ଶିବାଶିଷ ପାଢ଼ୀ
ପଦୋନ୍ନତି ତାସହ ପୁଣି ପୁରୁଣା ଜାଗାରେ ପୋଷ୍ଟିଙ୍ଗ । ଡବଲ ଖୁସିର ଧମାକାରେ ଉତଫୁଲ୍ଲିତ ଥିଲା ବର୍ଷାର ମନ । ବର୍ଷା ମାନେ ? ଶ୍ରୀମତୀ ବର୍ଷାରାଣୀ ଦାସ, ନୂତନ ଭାବେ ପଦୋନ୍ନତି ପାଇ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟ ଭାବେ ନୁଆ କରି ଯୋଗଦେବାକୁ ଯାଉଥିବା ରାଜ୍ୟର ଜଣେ କର୍ମଠ ତଥା ସଚ୍ଚୋଟ ଅଧିକାରୀ ।
ବାଇଶି ବର୍ଷ ବିତିଯାଇଥିଲା ୟା ମଧ୍ୟ୍ୟରେ । ପଦୋନ୍ନତି ତାଲିକାରେ ନିଜ ନାଆଁ ସହ ଯୋଗ ଦେବାକୁ ଯାଉଥିବା ଜିଲ୍ଲାର ନାଆଁ ଦେଖି ଖୁବ ଖୁସି ହୋଇଯାଇଥିଲା ସେ । ଭାବୁଥିଲା, ୟାକୁ ହିଁ କହନ୍ତି ଭାଗ୍ୟ । ଦିନସାରା କୋଳାହଳମୟ ଥିଲା ଅଫିସ । ସମସ୍ତ ସହକର୍ମୀ ଆସି ଅଭିନନ୍ଦନ ଜଣାଇଥିଲେ । କିଛି କିଛି ଏତେ ଦୂରରେ ପୋଷ୍ଟିଙ୍ଗ ହୋଇଥିବା ଯୋଗୁ ସମବେଦନା ବି ଜଣାଇଥିଲେ । ବର୍ଷାକୁ ଲାଗୁଥିଲା ତା ବଦଳିରେ କିଛି ପ୍ରକୃତରେ ଦୁଃଖି ଥିଲେ ତ ଆଉକିଛି ମନେମନେ ଖୁସି ବି । ଏସବୁ ସବୁ ଅଫିସର ଏକ ସ୍ୱାଭାବିକ କଥା ଭାବି ସେସବୁକୁ ଧ୍ୟାନ ଦେଇ ନଥିଲା ସେ । ତାର ପଦୋନ୍ନତିର ଖୁସିରେ ଏକ ଛୋଟକାଟର ଚା’ ଜଳଖିଆ ଆସରର ଆୟୋଜନ ବି କରା ହୋଇଥିଲା ଅଫିସରେ, ହେଲେ ବର୍ଷାର ମନ ସେପଟେ ନଥିଲା । ସେ ଲାଗିଥିଲା ନିଜ କାମରେ ।
ୱାଟ୍ସଅପରେ ଯାଉଥିଲା ପଦୋନ୍ନତି ଚିଠି ଆଉ ଫେରୁଥିଲା ଗଦାଗଦା ଅଭିନନ୍ଦନ ଓ ଶୁଭେଚ୍ଛ। । ସେସବୁକୁ ଆତ୍ମସ୍ଥ କରୁଥିବାବେଳେ ଫୋନ କରିଥିଲା ଝିଅ ସୁମି । ଅଭିନନ୍ଦନ ଜଣାଇ ଦେଇଦେଇଥିଲା ତା ବାପାଙ୍କୁ । କିଛି ସମୟ ପାଇଁ ପୁରୁଣା ସ୍ମୃତିରେ ହଜିଗଲେ ସେମାନେ । ଫୋନ ତ କଟି ସାରିଥିଲା କେତେବେଳୁ, କିନ୍ତୁ ସେ ସ୍ମୃତିରୁ ମୁକୁଳି ପାରୁ ନଥିଲା ବର୍ଷା । ସେ ସହରରେ ହିଁ ତ କୋଡ଼ିଏ ବର୍ଷ ଚାକିରି କରିଥିଲେ ବାପା । ସେଇଠି ବର୍ଷାର ପାଠପଢା । ପ୍ରଥମ ଚାକିରି । ସେଇ ପୁରୁଣା ସହର, ସେଇ ସାଙ୍ଗସାଥି । ସେଇ ପୁରୁଣା ସ୍ମୃତିକୁ ସତେଜ କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ କି?
ମନ ଅଥୟ ହେଉଥିଲା ।ହେଲେ ବର୍ତମାନ ସେଇଠି ଥିବା ଅଧିକାରୀ ପ୍ରଣବବାବୁଙ୍କ ନମ୍ୱର ନଥିଲା ।ମନେ ପଡିଲା ସେ ଫେସବୁକରେ ବନ୍ଧୁ ଅଛନ୍ତି । ଯୋଗକୁ ଅନଲାଇନ ବି ଥିଲେ ସେ ! ମେସେଞ୍ଜରରେ ଫୋନ ଲଗାଇଦେଲା ବର୍ଷା ।
–ମାଡାମ, ଆପଣଙ୍କୁ ପ୍ରଥମେ ପ୍ରଚୁର ଅଭିନନ୍ଦନ । ମୋର ତ ଭୁବନେଶ୍ୱର ପୋଷ୍ଟିଙ୍ଗ ହୋଇଛି । ଆପଣ ଆସିଲେ ମୁଁ ଯିବି ।
କହିଥିଲେ ପ୍ରଣବବାବୁ ।
ସମ ଶୁଭେଚ୍ଛା ଜଣାଇ ବର୍ଷା ପଚାରିଥିଲା –ନିଶ୍ଚୟ ସାର । ଆଉ ଅଫିସ ଖବର କଣ ?
ଯେମିତି ଏ ପ୍ରଶ୍ନକୁ ଅପେକ୍ଷା କରିଥିଲେ ପ୍ରଣବବାବୁ । ବିସ୍ତୃତ ଭାବେ ସେଠାରେ କାର୍ଯ୍ୟରତ ଅଧସ୍ତନଙ୍କ ବିଷୟରେ ସୂଚନା ଦେଇଥିଲେ ସେ । ତା ସହ କିଏ ଭଲ ଆଉ କାହାକୁ କେମିତି ଡିଲ୍ କରିବାକୁ ହେବ, ସେ ବିଷୟରେ ବି ବୁଝାଇ ଦେଇଥିଲେ ! ଶେଷକୁ କିନ୍ତୁ ସେ ଯାହା ବିଷୟରେ କହିଲେ ତାହା ଶୁଣି ବର୍ଷାର ଖୁସି ବଢିଗଲା ହଠାତ ।
ସେ ତ ନେଗେଟିଭ ହିଁ କହିଥିଲେ । କହିଥିଲେ,
-ସବୁ ଷ୍ଟାଫ ଠିକ ଅଛନ୍ତି ମାଡାମ ସେ ଗୋଟାକୁ ଛାଡ଼ି । ଶାନ୍ତି ମହାନ୍ତି ତାର ନାଆଁ । ବରିଷ୍ଠ କିରାଣୀ ଅଛି । ସେଇଟା ଭାରି ବଦମାସ । ମୁଁ ତା ନାଆଁରେ ଡିପି କରାଇଦେଇଛି ଯେ । ଆପଣ ଆସିଲେ ଜାଣିବେନି !
ହେଲେ ସେ କଥାକୁ ଶୁଣୁ ନଥିଲା ବର୍ଷା । ପୁଙ୍ଖାନୁପୁଙ୍ଖ ଭାବେ ପଚାରିଥିଲା ସେ ଶାନ୍ତି ମହାନ୍ତିଙ୍କ ବିଷୟରେ ଆଉ ତା ଖୁସି ବି ବଢୁଥିଲା । ଠିକ ତିନିଦିନ ପରେ ଓଡ଼ିଶାର ସେ ଉପାନ୍ତ ଜିଲ୍ଲାରେ ପହଞ୍ଚିଥିଲା ବର୍ଷା । ତାକୁ ଛାଡ଼ିବା ପାଇଁ ନିଜେ ଗାଡ଼ି ନେଇ ଯାଇଥିଲେ ଝିଅ ଓ ଶାଶ୍ୱତ । ବାଟ ସାରା ଯୋଜନା ତିଆରି କରୁଥିଲେ ସେମାନେ । ଶାଶ୍ୱତ ବି ନିଜ ଯୋଜନା ପ୍ରସ୍ତୁତ ରଖିଥିଲେ । କହିଥିଲେ
– ମୁଁ ତୁମ ପାଇଁ ହିଁ ମୋ ପ୍ରମୋସନକୁ ଅଟକାଇ ରଖିଥିଲି । ଏବେ ମୁଁ ଚଏସ ଦେଇଦେବି । ଭାବୁଛି ମାସେ ଦୁଇମାସରେ ମୋର ବି ବଦଳି ହୋଇଯିବ ।ଖୁସିକୁ ହୃଦୟ ଭିତରେ ଭର୍ତ୍ତି କରି ଖୁସି ହେଉଥିଲା ବର୍ଷା । ପାହାଡ଼ର ଛାତିଚିରି ଅଙ୍କାବଙ୍କା ହୋଇ ଲମ୍ବି ଯାଇଥିବା ଘାଟି ରାସ୍ତାରେ ଗାଡ଼ି ଚାଲୁଥିଲା । ଉଦ୍ଭିଦବିଜ୍ଞାନରେ ଗବେଷଣା କରୁଥିବା ଝିଅ ହଜି ଯାଉଥିଲା ସେ ରାସ୍ତା କଡ଼ର ଦୃଶ୍ୟରେ । ହେଲେ ବର୍ଷା ମନେ ପକାଉଥିଲା ଶାନ୍ତିଙ୍କୁ ।
ସେତେବେଳେ ବି.ଏ ସାରି ଘରେ ବସିଥିଲା ବର୍ଷା । ଏମିତି ମଜାରେ ମଜାରେ ସେ ଆବେଦନ କରି ଦେଇଥିଲା କନିଷ୍ଠ ସହାୟକ ପଦ ପାଇଁ ଆଉ ଚାକିରି ମିଳି ବି ଯାଇଥିଲା ।
ମାତ୍ର ଛଅ ମାସ ପାଇଁ ଚାକିରି କରିଥିଲା ବର୍ଷା । ସେତେବେଳେ ତା ସହ ସେହି ବିଭାଗରେ କାମ କରୁଥିଲେ ଶାନ୍ତି ମହାନ୍ତି ! କେତେ ବଡ଼ ହେବେ କି ?
ଏଇ ଦୁଇ ତିନି ବର୍ଷ ବଡ଼ । ତାର ବର୍ଷେ ଆଗରୁ ଚାକିରି କରୁଥିଲେ ସେ । ଶ୍ୟାମଳ ବର୍ଣ୍ଣର ସାଧାରଣ ଝିଅଟିଏ ଥିଲେ ସେ । କଥାବାର୍ତ୍ତା ମନକୁ କିଣିନେଲା ଭଳିଆ । ଲାଗୁଥିଲେ ସାଧାରଣ ହେଲେ ତାଙ୍କ ଭିତରେ ଲୁଚି ରହିଥିଲା ଅସାଧାରଣ ଜ୍ଞାନ । ନୀତି ନୈତିକତା ଆଉ ଦକ୍ଷତାର ଏକ ଅପୂର୍ବ ସମାହାର ଥିଲେ ଶାନ୍ତି ମହାନ୍ତି । ସେଇ ଛଅ ମାସରେ ସେ ଯେଉଁ ଶିକ୍ଷା ଦେଇଥିଲେ ସେ ଶିକ୍ଷାକୁ ପୁଞ୍ଜି କରି କେବଳ ସଫଳତା ପରେ ସଫଳତା ଗୋଟାଇ ଚାଲିଛି ବର୍ଷା ।ହେଲେ ସେ ଶାନ୍ତି ଅପା ଆଜି ବଦମାସ ? ଚକ୍ରାନ୍ତକାରି ? କିଛି ବୁଝି ପାରୁ ନଥିଲା ବର୍ଷା ।
ଏତେ ବର୍ଷର ବ୍ୟବଧାନ ଥିଲେ ବି ବେଶି ବଦଳି ନଥିଲେ ଶାନ୍ତି ଅପା । ହଁ ବୟସ ନିଜର ଛାପ ଛାଡ଼ିଥିଲା । ବହୁତ ଝଡ଼ି ଯାଇଥିଲେ ସେ ହେଲେ ଚେହେରାଟି ଠିକ ସେମିତି ହିଁ ଥିଲା । ପରିବର୍ତ୍ତନ କେବଳ ଏତିକି ଥିଲା ଯେ ସବୁବେଳେ ହସହସ ରହୁଥିବା ଚେହେରାକୁ ଆଚ୍ଛାଦିତ କରି ରଖିଥିଲା କେଉଁ ଏକ ଅଜଣା ଦୁଃଖ । ବର୍ଷା ଜାଣୁଥିଲା ତାକୁ ଦେଖି ଖୁସି ହେବାକୁ ଚେଷ୍ଟା କରୁଥିଲେ ସେ । ପରିଚୟ ପର୍ବ ସାରି ଯେ ଯେମିତି ନିଜନିଜ ସ୍ଥାନକୁ ଯାଇସାରିଥିଲେ ହେଲେ ଶାନ୍ତି ମହାନ୍ତିଙ୍କୁ ଅଟକାଇ ଦେଇଥିଲା ବର୍ଷା । ବିନା କୌଣସି ଔପଚାରିକତାରେ ସିଧା ପଚାରି ଦେଇଥିଲା !
