ସୁନନ୍ଦା ମହାପାତ୍ର

ବୋକୀଝିଅକୁ ଭିଡ଼
ଆଦୌ ସୁହେଇଲାନି ।
ଗହଳିରେ ହଜିଲା ଯେତେ
ହଜାଇଲା ସେତେ
ସ୍ନେହ, ସମ୍ପର୍କ, ବିଶ୍ୱାସ ।
ଯଦି ବି ପାଇଲା
ଭରସି ପାରିଲାନି,
ଧୀରେ ଧୀରେ ବିଶ୍ୱାସରେ
ମିଶୁଥିଲା ବିଷ !

ଦେଖିଲା କିଛି ମୁଖା
ଭୟଙ୍କର !
ରୁନ୍ଧିହେଲା, ଘାଣ୍ଟିହେଲା,
ଅନେକ କାଳ ।
ଅବାକ୍ ହେଲା
ହେଲା ଅସ୍ଥିର, ଅଥୟ ।
ଦୋହଲି ଗଲା
ଖାଇଲା ଧକ୍କା, ଧୋକ୍କା ।
ଏଇ ପଡ଼ିବ ପଡ଼ିବ ହୋଇ
ଜାଣେନି କେତେଥର
ନିଜକୁ ସମ୍ଭାଳି ନେଲା ।

ଖାଲି ଦେଖିଲା…
ରଙ୍ଗ ବଦଳା-
ଏଣ୍ଡୁଅ’ଠୁ ଖର
ଦେଖିଲା ବଦଳିବା-
ୠତୁ’ଠୁ ବି ଶୀଘ୍ର ।
ବୁଝିପାରୁ ନଥାଏ କାହିଁକି ?
ଥାଇ ଥାଇ କେଉଁଠି ଗୋଟେ କିଛି
ଅଦୃଶ୍ୟରେ ଅଚାନକ ଭାଙ୍ଗୁଥାଏ !
ତେଣୁ ନିରବ ରହିଲା
ନିଜକୁ ଢେର ନିରାପଦ
ଦୂରତାରେ ରଖି ।

ଏବେ ଆଖି ଦୁଇଟି ମେଲା
ଡୁଗ୍ ଡୁଗ୍ ଦେଖୁଛି କେବଳ
କାନ ପାଟି ବନ୍ଦକରି
ଚେତନାରେ ପରଖୁଛି ଦୁନିଆକୁ,
ମଣିଷର ଭିଡ଼ ଭିତରେ
ମଣିଷଟିଏ ଖୋଜୁଛି ।
ତେଣୁ ଚୁପ୍’ଚାପ୍, ନିର୍ବାକ
ଭିଡ଼ରେ ଥାଇ ବି
ଭିଡ଼ରୁ ଅଲଗା ,
ନିଜ ଭିତରେ
ନିଜେ ବଞ୍ଚିବାର କଳା
ଠିକ୍ ବାଗରେ ଶିଖି ନଥିଲା,
ଶିଖୁଛି…।

ବୋକୀଝିଅ
ଢେର୍ ବୁଝିଲାଣି ଯେ,
ଜୀବନ –
ବୃହତ୍ ପାଠଶାଳା ।
ଜୀବନକୁ ବୁଝିବାର ଅଛି,
ଜୀବନ ସହ ଯୁଝିବାର ଅଛି ।
ଶିଖିବାର ଆହୁରି ବାକିଅଛି ।
ପଡ଼ିଉଠି, ଝାଡ଼ି ହୋଇ
ଜୀବନକୁ ଜିଇବାର ଅଛି ।

ତେଣୁ, ଜୀବନକୁ, ମଣିଷକୁ
ସମ୍ପର୍କକୁ ପରଖୁ ପରଖୁ
ବୋକୀଝିଅ ଏବେ
ବଦଳିଯାଇଛି ସିନା
ରହିବା କଥା ଯିଏ ତାଙ୍କୁ କିନ୍ତୁ
ହୃଦୟରେ ସାଇତି ରଖିଛି…।

ବାଙ୍ଗାଲୋର, ମୋ – ୭୦୦୮୫୧୩୯୧୩

ଲେଖକ ପରିଚୟ

ମାତ୍ର ନଅବର୍ଷ ବୟସରୁ ସାହିତ୍ୟ ପ୍ରତି ରୁଚି ରଖିଥିବା ସୁନନ୍ଦା ବି ମହାପାତ୍ର ଉଭୟ ଓଡ଼ିଆ ଗଳ୍ପ ଓ କବିତାର ଏକ ପରିପକ୍ୱ ଓ ଶାଣିତ ସ୍ଵର । ତା’ଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ ‘ଝଞ୍ଜାବର୍ତ୍ତ’ । ନୂଆ ମାନସିକତାର ଅନ୍ତର୍ଗମନ ତା’ଙ୍କ ଗଳ୍ପ ସୃଷ୍ଟିର ଏକ ବିଭାସିତ ଦିଗ ।

Related Posts

Leave a Reply

Your email address will not be published. Required fields are marked *