ବିନୟ ମହାପାତ୍ର

ତୁମେ ଆସିବ ବୋଲି,
ବସନ୍ତକୁ ଡାକିଥିଲି,
ମଳୟ ଆଉ କୋଇଲିକୁ ବି ।

ହେଲେ ତୁମେ ଆସିଲନି,
କିଛି ଦୁଃଖ ନାହିଁ,
ତୁମେ ଆସିଲନି, କଣ ବା ବିଗିଡ଼ି ଗଲା,
ତୁମ ଅନୁପସ୍ଥିତିରେ ବି ବସନ୍ତ ଆସିଲା,
ଚଉଦିଗେ ରଙ୍ଗ ବିଛାଡ଼ି ଦେଇ ଗଲା,
ମୋ ଅଗଣାର ଗୋଲାପ ଗଛରେ,
ଆଉ, ରାସ୍ତାକଡ଼ କୃଷ୍ଣଚୁଡ଼ା ଗଛକୁ ବି
ନାଲି ଓଢଣୀରେ ଢ଼ାଙ୍କି ଦେଇ ଗଲା,
ଆଉ ସୋରିଷ କ୍ଷେତକୁ
ହଳଦିଆ ଶାଢୀ ପିନ୍ଧାଇଲା ।
ଆଉ ତ ଆଉ,
ଆମ୍ବ ଗଛରେ ବଉଳ ଆସିଲା,
ମହୁଲ ଫୁଲରେ, ମଳୟ ମହକି ଗଲା,
କୋଇଲି ଗାଇଲା କୁହୁକୁହୁ, ଆଉ
ପ୍ରେମୀ ହୃଦୟକୁ ରୋମାଞ୍ଚିତ କରିଗଲା,
ବନ, ଉପବନ ତରୁଲତା
ଆଉ ମଳୟ ପବନ,
ସବୁ କିଛି ପ୍ରେମର ରଙ୍ଗରେ
ସତେ ରଙ୍ଗ ଜୁଡୁବୁଡୁ ହୋଇଗଲା ।

ତୁମେ ଆସିଥିଲେ ଭଲ ଲାଗିଥାନ୍ତା,
ଦେହକୁ ଦେହ ଲଗାଇ,
ସାଥି ହୋଇ ବସିଥାନ୍ତେ,
ପାର୍କର କୋଣର ସେହି କୃଷ୍ଣଚୁଡା ଗଛ ତଳେ,
ସିମେଣ୍ଟ ବେଞ୍ଚରେ ।

ତୁମ ହାତକୁ ମୋ ହାତେ
ଜାବୁଡ଼ି ଧରିଥାନ୍ତି,
କିଛି ଗପ ସପ୍ କରି ଥାନ୍ତେ,
ମନେପକେଇ ଥାଆନ୍ତେ,
ପୁରୁଣା ଦିନର କଥା,
ଆଉ କରିଥାନ୍ତେ କିଛି ଭବିଷ୍ୟତର ଯୋଜନା ।

ତୁମେ କିଛି କହିଥାନ୍ତ, ମୁଁ ଶୁଣିଥାନ୍ତି,
ଆଉ ମୁଁ କିଛି କହିଥାନ୍ତି, ତୁମେ ଶୁଣିଥାନ୍ତ ।
ଛୋଟ ଛୋଟ କଥାରେ
ତୁମେ କେବେ ରୁଷି ଯାଆନ୍ତ,
ଯେମିତି ଆଗରୁ ରୁଷି ଯାଉଥିଲ,
ମୁଁ ଟିକେ ଗେହ୍ଲା କରିଦେଲେ
କୁନି ଝିଅଟିଏ ପରି,
ତୁମେ ଖିଲିଖିଲି ହସି ଦେଇଥାନ୍ତ ।

କିଛି କଥା ନାହିଁ, ଦୁଃଖ ବି ନାହିଁ,
ତୁମେ ଆସିଲନି ତ ଆସିଲନି,
ହେଲେ ଫଗୁଣ ତ ଆସିଲା,
ହୋଲିର ରଙ୍ଗରେ ଦେହ, ମୁଣ୍ଡ,
ପୋଷାକ ତ ପୋଷାକ,
ଗଛର ପତ୍ର, ଆଉ ଘରର କାନ୍ଥରେ ବି
ହୋଲିର ଛିଟା ଲାଗିଗଲା !
ହେଲେ ମୋ ମନରେ ଲାଗିଲାନି,
ଟୋପିଏ ବି ରଙ୍ଗ,
ଅପରାହ୍ନ ସୂର୍ଯ୍ୟର କିରଣ ଯେ
ଦେହ ମନ ଆଉ ହୃଦୟରେ
କ୍ଳାନ୍ତିର ଲାଲିମା, ବୋଳି ସାରିଲାଣି,
ସଞ୍ଜ ଘୋଟି ଆସିଲାଣି,
ରାତ୍ରି ହେବାକୁ ଆଉ, କେତେ ଅବା ଡେରି ?

ହୋଇପାରେ,
ପୁଣି କେବେ ଦେଖା ହୋଇଯିବ,
ଦେଖା ହେଲେ ଦୁହିଙ୍କୁ ଖୁସି ତ ଲାଗିବ
ଦେଖା ନହେଲେ ବି ଦୁଃଖ ନାହିଁ,
ଜୀବନର ଏଇ ନିଃସଙ୍ଗତା ଯେ
ଦେହସୁହା ହୋଇ ସାରିଲାଣି ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *