ସତ୍ୟନାରାୟଣ ଗନ୍ତାୟତ

ଠାଏ ଥୋକେ ଲୋକ ରୁଣ୍ଡ ହୋଇ ହୋହୋ ଘୋଘୋ ହେଉଥିବା ଦେଖି ସେଠାବକୁ ଯାଆନ୍ତେ ଜାଣିଲୁ ଯେ ଜଣେ ଶ୍ରାବଣ ଛତୁ ଧରି ବିକୁଛି ଓ ତା’ ଉପରେ ସଭିଏଁ ଏକରକମ ହାମୁଡ଼ି ପଡ଼ି ବିଚରାକୁ ଘେରି ପକାଇଛନ୍ତି ! “ଓଃ ଏମନ୍ତ କଥା” ବୋଲି ମନକୁ ମନ କହିଲୁ । ଦର କେତେ ବୋଲି ପୁଚ୍ଛିବା ଆଉ ଲୋଡ଼ା ପଡ଼ିଲାନି । କାରଣ ରୁଣ୍ଡ ହୋଇଥିବା ଜନତାଙ୍କ ଭିତରୁ ଜଣେ କିଞ୍ଚିତ ଉଚ୍ଚାଟ ହୋଇ “ବର୍ଷକେ ଥରେ ମିଳୁଥିବା ଜିନିଷ ବୋଲି ଯେତେ କହିଲେ ବି କିଲୋ ହଜାରେ ଟଙ୍କାରେ ବିକିବ ନା’ କଣ ହୋ, ଖାସି ମାଉଁସ ବରଂ ୟାଠଉଁ ଶସ୍ତା !” କହି ବିଳି ବିଳେଇବା ଶୁଣି ଆମେ ଏକରକମ ତାଜୁବ୍ ହୋଇଗଲୁ ।

ତହୁଁ ଆମ ମନରେ ସତେ ଅବା ଛତୁ ଫୁଟି ଉଠିଲା । ସତକଥା । ଆଜିକାଲି ତ ବର୍ଷ ତମାମ କିସମ କିସମର ଛତୁ ମିଳୁଛି । କିଞ୍ଚିତ ଆଇଁଷିଆ ମନ ନେଇ ବି ନିରାମିଷାଶୀ ବୋଲାଇ ହେଉଥିବା ଜନଙ୍କ ଲାଳଝରା ଜିଭ ପାଇଁ ଏସବୁ ଛତୁରୁ ପ୍ରସ୍ତୁତ ଭଳିକି ଭଳି ଖାଇବା ଦରବ ଆଜିକାଲି ଯା’କୁ ଯେତେ । ସଞ୍ଜ ହେଉହେଉ ଫାଷ୍ଟ ଫୁଡ୍ ର ବିପଣିରେ ଅସମ୍ଭାଳ ଭିଡ଼ ହୋଇ ଅସଂଯତ କରାଇଥାଏ ଅନେକଙ୍କୁ । ସେମାନଙ୍କ ଭିତରେ ଛତୁରୁ ପ୍ରସ୍ତୁତ ସୁପ୍, ଛତୁ ପକୋଡ଼ା, ଛତୁ ରୋଲ୍, ଛତୁ ଚିଲ୍ଲୀ ଓ ଛତୁ ଟିକ୍କାଦି ଚିଜ୍ ମାନ ନିୟମିତ ଗେଫିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହଁଇ ।

ଏକଥା ବଖାଣିବା ବେଳେ ମନେପଡ଼ି ହସ ମାଡୁଛି ଖାସ୍ ପ୍ରଜାତିର ସେଇ ମହାନ ଛତୁଖିଆଙ୍କ କଥା, ଯିଏ ସପ୍ତାହର କିଛି ନିର୍ଦ୍ଦିଷ୍ଟ ବାର ଓ ମାସର କିଛି ନିର୍ଦ୍ଦିଷ୍ଟ ତିଥି ସାତ୍ତ୍ଵିକ ଭାବେ ପାଳୁଥିଲେ ହେଁ ଛତୁଖିଆ କିନ୍ତୁ ଛାଡ଼ି ନଥାନ୍ତି । ବରଂ ନିୟମିତ ଗ୍ରାହକ ହୋଇଥିବା କାରଣରୁ ପିଆଜ ରସୁଣ ବ୍ୟବହାର ନକରି ଛତୁରୁ ତାଙ୍କ ପସନ୍ଦର ଖାଇବା ବନାଇ ପରଷିବା ପାଇଁ ବରାଦ କରିଥାନ୍ତି ଦୋକାନୀକୁ !

