ନାରାୟଣ ସାହୁ
ପ୍ରତିଥର
କାର୍ତ୍ତିକ ଡଙ୍ଗାରେ ବସି
ଭାସି ଆସେ ମାର୍ଗଶୀରର ଗୁରୁବାର ।
ମାର୍ଗଶୀର କହିଲେ
ବୁଧବାର ରାତିର ଅନ୍ଧାରରେ
ଚାଉଳ ବଟା, ଲକ୍ଷ୍ମୀ ପାଦ ଓ ଝୋଟି ଚିତା ।
ମାର୍ଗଶୀର କହିଲେ
ନୂଆ ଧଳାଧାନର କେଣ୍ଡାକୁ ଗୁନ୍ଥି ତିଆରି ହେଇଥିବା
ଘର କଣରେ ଓହଳା ଧାନମେଣ୍ଟା ।
ମାର୍ଗଶୀର କହିଲେ
ମଣ୍ଡାପିଠା, ଚିତଉ ପିଠା
ଦହି କାଲୁଆ, ଖେଚୁଡ଼ି ଡ଼ାଲମା
କ୍ଷୀରି ଆଉ ବୁଢ଼ାଚକୁଳି ।
ଏସବୁ ଭିତରେ ବୋଉର
ବାରମାସୀ ରୋଗ !
ବୋଉ ପକାଏନି ଝୋଟି
ଦରଶୁଖିଲା ଚଟାଣରେ,
କରିପାରେନି ପିଠାପଣା
ଅଧାଭଙ୍ଗା ଚୁଲିରେ,
ବିଲ ନାହିଁ କି ଧାନ ନାହିଁ ,
ଅଧା ମୁକୁଳା ଘରକୁ ଅସୁହା ଧାନମେଣ୍ଟା !
ଯାହାକୁ ରୋଗ ଘାରେ
ଯାହାକୁ ଘାରେ ସ୍ୱାମୀର ନିଇତି ମାତାଲ ହେବାର କଥା
ଯାହାକୁ ଘାରେ ପିଲାଛୁଆଙ୍କ ପେଟ କଥା
ଯାହାକୁ ଘାରେ ଦାନା କଥା, କପଡ଼ାର କଥା ଓ ଘର କଥା
ସେ କି ହେଇପାରେ
ଶ୍ରୀୟା ଚଣ୍ଡାଳୁଣୀ ?
ମାର୍ଗଶୀର କହିଲେ ବୋଉ ବୁଝେ
ଶ୍ୱାସ ରୋଗରେ ଯନ୍ତ୍ରଣାସିକ୍ତ ଗୋଟେ ଦେହ
ଉଚ୍ଚ ରକ୍ତଚାପ, ହୃଦରୋଗ ଓ
ଖିଲି ପସିଯାଇଥିବା ଗୋଡ଼ ।
ଝୋଟିଚିତା ଓ ଧାନମେଣ୍ଟାର କାନ ଥିଲେ
ସେ କହିଥାନ୍ତା
“ରୋଗଭୋଗର ଶରୀର ଓ
ଶ୍ରୀୟା ଚଣ୍ଡାଳୁଣୀର ମାର୍ଗଶୀର ମଧ୍ୟରେ ଆକାଶ ପାତାଳ ଫରକ ।”
ମାର୍ଗଶୀର କହିଲେ ବୋଉ କେବଳ ବୁଝେ
ଜାଡ଼ ଶୀତରେ ଥରିଥରି
ଗୋବର ପାଣି ଛିଞ୍ଚାରେ ଦାଣ୍ଡ ଖରକୁଥିବା
ଗୋଟେ ଅଧା ଅନ୍ଧାର ସକାଳ ।
ଚଣ୍ଡିଖୋଲ, ଯାଜପୁର
ଲେଖକ ପରିଚୟ
ଗୋଟେ ଗରିବୀର ଶିଖରରୁ ଆରମ୍ଭ ହୁଏ ମୋ କବିତାର ଯାତ୍ରା । ଘର କୋଣରେ ପଡ଼ିଥିବା ଊଇଖିଆ ଭାଗବତ ବହି ଯାହାର ପୃଷ୍ଠା ଲେଉଟିଲେ ଚିରି ଯାଉଥାଏ ଆଉ ଏକ ପୃଷ୍ଠା, ସେଇଟା ହିଁ ମୋ କବିତା ଲେଖିବାର ପ୍ରଥମ ପ୍ରେରଣା । ଯେଯାବତ୍ ଲେଖୁଥିବି କବିତା ସେଯାବତ୍ ମୋ ପ୍ରେରଣାର ଖୋରାକ । ଏଇ ଏବେଏବେ ମୋ ପ୍ରଥମ କବିତା ସଂକଳନ “ମାୟାପଞ୍ଜୁରି” ଉନ୍ମୋଚିତ ହୋଇଛି । କିଛିବି ଥାଉ କି ନଥାଉ ମୋ ପାଖେ, ମୁଁ ଥାଏ ଏମିତି, ଲେଖୁଥାଏ କବିତା ଏମିତି ।