ବିନୟ ମହାପାତ୍ର

ସମୟ ରାତି ଏଗାରଟାରୁ କିଛି ଅଧିକା ହେବ । ଅଧା ସହର ଶୋଇ ପଡ଼ିଲାଣି ସେତେବେଳକୁ । କିନ୍ତୁ ରାନୁ ତାର ପଢା ଟେବୁଲ ପାଖରେ ବସି ମାଟ୍ରିକ୍ ପରୀକ୍ଷା ପାଇଁ ପାଠ ପଢାରେ ଲାଗିଥାଏ । ଏପ୍ରିଲ ମାସର ଗରମ । ସିଲିଂ ଫ୍ୟାନଟା ଘୁରୁଛି ମୁଣ୍ଡ ଉପରେ । ଟେବୁଲ ଲ୍ୟାମ୍ପର ଆଲୁଅ କେବଳ ଟେବୁଲଟାକୁ ଯାହା ଆଲୋକିତ କରୁଥାଏ, କିନ୍ତୁ ବାକି ବଖରାଟା ଝାପ୍ସା ଅନ୍ଧକାର ଭିତରେ ବୁଡ଼ି ରହିଛି । ରାନୁ ତାର ପାଠ ପଢା ବହି ଭିତରେ ପୁରା ହଜି ଯାଇଥାଏ । ଧିରେଧିରେ ନିଦ ମାଉସୀ, ତାର କୋମଳ ହାତ ରାନୁର ସାରା ଦେହରେ ବୁଲାଇ ଆଣୁଥାଏ ଏବଂ ସେ ନିଦ ମାଉସୀର ସ୍ନେହ ବନ୍ଧନ ଭିତରେ ଧୀରେଧୀରେ ହଜି ଯାଉଥାଏ ।
ହଠାତ୍ ରାନୁର ମନେ ପଡିଗଲା, ପରୀକ୍ଷା ପାଇଁ ପଢା ଯେ ବହୁତ ବାକି ରହିଯାଇଛି । ମାଟ୍ରିକ୍ ପରୀକ୍ଷା ତା ଜୀବନର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ପରୀକ୍ଷା । ସେ ଜାଣିଛି, ଏଇ ପରୀକ୍ଷାର ଫଳାଫଳ ତାର ଭବିଷ୍ୟତର ଦିଶା ନିର୍ଦ୍ଦେଶ କରିବ । ତାକୁ ନିଦ ଉପରେ ବିଜୟ ହାସଲ କରିବାକୁ ପଡ଼ିବ । ନହେଲେ ହୁଏତ ତାର ଭବିଷ୍ୟତ ବି ଶୋଇପଡ଼ିବ । ରାନୁ ପାଠ ପଢାରେ ଖୁବ୍ ଭଲ, ସବୁବେଳେ କ୍ଲାସରେ କୌଣସି ନା କୌଣସି ପୋଜିସନ ରଖି ଆସିଛି । ଖାଲି ପାଠ ପଢା ନୁହେଁ, ଖେଳକୁଦରେ ବି ସେ ଆଗୁଆ । ଅନେକ ସାର୍ଟିଫିକେଟ ଆଉ ଟ୍ରଫିରେ ତାଙ୍କର ଡ୍ରଇଂ ରୁମର ସେଲ୍ଫଟା ପୁରାପୁରି ଭରିଯାଇଛି । ତାର ଇଚ୍ଛା ଭବିଷ୍ୟତରେ ସେ କମ୍ପିଟେଟିଭ୍ ପରୀକ୍ଷା ଦେବ, କଲେକ୍ଟର କି ଆଉ କିଛି ବଡ଼ ଅଫିସରଟିଏ ହେବ, ନହେଲେ ସେନାରେ ଫାଇଟର ପ୍ଲେନ୍ ଉଡ଼େଇବ । କେବଳ ତାର କଠିନ ପରିଶ୍ରମ ହିଁ ତା ଜୀବନର ସବୁ ସ୍ୱପ୍ନକୁ ସାକାର କରିପାରିବ । ତାର ଦୃଢ ଇଚ୍ଛାଶକ୍ତି ତାକୁ ତାର ଇପ୍ସିତ ଫଳ ପ୍ରଦାନ କରିପାରିବ ।