– ମୁଁ ଆସିବାରେ ଆପଣ ଖୁସି ନୁହନ୍ତି କି ଅପା ?
ହସିଥିଲେ ସେ ! କହିଥିଲେ – ଟିକେ ନୁହେଁ, ବହୁତ ଖୁସି । ଆଉ ସତ କହିଲେ ବହୁତ ଦିନପରେ ତ ଖୁସି ହେଉଛି ମୁଁ । ନହେଲେ ଏଇ ଅଫିସରେ ଖୁସି ହେବା ଭୁଲିଯାଇଥିଲି ମୁଁ ।
ମୁଁ ଜାଣିଛି ଅପା । ଆପଣଙ୍କ ବିଷୟରେ ଶୁଣିଲି । କିନ୍ତୁ ଏମିତି କାହିଁକି ବଦଳିଗଲେ ଆପଣ ? କହିଥିଲା ବର୍ଷା ।
ଏବେ କିନ୍ତୁ ପ୍ରକୃତରେ ହସୁଥିଲେ ସେ । କହିଲେ
– ଅନ୍ୟ କିଏ ହେଲେ ତ କହି ନଥାନ୍ତି କିନ୍ତୁ ଆପଣଙ୍କୁ କହିବି –
ଉତ୍କଣ୍ଠିତ ହେଉଥିଲା ବର୍ଷା । ପ୍ରତିବାଦ କଲା । ମୋତେ ପୁଣି ଆପଣ କାହିଁକି ଅପା । ମୁଁ ସେଇ ବର୍ଷା । ତୁମ ସାନ ଭଉଣୀ ! ମୁଁ ବଦଳି ନାହିଁ ଜମା ।
ହାହାହା… ହସି ଦେଇଥିଲେ ସେ -କହିଥିଲେ ମୁଁ ବି ବଦଳି ନାହିଁ ଜମା ହେଲେ ସମୟ ବଦଳି ଯାଇଛି ବର୍ଷା ଆଉ ବଦଳି ଯାଇଛନ୍ତି ଲୋକେ । ବଦଳି ଯାଉଛି ଭଲ ଖରାପର ପରିଭାଷା । ସେଇଥିପାଇଁ ମୁଁ ଆଜି ବଦମାସ । ପ୍ରଶାସନିକ ହତ୍ୟାର ଶିକାର । ମୋ ନାଆଁରେ ପରା ଦୁଇ ଦୁଇଟି ପ୍ରୋସିଡିଙ୍ଗ ।
ପୁଣି ନିରାଶ ହୋଇ ଯାଉଥିଲେ ଅପା ହେଲେ ଖୁସି ହେଉଥିଲା ବର୍ଷା । କହିଥିଲା –
ଅପା ମୁଁ ଭାବୁଥିଲି ମୁଁ ମୋ ପାଇଁ ଏଠାକୁ ଆସିଥିଲି ହେଲେ ଏବେ ଜାଣୁଛି ଯେ ମୁଁ ଆପଣଙ୍କ ପାଇଁ ହିଁ ଆସିଛି । ମୁଁ ତ ଆସିନାହିଁ ଭଗବାନ ପଠେଇଛନ୍ତି !
ଆପଣ ଆଉ କିଛିଦିନ ପାଇଁ ବଦମାସ । ହସି ହସି କହିଥିଲା ବର୍ଷା ।
ଉଠୁଥିଲେ ଅପା ! କହିଥିଲେ – ସେ ବିଶ୍ୱାସ ଟିକକ ପାଇଁ ତ ମୁଁ ବଦଳିନାହିଁ ବର୍ଷା । ମୁଁ ଜାଣିଥିଲି ବଦଳିବ ଋତୁ ।
ଅପାଙ୍କ ଫାଇଲ ମଗାଇ ସାରିଥିଲା ବର୍ଷା । ପଢୁପଢୁ ଜାଣିଗଲା ସେ । ତା ଚେହେରା ଚମକି ଉଠୁଥିଲା । ଝରକା ସେପଟେ ଶାଳଗଛର ପେନ୍ଥାପେନ୍ଥା ଫୁଲ ପବନରେ ଦୋହଲି ଦୋହଲି ଋତୁ ପରିବର୍ତ୍ତନର ସୂଚନା ଦେଉଥିଲା ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।