ମହାନାୟକ ହେବାର ସୁଖଦୁଃଖ

ବହି: ଉତ୍ତମ କୁମାର: ଏ ଲାଇଫ୍ ଇନ୍ ସିନେମା (ଭାଷା: ଇଂରାଜୀ)
ଲେଖକ: ସାୟନ ଦେବ ଚୌଧୁରୀ
ପ୍ରକାଶକ: ବ୍ଲୁମ୍ସବରୀ
ପୃଷ୍ଠା: ୨୯୭, ମୂଲ୍ୟ: ୧୨୯୯ ଟଙ୍କା

ଭାରତୀୟ ସିନେ-ଜଗତରେ ଉତ୍ତମ କୁମାର (୧୯୨୬-୧୯୮୦) ଏକ ପରିଚିତ ନାମ । ସୁ-ଅଭିନେତା ଭାବରେ ତାଙ୍କର ଖ୍ୟାତି ରହିଛି । ହେଲେ ବଙ୍ଗଳା ଚଳଚ୍ଚିତ୍ର ଓ ଲୋକ-ସଂସ୍କୃତି ଜଗତରେ ଉତ୍ତମ କୁମାର ଜଣେ ମହାନାୟକର ମାନ୍ୟତା ପାଆନ୍ତି । ତାଙ୍କ ମୃତ୍ୟୁର ୪୦ବର୍ଷରୁ ଅଧିକ ସମୟ ପାରେଇ ଗଲାଣି । ହେଲେ ସେ ବଞ୍ଚିଥିଲା ବେଳେ ତାଙ୍କୁ ନେଇ ଯେଉଁ କ୍ରେଜ୍ ଥିଲା, ତାହା ଆଦୌ କମିନାହିଁ । ବଙ୍ଗା ସିନେମା ଜଗତରେ ତାଙ୍କ ପୂର୍ବରୁ ଏବଂ ପରେ ନାୟକ ଅନେକେ ଆସିଛନ୍ତି- ହେଲେ ମହାନାୟକ ଜଣେ । ଉତ୍ତମ କୁମାର । ବଙ୍ଗଳାରେ ସେ ଜଣେ ସିନେ ତାରକା ନୁହନ୍ତି, ଜଣେ ଆଇକନ୍ର ମାନ୍ୟତା ପାଇଛନ୍ତି । ସତ୍ୟଜିତ ରାୟ ଯଦି ବଙ୍ଗଳାର ବୌଦ୍ଧିକ ଚଳଚ୍ଚିତ୍ରର ମାଇଲ୍ଖୁଣ୍ଟ, ତେବେ ଉତ୍ତମକୁମାର ବଙ୍ଗୀୟ ଲୋକସଂସ୍କୃତିର ପ୍ରତୀକ । ସତ୍ୟଜିତ୍୍ ରାୟଙ୍କୁ ଲୋକେ ସମ୍ଭ୍ରମର ସ୍ଥାନ ଦିଅନ୍ତି, ଉତ୍ତମକୁମାରଙ୍କୁ ସ୍ଥାନ ଦିଅନ୍ତି ହୃଦୟରେ ।

ଏଭଳି ଜଣେ ତାରକାଙ୍କ ବିଷୟରେ ଅନେକ ବହି ଲେଖାଯାଇଛି, ତାଙ୍କର କେତୋଟି ଜୀବନୀ ବି ଲେଖାଯାଇଛି । ହେଲେ ଯେଉଁ ପୁସ୍ତକଟି ସାୟନ ଦେବ ଚୌଧୁରୀ ଲେଖିଛନ୍ତି ଏ ଭଳି ଗଭୀର ଗବେଷଣା ଓ ଅର୍ନ୍ତଦୃଷ୍ଟି ସହିତ ଉତ୍ତମ କୁମାରଙ୍କର ଜୀବନ କାହାଣୀକୁ ଆଉ କୌଣସି ବହିରେ ଲେଖାଯାଇ ନାହିଁ ।

