ବହି: ବାଇକ୍ ଆମ୍ବୁଲାନ୍ସ ଦାଦା
ଲେଖକ: ବିଶ୍ଵଜିତ୍ ଝା
ପ୍ରକାଶକ: ପେଙ୍ଗୁଇନ୍
ମୂଲ୍ୟ: ୨୫୦ ଟଙ୍କା
‘ବାଇକ୍ ଆମ୍ବୁଲାନସ ଦାଦା’ ପୁସ୍ତକଟି କରିମୁଲ ହକ୍ ନାମକ ଜଣେ ସାଧାରଣ ହତ-ଦରିଦ୍ର ଲୋକର ଜୀବନର କାହାଣୀ । ଏ ପୁସ୍ତକର ଲେଖକ ବିଶ୍ଵଜିତ୍ ଝା ଜଣେ ସାମ୍ବାଦିକ । କରିମୁଲ ହକ୍ ତାଙ୍କ ଅଞ୍ଚଳର ଲୋକ । ତେଣୁ ତାଙ୍କର ବିଷୟରେ ଏବଂ ତାଙ୍କ କାର୍ଯ୍ୟ ବିଷୟରେ କିଛି ଧାରଣା ବିଶ୍ଵଜିତ୍ବାବୁଙ୍କର ଥିଲା । ତେବେ ତାଙ୍କ ଜୀବନକୁ ନେଇ ବହି ଲେଖିବାର ଆଇଡିଆ ଆସିଲା କରିମୁଲ ହକ୍ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି ପାଇଲା ପରେ । ବିଶ୍ଵଜିତ୍ ତାଙ୍କ ବିଷୟରେ ଏବଂ ତାଙ୍କ କାମ ବିଷୟରେ ଆହୁରି ଜାଣିଲେ ଏବଂ ତାହା ତାଙ୍କୁ କରିମୁଲ ହକ୍ଙ୍କ ଜୀବନକୁ ନେଇ ଗୋଟେ ବହି ଲେଖିବା ପାଇଁ ଅନୁପ୍ରେରିତ କଲା ।
ଏବେ କରିମୁଲ ହକ୍ଙ୍କ କଥା । ଉତ୍ତର ବଙ୍ଗର ଏକ ପ୍ରତ୍ୟନ୍ତ ଜିଲ୍ଲାରେ ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ କରିମୁଲ ହକ୍ଙ୍କର ଜନ୍ମ । ପଚିଶ ବର୍ଷ ତଳେ କରିମୁଲ ହକ୍ ତାଙ୍କ ମା’ଙ୍କୁ ହରେଇଥିଲେ କାରଣ ତାଙ୍କ ମା’ଙ୍କ ପାଇଁ ସେ ଠିକ୍ ସମୟରେ ସେ ଗୋଟେ ଆମ୍ବୁଲାନସ ଯୋଗାଡ କରିପାରି ନଥିଲେ । ତାଙ୍କ ଗାଁରୁ ହାସପାତାଳକୁ ରୋଗୀମାନଙ୍କୁ ନେବାପାଇଁ କେବେ ବି କିଛି ବ୍ୟବସ୍ଥା ନଥିଲା । ମା’ଙ୍କୁ ଏମିତି ଭାବେ ହରେଇଥିବାର ଦୁଃଖ ତାଙ୍କ ଭିତରେ ବସା ବାନ୍ଧି ଥିଲା । ଆଉ ସେଇଥିପାଇଁ ସେ ସବୁବେଳେ ଅନ୍ୟମାନଙ୍କୁ ହାସପାତାଳ ନେବାରେ ସାହାଯ୍ୟ କରୁଥିଲେ । ଅନେକ ସମୟରେ ସେ ତାଙ୍କ ସାଇକଲ୍ ପଛରେ ରୋଗୀଙ୍କୁ ବସେଇ ହାସପାତାଳ ଯାଏଁ ନେଇଥିଲେ ।
