ଆତ୍ମାର ମଶାଣି: ଏକ ଅଧୁରା ଜଳାଞ୍ଜଳି

ସରୋଜ କୁମାର ପଣ୍ଡା

ମହୀଶୂରର ସେହି କୁହୁଡ଼ିଆ ସକାଳ ଆଜି ବି ସ୍ୱାସ୍ତିକର ଆଖି ଆଗରେ ଏକ ଜୀବନ୍ତ ଚଳଚ୍ଚିତ୍ର ଭଳି ନାଚିଯାଏ । ଊଟିର ପାହାଡ଼ିଆ ପରିବେଶରୁ ସେ ତାର ଝୁମୁରି ମାଉସୀଙ୍କ ଘରକୁ ବୁଲିବାକୁ ଯାଇଥିଲା । ସେଦିନ ବାରଣ୍ଡାରେ ସେ ବସିଥିବା ବେଳେ ପାଉଁଜିର ରୁଣୁଝୁଣୁ ଶବ୍ଦ ସହ ଏକ ମିଠା ବାସ୍ନା ପବନରେ ଭାସି ଆସିଲା । ଅହମ୍ମଦାବାଦରୁ ଆସିଥିବା ଉର୍ବଶୀ ହାତରେ ଚାହା କପେ ଧରି ତା’ ଆଡ଼କୁ ଆସୁଥିଲା । ସେହି ପ୍ରଥମ ଦିନର ଚାହା କପ୍‌ରୁ ଆରମ୍ଭ ହୋଇଥିବା ସମ୍ପର୍କ ସାତ ଦିନ ପର୍ଯ୍ୟନ୍ତ ଆଖିରେ ଆଖିରେ ଏକ ସୁନ୍ଦର ସ୍ୱପ୍ନ ଭଳି ଚାଲିଲା । ବିଦାୟ ସନ୍ଧ୍ୟାରେ ମହୀଶୂର ରାଜପ୍ରାସାଦ ସାମ୍ନାରେ ଉର୍ବଶୀର ସେହି ଲୁହଭରା ଶବ୍ଦ – “ତୁମେ ନଥିଲେ ମୁଁ ମରିଯିବି”- ସ୍ୱାସ୍ତିକକୁ ପୁରାପୁରି ଉର୍ବଶୀର କରିଦେଲା ।

ମହୀଶୂରରୁ ଫେରିବା ପରେ ଆରମ୍ଭ ହେଲା ପ୍ରେମର ଏକ ନୂଆ ରଙ୍ଗ । ଦୂରତା ବଢ଼ିଲା ସତ, କିନ୍ତୁ ମୋବାଇଲ୍ ଫୋନ୍ ସେମାନଙ୍କୁ ଆହୁରି ପାଖକୁ ନେଇଆସିଲା । ସକାଳ ଆଖି ଖୋଲିବା ମାତ୍ରେ ଉର୍ବଶୀର “ଶୁଭ ସକାଳ”ର ବାର୍ତ୍ତା ନଦେଖିଲେ ସ୍ୱାସ୍ତିକର ଦିନ ଆରମ୍ଭ ହେଉ ନଥିଲା । ଘଣ୍ଟାଘଣ୍ଟା ଧରି ଚାଟିଂ, ଭିଡିଓ କଲ୍‌ରେ ପରସ୍ପରକୁ ଦେଖି ହସିବା ଆଉ ଦିନସାରା କଣ ହେଲା ସେସବୁ ଗପିବାରେ ସେମାନେ ନିଜକୁ ହଜାଇ ଦେଇଥିଲେ । ରାତି ତମାମ ମୋବାଇଲ୍‌କୁ ଧରି ଦୁହେଁ ଦୁହିଁଙ୍କ ଭିତରେ ବଞ୍ଚୁଥିଲେ ।

ଦିନେ ଉର୍ବଶୀ ଆଉ ରହିପାରିଲା ନାହିଁ, ବ୍ୟାକୁଳ ହୋଇ ଡାକିଲା – “ସ୍ୱାସ୍ତିକ, ତୁମକୁ ଦେଖିବାକୁ ଭାରି ଇଚ୍ଛା ହେଉଛି, ଚାଲିଆସ ଅହମ୍ମଦାବାଦ ।” ସ୍ୱାସ୍ତିକ ସବୁକିଛି ଛାଡ଼ି ଦୌଡ଼ିଲା ସେହି ଅଚିହ୍ନା ସହରକୁ । ସେଠାରେ ସେ ଏକ ହୋଟେଲ୍‌ରେ ରହୁଥିଲା, କିନ୍ତୁ ତାର ପ୍ରତିଟି ମୁହୂର୍ତ୍ତ ଉର୍ବଶୀ ପାଇଁ ଉତ୍ସର୍ଗୀକୃତ ଥିଲା । ସେହି ଅଜଣା ସହରରେ ଦୁହେଁ ହାତକୁ ହାତ ଧରି ପାର୍କରେ ବୁଲିବା, ସିନେମା ଦେଖିବା ଆଉ ମନ୍ଦିର ଯାଇ ପରସ୍ପରକୁ ପାଇବା ପାଇଁ ମାନସିକ କରିବାର ମଜା ଥିଲା ନିଆରା । ଯେବେ ଉର୍ବଶୀ ମହୀଶୂର ଆସୁଥିଲା, ବେଙ୍ଗାଲୁରୁ ଷ୍ଟେସନରୁ ତାକୁ ଆଣିବା ଠାରୁ ଆରମ୍ଭ କରି ସେ ଫେରିବା ପର୍ଯ୍ୟନ୍ତ ଛାଇ ଭଳି ସ୍ୱାସ୍ତିକ ତା’ ସହ ରହୁଥିଲା। ଝୁମୁରି ମାଉସୀ ସବୁ ଦେଖୁଥିଲେ । ମାଉସୀ କହୁଥିଲେ, “ପ୍ରେମ କର କିନ୍ତୁ ବିଚ୍ଛେଦ ଯେମିତି ନହେଉ ।” କିନ୍ତୁ ସ୍ୱାସ୍ତିକର ଅନ୍ଧ ପ୍ରେମ ଦେଖି ସେ ଦିନେ କହିଥିଲେ, “ସ୍ୱାସ୍ତିକ, ଉର୍ବଶୀର ଦେହରେ କେବଳ ଆକର୍ଷଣ ଅଛି, ଭାବନା (Feelings) ନାହିଁ । ସବୁ କରେ କିନ୍ତୁ ପ୍ରେମରେ ପାଗଳ ହେବୁ ନାହିଁ ।” ସ୍ୱାସ୍ତିକ ସେତେବେଳେ ମାଉସୀଙ୍କ କଥାକୁ ହସରେ ଉଡ଼ାଇ ଦେଇଥିଲା ।

କିନ୍ତୁ ସମୟ ଚକ ବୁଲିଲା । ଯେଉଁ ଉର୍ବଶୀ ଦିନେ ସ୍ୱାସ୍ତିକ ବିନା ମରିଯିବାର ନାଟକ କରୁଥିଲା, ସେ ଏବେ ସଂପୂର୍ଣ୍ଣ ବିପରୀତ ଦିଗରେ ଗତି କଲା । ସକାଳର ସେହି ଶୁଭ ସକାଳର ବାର୍ତ୍ତାଠାରୁ ଆରମ୍ଭ କରି ରାତିର ଶୁଭରାତ୍ରି ପର୍ଯ୍ୟନ୍ତ, ନିତିଦିନିଆ ନିୟମ ସବୁ ବଦଳିଗଲା । ଉର୍ବଶୀ ଏବେ ତା’ର ସବୁ ସୁଖ-ଦୁଃଖ ସ୍ୱାସ୍ତିକକୁ ଲୁଚାଇ ତା’ର ସାଙ୍ଗ ନିଶା ଏବଂ ରିତିକାଙ୍କୁ ବାଣ୍ଟିବାରେ ଲାଗିଲା । ସ୍ୱାସ୍ତିକ ଧୀରେଧୀରେ ତା’ ଜୀବନର ସବୁ ଖବରରୁ ଦୂରେଇ ଗଲା । ମାସମାସ ଧରି କଥା ନହେବାରୁ ସ୍ୱାସ୍ତିକ ବାଧ୍ୟ ହୋଇ ଉର୍ବଶୀର ବାନ୍ଧବୀ ନିଶାଙ୍କୁ ପଚାରିଲା । ସେତେବେଳେ ଜଣାପଡ଼ିଲା ଯେ ଉର୍ବଶୀ ତାକୁ ‘ଟଙ୍କା ଲୋଭି’ ଓ ‘ଭିକାରି’ ବୋଲି ସାଙ୍ଗମାନଙ୍କ ଆଗରେ କହୁଛି । ଯେତେବେଳେ ସେ ଉର୍ବଶୀକୁ ଏ ବିଷୟରେ ପଚାରିଲା, ଉର୍ବଶୀ ଓଲଟା ଚିତ୍କାର କରି କହିଲା – “ତୁମେ ନିଶା ସହ ଏତେ କଥା କାହିଁକି ହେଉଛ ? ତୁମେ କୁଆଡ଼େ ତାକୁ ରଖିଛ, ସେଥିପାଇଁ ତା ସହ ସବୁ କଥା ଶେୟାର କରୁଛ !”

ଯେହେତୁ ସ୍ୱାସ୍ତିକ ନିଜକୁ ମାରି ଦେଇ ଉର୍ବଶୀର ଦେହରେ ହିଁ ବଞ୍ଚୁଥିଲା, ସେ ଅନୁଭବ କରିପାରୁଥିଲା ଯେ ଉର୍ବଶୀ ତାକୁ ତା’ର ସତ୍ତାରୁ ବାହାର କରିବାକୁ ଚାହେଁ । ଯେତେବେଳେ ବି ଉର୍ବଶୀ ତାକୁ ଦୂରେଇ ଦେବାକୁ ଚେଷ୍ଟା କଲା, ସ୍ୱାସ୍ତିକକୁ ଲାଗିଲା ଯେମିତି ତା’ର ଜୀବନ୍ତ ଶରୀରରୁ କେହି ଚମଡ଼ା ଛଡ଼ାଇ ନେଉଛି । ବହୁ ବର୍ଷର ଏହି ନିର୍ଯାତନା ପରେ ସ୍ୱାସ୍ତିକ ଆଉ ସମ୍ଭାଳି ପାରିଲା ନାହିଁ । ସେ ପାଗଳଙ୍କ ଭଳି ରଡ଼ି ଛାଡ଼ିଲା, ଜୋରରେ କାନ୍ଦିଲା ଏବଂ ଅସହ୍ୟ ଯନ୍ତ୍ରଣାରେ ଗାଳି ଦେବା ଆରମ୍ଭ କଲା – “ଉର୍ବଶୀ, ଯଦି ମନରେ ନାହିଁ ଛାଡ଼ି ଦିଅ, କିନ୍ତୁ ଏମିତି ତିଳତିଳ କରି କଷ୍ଟ ଦିଅନି !” ସେ ଖାଇବା ଛାଡ଼ିଲା, ଶୋଇବା ଛାଡ଼ିଲା । ସେ ଜାଣିଥିଲା ଉର୍ବଶୀ ମନରେ ତା’ ପାଇଁ ଆଉ ଭଲପାଇବା ନାହିଁ, ତଥାପି ସେ ନିଜକୁ କଷ୍ଟ ଦେବାରେ ଲାଗିଲା । ଯେତେବେଳେ ବି ସେମାନେ ଭେଟ ହେଉଥିଲେ, ବାସ୍ ସେହି ଦୈହିକ ମିଳନ ପରେ ଉର୍ବଶୀ ଅଯଥା କଥା ବାହାର କରି ଦୂରେଇ ରହିବାର ପ୍ରୟାସ କରୁଥିଲା । ସ୍ୱାସ୍ତିକ କରିବ କଣ ? ସେ ଧୀରେଧୀରେ ବିଷାଦ ଆଡ଼କୁ ଗତି କଲା ।

ଦୀର୍ଘଦିନ ପରେ ସ୍ୱାସ୍ତିକର ଅସୁସ୍ଥତା ବଢ଼ିଲା, ସେ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିଲା । କିନ୍ତୁ ଏହି ଖବର ଶୁଣି ଉର୍ବଶୀ ଦୁଃଖ କରିବା ବଦଳରେ ହସିଲା । ଯେଉଁ ଛୋଟଛୋଟ କଥା ଦିନେ ଉର୍ବଶୀ ପାଇଁ ସବୁକିଛି ଥିଲା, ଏବେ ତାହା ତା’ ପାଇଁ ଖୁବ୍ ସାଧାରଣ (Casual) ଥିଲା । ଉର୍ବଶୀ ତା’ର ସାଙ୍ଗସାଥି ଓ ଅପରିଚିତ ଲୋକଙ୍କ ସହ ହସଖୁସିରେ ସମୟ ବିତାଉଥିବା ବେଳେ ସ୍ୱାସ୍ତିକକୁ ପାଖକୁ ଆସିଲେ ତାକୁ ମାନସିକ ସ୍ତରରେ ବିଚଳିତ କଲାଭଳି ବ୍ୟବହାର କରୁଥିଲା । ଶେଷରେ ସ୍ୱାସ୍ତିକ ସ୍ଥିର କଲା ସେ ଦୂରେଇ ଯିବ । କିନ୍ତୁ ନା, ଉର୍ବଶୀ ତାକୁ ଦୂରେଇ ଯିବାକୁ ବି ଦେଲାନି । ଅଳ୍ପ ଦିନର ବ୍ୟବଧାନରେ ସେ ପୁଣି ଫେରିଆସେ, ଲୁହ ଦେଖାଇ “ଖୁବ୍ ଭଲପାଉଛି” କହେ, ଆଉ ଆର ମୁହୂର୍ତ୍ତରେ ପୁଣି ‘ଭିକାରି’ ଓ ‘ଟଙ୍କା ଲୋଭି’ କହି ଟର୍ଚ୍ଚର କରେ ।

ସ୍ୱାସ୍ତିକ ପାଗଳ ହୋଇ ଉର୍ବଶୀର ଆଖିକୁ ଚାହିଁ ପଚାରିଲା – “ଉର୍ବଶୀ, ଚାହୁଁଛ କଣ ତୁମେ ? ମାରିଦେବାକୁ ଯଦି ଇଚ୍ଛା ତେବେ ସିଧା ମାରିଦିଅ, କିନ୍ତୁ ଏମିତି ଖେଳ ଖେଳନି !” ସ୍ୱାସ୍ତିକର ମନକୁ ଅନେକ ବିଭତ୍ସ ଭାବନା ଆସିଲା – “ଉର୍ବଶୀକୁ କଣ ଅନ୍ୟ ପୁଅ ଭଲ ଲାଗିଗଲା ? କଣ ତାର ପ୍ରେମ କେବଳ ଟାଇମ୍‌ପାସ୍ ଆଉ ଦେହର ବାସ୍ନା ଥିଲା ? ନା ମୋର ରୂପ ରଙ୍ଗ ତାକୁ ଖରାପ ଲାଗିଲା ? ନା ସେ କେବଳ ଦେହର ସୁଖ ପରେ ମୋତେ ପାଉଁଶ ଭଳି ଫୋପାଡ଼ି ଦେଲା ?” ଏହି ସବୁ କଥା ସେ ଯେତେବେଳେ ଉର୍ବଶୀକୁ କହେ, ଉର୍ବଶୀ ଆହୁରି ଭୟଙ୍କର ରୂପ ଧାରଣ କରେ । ସେ ସ୍ୱାସ୍ତିକ ଆଖି ସାମ୍ନାରେ ଅନ୍ୟ ସହ ହସିବ, କିନ୍ତୁ ସ୍ୱାସ୍ତିକ ପାଇଁ କେବଳ ବିଷ ଓଗାଳିବ । ସ୍ୱାସ୍ତିକକୁ ପରେ ସମାଜ, ପରିବାର ଆଉ ନିଜର Image ସବୁ ଦେଖାଗଲା, ଯାହା ତାକୁ ଭିତରୁ ଶେଷ କରିଦେଲା ।

