ବହି: ହାଇମସ୍ ଇନ୍ ବ୍ଲଡ
ମୂଳ ପଞ୍ଜାବୀ ଲେଖକ: ନାନକ ସିଂ
ଅନୁବାଦ: ନବଦୀପ୍ ସୂରୀ
ପ୍ରକାଶକ: ହାରପର ପେରେନିଆଲ୍
ପୃଷ୍ଠା: ୨୩୯, ମୂଲ୍ୟ: ୪୯୯ ଟଙ୍କା
ନାନକ ସିଂଙ୍କୁ ପଞ୍ଜାବୀ ଉପନ୍ୟାସର ଜନକର ମାନ୍ୟତା ଦିଆଯାଏ । ସାହିତ୍ୟ ଆକାଡେମୀ ପୁରସ୍କାର ପ୍ରାପ୍ତ ଏ ଲେଖକ ବ୍ୟବସ୍ଥିତ ଭାବରେ ଖୁବ୍ କମ୍ ଶିକ୍ଷା ଗ୍ରହଣ କରିଛନ୍ତି କିନ୍ତୁ ସାହିତ୍ୟ କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ୱାକ୍ଷର ରଖି ଯାଇଛନ୍ତି । ପ୍ରାୟ ଛଅ ଦଶନ୍ଧିର ସାହିତ୍ୟିକ ଜୀବନରେ ସେ ପ୍ରଚୁର ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ, କବିତା, ପ୍ରବନ୍ଧ ଲେଖିଯାଇଛନ୍ତି । ଅନେକ ଅନୁବାଦ ମଧ୍ୟ କରିଛନ୍ତି ।
୧୯୪୭ ଦେଶ ବିଭାଜନର ପ୍ରେକ୍ଷାପଟରେ ନାନକ ସିଂ ଅନେକ ଗଳ୍ପ, କବିତା ଏବଂ କାହାଣୀ ଲେଖିଛନ୍ତି । ସେହି କ୍ରମର ଗୋଟେ ଉପନ୍ୟାସ ହେଲା: ଖୁନ୍ ଦେ ସୋହିଲେ । ପଞ୍ଜାବୀ ଭାଷାରେ ଲିଖିତ ଏ ଉପନ୍ୟାସଟିର ଇଂରାଜୀ ଅନୁବାଦ ହେଲା- ହାଇମ୍ସ ଇନ୍ ବ୍ଲଡ୍ । ଓଡ଼ିଆରେ ଅନୁବାଦ କଲେ ଶୀର୍ଷକଟି ହେବ: ରକ୍ତର ମନ୍ତ୍ର-ଗୀତ ।
ଉପନ୍ୟାସଟିର ପ୍ରେକ୍ଷାପଟ ହେଲା ରାଓଲପିଣ୍ଡି ନିକଟରେ ସୋନ ନଦୀ କୂଳରେ ଅବସ୍ଥିତ ଚକ୍ରି ବୋଲି ଏକ ଛୋଟ ଗାଁ । ଏ ଗାଁରେ ହିନ୍ଦୁ, ଶିଖ୍ ଏବଂ ମୁସଲମାନ୍ ମାନେ ଶାନ୍ତିପୁର୍ଣ୍ଣ ଜୀବନ ଯାପନ କରୁଥିଲେ । ସାଙ୍ଗରେ ହୋଲି, ଦିୱାଲୀ, ଇନ୍ ଓ ଲୋହରୀ ପାଳନ କରୁଥିଲେ । ସେମାନେ ବେଶ୍ ଖୁସିରେ ଏବଂ ଶାନ୍ତିରେ ବସବାସ କରୁଥିଲେ । ହଁ ଛୋଟ ଛୋଟ ମତଭେଦଳ ରାଗରୁଷା ଯେମିତି ଯେ କୌଣସି ଗାଁରେ ରହିବା ସ୍ୱାଭାବିକ – ଏଠି ମଧ୍ୟ ଥିଲା । କିନ୍ତୁ ତାକୁ ଖୁବ୍ ବେଶୀ ବଢ଼େଇବାର ପକ୍ଷପାତି କେହି ନଥିଲେ ।
୧୯୪୭ରେ ଦେଶ ବିଭାଜନ ପୂର୍ବରୁ କ୍ରମଶଃ ବିଦ୍ୱେଷର କଳା ବାଦଲ ସାରା ଭାରତରେ ଛାଇଗଲା । ଧର୍ମ ଭିତ୍ତିରେ ଦେଶ ବିଭାଜନ ହେଲା ତେଣୁ ଧାର୍ମିକ ବିଭେଦର ବିଷ ଅନେକଙ୍କ ଭିତରେ ଚରିଗଲା । ଆଗରୁ ଗାଁରେ ବିଭିନ୍ନ ସମ୍ପ୍ରଦାୟ ଭିତରେ ଯେଉଁଟା ଛୋଟ ଛୋଟ ମତଭେଦ ହେଉଥିଲା ତାହା କ୍ରମଶଃ ବଡ ଆକାର ଧାରଣ କଲା ଏବଂ ଦିନେ ଏହା ଭୟଙ୍କର ହିଂସାର ରୂପ ନେଲା । ଏ ଗାଁର ମୁଖିଆ ଥିଲେ ବାବା ଭନା । ସେ ଗାଁରେ ଶାନ୍ତିପୁର୍ଣ୍ଣ ସହାବସ୍ଥାନକୁ ବଜାୟ ରଖିବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟାକଲେ । ପ୍ରଥମେ ଲୋକେ ତାଙ୍କ କଥା ଶୁଣୁଥିଲେ କିନ୍ତୁ କ୍ରମଶଃ ବହିରାଗତ ଲୋକମାନଙ୍କ କଥା ଗାଁର ଲୋକେ ବେଶି ଶୁଣିବାପାଇଁ ଲାଗିଲେ । ବିଭେଦର ବିଷ କ୍ରମଶଃ ଚରିବା ପାଇଁ ଲାଗିଲା । ବାବାଙ୍କର କଥା ଗୁଡାକ ଲୋକଙ୍କୁ ଆଉ ପଇଟିଲା ନାହିଁ ।
ଯେତେବେଳେ ଚକ୍ରି ଗାଁର ଆଖ ପାଖରେ ହିନ୍ଦୁ ଏବଂ ଶିଖ୍ମାନଙ୍କ ଉପରେ ଆକ୍ରମଣର ଖବର ଆସିବାପାଇଁ ଲାଗିଲା ସେତେବେଳେ ଗାଁର ମୁସଲମାନ୍ ମାନେ ଶପଥ ନେଲେଯେ ସେମାନେ ଗାଁର ହିନ୍ଦୁ ଏବଂ ଶିଖ୍ ମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ସେଠି ବି ବିଷ ପଶିଯାଇଥିଲା । ସେ ଗାଁରେ ବି ଗୋଟେ ବଦମାସ୍ ଲୋକଥିଲା – ଅବଦୁଲ୍ ରହମାନ୍ । ଗାଁରେ ହିନ୍ଦୁ, ମୁସଲମାନ, ଶିଖ୍ ସମସ୍ତେ ଏକାଠି ଶାନ୍ତିପୁର୍ଣ୍ଣ ଭାବରେ- ଏହା ତାକୁ ସହ୍ୟ ହେଉ ନଥିଲା । ସେ ଗାଁରେ ଲୋକମାନଙ୍କ ଭିତରେ ବିଭେଦର ମଞ୍ଜି ବୁଣିବାପାଇଁ ଲାଗିଲା । ସୋନ ନଦୀକୂଳର ଶାନ୍ତ ଗାଁ ଚକ୍ରୀରେ ବି ଅଶାନ୍ତି ପଶିଗଲା । ହିଂସା କାଣ୍ଡ ଆରମ୍ଭ ହୋଇଗଲା ।
ବିଭେଦର ବିଷ ଚରି ଯାଇଥିବା ଲୋକମାନେ କେମିତି ହିଂସାକାଣ୍ଡ ଭିଆନ୍ତି ତାର ଭୟଙ୍କର ଏବଂ ଅତ୍ୟନ୍ତ ମର୍ମନ୍ତୁଦ ଚିତ୍ର ଏ ଉପନ୍ୟାସରେ ତୋଳି ଧରିଛନ୍ତି ନାନକ ସିଂ । ରାଜନୀତିର ଶିକାର ହୋଇ କେମିତି ଲୋକମାନେ ପରଷ୍ପରର ଶତ୍ରୁ ହେଇଉଠନ୍ତି, ପରଷ୍ପରକୁ ହତ୍ୟା କରିବା ପାଇଁ, ପରଷ୍ପର ପ୍ରତି ଅତି ଜଘନ୍ୟ ହିଂସାକାଣ୍ଡ ଭିଆଇବା ପାଇଁ ବି ପଛଘୁଞ୍ଚା ଦିଅନ୍ତି ନାହିଁ ତାହା ଏ ଉପନ୍ୟାସୋର ଦର୍ଶାଇଛନ୍ତି ସେ ।
ଏ ଉପନ୍ୟାସର ଶେଷ ଦୃଶ୍ୟ ଗୁଡିକ ବଡ ମର୍ମନ୍ତୁଦ । ସତୁରୀ ବର୍ଷର ବୁଢ଼ା ବାବା ଭନା ଆଉ ତାଙ୍କର ଅଠର ବର୍ଷର ପାଳିତା ଝିଅ ସୀମା ଧୀରେ ଧୀରେ ଚକ୍ରୀ ଗାଁ ଛାଡି, ଦେଶ ଛାଡି ଚାଲିଯାଉଛନ୍ତି । କେଉଁଠିକି ଯିବେ ତାହା ଅନିଶ୍ଚିତ । ଲକ୍ଷହୀନ ଭାବରେ ଭଙ୍ଗାମନ ନେଇ ନିଜ ଜୀବନ ଏବଂ ଇଜ୍ଜତକୁ ବଞ୍ଚାଇବା ପାଇଁ ସେମାନେ ବାହାରି ପଡିଛନ୍ତି । ଯେଉଁଠି ଯିବେ ସେଠି ସେମାନେ ନିରାପଦକି ନାହିଁ ସେ ବିଷୟରେ ସେମାନେ ନିଶ୍ଚିତ ନୁହନ୍ତି । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଗାଁରେ ରହିବାଠୁ ହୁଏତ ସେଠି ଅପେକ୍ଷାକୃତ ନିରାପଦ ରହିବେ- ଏଇ ଆଶାରେ ସେମାନେ ଚାଲି ଯାଉଛନ୍ତି ।
ନାନକ ସିଂଙ୍କର ଏ ଉପନ୍ୟାସରେ ଦେଶ ବିଭାଜନର ବେଦନା ରହିଛି । ନିଜ ଘରଦୁଆର ଭିଟାମାଟି ଛାଡ଼ି ଯିବାକୁ ବାଧ୍ୟ ହେଉଥିବା ମଣିଷର ବେଦନା ରହିଛି । ବିଭେଦର ବିଷ ଚରିଗଲେ ମଣିଷର ଅବସ୍ଥା କଣ ହୁଏ ତାର ବର୍ଣ୍ଣନା ରହିଛି । ଏ ବହିରେ ରାଓଲପିଣ୍ଡି, ସୋନ ନଦୀକୂଳ ଗାଁର ସଂସ୍କୃତିର ଛବି ରହିଛି । ଲୋକ ଗୀତି ରହିଛି । ଆଉ ଏ ବହିରେ ରହିଛି ବେଦନାର ଆର୍ତ୍ତନାଦ ।
ନାନକ ସିଂ ଏ ବହିର ଉପକ୍ରମଣିକାରେ ସେହିକଥା ହିଁ ଲେଖିଛନ୍ତି । ଏ ଉପନ୍ୟାସ ମୋ ଛାତିକୁ ମନ୍ଥି ବାହାରୁଥିବା ଆର୍ତ୍ତନାଦ । ଏ ବହିଟି ପଢ଼ିଲେ ଆପଣଙ୍କୁ ବିଭାଜନବେଳେ ମଣିଷର ଚିତ୍ର ଆଖି ସାମ୍ନାରେ ଦିଶିଯିବ । ଭାରି ସୁନ୍ଦର ଅନୁବାଦ କରିଛନ୍ତି ନବଦୀପ୍ ସୁରୀ । ନବଦୀପ୍ ସୁରୀ ନାନକସିଂଙ୍କର ଆହୁରି କେତେକ କାହାଣୀ ଏବଂ କବିତା ଅନୁବାଦ କରିଛନ୍ତି । ଏଇ ଅନୁବାଦ ମଧ୍ୟ ଅତି ଚମତ୍କାର । ପଢ଼ନ୍ତୁ ।