ନିଦର ପ୍ରଭାବରୁ ନିଜକୁ ମୁକ୍ତ କରିବା ପାଇଁ ଡାଇନିଂ ସ୍ପେସରେ ଲାଗିଥିବା ବେସିନରେ ମୁହଁ ଧୋଇବାକୁ ଚାଲି ଆସିଲା । ହଠାତ୍ କେହିଜଣେ ବଡ଼ କଷ୍ଟରେ କୁନ୍ଥେଇ ହେଉଥିବାର ଶବ୍ଦ ସେ ଶୁଣିପାରିଲା । ବାଆଁ ପଟକୁ ବାପା ବୋଉଙ୍କ ବେଡ଼ ରୁମ୍ । କୁନ୍ଥେଇ ହେଉ ଥିବା ଶବ୍ଦଟି ତାକୁ ବହୁତ ଚିହ୍ନାଚିହ୍ନା ଲାଗୁଥାଏ, ତାକୁ ଲାଗିଲା ଏଇଟା ହୁଏତ ବୋଉର ଶବ୍ଦ । ବାପା ବି ଆଜି ଘରେ ନାହାନ୍ତି । ଅଫିସ ଟୁର୍ ରେ ଆଜି ସଂଧ୍ୟାବେଳେ କୋରାପୁଟ ବାହାରିଗଲେ । ବୋଉର ଦେହ କଣ କିଛି ଅଧିକ ଖରାପ ହେଲାକି ? ଏପରି ଭାବି ରାନୁ ବାପାଙ୍କ ବେଡ଼ରୁମ ପାଖକୁ ଯାଇ କବାଟ ପାଖରେ କାନ ଡେରି ଶୁଣିବାକୁ ଲାଗିଲା ।
ହଁ ଏଇଟା ତ ବୋଉର ଶବ୍ଦ, ତାର ସନ୍ଦେହ ଅମୁଳକ ନଥିଲା । ଏଇଟା ବୋଉର କଷ୍ଟରେ କୁନ୍ଥେଇ ହେବାର ଶବ୍ଦ, କିନ୍ତୁ ବୋଉର କଣ ହେଲା, ସେ କାହିଁକି କୁନ୍ଥଉଛି ? ରାନୁ କବାଟରେ ହାତ ମାରିଲା, କବାଟଟା ଭିତର ପଟୁ କେବଳ ଆଉଜା ହୋଇଥିଲା । ବେଡ଼ରୁମରେ ଜିରୋ ପାୱାର ବଲ୍ବର ମିଞ୍ଜିମିଞ୍ଜି ଆଲୁଅରେ ରାନୁ ଦେଖିଲା, ବୋଉ ତାର ପେଟକୁ ଜାବୁଡି ଧରି ବଡ଼ କଷ୍ଟରେ କୁନ୍ଥେଇ ହେଉଛି, ସତେଯେପରି ବହୁତ କଷ୍ଟ ହେଉଛି ତାକୁ । ରାନୁ ପାଖକୁ ଯାଇ ଡାକିଲା, ପଚାରିଲା ବୋଉ କଣ ହେଉଛି ? ବୋଉର ଯନ୍ତ୍ରଣା ସେତେବେଳକୁ ବଢିବଢି ଚାଲିଥିଲା । ବଡ଼ କଷ୍ଟରେ ବୋଉ କହିଲା, ‘ଆରେ, ସଂଧ୍ୟାବେଳରୁ ଅଳ୍ପ ଅଳ୍ପ ମୋର ପେଟ ବଥା ହେଉଥିଲା । ଭାବିଲି ଖାଇବା ପିଇବାରେ କଣ ଟିକେ ଅସୁବିଧା ହୋଇ ଏମିତି ଗ୍ୟାସ ହୋଇ ଯାଇଥିବ । ଆଜି ସକାଳ ଜଳଖିଆ ଖାଉଖାଉ ଦିନ ବାରଟା ବାଜି ଯାଇଥିଲା । ପେଟବଥା ଲାଗି ଥଣ୍ଡା କ୍ଷୀର କପେ ପିଇଥିଲି ସଂଧ୍ୟା ବେଳେ, ସେଥିରେ ଏସିଡ଼ି ପ୍ରୋବ୍ଲେମ ଠିକ୍ ହୋଇଯାଏ । କିନ୍ତୁ ଆଜି ବଥା କମ୍ ହେଲାନି, ଏବେ ହଠାତ୍ ବହୁତ ବଢିଗଲା ।’
ଦୂର୍ଯୋଗକୁ ବାପା ବି ସଂଧ୍ୟାବେଳେ ଟୁର୍ ରେ ଚାଲିଗଲେ । ବୋଉକୁ କହିଲି, ‘ଘରେ ଭାଇ ତ ଅଛି, ତାକୁ ଡାକି ଦେବି ? ସିଏ ବଜାରକୁ ଯାଇ କଣ ଟିକେ ମେଡିସିନ୍ ନେଇ ଆସିବ ।’ ବୋଉ ବିକଳ ହୋଇ କହିଲା, ‘ସେ ଟୋକା ଶୋଇଥିବ । ଏବେ କହିଲେ ସେ କଣ ଯିବ ? ତା କଥା ତୁ କଣ ଜାଣିନୁ ? ତଥାପି କଷ୍ଟ ବିକଳରେ ବୋଉ ସୋନୁ ଭାଇକୁ ଡାକ ଛାଡ଼ିଲା, କହିଲା ‘ବାପାରେ, ବଡ କଷ୍ଟ ହେଉଛି, ବେଶି ରାତି ହୋଇନି ରାତି ଏଗାରଟା ବାଜିଛିି ଜମାରୁ, ଯା ଟିକେ ଦେଖ, ମେଡିକାଲ ଛକରେ କେଉଁ କେମିଷ୍ଟ ଦୋକାନ ଖୋଲାଥିବ, ଇନୋ ଗୋଟେ ପାଉଚ୍ ନେଇ ଆସିବୁ ।’ ହେଲେ ସୋନୁ ଭାଇ କିଛି ଜବାବ ଦେଲାନି । ବୋଉ ତିନି ଚାରି ଥର ଡାକି ସାରିବା ପରେ ରାନୁ କହିଲା, “ତୁ ରହ, ସେ ବୋଧେ ଶୋଇ ପଡିଥିବ । ମୁଁ ଯାଇକି ଦେଖୁଛି ।”
ରାନୁ ଯାଇ ସୋନୁର ବେଡରୁମ କବାଟ ଠକ୍ ଠକ୍ କଲା । କେତେ ଚେଷ୍ଟା ପରେ ସୋନୁ କବାଟ ଖୋଲିଲା । ତା କାନରେ ଇଅର ଫୋନ୍ ଟା ଠୁସା ହୋଇଛି । ହାତରେ ମୋବାଇଲ ଫୋନ୍ ଟା ଏବେ ବି ଅନ୍ ଅଛି । ସେ କିଛି ଫିଲ୍ମ ଡାଉନଲୋଡ କରି ଦେଖୁଥିଲା ବୋଧହୁଏ । ସୋନୁକୁ ଏପରି ଅବସ୍ଥାରେ ଦେଖି ରାନୁର ମୁଣ୍ଡ ଗରମ ହୋଇଗଲା । ହେଲେ ସେ ତା ରାଗକୁ ଚାପି ରଖି କହିଲା, ‘ଭାଇ, ବୋଉର ପେଟ ବଥା ହେଉଛି, ସେ କଷ୍ଟରେ କଥା କହିପାରୁନି ।’
ସୋନୁ କାନରୁ ଇଅରଫୋନଟା ନକାଢି ରାନୁକୁ ପଚାରିଲା “କଣ ହେଲା?”
ରାନୁର ପିତ ସତେଯେପରି ତା ମୁଣ୍ଡକୁ ଚଢିଚଢି ଆସୁଥିଲା । ସେ ସୋନୁର କାନରୁ ଇଅର ଫୋନଟା ଏକପ୍ରକାର ଓଟାରି ଆଣି କହିଲା ‘ଏଇଟା ତ କାନରେ ଠୁଁସିଛୁ, ଶୁଭିବ କେମିତି । କିଏ ମଲେ କି ଗଲେ ତୋର ଜାଣିବା କଣ ଦରକାର ? ବାପା ଘରେ ନାହାନ୍ତି, ଏବେ ତୁ ଏକା ପୁଅ ପିଲା ଏଇ ଘରେ । କାହାର କଣ ହେଲା ନହେଲା ତାର ଧ୍ୟାନ ରଖିବୁନି ? ବୋଉର ପେଟ ଖରାପ ହୋଇ ବଥା କରୁଛି, କଷ୍ଟରେ ସେ କାନ୍ଦି ପାରୁନି । ତୋତେ ଡାକ ଛାଡି ଚାଲିଛି, ହେଲେ ବାବୁଙ୍କୁ ଫିଲ୍ମରୁ ସମୟ ବଳିଲେ ସିନା କାହା ଖବର ଜାଣିବ । ଚାଲ ଦେଖିବୁ ବୋଉକୁ କେତେ କଷ୍ଟ ହେଉଛି’ କହି ସୋନୁର ହାତ ଧରି ବାପାଙ୍କ ରୁମ୍ କୁ ଟାଣି ନେଇଗଲା ।
ବୋଉ, ସୋନୁ ପାଖକୁ ଆସିବା ଦେଖି କହିଲା, ‘ପୁଅରେ ଏବେ ରାତି ଏଗାରଟା ବାଜିଛି । ମେଡିକାଲ ଛକରେ କେମିଷ୍ଟ ଦୋକାନ ସବୁ ପ୍ରାୟ ଖୋଲା ଥିବ । ଯାଇକି ଗୋଟେ ଇନୋ ନେଇ ଆସିବୁ, ବଡ କଷ୍ଟ ହେଉଛି । ମେଡିସିନ୍ ଖାଇଦେଲେ ଟିକେ ଭଲ ଲାଗିବ ।’
ହେଲେ ସୋନୁ ଯିବାକୁ ନାରାଜ୍, କହିଲା ‘ଏତେ ରାତିରେ କୋଉ କେମିଷ୍ଟ ଦୋକାନ ଖୋଲିକି ବସିଥିବ ଯେ ? ମୋତେ ନିଦ ବି ଲାଗୁଛି, ମୁଁ ଏବେ ଯାଇ ପାରିବିନି, ତୁ ଶୋଇପଡ଼, ଶୋଇ ପଡ଼ିଲେ ଟିକିଏ ଭଲ ଲାଗିବ । ମୁଁ କାଲି ସକାଳ ହେଲେ ଯାଇ ମେଡିସିନ୍ ନେଇ ଆସିବି ତୋ ପାଇଁ” କହି ସୋନୁ ଚାଲି ଗଲା ତା ରୁମକୁ ।’
ରାନୁ ବୋକି ଝିଅଟିଏ ପରି ଚାହିଁ ରହିଥାଏ ସୋନୁ ଭାଇର ଯିବା ବାଟକୁ । ମନେମନେ ଭାବୁଥାଏ, ଏଇ ସୋନୁ ଭାଇ କଲେଜ ଯିବ ବୋଲି ମୋଟରସାଇକେଲ କିଣି ଦେବାକୁ ଅଝଟ କରିଥିଲା । ସେତେବେଳେ ବାପା ମନା କରି ଦେଇଥିଲେ, କହିଲେ ମୋଟର ସାଇକେଲ ମିଳିଲେ ବାବୁ ଆଉ ପାଠ ପଢାରେ ମନ ଦେବେନି । ସାଙ୍ଗମାନଙ୍କ ସାଙ୍ଗରେ ଖାଲି ବୁଲାବୁଲି କରିବ । ହେଲେ ବୋଉ ସେତିକିବେଳକୁ ଭାଇ ପାଇଁ ଓକିଲାତି କରିଥିଲା । ବାପାଙ୍କୁ କହିଲା ପୁଅଟା କଲେଜ ଗଲାଣି, କେତେ ସାଇକେଲ ପେଲିପେଲି ଯାଉଥିବ । ତାର ସାଙ୍ଗମାନେ ସବୁ ମୋଟରସାଇକେଲରେ ଯିବା ଆସିବା କରୁଛନ୍ତି ବୋଲି କହୁଥିଲା । ବାପା କହିଲେ, ‘ବୁଝିଲ, ଆମେ ଯେତେବେଳେ କଲେଜରେ ପଢୁଥିଲୁ ସେତେବେଳେ ଆମ ପାଖରେ ସାଇକେଲଟିଏ ବି ନଥିଲା । ମେସ୍ ରୁ ଦୁଇ କେଲୋମିଟର ରାସ୍ତା ଚାଲିଚାଲି ଝାଳନାଳ ହୋଇ କଲେଜ ଯାଉଥିଲୁ । ଆଜି ବାବୁଙ୍କ ପାଖରେ ସାଇକେଲ ଖଣ୍ଡେ ତ ଅଛି, ସେ କଣ କମ୍ କଥା । ତାକୁ କୁହ ଏଥର ପରୀକ୍ଷାରେ ଯଦି ଭଲ ନମ୍ବର ଆଣିବ, ତେବେ ଭାବିବି ତା ପାଇଁ ମୋଟରସାଇକେଲ କିଣିବା କଥା । ଦେଖିଲ, ରାନୁ ଆମର ଝିଅଟା, ହେଲେ କେତେ ପରିଶ୍ରମ କରୁଛି ସିଏ । ସବୁ ପରୀକ୍ଷାରେ କ୍ଲାସରେ ଫାଷ୍ଟ ସେକେଣ୍ଡ ହୋଇ ପୋଜିସନ୍ ରଖୁଛି । ପ୍ରତିବର୍ଷ ସ୍କୁଲ ସ୍ପୋର୍ଟସରେ କେତେ କେତେ ଟ୍ରଫି ନେଇକି ଆସୁଚି । ଆଉ ପୁଅ ଆମର ସେଇ ଥାର୍ଡ ଡିଭିଜନରୁ ଉପରକୁ ଉଠିବାକୁ ମନ କରୁନାହାନ୍ତି । ରାନୁକୁ ଦେଖି କିଛି ତ ଶିଖନ୍ତା ସାନ ଭଉଣୀଠୁ । ଖେଳକୁଦ କଥା ତ ଛାଡ଼ ।’ ବୋଉ ଶେଷରେ ବାପାଙ୍କୁ ବୁଝେଇ କହିଲା- ‘ତୁମେ ତ ମାସରେ ଅଧାଦିନ ଟୁରରେ ଚାଲି ଯାଉଛ । ଘରେ ପୁଅଟା ଅଛି, କେତେବେଳେ କଣ ଦରକାର ପଡ଼ିଲେ ବଜାର ସଉଦା ଟିକିଏ କରିଦେବ । ରାତି ଅଧରେ କେବେ କିଛି ଜରୁରୀ ପଡ଼ିଗଲେ ସେ କରିଦେବ ନା’ ସବୁକାମ ।’ ହେଲେ ସୋନୁକୁ ଆଜି ଯାଏ ଘରକାମ ପାଇଁ କେବେ ସମୟ ମିଳିନି । ଆଉ ଆଜି ଯେତେବେଳେ ବୋଉର ଦରକାର ପଡୁଛି, ସେତେବେଳେ ବାବୁଙ୍କର ଫିଲ୍ମରୁ ମନ ଛାଡୁନି ।
ବୋଉର କଷ୍ଟ ରାନୁ ଆଉ ସହି ପାରିଲିନି । ସେ କହିଲା, ‘ବୋଉ ! ମୁଁ ବଜାର ଯାଇ ନେଇ ଆସିବି ତୋ ମେଡିସିନ୍ ।’ ବୋଉ ତା ମୁହଁକୁ ଟିକେ ସନ୍ଦେହ ଭରା ଦୃଷ୍ଟିରେ ଅନେଇ କହିଲା, ‘ଜାଣିଛୁ ଏବେ ରାତି ଏଗାରଟା ବାଜିଲାଣି । ଆଜିକାଲି ଯେମିତି ସମୟ ହେଲାଣି ତୁ ଝିଅ ପିଲାଟା ଏକୁଟିଆ ଏତେ ରାତିରେ ବାହାରକୁ ଯିବୁ ? ତୁ କଣ ପୁଅ ପିଲା ହେଇଛୁ ? ନାଃ, ଏତେ ରାତିରେ ଝିଅ ପିଲା ବାହାରକୁ ଯାଆନ୍ତିନି । ମୁଁ ଶୋଇ ପଡ଼ିଲେ ମୋର ଠିକ୍ ହୋଇଯିବ, ତୁ ଯା ଶୋଇପଡ଼ ।’ କଷ୍ଟରେ ବୋଉର ସେତା ପଡ଼ି ଯାଇଥିବା ମୁହଁ ଆଡ଼କୁ ରାନୁ ପୁଣି ଥରେ ଚାହିଁଲା । ତାର ଆଖି ଜକେଇ ଆସିଲା । ଭାବିଲା ଧନ୍ୟରେ ତୁ ମାଆ, ଏତେ କଷ୍ଟରେ ବି ଝିଅର ନିରାପତ୍ତା କଥା ଭାବୁଛୁ । ରାନୁ ବୋଉ ମୁହଁକୁ ଚାହିଁ କହିଲା- ‘ମୁଁ ନେଇ ଆସୁଛି ମେଡିସିନ୍ । ତୁ ବ୍ୟସ୍ତ ହୁଅନା । ତୁ ମୋ କଥା ଚିନ୍ତା କରନା । ମୁଁ ଏଇ ଗଲି, ଆଉ ପାଞ୍ଚ ମିନିଟରେ ନେଇ ଆସିବି ତୋ ମେଡିସିନ୍ ।’ କହି ରାନୁ ବାହାରିଗଲା । ବୋଉ ବାରମ୍ବାର ପାଟି କରି କହୁଥାଏ, ‘ଆରେ ! ଯାଆନାରେ, ମୋ କଥା ମାନ । ମୋର ବେଶି କଷ୍ଟ ହେଉନି, ଏବେ ଟିକେ ଭଲ ଲାଗୁଛି । ଓଃ, କାହା କଥା ଶୁଣିବନି ଝିଅଟା, ଆରେ ହେ ରାନୁ, ବାହାରକୁ ଯାଆନାରେ ମାଆ, ଆଜିକାଲି ସମୟ ଭଲ ନୁହେଁ । ଓହଃ, କେଡ଼େ ଆମାନିଆ ଝିଅଟାରେ ତୁ ରାନୁ, କେଡେ ‘ଅଣ୍ଡିରାଚଣ୍ଡି’ ଝିଅଟା ସତେ ।’ ସେତେବେଳକୁ ରାନୁ ସାଇକେଲ ନେଇ ବାରଣ୍ଡା ତଳକୁ ଓହ୍ଲେଇ ସାରିଥିଲା । ମାଆର କଷ୍ଟ ଆଗରେ ତାକୁ ସବୁକିଛି ଖୁବ୍ ଛୋଟ ଲାଗୁଥିଲା । ରାନୁ ମେଡ଼ିକାଲ ଛକରେ କେମିଷ୍ଟ ଦୋକାନ ଖୋଜୁଖୋଜୁ ଭାବୁଥିଲା, ଏତେ ସବୁ ହେଲାପରେ ବି, ବୋଉ ତାର ଗେହ୍ଲା ପୁଅକୁ ‘ମାଇଚିଆ’ ବୋଲି କହି ପାରିଲାନି, କିନ୍ତୁ କେଡ଼େ ସହଜରେ ମୋତେ ‘ଅଣ୍ଡିରାଚଣ୍ଡି’ ବୋଲି କହିପାରିଲା !
(ନାରୀ ସ୍ୱାଧୀନତା ଏବଂ ସମାନତା କଥା ପ୍ରତିଦିନ ଆମେ ଟିଭି, ଖବରକାଗଜରେ ପଡୁଛୁ, ଶୁଣୁଛୁ, ବଡ଼ବଡ଼ ସଭା ସମିତିରେ ନେତାମାନେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି । ଆମେ ସମସ୍ତେ ଏ କଥା ଜାଣୁ, ଦରକାର ପଡ଼ିଲେ କୌଣସି ଆଲୋଚନାରେ ସେ ବିଷୟରେ ଭଲ ଭାଷଣ ବି ଦେଇପାରୁ, ହେଲେ ସତରେ କଣ ଆମ ପୁରୁଷ ସମାଜ ନାରୀର ଶକ୍ତିକୁ ସହୃଦୟତାର ସହିତ ସ୍ୱୀକାର କରିପାରିଛି ? ଖେଳକୁଦ ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନଙ୍କର ପୁରୁଷ ମାନଙ୍କ ଅପେକ୍ଷା ବହୁତ ଭଲ ପ୍ରଦର୍ଶନ ସତ୍ତ୍ୱେ ନାରୀମାନଙ୍କ ପ୍ରତି ପୁରୁଷମାନଙ୍କର ଦୃଷ୍ଟିକୋଣରେ କିଛି ପରିବର୍ତ୍ତନ ଆସିଛି କି ? ଆଜିବି ଯଦି କୌଣସି ପୁରୁଷ ସୁଲଭ କାର୍ଯ୍ୟ କୌଣସି ଜଣେ ନାରୀ କେବେ କରିଦିଏ, ତେବେ ଆମେ କେଡ଼େ ସହଜରେ ତାକୁ ‘ଅଲାଜୁକି’ କିମ୍ବା ‘ଅଣ୍ଡିରାଚଣ୍ଡି’ ବୋଲି କହିଦେଇପାରୁ । ଆଜି କେବଳ ଆମର ଦୃଷ୍ଟି ନୁହେଁ ଆମର ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ।)
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।