ଉତ୍ତମ କୁମାରଙ୍କ ଜୀବନଟା ବଡ଼ ନାଟକୀୟ । ସିନେଜଗତରେ ଜିରୋରୁ ହିରୋ ହେଇଯିବା କଥା ଶୁଣାଯାଏ, ଉତ୍ତମ କୁମାର ତାହାର ଏକ ଜ୍ଜ୍ୱଳନ୍ତ ଉଦାହରଣ । ଅତ୍ୟନ୍ତ ସାଧାରଣ ପରିବାରରୁ ଥିଲେ ସେ । ତାଙ୍କ ନାଁ ଥିଲା ଅରୁଣ କୁମାର ଚଟ୍ଟୋପାଧ୍ୟାୟ । ସିନେମାରେ ସିଏ ଉତ୍ତମ କୁମାର ନାଁ ନେଲେ । କେମିତି ତାଙ୍କ ନାଁ ଉତ୍ତମ କୁମାର ହେଲା, କିଏ ତାଂକୁ ସେ ନାଁ ଦେଲେ ସିଏ ଏକ କାହାଣୀ ଏବଂ ଏ ପୁସ୍ତକରେ ତାର ଉଲ୍ଲେଖ ରହିଛି । ତାଙ୍କର ଅଭିନୟ ଥିଲା ନିଶା । ଛୋଟ ଚାକିରି କରୁଥିଲେ, ଅଭିନୟ ବି କରୁଥିଲେ କିଛି କିଛି । ତା’ପରଠୁଁ କେମିତି ସେ କ୍ରମାଗତ ସଂଘର୍ଷ କରି ସେ ବଙ୍ଗଳା ଚଳଚ୍ଚିତ୍ର ଜଗତକୁ ଆସିଲେ । ତାଙ୍କର ସଂଘର୍ଷ ବେଶ୍ କେଇ ବର୍ଷ ଧରିି ଚାଲିଥିଲା, ମନ ମୁତାବକ ରୋଲ୍ ତାଙ୍କୁ ମିଳୁ ନ ଥିଲା, ଅନେକେ ରିଜେକ୍ଟ ବି କରିଦେଉଥିଲେ । କିନ୍ତୁ ତଥାପି ସେ ଲାଗି ରହିଥିଲେ । କେମିତି ସେ ବ୍ରେକ୍ ପାଇଲେ ଏବଂ ତାପରେ କେମିତି ସେ ଜନପ୍ରିୟତାର ଶିଖରରେ ପହଞ୍ଚିଲେ ଏ ବହି ତାହାର କାହାଣୀ । ଏ ବହି ଏକ ସଂଗ୍ରାମର କାହାଣୀ । ଜିରୋରୁ ହିରୋ ହେବାର କାହାଣୀ । ଜଣେ ସାଧାରଣ ପରିବାରର ସାଧାରଣ ତରୁଣର ଶିଖରରେ ପହଞ୍ଚିବାର କାହାଣୀ । ଏବଂ ତା ପରର କାହାଣୀ ।

କଥାରେ କହନ୍ତି ଯେ, ପାହାଡ଼ ଚୂଡ଼ାରେ ଯେତେବେଳେ ଆପଣ ପହଞ୍ଚିଯାଉଛନ୍ତି, ସେତେବେଳେ ବଡ଼ ଏକାକୀ ହୋଇଯାଉଛନ୍ତି । ତ ସେ ଏକାକୀତ୍ୱର କାହାଣୀ ମଧ୍ୟ ଏ ପୁସ୍ତକରେ ରହିଛି ।