ବର୍ଷ ସାରା ଛତୁ ସହ ଏ ସୌଖ୍ୟ ସତ୍ତ୍ୱେ ଏହି ଶ୍ରାବଣ ଛତୁ ସଦାକାଳେ ଲାଗି ଆସିଛି ଛତୁ ପରି ଛତୁ ଏକା । ଏହି ଶ୍ରାବଣ ଛତୁରୁ କୋଉ କାଳୁ ପ୍ରସ୍ତୁତ ହୋଇ ଆସୁଛି ସୁଆଦିଆ ତରକାରି, ବେସର, ପତ୍ରପୋଡ଼ା, ଛଣା ଭଜାଦି ଭଳିକି ଭଳି ବ୍ୟଞ୍ଜନ ! ଆଉ ସେସବୁ ଚାଖି ଚାଟିଚୁଟି ଗିନା ତାଟିଆ ସାଫ୍ କରି ଶାନ୍ତ କରାହୁଏ ଲାଳୁଆ ଜିଭକୁ !!

ତେଣୁ ତ ବର୍ଷା ଋତୁ ଆସିବାକୁ ସତେଯେମିତି ଅନେକ ଅନାଇ ବସିଥାନ୍ତି ! ଘଡ଼ଘଡ଼ି ସହ ଭଲ ଅସରାଏ ବର୍ଷିବା ମାତ୍ରେ ସେମାନଙ୍କ ମୁହଁରୁ ଛାଏଁ ବାହାରି ଯାଏ : ଏଥର ବଜାରରେ ଛତୁ ମିଳିବ !

ତ’ ସେମାନଙ୍କ ଭାବିବାନୁରୂପ ଛତୁ ଫୁଟେ । ବର୍ଷାଗମ ସହ ସତେ ଅବା ପ୍ରକୃତି ନିଜକୁ ସଜାଇ ହେବା ପାଇଁ ଆପଣାକୁ ସଜିଲ କରି ରହିଥାଏ । ତ’ ଦେହରେ ଅଦ୍ଭୁତ ସୌନ୍ଦର୍ଯ୍ୟ ଛାଏଁ ଉକୁଟି ଉଠେ । ଫଳତଃ ଜଙ୍ଗଲ, ଗାଆଁ, ବିଲ ବାରି, ଏମିତିକି ଘର ଆଖପାଖ ପଡ଼ିଆ ମାନଙ୍କରେ ଆପେଆପେ ଫୁଟିବା ଦେଖାଯାଏ ତୋଫା ତୋରା ଛତୁ ! “

ଆଗେ ଏବକାଳ ପରି କଙ୍କ୍ରିଟମୟ ନଥିଲା ପରିବେଶ । ଗାଆଁ ଥିଲା ଗାଆଁ ପରି । ସହରରେ ବି ଥିଲା ଯଥେଷ୍ଟ ପଡ଼ିଆ ଓ ଖୋଲା ଜାଗା । ତେଣୁ ଛତୁ ଫୁଟି ଧୋବ ଧାଉଳିଆ ହୋଇ ଯାଉଥିଲା ଧୂସର ଧରଣୀ । ଏମିତି ଫୁଟିଥିବା ବାଲି ଛତୁ, ବାଟି ଛତୁ, ବଡ଼ ଶ୍ରାବଣ କଢ ଛତୁ ଆଦି ଗୋଟାଇ ପାଛିଆ ଭରି ଆଣିବାରେ ଥିଲା ଏକ ସୁବିମଳ ଆନନ୍ଦ ।

କେହିକେହି ଏମିତି ଯୋଗାଡ଼ି ଆଣିଥିବା ଛତୁରୁ ନିଜ ପାଇଁ କିଛି ରଖିବା ବାଦ୍ କମ ଦାମରେ ବିକି ଦେଉଥିଲେ । ସୁତରାଂ ଛତୁ ପାଇଁ ଆଜିକାଲି ପରି ଏମିତି ହୋହୋ ଘୋଘୋ ଓ ଠେଲାପେଲାର ଝମେଲା ଇ’ ନଥିଲା !

ଜୀବନରେ ନୂଆ ସ୍ପନ୍ଦନ ଭରିଦେବା ପାଇଁ ଆସିଥିବା ବର୍ଷାର ସାର୍ଥକ ପ୍ରତିନିଧି ରୂପେ ଛତୁ ଫୁଟି ଆସୁଛି ତା’ ସାରଲ୍ୟ, ନିରୀହପଣ ଓ ସୌକୁମାର୍ଯ୍ୟ ନେଇ । ସକାଳୁ ତା’ କୁନି ମଥା ତୋଳି ଛତୁ ଫୁଟି ସତେ ଅବା ଜଣାଇ ଦେଇଥାଏ ଯେ: ଦେଖ ! ବର୍ଷା କାଳ ଆସିଲା । ନିଜ ପାଇଁ ନିଜ ଛତା ନିଜେ ସଜ କର । ମୁଁ ସିନା ଦିଶେ ଛତା ପରି, ହେଲେ ଛାର ଛତୁଟାଏ, ସଂଧ୍ୟା ଯାଏ ହିଁ ସୀମିତ ମୋ ସ୍ଥିତି ।

କିନ୍ତୁ ଏହି ସୀମିତତା ସତ୍ତ୍ୱେ ସୁରୁଚି ବିତରି ସଭିଙ୍କୁ ଆନନ୍ଦ ପରଷିବା ନେଇ ଛତୁ ଫୁଟିଥାଏ ମାଟି ମାଆକୁ ଧନ୍ୟା କରି ! ସାରଲ୍ୟ ଓ ସରସତା ଭରି ଦେବାରେ ହିଁ ଯେ ସମ୍ପର୍କର ସ୍ଥାୟୀତ୍ୱ ସନ୍ନିହିତ ଏହା ଜଣାଇ ଦେଇଯାଏ ଛତୁ !

ଛତୁ ସହ ଆମ ସମ୍ପର୍କ ଏତେ ନିବିଡ଼ ଯେ ବର୍ଷା ହେଉହେଉ ଛତୁର ଫୁଟିବା ନେଇ ଯୁଗଯୁଗରୁ ଗୋଟେ ଲୋଡ଼ିବାପଣ ଆବୋରି ପକାଇ ଆସୁଛି । ସେତେବେଳେ ବ୍ୟାପକ ଭାବରେ ଛତୁ ଫୁଟି ଧୋବ ଚାଦର ବିଛେଇ ହେବା ପରି ଲାଗୁଥିଲା ବୋଲି ହୁଏତ କୁହାଯାଉଥିଲା : ଛି’ ଲୋ ଛତୁ, ମେଘ ବରଷିଲେ କେତେ ତୁ ଫୁଟୁ !!

ହେଲେ ଏବେବି ବଜାରରେ ବର୍ଷା କାଳେ ଶ୍ରାବଣ ଛତୁ ଚଢା ଦାମ୍ ଧରି ବଜାରରେ ପ୍ରବେଶି ଯେତେ ହୈଚୈ କଲେ ବି ବର୍ଷକେ ଥରେ ତଥାପି ଫୁଟି ଆମ ପାଟିକୁ ପ୍ରକୃତି ପ୍ରଦତ୍ତ ସୁଆଦ ଚଖାଉଥିବା ଛତୁ କିଣିବାବେଳେ ମନ ଭିତରର ଏକ ନିରୋଳା କୋଣରେ ଏକ ମିଠା ମିଠା ରାଗ ଓ ଅଭିମାନରେ ଅନୁରଣିତ ହେଉଥାଏ : ଛି’ ଲୋ ଛତୁ !!

କସ୍ମରୀ ନଗର, ରାୟଗଡା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

One thought on “ଛି’ ଲୋ ଛତୁ !

  1. ଛତୁ ପାଇଁ ଲାଳୁଆ ମାନଙ୍କ ଡହଳ ବିକଳର ଉପସ୍ଥାପନା ଅତ୍ୟନ୍ତ ଆନନ୍ଦ ଲାଗିଲା ଭାଇନା l ଆଜି ହିଁ ଛତୁ ଆଣିକି ଭାଉଜଙ୍କୁ ଦିଅନ୍ତୁ ଓ ପିଠଉ ଭଜା ବନେଇବେ l ନମସ୍କାର ଭାଇନା

Leave a Reply

Your email address will not be published. Required fields are marked *