ଜୀବନର ସବୁ ଆଶା ହରାଇ ସ୍ୱାସ୍ତିକ ଯେତେବେଳେ ସଂପୂର୍ଣ୍ଣ ଅସୁସ୍ଥ ହୋଇଗଲା, ସେ ବୁଝିଗଲା ଯେ ଉର୍ବଶୀର ମନରେ ତା’ ପାଇଁ ଆଉ କିଛି ନାହିଁ। ସେ ଶେଷଥର ପାଇଁ ଚେଷ୍ଟା କରିଥିଲା, ଯେମିତି ସେଠାରେ ପଡ଼ିଥିବା ତା’ର ସେହି ମଲା ଶରୀରକୁ ଉର୍ବଶୀ ପୁଣି ଥରେ ଜୀବନ୍ତ କରିବ। କିନ୍ତୁ ନା… ସେ ଶରୀର ଆଉ ଜୀବନ୍ତ ହେଲା ନାହିଁ। ଉର୍ବଶୀର ପଥର ହୃଦୟରୁ ତା’ ପାଇଁ ସ୍ପନ୍ଦନଟିଏ ବି ବାହାରିଲା ନାହିଁ।

ଆଜି ସ୍ୱାସ୍ତିକ ସେହି ଶେଷ ରାସ୍ତା ବାଛି ନେଇଛି । ସେ ନିଜ ଶରୀରକୁ ମଶାଣିରେ ଜଳାଇ ଦେବାକୁ ଯାଉଛି । ଜୁଇର ନିଆଁ ବଢ଼ୁଛି… ଆଉ ସେହି ନିଆଁର ପ୍ରତିଟି ଶିଖାରେ ଜଳିଯାଉଛି ମହୀଶୂରର ସେହି ଚାହା, ରାଜପ୍ରାସାଦର ସେହି ଲୁହ, ଅହମ୍ମଦାବାଦର ସେହି ଦୌଡ଼ ଆଉ ଉର୍ବଶୀର ଶରୀରରେ ବଞ୍ଚିବାର ସେହି ପାଗଳାମି । ଧୂଆଁ ହୋଇ ଆକାଶରେ ମିଶି ଯାଉଛି ଲେଖକ ଟିଟୁ ପଣ୍ଡାଙ୍କ କାହାଣୀର ସେହି ଅସହାୟ ସ୍ୱାସ୍ତିକ । ଯେଉଁ ଶରୀରକୁ ସେ ଜୀବନ୍ତ କରିବାକୁ ଆଶା ରଖିଥିଲା, ଆଜି ତାହା ପାଉଁଶ ହୋଇ ପବନରେ ଉଡ଼ିଯାଉଛି । ଶେଷ ହେଲା ଏକ ଜୀବନ୍ତ ଆତ୍ମାର କରୁଣ ଚିତ୍କାର ।

ଗଞ୍ଜାମ

ଲେଖକ ପରିଚୟ

ସ୍କୁଲ ପଢିଲାବେଳଠୁ ଲେଖି ଆସୁଛି । ନିଜର ମନର ଭାବନାକୁ ଶବ୍ଦର ରୂପ ଦେଲେ ନିଜକୁ ଖୁବ ହାଲକା ଲାଗେ ବୋଲି ଲେଖେ । ମୋତେ ସରଳ ଭାଷାରେ କବିତା ଲେଖିବାକୁ ଭଲ ଲାଗେ । ଯେମିତି କି ସାହିତ୍ୟ ଜାଣି ନଥିବା ଲୋକ ବି ତୁମ ଭାବନାକୁ ସହଜରେ ବୁଝିପାରିବ । ସହିତ୍ୟ ବିଷୟରେ ବହୁତ କିଛି ଶିଖିବା ଜାଣିବାର ଆଗ୍ରହ ରହିଛି, ତେଣୁ ଲେଖିବା ଅପେକ୍ଷା ପଢିବାକୁ ବେଶୀ ଭଲପାଏ ।

Related Posts

Leave a Reply

Your email address will not be published. Required fields are marked *