟ ପଥରେ ଚାଲିଲେ, ତୁ କେବେ ଏକୁଟିଆ ପଡ଼ିଯିବୁନି, ବରଂ ଦେଖିବୁ ତୋରି ଆଦର୍ଶରେ ବିଶ୍ୱାସ କରୁଥିବା ଜନତା ତୋ ସାଥିରେ ତୋ ପଛରେ ତୋର ସହଯାତ୍ରୀ ହୋଇଯିବେ । ଯୁଦ୍ଧଭୂମିରେ କେବଳ ତୁ ଏକୁଟିଆ ନଥିବୁ, ଏ ଯୁଦ୍ଧ ଲଢିବାକୁ ତୋ ସହିତ ଅନେକ ସାଥୀ ଥିବେ ।

ଅଦମ୍ୟ ସାହସ, ଧୈର୍ଯ୍ୟ,
କଠିନ ଶ୍ରମ ଅବିଶ୍ରାନ୍ତ,
ଦୃଢ ସଂକଳ୍ପର ଆଗେ
ମଥା ନୁଆଅନ୍ତି ସର୍ବେ,
ଧନଞ୍ଜୟ ଜିତିଯାଏ କୁରୁକ୍ଷେତ୍ର,
ଶତ ଭ୍ରାତା, ସହସ୍ର ରଥୀ ମହାରଥୀ,
ଧରାଶାୟୀ, ଲଭନ୍ତି ପରାସ୍ତ ।
(କବିତା “ପଥ ଓ ରଥ”)

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *