ପିଲାଙ୍କ ଦ୍ୱାରା ଅନୁଦିତ ଗପବହି ‘ଆମ କୁନି ଗପ’ ଲୋକାର୍ପିତ

ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ ୫୦ଟି ଗପ ଏହି ବହିରେ ସ୍ଥାନ ପାଇଛି । ଖଣ୍ଡଗିରି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରର ଶ୍ରୀନିକା ସନୋଜା, ଭାନୁପ୍ରତାପ ଖଣ୍ଡା, ଆୟୁସ ଦାସ, ଇନ୍ଦିରା ପ୍ରିୟଦର୍ଶିନୀ, ସାଇ ଶ୍ରୀୟା ସିଂହ, ମିଲନ ପ୍ରସାଦ ବେହେରା, ସତ୍ୟପ୍ରକାଶ ବାରିକ, ଗୁଣବର୍ଦ୍ଧନ ସ୍ୱାଇଁ, ପ୍ରିୟମ ପରିଡ଼ା, ସ୍ମୃତିମୟୀ ମହାରଣା, ଶୁବ୍ରଜିତ୍ ବଳିଆରସିଂହ ଓ ଖଣ୍ଡଗିରି ସ୍ଥିତ ଜାଭିଅର ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଅଦ୍‌ଭିକ୍ ପଟ୍ଟନାୟକ ଏସବୁ ଗପର ଅନୁବାଦ କରିଛନ୍ତି ।

ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିନୋଦ କୁମାର ସାହୁ ଓ ସୃଜନିକାର ପ୍ରତିଷ୍ଠାତା ସଦସ୍ୟା ପୁଷ୍ପଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ପଦ୍ମଜା ନନ୍ଦିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ବହିର ଗପଗୁଡ଼ିକ ଅନୁବାଦ କରିଥିବା ସମସ୍ତ ୧୨ ଜଣ ପିଲା ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସେମାନଙ୍କୁ ଖଣ୍ଡିଏ ଲେଖାଏଁ ବହି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ‘ଆମ କୁନି ଗପ’ ବହିର ଡିଜିଟାଲ କପି ଓଡ଼ିଆ ବିଭବ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ତେଣୁ ଯେକେହି ବ୍ୟକ୍ତି ଏଥିରୁ ଡାଉନଲୋଡ୍ କରି ପଢ଼ିପାରିବେ ବୋଲି ସୃଜନିକା ପକ୍ଷରୁ ସୂଚନା ଦିଆଯାଇଛି । ମୂଳ ବହିର ଅନ୍ୟ ଗପଗୁଡ଼ିକୁ ପିଲାମାନେ ଅନୁବାଦ କରିବା ପରେ ପୂର୍ଣ୍ଣାଙ୍ଗ ବହି ପ୍ରସ୍ତୁତ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ମତ ଦେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *