ଢେଙ୍କାନାଳ : ଅନୁବାଦ ଏକ କଳା । ସାହିତ୍ୟର ଅନୁବାଦ ହେଉଛି ସୃଜନାତ୍ମକ କଳା । ହେଲେ ଅନୁବାଦର କେତୋଟି ବୈଷୟିକ ଗୁଣ ରହିଛି । ଏହାର ବ୍ୟବସାୟିକ ଦିଗ ବି ରହିଛି । ଜଣେ ଚାହିଁଲେ ଅନୁବାଦକୁ ଆଶ୍ରା କରି ଏହାକୁ ଜୀବିକା ଭାବରେ ନେଇପାରିବ ବୋଲି କହିଛନ୍ତି ସୁସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ଡ. ମୃଣାଳ ଚାଟାର୍ଜୀ ।
ଗୁରୁବାର ବିଶ୍ୱ ଅନୁବାଦ ଦିବସ ଅବସରରେ ସାହିତ୍ୟ ପୋର୍ଟାଲ ‘ଓଡ଼ିଶାସାହିତ୍ୟ ଡଟ୍ କମ୍’ ପକ୍ଷରୁ ଅନୁଷ୍ଠିତ ଏକ ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଚାଟାର୍ଜୀ ‘ଅନୁବାଦ ଓ ଅନୁସୃଜନ’ ଉପରେ ସ୍ୱତନ୍ତ୍ର ବକ୍ତୃତା ଦେଇଛନ୍ତି । ସେ କହିଛନ୍ତି, ଯେତେବେଳେ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ଗୋଟେ କଥା, ଗୋଟେ ଲେଖା ଯାଉଛି ତାହାକୁ ଅନୁବାଦ କୁହାଯାଉଛି । ହେଲେ ଶବ୍ଦ ସହିତ ମିଶିଥିବା ଭାବ ଅନ୍ୟ ଭାଷାକୁ ଗଲେ ତାହାକୁ ଆମେ ଅନୁସୃଜନ କହୁଛେ । ସାହିତ୍ୟକୃତି, ଗପ, ଉପନ୍ୟାସଟି ଆମେ ମୂଳ ଭାଷାରେ ପଢ଼ିଥିଲେ ଯେମିତି ଲାଗିଥା’ନ୍ତା ତାହାକୁ ଯଦି ଅନ୍ୟ ଭାଷାରେ ପଢ଼ିଲେ ସେହି ଭାବରେ ଅନୁଭବ ହୁଏ, ତେବେ ସେଟା ହେଲା ଅନୁସୃଜନ । ଅନୁବାଦର ଆବଶ୍ୟକତା କେବଳ ସାହିତ୍ୟରେ ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ରହିଛି । ବ୍ୟବସାୟ, ବାଣିଜ୍ୟ, ବିଧାନ ସମ୍ପର୍କିତ, ଟେକ୍ନଲୋଜି, ବିଜ୍ଞାନର ପ୍ରସାର ଆଦି କ୍ଷେତ୍ରରେ ଅନୁବାଦ ଏବେ ଜରୁରୀ ହୋଇପଡ଼ିଛି । ଏସବୁ କ୍ଷେତ୍ରରେ ଅନୁବାଦକଙ୍କର ଆବଶ୍ୟକତା ଦିନକୁ ଦିନ ବଢୁଛି ।
ତେବେ ସାହିତ୍ୟ କୃତିର ଅନୁବାଦରେ ଟିକିଏ ସମସ୍ୟା ରହିଛି । ସାହିତ୍ୟରେ କେବଳ ତଥ୍ୟକୁ ଅନ୍ୟ ଭାଷାକୁ ନେବା ନୁହେଁ, ତା ସହିତ ଭାବକୁ ମଧ୍ୟ ନେବା ଦରକାର । ଏହା ନିଶ୍ଚିତ ଭାବରେ ଏକ କଷ୍ଟ କାର୍ଯ୍ୟ । ଏଣୁ ଯେଉଁ ଭାଷାରୁ ଅନୁବାଦ କରୁଛନ୍ତି ଏବଂ ଯେଉଁ ଭାଷାକୁ କରୁଛନ୍ତି; ଉଭୟ ଭାଷାରେ ଅନୁବାଦକଙ୍କର ଦକ୍ଷତା ରହିବା ଜରୁରୀ । ଏହାସହ ଲେଖାର ପ୍ରେକ୍ଷାପଟ ଓ ପରିପ୍ରେକ୍ଷୀ ସମ୍ପର୍କରେ ଜାଣିବା ଦରକାର । ତୃତୀୟରେ ଲେଖା ଭିତରକୁ ନିଜେ ପଶିବା ଦରକାର । ଅନୁବାଦକଙ୍କ ଭିତରେ ଭାବ ସଞ୍ଚରିବା ଦରକାର । ଏହା ହେଲେ ହିଁ ଅନୂଦିତ ଲେଖାରେ ଭାବ ସଞ୍ଚରିପାରିବ । ଲେଖାର ଭାବ ଯଦି ନିଜ ଭିତରେ ନ ପଶିବ ତାହେଲେ ତାହାକୁ ଅନ୍ୟ ଭାଷାରେ ଲେଖିପାରିବେ ନାହିଁ । ଅନୁବାଦ ଯେଉଁମାନେ କରୁଛନ୍ତି ସେମାନେ ଏଇ ଦିଗଗୁଡ଼ିକ ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଦରକାର । ଅନୁବାଦର ଅର୍ଥ କେବଳ ସାଧାସିଧା ଅଭିଧାନ ନୁହଁ । ଅନୁବାଦରେ ତା’ର ଭାବ ବି ପହଞ୍ଚାଇବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଅନୁବାଦ ପରିଷଦର ଉପସଭାପତି ସୌମେଶ ମହାପାତ୍ର କହିଛନ୍ତି, ଆଗରୁ ଯେମିତି ଉଚ୍ଚକୋଟୀର ଅନୁବାଦ ହେଉଥିଲା, ଏବେ ସେମିତି ହେଉନି । ଅନୁବାଦର ମାନ କମିଛି । ଉଦୟନାଥ ଷଡ଼ଙ୍ଗୀ, ବିନୋଦ କାନୁନ୍ଗୋ ହୁଅନ୍ତୁ କି ଗୋଲକ ବିହାରୀ ଧଳଙ୍କ ପରି ପ୍ରତିଥଯଶା ଅଛନ୍ତି ସେମାନେ ଯେଉଁଭଳି ମାନର ଅନୁବାଦ କରୁଥିଲେ ସେହି ମାନ ବର୍ତ୍ତମାନ କମିଯାଇଛି । ଫଳରେ ଓଡ଼ିଆ ସାହିତ୍ୟରେ ଉନ୍ନତ ସାହିତ୍ୟ ଆସିପାରୁନି । ଭାବାନୁବାଦ ନହୋଇ ଭାଷାନୁବାଦ ହେଉଛି । ସୃଜନାତ୍ମକ ହୋଇପାରୁନି । ଏଭଳି ସ୍ଥିତିରେ ଅନୁବାଦ ପରିଷଦ ଓଡ଼ିଆ ଭାଷାର କାଳଜୟୀ ପୁସ୍ତକଗୁଡ଼ିକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅହରହ ଚେଷ୍ଟା କରୁଛି । ସମ୍ପାଦନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ୟା’ଭିତରେ ୧୦ଟି ଅନୂଦିତ ପୁସ୍ତକ ପ୍ରକାଶିତ ହୋଇସାରିଥିବାବେଳେ ଆଉ ୧୦ଟି ଏବେ ପ୍ରାକ୍ ପ୍ରକାଶନ ଅବସ୍ଥାରେ ରହିଛି । ଏବର୍ଷ ଡିସେମ୍ବର ସୁଦ୍ଧା ଏହା ପ୍ରକାଶ ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଡ. ଜ୍ୟୋତି ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଦେବଯାନୀ ରାୟ । ଗୁଗୁଲ୍ ମିଟ୍ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ପାଠକ ଓ ଶିକ୍ଷାର୍ଥୀ ଯୋଗଦେଇଥିଲେ ।
ମୃଣାଳଙ୍କ ଉପନ୍ୟାସ ‘ଶକ୍ତି’ର ମରାଠୀ ଅନୁବାଦ ପୁସ୍ତକ ଉନ୍ମୋଚିତ
ଏହି ଅବସରରେ ସୁସାହିତ୍ୟିକ ମୃଣାଳ ଚାଟାର୍ଜୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଶକ୍ତି’ର ମରାଠୀ ଅନୂଦିତ ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ଲୋକପ୍ରିୟ ଉପନ୍ୟାସର ମରାଠୀ ଅନୁବାଦ କରିଛନ୍ତି ଅଶ୍ୱିନୀ କାମ୍ବଲେ । ଏହାର ପ୍ରକାଶନ କରିଛି ପୁନେର ବିଶ୍ୱକର୍ମା ପବ୍ଲିଶର୍ସ ।
ଏହାକୁ ଉନ୍ମୋଚିତ କରି ଅଶ୍ୱିନୀ କାମ୍ବଲେ କହିଛନ୍ତି, ଏହି ଉପନ୍ୟାସର କାହାଣୀ ବେଶ୍ ଅନନ୍ୟ ଓ ମଜାଦାର । ଏହାର କାହାଣୀକୁ ନେଇ ଟେଲିଭିଜନ୍ ଧାରାବାହିକ ମଧ୍ୟ କରିହେବ । ଏଥିରେ ଭଲ ଚରିତ୍ର ରହିଛି । ସୁନ୍ଦର ପ୍ଲଟ୍ ଓ ସବ୍ପ୍ଲଟ୍ ମଧ୍ୟ ଅଛି । ଏହାସହ ଉପନ୍ୟାସରେ ଯେତିକି ଆବେଗ ଅଛି, ସେତିକି ନାଟକୀୟ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି ।
ଉପନ୍ୟାସର ମୂଳ ଲେଖକ ମୃଣାଳ କହିଛନ୍ତି, କଳ୍ପ ବିଜ୍ଞାନ ଉପନ୍ୟାସ ଢାଞ୍ଚାରେ ଏହାର ଲେଖା । ଏହା ଭିତରେ ଅନେକ ସ୍ତର ରହିଛି । ପ୍ରତ୍ୟେକ ଭଲ ଉପନ୍ୟାସରେ ଏହି ସ୍ତରଗୁଡ଼ିକ ରହିବା ଦରକାର । ବିନ୍ୟାସ ରହିବା ଦରକାର । ସ୍ତର ନ ରହିଲେ, ପାଠକ ରସ ନ ପାଇଲେ ତାହାଲେ ତାହା ରସତୀର୍ଣ୍ଣ ସାହିତ୍ୟ ନୁହେଁ । ଆରମ୍ଭର କାହାଣୀଟା ବଡ଼ ଇଣ୍ଟରେଷ୍ଟିଂ ।
‘ଶକ୍ତି’ ଉପନ୍ୟାସ ୨୦ ବର୍ଷ ତଳେ ପ୍ରଥମେ ଓଡ଼ିଆରେ ଲେଖାଯାଇଥିଲା । ତା’ପରେ ହିନ୍ଦୀ ଓ ଇଂରାଜୀରେ ଏହାର ଅନୁବାଦ ହୋଇସାରିଛି । ମୂଳ ଓଡ଼ିଆ ଉପନ୍ୟାସକୁ ହିନ୍ଦୀରେ ଅନୁବାଦ କରିଛନ୍ତି ଆକାଶବାଣୀ କଟକର ଇତିଶ୍ରୀ ସିଂହ ରାଠୌର । ସେହିପରି ଆଇଆଇଏମ୍ସି ଅମରାବତୀର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ତଥା ଲେଖକ ନଦିମ୍ ଖାଁ ଏହାର ଇଂରାଜୀ ଅନୁବାଦ କରିଛନ୍ତି ।