ବହି: ଆଫଟର ମାଥ: ଲାଇଫ୍ ଇନ ଦି ଫଲ୍ ଆଉଟ ଅଫ ଦି ଥାର୍ଡ ରେକ୍ ୧୯୪୫ ଟୁ ୧୯୫୫
ଲେଖକ: ହେରଲ୍ଡ ଜାହାନିର
ପ୍ରକାଶକ: ପେଙ୍ଗୁଇନ
ପୃଷ୍ଠା: ୩୮୧ । ମୂଲ୍ୟ: ୬୫୭ ଟଙ୍କା
୨୦୨୨ ଫେବୃଆରି ୨୪ରେ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଜୁଲାଇ ଶେଷ ସୁଦ୍ଧା ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରେଇଲେଣି । ୟୁକ୍ରେନ୍ର ହିସାବ ଅନୁସାରେ ଏ ଯୁଦ୍ଧରେ ସେମାନଙ୍କର ଏଯାଏଁ ୫୬, ୫୦୦ କୋଟି ଡଲାରର କ୍ଷତି ହେଲାଣି । ଏ ଯୁଦ୍ଧକୁ କେନ୍ଦ୍ର କରି ସମଗ୍ର ୟୁରୋପରେ ଯୁଦ୍ଧର ଘନଘଟା । ଆଠ ଦଶନ୍ଧିପରେ ପୁଣିଥରେ ୟୁରୋପ ମହାଯୁଦ୍ଧ ଭଳି ଯୁଦ୍ଧ ଦେଖୁୂଛି । ୟୁକ୍ରେନ୍ ଏବଂ ପୂର୍ବ ୟୁରୋପ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯୁଦ୍ଧର ଭୟାବହତା ସବୁଠାରୁ ଅଧିକ ପ୍ରତ୍ୟକ୍ଷ କରିଥିଲା, ଭୋଗିଥିଲା । ଆଠ ଦଶନ୍ଧି ଭିତରେ ଅନେକେ ସେ ଯୁଦ୍ଧର ଭୟାବହତାକୁ ଭୁଲିଗଲେଣି । କଥାରେହିଁ ଅଛି ଯେ ଲୋକଙ୍କର ସ୍ମୃତିଶକ୍ତି ଦୁର୍ବଳ । ତେଣୁ ଦୁର୍ବଳ ସ୍ମୃତି ସେ ଭୟାବହତାର ବିଭୀଷିକାକୁ ବୋଧହୁଏ ଧରିରଖି ପାରିନାହିଁ । ଆଉ ସେଥିପାଇଁ ପୁଣି ହୁଏତ ବିଶ୍ୱ ଆଉ ଏକ ଯୁଦ୍ଧର ଭୟାବହତାକୁ ଦେଖୁଛି ।
ଏ ପୁସ୍ତକରେ ଲେଖକ ହେରଲ୍ଡ ଜାହାନିର ଦ୍ୱିତୀୟ ମହାଯୁଦ୍ଧ ପରବର୍ତ୍ତୀ ଜର୍ମାନୀର ଅବସ୍ଥା କଥା ବର୍ଣ୍ଣନା କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଏଇ ଆଠ ଦଶକ ଭିତରେ ପୁଣି ନିଜକୁ ଏକ ସମୃଦ୍ଧ ଦେଶ ଭାବରେ ପ୍ରତିଷ୍ଠିତ କରିପାରିଛି । ତାର ନାଜି ଅତୀତକୁ ଭୁଲି ସେ ପୁଣି ବିଶ୍ୱର ଏକ ଆଗୁଆ ଦେଶ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଜର୍ମାନୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାଙ୍ଗି ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜର୍ମାନୀର ଲୋକମାନେ ବିଭାଜନର ସେ ପ୍ରାଚୀରକୁ ଭାଙ୍ଗି ଏକାଠି ହୋଇଯାଇଥିଲେ ।
ତେଣୁ ଜର୍ମାନୀକୁ ତମାମ ବିଶ୍ୱ ଏକ ଉଦାହରଣ ଭାବରେ ଦେଖିଥାଏ । କିନ୍ତୁ ବିଶ୍ୱଯୁଦ୍ଧ ଠିକ୍ ପରେ ପରେ, ପରାଜିତ ଜର୍ମାନୀ ଓ ଜାପାନର କି ଦଶା ହୋଇଥିଲା, ସେଠିକାର ଲୋକେ କି ଦୁଃଖ କଷ୍ଟରେ ଚଳିଥିଲେ, କେଉଁ ପ୍ରକାର ଯନ୍ତ୍ରଣା ଭୋଗିଥିଲେ ସେହିକଥା ଏ ପୁସ୍ତକରେ ରେଖାଙ୍କିତ କରାଯାଇଛି ।
ଲେଖକଙ୍କ ମତରେ ଦୁଇଟି ବିଷୟ ବହୁତ ଗଭୀର ଭାବରେ ଜର୍ମାନୀ ପ୍ରସଙ୍ଗରେ ଦେଖାଯାଇଥିଲା । ଗୋଟିଏ ହେଉଛି ନାରୀର ଭୂମିକା ଏବଂ ଦ୍ୱିତୀୟଟି ହେଉଛି ଯୁଦ୍ଧ ପରେ ପରେ କଳାବଜାରର ଭୂମିକା । ଦି୍ୱତୀୟ ବିଶ୍ୱଯୁଦ୍ଧରେ ଜର୍ମାନର ସକ୍ଷମ ପୁରୁଷମାନଙ୍କ ଭିତରୁ ଅନେକ ପ୍ରାଣ ହରେଇଥିଲେ, ଅନେକେ ଆହତ ହୋଇଥିଲେ ଏବଂ ଅନେକେ ଏ ଯୁଦ୍ଧର ବିଭୀଷିକାରେ ମାନସିକ ଭାବରେ ପଙ୍ଗୁ ହୋଇଯାଇଥିଲେ । ଯୁଦ୍ଧ ପରେ ପରେ ବିଜୟୀ ସେନାମାନଙ୍କର ଲୁଣ୍ଠନ ଓ ଅନ୍ୟାନ୍ୟ ବହୁ ପ୍ରକାର ଅତ୍ୟାଚାରର ଶୀକାର ହୋଇଥିଲେ ଜର୍ମାନର ମହିଳାମାନେ । ବିଶେଷକରି ଋଷୀୟ ସୈନ୍ୟମାନଙ୍କର ଅତ୍ୟାଚାରର ଶୀକାର ହୋଇଥିଲେ । ଏ ବିଷୟଟିକୁ ହୁଏତ ଜର୍ମାନୀ ବି ପରବର୍ତ୍ତୀ ସମୟରେ ଭୁଲିଯିବାକୁ ଚାହିଁଥିଲା । ସେ ସମୟରେ ଏ ସଂପର୍କରେ ଗୋଟେ ବହି ଲେଖାଯାଇଥିଲା । ବହିଟି ସେ ସମୟରେ କୌଣସି ଆଲୋଡନ ସୃଷ୍ଟି କରିନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏ ପୁସ୍ତକ ଆଲୋଡନ ସୃଷ୍ଟି କରିଥିଲା । ଏ ବହିଟିରେ ସେ ସମୟରେ ଜର୍ମାନୀର ମହିଳା ମାନଙ୍କର କରୁଣ ସ୍ଥିତି ବିଷୟରେ ପ୍ରତ୍ୟକ୍ଷଦର୍ଶୀ ବହୁ ବିବରଣୀ ଦେଇଥିଲା ।
ଆଉ ଗୋଟିଏ କଥା ଯୁଦ୍ଧ ପରେ ପରେ ଜର୍ମାନୀରେ ଦେଖାଦେଇଥିଲା – କଳାବଜାର । ଖାଦ୍ୟ ଅଭାବବେଳେ ଖାଦ୍ୟ ଏବଂ ଅନ୍ୟାନ୍ୟ ସବୁ ସାମଗ୍ରୀର କଳାବଜାର ବଡ ବ୍ୟାପକ ଭାବରେ ବୃଦ୍ଧି ପାଇଥିଲା । ଜର୍ମାନମାନଙ୍କୁ ଅତ୍ୟନ୍ତ ଡିସିପ୍ଲିନଡ ବା ଅନୁଶାସିତ ଜାତିବୋଲି ଧରାଯାଏ । କିନ୍ତୁ ସେ ସମୟରେ ଜର୍ମାନମାନେ ବି ଏ କଳାବଜାରର କବଳରୁ ନିଜକୁ ମୁକୁଳେଇ ପାରିନଥିଲେ । ସମାଜ ବ୍ୟବସ୍ଥାରେ ମୂଲ୍ୟବୋଧର ଅଭାବ ବଡ ଦୃଷ୍ଟିକଟୁ ଭାବରେ ପରିଲକ୍ଷିତ ହେଉଥିଲା ।
ଏ ପୁସ୍ତକରେ ଲେଖକ କେତେଗୁଡିଏ ଅପ୍ରିୟ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ପ୍ରଥମ ପ୍ରଶ୍ନ ହେଲା ହଲୋକାଷ୍ଟ ବିଷୟରେ ସମସ୍ତେ ଜାଣନ୍ତି । ଇହୁଦୀ ମାନଙ୍କୁ ନାଜୀମାନେ କେମିତି ହତ୍ୟା କରିଥିଲେ ସେ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଯୁଦ୍ଧପରେ ଜର୍ମାନୀମାନେ କିଭଳି ଅତ୍ୟାଚାରିତ ହୋଇଥିଲେ ସେ ବିଷୟରେ ବେଶି କଥା ଇତିହାସରେ ସ୍ଥାନ ପାଇନାହିଁ। ଦ୍ୱିତୀୟ କଥାଟି ହେଉଛି ଯେ କ୍ରମଶଃ ଜର୍ମାନୀରେ ବି ଏକ ଅତ୍ୟନ୍ତ କଠୋର ଦକ୍ଷିଣ ପନ୍ଥୀ ଗୋଷ୍ଠୀର ଉଦ୍ଭବ ହେଉଛି। ହିଟଲରଙ୍କର ଯେଉଁ ଧାରଣା ଓ ଅବଧାରଣାଗୁଡିକ ଥିଲା ଏହି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ସୌଜନ୍ୟରୁ ତାହା ପୁଣି ମୁଣ୍ଡ ଟେକିବାରେ ଲାଗିଛି ।
ବର୍ତ୍ତମାନ ଯେତେବେଳେ ରଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେତେବେଳେ ଏ ବହିଟି ଅଧିକ ପ୍ରାସଙ୍ଗିକ ହେଇ ଉଠୁଛି । ଯୁଦ୍ଧ ପରବର୍ତ୍ତୀ ଅବସ୍ଥା କଣ, ଯୁଦ୍ଧ ବେଳେ ଏବଂ ଯୁଦ୍ଧ ପରେ ସାଧାରଣ ଲୋକମାନଙ୍କ ଉପରେ କଣ ବିତେ- ଏ ପୁସ୍ତକଟି ତାର ଏକ ମାର୍ମିକ ଚିତ୍ର ପ୍ରଦାନ କରିଛି ।
++