ଦିନେ ସେ ଯେଉଁ ଚା ବଗିଚାରେ ଶ୍ରମିକ ଭାବରେ କାମ କରୁଥିଲେ ସେଠି ତାଙ୍କର ଜଣେ ସହକର୍ମୀ ହଠାତ ଅସୁସ୍ଥ ହୋଇ ପଡିଲେ । ତାଙ୍କୁ ହାସପାତାଳ ନେବା କଥା ପଡିଲା । ପୁଣିଥରେ ଦେଖାଗଲା ଯେ ଆମ୍ବୁଲାନସ ମିଳୁନାହିଁ । ସେତେବେଳେ କରିମୁଲ ହକଙ୍କ ସାମ୍ନାରେ ତାଙ୍କ ମା’ଙ୍କ ଛବି ଆଉ ମା’ଙ୍କ ସ୍ମୃତି ଭାସି ଉଠିଲା । କରିମୁଲ ହକ୍ ସେଦିନ ଚା-ବଗିଚା ମ୍ୟାନେଜର୍ଙ୍କ ମୋଟର ସାଇକେଲରେ ପଛରେ ତାଙ୍କ ଅସୁସ୍ଥ ସହଯୋଗୀଙ୍କୁ ବସେଇ ଗାମୁଛାରେ ନିଜ ସହିତ ବାନ୍ଧିବାପାଇଁ କହିଲେ ଏବଂ ସେମିତି ଭାବରେ ଘଞ୍ଚ ଜଙ୍ଗଲ ଭିତର ରାସ୍ତାରେ ୪୫ କିଲୋମିଟର ଦୂର ହାସପାତାଳକୁ ପହଞ୍ଚିଲେ । ତାଙ୍କ ସହକର୍ମୀ ଚିକିତ୍ସା ପାଇଲା ଏବଂ ବଞ୍ଚିଗଲା । ଏ ଘଟଣା କରିମୁଲ ହକ୍ଙ୍କୁ ଗୋଟେ ରାହା ଦେଖେଇଲା ଏବଂ ସେହିଦିନୁ ସେ ପଣକଲେ ଯେ ଆମ୍ବୁଲାନସ ନଥାଉଛ, ବାଇକରେ ବସେଇ ସେ ରୋଗୀଙ୍କୁ ହାସପାତାଳକୁ ନେଇଯିବେ । ଆମ୍ବୁଲାନ୍ସ୍ ଅଭାବରୁ କାହାକୁ ସେ ମରିବାପାଇଁ ଦେବେ ନାହିଁ ।
ଭାବିବା ଆଉ କରିବା ଭିତରେ ଅନେକ ବ୍ୟବଧାନ ରହିଯାଏ । ଦାରିଦ୍ର୍ଯ ଏବଂ ପାରିବାରିକ ଅଭାବ ଅସୁବିଧା ତାଙ୍କ ପଥ ଅବରୋଧ କରିଥିଲା । ତାହା ସତ୍ତ୍ୱେ କୌଣସି ପ୍ରକାରରେ ସେ ଗୋଟେ ବାଇକ୍ କିଣିଲେ ଏବଂ ବିନା ମୂଲ୍ୟରେ ଦରକାର ବେଳେ ଲୋକମାନଙ୍କୁ ନେଇ ହାସପାତାଳରେ ପହଞ୍ଚେଇଲେ- ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ବର୍ଷ । କ୍ରମଶଃ ସେ ଅଞ୍ଚଳରେ ତାଙ୍କୁ ଲୋକେ ବାଇକ୍ ଆମ୍ବୁଲାନସ ଦାଦା ବୋଲି ଜାଣିଲେ ।
ବିଶ୍ଵଜିତ୍ ଝା, ଏ ବହିଟି ତାଙ୍କ ଜୀବନି ଭାବରେ ଯେତେ ନ ଲେଖିଛନ୍ତି ତାଠୁ ଅଧିକ ଗୁରୁତ୍ଵ ଦେଇଛନ୍ତି ଜଣେ ସାଧାରଣ ଲୋକର ଅତ୍ୟନ୍ତ ପ୍ରତିକୁଳ ପରିସ୍ଥିତିରେ ବି ମାନବ ସେବା କରିବାର ଇଛାଶକ୍ତିକୁ । ଏ ବହିଟିର ପ୍ରତ୍ୟେକ ଅଧ୍ୟାୟରେ ସେଇ କଥା ରହିଛି ।
ଏ ବହିଟି ୨୮ଟି ଅଧ୍ୟାୟରେ ବିଭକ୍ତ ଏବଂ ପ୍ରତ୍ୟେକ ଅଧ୍ୟାୟରେ ଆପଣ କରିମୁଲ ହକ୍ଙ୍କ ଜୀବନର କଥା ଜାଣିବେ ଏବଂ ତା ସହିତ ଏକଥା ବି ଜାଣିବେ ଯେ ଜଣେ ଯଦି ଠିକ୍ କରେ ଯେ ସେ ଜନସେବା କରିବ ଏବଂ ସେ ତାର ଲକ୍ଷ୍ୟରେ ଅବିଚଳିତ ରହି ଯଦି କାମ କରିଚାଲେ ତେବେ କୌଣସି ନା କୌଣସି ସ୍ଥାନରୁ ସାହାଯ୍ୟର ହାତ ଲମ୍ବି ଆସେ । କରିମୁଲ ହକ୍ଙ୍କ ପାଖକୁ ବି ଆସିଥିଲା । ଏକ ଅଖ୍ୟାତ ଗ୍ରାମର ସ୍ଵଳ୍ପ ଶିକ୍ଷିତ ଦିନ ମଜୁରିଆକୁ କ୍ରମଶଃ ଲୋକେ ଜାଣିଲେ, ତାଙ୍କୁ ସମ୍ମାନ କଲେ । ସେ ପଦ୍ମଶ୍ରୀ ସମ୍ମାନ ପାଇଲେ । ସେ କେବେ ଆଶା କରିନଥିଲେ- ଏତେ ଆଦର ଓ ସମ୍ମାନ ସେ ପାଇବେ ।
ଯେଉଁଦିନ ସେ ପଦ୍ମଶ୍ରୀ ପାଉଛନ୍ତି ବୋଲି ଖବର ଆସିଲା, ସେ ଅଧ୍ୟାୟଟି ପଢ଼ିଲେ ଆକ୍ଷିରେ ଲୁହ ଆସିଯାଏ । କରିମୁଲ ହକ୍ଙ୍କୁ ତାଙ୍କ କାମରେ ଯେଉଁମାନେ ସାହାଯ୍ୟ କରିଥିଲେ ତାଙ୍କ ଭିତରୁ ଜଣେ ଥିଲେ ଡ. ବର୍ମନ । ଯେଉଁଦିନ କରିମୁଲ ହକ୍ଙ୍କ ପାଖକୁ ଏ ଖବର ଆସିଲାଯେ ସେ ପଦ୍ମଶ୍ରୀ ପାଉଛନ୍ତି, ଡ. ବର୍ମନ ମୃତ୍ୟୁ ସହିତ ହାସପାତାଳରେ ସଂଗ୍ରାମ କରୁଥିଲେ । କରିମୁଲ ହକ୍ ଚାହୁଁଥିଲେ ତାଙ୍କ ସହିତ ଡ. ବର୍ମନ ଯାଆନ୍ତୁ ଦିଲ୍ଲୀ । ଡ଼. ବର୍ମନ ଯାଇପାରିଲେ ନାହିଁ । ସେ ଶେଷ ନିଶ୍ଵାସ ତ୍ୟାଗ କଲେ ।
ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିିବା ପାଇଁ ଜୀବନରେ ପ୍ରଥମ ଥର କରିମୁଲ ହକ୍ ଦିଲ୍ଲୀ ଗଲେ । ପାର୍ଲିଆମେଣ୍ଟ ଭବନକୁ ସେ ଚାଲି ଚାଲି ଯାଇଥିଲେ । ତାଙ୍କ ପାଖରେ କାର୍ ଭଡା କରି ଯିବା ଭଳି ପଇସା ନଥିଲା । ବିଡ଼ମ୍ବନା ଦେଖନ୍ତୁ- ତାଙ୍କ ପାଖକୁ ପାର୍ଲାମେଣ୍ଟ ଭିତରେ ଗାଡ଼ି ରଖିବା ପାଇଁ ଫ୍ରି ପାର୍କିଂ ଟିକେଟ୍ ପଠାଯାଇଥିଲା । ସେ ଚାଲି ଚାଲି ପାର୍ଲାମେଣ୍ଟ ଭବନର ଫାଟକ ପାଖରେ ପହଞ୍ଚିଲାବେଳକୁ ସୁରକ୍ଷା କର୍ମୀମାନେ ତାଙ୍କୁ ପ୍ରଥମେ ଭିତରକୁଚ ଛାଡି ନଥିଲେ । କରିମୁଲ୍ ତାଙ୍କର ନିମନ୍ତ୍ରଣ ପତ୍ର ଆଉ ଅନ୍ୟାନ୍ୟ କାଗଜପତ୍ର ଦେଖାଇଲେ, ପାର୍କିଂ ଟିକେଟଟାକୁ ବି ଦେଖାଇଲେ । ତଥାପି ସୁରକ୍ଷା କର୍ମୀ ମାନଙ୍କର ବିଶ୍ଵାସ ହେଉନଥିଲା । ତାପରେ ସେମାନେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କଲାପରେ ଯାଇ କରିମୁଲ ହକ୍ ଭିତରକୁ ପ୍ରବେଶର ଅନୁମତି ପାଇଲେ ।
କ୍ରମଶଃ ପଦ୍ମଶ୍ରୀ କରିମୁଲ ହକ୍ଙ୍କ ପାଖକୁ ସାହାଯ୍ୟର ସୁଅ ଛୁଟିଲା ଏବଂ ସେ ବାଇକ ଆମ୍ବୁଲାନସରୁ ଉନ୍ନୟନର ଅନ୍ୟାନ୍ୟ ଦିଗପ୍ରତି ମଧ୍ୟ ଧ୍ୟାନ ଦେବାକୁ ଲାଗିଲେ । ଏଥିରେ ସେ ଏବଂ ତାଙ୍କର ସମ୍ପୁର୍ଣ୍ଣ ପରିବାର(ସ୍ତ୍ରୀ ତାଙ୍କ ଦୁଇ ପୁଅ) ଲାଗିଛନ୍ତି । କରିମୁଲ ହକ୍ଙ୍କ ଶିକ୍ଷା ଦୀକ୍ଷା ବେଶୀ ନୁହଁ । ତାଙ୍କ ପୁଅମାନେ ମଧ୍ୟ ଦାରିଦ୍ର୍ୟ ଯୋଗୁଁ ସ୍କୁଲ ଶିକ୍ଷା ଶେଷ କରିପାରି ନାହାନ୍ତି। କିନ୍ତୁ କରିମୁଲ ହକ୍ ଜାଣିଲେ ଯେ ଶିକ୍ଷାର ମହତ୍ତ୍ୱ କେତେ ତେଣୁ ସେ ବିଦ୍ୟାଳୟ ପ୍ରତିଷ୍ଠା କଲେ। ପ୍ରତ୍ୟନ୍ତ ଗ୍ରାମାଞ୍ଚଳରେ କମ୍ ପଇସାରେ କେମିତି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ସେଥିପାଇଁ କାମ କରିଚାଲିଲେ । ହାସପାତାଳ ଗୋଟେ ତିଆରି କରିଛନ୍ତି। ଶିକ୍ଷା ପାଇଁ ସେ ୱାନ ଟିଚର ସ୍କୁଲ ସ୍ଥାପନ କରୁଛନ୍ତି । ତାଙ୍କର ଗୋଟିଏ ବାଇକ ଆମ୍ବୁଲାନସ ଥିଲା ତାପରେ ବଜାଜ କମ୍ପାନୀ ତାଙ୍କୁ ଆଉ ଗୋଟିଏ ବାଇକ ଆମ୍ବୁଲାନସ ଦେଲେ । ଏମିତି ତାଙ୍କ ପାଖରେ ବର୍ତ୍ତମାନ ତିନି ଚାରୋଟି ବାଇକ ଆମ୍ବୁଲାନସ ଅଛି ।
କରିମୁଲ ହକ୍ଙ୍କ ଉପରେ ଗୋଟେ ସିନେମା ବି ତିଆରି ହେବାକୁ ଯାଉଛି । ‘ହମ ସାଥ ସାଥ ହୈ’ ଚଳଚ୍ଚିତ୍ରରେ ସହଯୋଗୀ ନିର୍ଦ୍ଦେଶକ ବିନୟ ମୁଦଗିଲ କରିମୁଲ ହକଙ୍କ ଉପରେ ଗୋଟେ ବାଇଓପିକ ତିଆରି କରୁଛନ୍ତି ।
କରିମୁଲ ହକ୍ ଏବେ ତାଙ୍କ ଅଞ୍ଚଳରେ, ସାରା ପଶ୍ଚିମ ବଙ୍ଗରେ ଏବଂ ପଶ୍ଚିମ ବଙ୍ଗ ବାହାରେ ଜଣେ ସେଲିବ୍ରିଟି । ତାଙ୍କ ଜୀବନ ଅନ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ହେଇ ରହିଛି । କରିମୁଲ ହକଙ୍କର ବଡପଣ ହେଲାଯେ ସେ ତାଙ୍କର ମାଟିକୁ ଭୁଲି ନାହାନ୍ତି । ତାଙ୍କର ଚେର ଜମିରେ ପ୍ରୋଥିତ ହେଇ ରହିଛି ସେଇଠି । ତାଙ୍କ ମୁଣ୍ଡ ଆକାଶ ଛୁଁଇଛି, ହେଲେ ଗୋଡ଼ ରହିଛି ମାଟିରେ । କରିମୁଲ ହକଙ୍କର ଏ ଜୀବନୀଟି ଯେଉଁମାନେ ଜନସାଧାରଣଙ୍କ ପାଇଁ କିଛି କରିବାପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଏକ ଉଦାହରଣ । ଗଣମାଧ୍ୟମରେ ଉନ୍ନୟନମୁଳକ ସାମ୍ବାଦିକତା ବୋଲି ଗୋଟେ ଭାଗ ଅଛି ଯେଉଁଥିରେ ମାନବିକ ଆବେଦନ ସମ୍ବଳିତ ଲେଖା, ସାଧାରଣ ଲୋକଙ୍କର ଅସାଧାରଣ କୃତିତ୍ଵ ବିଷୟରେ ଲେଖାଯାଏ, ସେମାନଙ୍କର କାର୍ଯ୍ୟକୁ ରେଖାଙ୍କିତ କରାଯାଏ, ଏ ସଂପୁର୍ଣ୍ଣ ବହିଟି ସେ ଧାରାର । ଏହାକୁ ଆପଣ ପ୍ରେରଣା ପାଇଁ ପଢ଼ନ୍ତୁ ବା ଉଦାହରଣ ଭାବରେ, ପଢ଼ନ୍ତୁ ନିଶ୍ଚୟ ।
++