ଏ ବହିରେ ଆଉ ଗୋଟିଏ ସବ୍ପ୍ଲଟ୍ ମଧ୍ୟ ରହିଛି । ବାଣିଜ୍ୟିକ ସିନେମାରେ ନାୟକର ଇମେଜ୍ର ଦାୟ ଏବଂ ଜଣେ ଅଭିନେତାର ଭଲ କାହାଣୀରେ ଅଭିନୟ କରିବାର ଇଚ୍ଛା ଭିତରେ ସଂଘର୍ଷର କାହାଣୀ । ଗୋଟେ ସମୟରେ ଉତ୍ତମ କୁମାର ବାଧ୍ୟ ହେଉଥିଲେ ଫରମୁଲାର ଶଗଡ଼ଗୁଳାର ବାଣିଜ୍ୟିକ ସିନେମା କରିବାରେ । କିନ୍ତୁ ତାଙ୍କର ଶିଳ୍ପୀସତ୍ତାଟି ସବୁବେଳେ ଚାହୁଁଥିଲା ଭଲ, ଅଲଗା ଆଉ ନୂଆ କିଛି କରିବା ପାଇଁ । କିନ୍ତୁ ବିଭିନ୍ନ କାରଣରୁ ସେ ସୁଯୋଗ ସେ ପାଉନଥିଲେ । ସେତେବେଳେ ପୂରା ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ଜୀଇଁ ରହିବା ପାଇଁ ଅନେକାଂଶରେ ତାଙ୍କ ଉପରେ ନିର୍ଭରଶୀଳ ଥିଲା । ସେ ଦାୟିତ୍ୱକୁ ଉତ୍ତମକୁମାର ନିଜ କାନ୍ଧରେ ବହନ କରିଛନ୍ତି । ନିଜ ଶିଳ୍ପୀ ସତ୍ତାକୁ ଅବଦମିତ କରି ବାଣିଜ୍ୟ ପାଇଁ ଅଭିନୟ କରିଚାଲିବା ଜଣେ ଶିଳ୍ପୀ ପାଇଁ କେତେ ବେଦନାଦାୟକ ବିଶେଷକରି ଉତ୍ତମ କୁମାରଙ୍କ ଭଳି ବଡ଼ ମାପର ଶିଳ୍ପୀଙ୍କ ପାଇଁ -ତାହା ଏ ପୁସ୍ତକରେ ଲେଖକ ରେଖାଙ୍କିତ କରିଛନ୍ତି ।

ଏ ବହିରେ ଉତ୍ତମ କୁମାର-ସୁଚିତ୍ରା ସେନ୍ଙ୍କର କିମ୍ବଦନ୍ତୀପ୍ରତୀମ ଯୋଡ଼ି; ବିଷୟରେ ବି ବେଶ୍ କିଛି କଥା ଲେଖାଯାଇଛି । ଉତ୍ତମ କୁମାର-ସୁଚିତ୍ରା ସେନ୍ ୨୨ ବର୍ଷର କାଳଖଣ୍ଡ ଭିତରେ ଏକାଠି ୩୦ଟି ସିନେମା କରିଛନ୍ତି, । ତାଭିତରୁ ୧୪ଟି ୧୯୫୬ରୁ ୧୯୫୮- ମାତ୍ର ୩ ବର୍ଷ ଭିତରେ ମୁକ୍ତିଲାଭ କରିଥିଲା । ଏଇ ୩ ବର୍ଷ କୁହାଯାଇପାରେ ଯେ, ତାଙ୍କର ସବୁଠାରୁ ଶିଖର ବର୍ଷ । କିନ୍ତୁ ଯେହେତୁ ଉତ୍ତମ-ସୁଚିତ୍ରା ଯୋଡ଼ିଙ୍କୁ ଲୋକେ ପସନ୍ଦ କଲେ, ବାରମ୍ବାର ସେଇ ଉତ୍ତମ-ସୁଚିତ୍ରା ଯୋଡ଼ିର ସିନେମା ହେବା ପାଇଁ ଲାଗିଲା । ତରବରରେ ଲେଖା କାହାଣୀରେ କେବଳ ଏଇ ଯୋଡ଼ିକୁ ନେଇ ସିନେମା କରିବା ପାଇଁ ସିନେମା କରାଗଲା ଏବଂ ଏଥିରୁ ଅନେକଗୁଡ଼ିଏ ଫ୍ଲପ୍ ହେଲା ।

ତେବେ ଆଉ ଗୋଟିଏ କଥା ବଡ଼ ଲକ୍ଷଣୀୟ ତାହା ହେଉଛି, ଉତ୍ତମ କୁମାରଙ୍କ ସିନେମା ଫ୍ଲପ୍ ହେଇଛି, ଗୋଟେ ସମୟରେ ଲଗାତର ଭାବେ ଫ୍ଲପ୍ ହେଇଛି କିନ୍ତୁ ବଙ୍ଗୀୟ ଜନମାନସରେ ସେ କେବେ ମହାନାୟକର ମାନ୍ୟତାରୁ ତଳକୁ ଆସିନାହାନ୍ତି ।

ଆଉ ଗୋଟିଏ ପ୍ରଶ୍ନ ଉଠେ ଯେ, ବଙ୍ଗଳାର ଯଦି ସେ ମହାନାୟକ ଯେ ହିନ୍ଦୀରେ କାହିଁକି ସେ ଏତେ ଜନପ୍ରିୟ ହେଇପାରିଲେ ନାହିଁ । ଏ ବିଷୟରେ ମଧ୍ୟ ଲେଖକ ସାୟନ ଦେବ ତାଙ୍କ ଦୃଷ୍ଟିକୋଣରୁ ଲେଖିଛନ୍ତି । ତାଙ୍କର ଯୁକ୍ତି ହେଲା: ଉତ୍ତମ କୁମାରଙ୍କର ଚରିତ୍ର, ଅଭିନୟ ଜୀବନ ଶୈଳୀ ବଙ୍ଗୀୟ ସଂସ୍କୃତି ସହିତ ଏତେ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲେ, ଗୋଟେ ସମୟରେ ତାହା ଅଭିନ୍ନ ହୋଇଗଲା । ବଙ୍ଗୀୟ ସଂସ୍କୃତିର ସେ ସରହଦ ଭିତରୁ ସେ ଆଉ ବାହାରି ପାରିଲେ ନାହିଁ ବା ଲୋକେ ତାଙ୍କୁ ତାହାଠୁ ଭିନ୍ନ କରି କି ଦେଖିପାରିଲେ ନାହିଁ । ତେଣୁ ସର୍ବଭାରତୀୟ ସ୍ତରରେ ସେ ସେତେ ଜନପ୍ରିୟ ହେଇପାରିଲେ ନାହିଁ ଯଦିଓ ହିନ୍ଦୀରେ ସେ ବେଶ୍ କେତୋଟି ସିନେମା କରିଛନ୍ତି ଏବଂ ତା ଭିତରୁ କେତୋଟି ମୋଟାମୋଟି ଜନପ୍ରିୟ ମଧ୍ୟ ହେଇଛି ।

ଏ ବହିର ଲେଖକ ସାୟନଦେବ ଦିଲ୍ଲୀ ବି.ଆର.ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଆସିସ୍ଟାଣ୍ଟ୍ ପ୍ରଫେସର ଅଛନ୍ତି । ଇତିହାସ ଓ ସଂସ୍କୃତି, ବିଶେଷ କରି ଲୋକସଂସ୍କୃତିରେ ତାଙ୍କର ଆଗ୍ରହର କ୍ଷେତ୍ର ।

ଉତ୍ତମ କୁମାରଙ୍କ ବିଷୟରେ ଜାଣିବା ପାଇଁ, ତାଙ୍କ ସମୟର ଫିଲ୍ମ ଇଣ୍ଡଷ୍ଟ୍ରିର କାହାଣୀ ବିଷୟରେ ଜାଣିବା ପାଇଁ ଏବଂ ଜଣେ ଜିରୋରୁ ହିରୋ ହେଇଯିବା, ହିରୋର ଯନ୍ତ୍ରଣା କ’ଣ, ଏକାକୀତ୍ୱ କ’ଣ ତାହା ଜାଣିବା ପାଇଁ ଏ ବହିଟି ନିଶ୍ଚୟ ପଢ଼ନ୍ତୁ ।

Related Posts

Leave a Reply

Your email address will not be published. Required fields are marked *