ସତ୍ୟରଞ୍ଜନ ପ୍ରହରାଜ
ଗୋଟେ ଅନ୍ତର୍ବସ୍ତ୍ର ହଜି ଯାଇଥିଲା
ପିପିଲିରେ, ହାଥରାସରେ, ଦକ୍ଷିଣ ଦିଲ୍ଲୀରେ
ପଦଯାତ୍ରାରେ ଥିଲେ ଆମେ
ଶୋକସଭାରେ ବି ଆମେ
ଯଦିଓ ବସ୍ତୁତଃ ଛୁଟି ମିଳିନଥିଲା ଅଫିସରୁ
ସମୟ ନଥିଲା ଜଂଜାଳରୁ
ଅଥଚ ସୁନ୍ଦର ଯୁକ୍ତି କରିଥିଲେ ସଂଗତରେ
ଗୋଟେ ଦୁଇଟି କବିତା ଛପେଇଥିଲେ ଖବରରେ ।
ଗୋଟେ ପେନଡ୍ରାଇଭ୍ ମିଳିଥିଲା,
ସେଥିରେ ଥିଲା ଅଲଗା ଅଲଗା ଅନ୍ତର୍ବସ୍ତ୍ର
ଗୋଟେ ପୁରୁଷର ଅଣଚାଶ ସ୍ତ୍ରୀ ଓ ପ୍ରେମିକା ଥିଲେ
ସମସ୍ତଂକ ବସ୍ତ୍ର ଅଲଗା ଅଲଗା ରଂଗର
ସେମାନଂକ ନାଆଁ ଓ ଚିତ୍ର ଅଲଗା
ସେ ପୁରୁଷମାନେ ଥିଲେ ଅନାମଧେୟ
ସଂଧ୍ୟା ସାତଟା ଖବରରେ
ଟିକେ ବି ନଥିଲା ବ୍ୟତିକ୍ରମ
ବରଂ କହିପାର ବାରମ୍ବାରତାରେ ମରିଯାଏ ଆଶ୍ଚର୍ଯ୍ୟତା ସବୁର ।
ମଣିଷର ବାସନା କି ବସନ ସମାନ ନୁହେଁ
ଧଳା ହାତୀମାନଂକ ଆଗାର ବି ସାଧାରଣ ନୁହେଁ
ଅପରାଧର ଥାଏ ସରଂକ୍ଷଣ
ଯେମିତି ଜନ୍ମର, ଯନ୍ତ୍ରଣାର
ଗୋଟେ ଗୋଟେ ରାଜ୍ୟର, ଏପରିକି ଦେଶର !
ଠିକ୍ ସେମିତି ସେ ଚିତ୍ରରେ ଦିଶୁଥୁବା ଜାରଜ
ଅପରିଚିତ ହେଇପାରେ
ତା ହାତରେ ସେ ଅନ୍ତର୍ବସ୍ତ୍ର ଏବେ ଇତିହାସ
ପ୍ରସିଦ୍ଧ ସେ ଚିତ୍ରକାର
କୁଖ୍ୟାତ ସେ ଦେଶ
ଆମେ ସୁରକ୍ଷିତ ବସିଛନ୍ତି
କବଚରେ କୁଣ୍ଡଳରେ
ଏସବୁ ଭୁଲିଯିବା ଯାଏଁ ସମୟ !
ଏରୋଡ୍ରୋମ୍ ଏରିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଦିନୁ ସାହିତ୍ୟ ପ୍ରତି ଆକର୍ଷଣ ଥିଲେ ବି କଲେଜ ସମୟରୁ ଲେଖାଲେଖି ଆରମ୍ଭ କଲି । ବିଶେଷ କରି କବିତା ଲେଖେ ଓ ଅଳ୍ପକିଛି ଗପ ଲେଖିଛି । ମୋର ପ୍ରଥମ କବିତା ବହି “ମିଛ ଜହ୍ନରାତି” ୨୦୨୧ ରେ ପ୍ରକାଶିତ ହୋଇସାରିଛି ।