ସତ୍ୟନାରାୟଣ ଗନ୍ତାୟତ

ଏମିତି ଭାବନାମାନ ଆମ ମନରେ କିଆଁ ଟୁକ୍ କରି ପ୍ରବେଶି ଯା’ନ୍ତି କେଜାଣି, ଏନେଇ ପର କ୍ଷଣେ ଭାବିଲେ ମଥା ଘୂରାଇବାକୁ ଆରମ୍ଭ କରେ । ଯେମିତି ଏ ଜ୍ଞାନ ବଣ୍ଟନ ପ୍ରସଙ୍ଗ !
ହଁ, ଆପଣ ହୁଏତ କହି ନପାରନ୍ତି, କିନ୍ତୁ କି’ ବିଶ୍ୱାସ ଆମେ ପଦେ କହିବାରମ୍ଭ କରୁକରୁ କେହି ଯଦି କହି ଉଠିବେ : ଶୁଣ ହୋ, ଇଏ ଫେର୍ ଅଇଲେ ଜ୍ଞାନ ବାଣ୍ଟିବା ପେଇଁ ! ତ’ ଏଥିରୁ ଅନୁମାନ କରନ୍ତୁ ଇଦାନୀଂ ଜ୍ଞାନ ଆଉ ବଣ୍ଟନର ବିଷୟ ନୁହଁଇ ।
ତେବେ ଏଥକୁ ପହିଲେ ଜ୍ଞାନ ମହଜୁଦ ଥିବା ଚାହି ବୋଲି ଆମ ମତ । ତଦୁତ୍ତାରେ ସିନା ବଣ୍ଟନ କଥା ଉଠୁଛି । ଜ୍ଞାନ ଆହରଣାର୍ଥେ ବିଦ୍ୟାର୍ଜନ ନିତାନ୍ତ ପ୍ରୟୋଜନ । ତେଣୁ ତ’ ବିଦ୍ୟାକୁ ଏକାନଟେ ମହାଧନ ବୋଲାଯାଇ ଏହାର ଉପାର୍ଜନ ଦିଗରେ ପିଲାଦିନୁ ମଗ୍ନ ରହିବାକୁ କୁହାଯାଇଛି । ପୁନଶ୍ଚ ପ୍ରକାରାନ୍ତରେ ଏ ଜୀବନର ଅନିଶ୍ଚିତତା ଦର୍ଶାଇବା ସହ ବାଲ୍ୟକାଳୁ ଧର୍ମ ରୂପୀ ଧନ ଅଳ୍ପଅଳ୍ପ କରି ହେଉପଛେ ନିୟତ ସଞ୍ଚି ଚାଲିବା ପାଇଁ ଯେଉଁ ସଦୁକ୍ତି ରହିଛି, ତାହା ତ’ ଆତ୍ମଜ୍ଞାନ ପ୍ରାପ୍ତି ପରେ ହିଁ ସମ୍ଭବ ।
ଅତଃ ଜ୍ଞାନ ପ୍ରାପ୍ତି ପାଇଁ ବିଦ୍ୟା ଆହରଣ କଥା ଉଠିଲେ ତଥାକଥିତ ପ୍ଲେ ସ୍କୁଲ ଠଉଁ ଆରମ୍ଭ କରି ମହାବିଦ୍ୟାଳୟ ଦେଇ ବିଶ୍ଵବିଦ୍ୟାଳୟ ଯାଏ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କଥା ଉଠେ । ଏଠେଇଁ ହିଁ ଜ୍ଞାନ ବଣ୍ଟନ ପ୍ରସଙ୍ଗ ବି ସମତାଳରେ ଉଠିଥାଏ । ଅର୍ଥାତ କହୁ ନାହାନ୍ତି, ବୃତ୍ତିଗତ ଭାବେ ହେଉପଛେ ଜ୍ଞାନ ବିତରଣ ହେଉଥିବାରୁ ସିନା ଜ୍ଞାନ ହାସଲ ସମ୍ଭବ ହୋଇଥାଏ !
ଏଣୁ ତ’ ଏମିତି ଜ୍ଞାନ ବଣ୍ଟନ କରି ଆସୁଥିବା କାରଣରୁ ହିଁ ଶିକ୍ଷା ପ୍ରଦାନରେ ନିୟୋଜିତ ଗୁରୁକୁଳ ସଦା ନମସ୍ୟ ଅଟନ୍ତି ।
ତେବେ ଆନୁଷ୍ଠାନିକ ବିଦ୍ୟାଧ୍ୟୟନ ମାଧ୍ୟମରେ ହାସଲ କରାଯାଉଥିବା ଜ୍ଞାନ ଏକ ସ୍ତର ପରେ ପ୍ରମାଣପତ୍ର ପ୍ରାପ୍ତି ହାସଲ ସହ ସରିଯାଏ । ଏହି ଜ୍ଞାନ କିନ୍ତୁ ବଣ୍ଟନ ପାଇଁ ହିଁ ଉଦ୍ଦିଷ୍ଟ । ଏ କ୍ଷେତ୍ରରେ ବିଦ୍ୟା ଦଦାତି ବିନୟଂ ବିଦ୍ୟା ବଣ୍ଟନ ହେଲେ ବଢେ ବୋଲି ଯେଉଁ ଦିଶା ନିର୍ଦ୍ଦେଶମାନ ରହିଛି ତଦନୁସାରେ ଏଭଳି ବିଦ୍ୟା ପିଢି ପରେ ପିଢି ଅକୃପଣ ଓ ଉଦାର ବଣ୍ଟନ ହେବା ମାଧ୍ୟମରେ ବରଂ ବଢ଼ି ଆସୁଛି ।
କିନ୍ତୁ ଏ ସଂସାର ମଧ୍ୟ ଏକ ଶିକ୍ଷାଳୟ । ଅନୁରୂପ ଭାବେ ସାମାଜିକ ପ୍ରାଣୀ ବୋଲାଇ ଜୀବନଯାପନ ଭିତରେ ଏହି ସମାଜ ବି କମ୍ ଶିକ୍ଷା ଦିଏନି ! ହଁ, ଏସବୁକୁ ଅନୁଭବ ବୋଲି କହିହେବ ଯାହା ଆୟୁଷ ବିନିମୟରେ ଅର୍ଜିତ ହୋଇଥାଏ । ଏହି ଅନୁଭବ ପୁଷ୍ଟ ଜ୍ଞାନ ବିତରଣ କ୍ଷେତ୍ରଟି ହିଁ ଏବ କାଳରେ ବିଡ଼ମ୍ବିତ ମନେହୁଏ । ଉପରେ ପଡ଼ି କିଛି ଅନୁଭବର କଥା କହିଲେ ଏଇନେ କୁଆଡ଼େ ଅଯଥା ଜ୍ଞାନ ବାଣ୍ଟିବା ହୋଇଗଲାଣି । ଅନ୍ୟଥା ସେହିସେହି କଥାମାନ ବିନୟ ଅପେକ୍ଷା ବିଜ୍ଞାପନ ଆଧାରିତ ହୋଇ ଭଳିକିଭଳି ସର୍ବାଧୁନିକ ମାଧ୍ୟମରେ ବହୁ ଆଡ଼ମ୍ବରରେ ବ୍ୟାପକ ଭାବେ ବ୍ୟବସାୟିକ ବିତରଣ କ୍ରମେ କହିଲେ ତାହା ତୁଚ୍ଛା ପ୍ରେରଣା ହୋଇଥିଲେ ହେଁ ଛାଏଁ ପାଲଟିଯାଏ ତଥାଚର୍ଚ୍ଚିତ ମୋଟିଭେସନ !
ପରିବାରର ଗୁରୁଜନଙ୍କ ମାଗଣା ମାର୍ଗଦର୍ଶନ ଅଯଥା ଉପଦେଶ ମନେ ହୋଇଥାଏ । ହେଲେ ସେଇ ଏକା କଥା ଯଥେଷ୍ଟ ଦେୟ ପ୍ରଦାନ ସହ ଶୁଣିଲେ ହୋଇଯାଏ ଉଦବୋଧନ ବା ପ୍ରବଚନ ! ଏନେଇ ବହୁଜନ ଶୃତ ମଜା କଥାଟି ଏମନ୍ତ : ନିଜକୁ ଜଣେ ମହାତ୍ୟାଗୀ ବୋଲାଇ ଗଳଦଘର୍ମ ହୋଇ ଭାଷିବାନ୍ତେ ମହାନ ପ୍ରବାଚକ ଜଣକ ତାଙ୍କ ୟୂଟୁବ ଓ ଇନଷ୍ଟାଗ୍ରାମକୁ ନିଶ୍ଚିତ ସବସ୍କ୍ରାଇବ୍ କରିବା ସହ ବ୍ୟାପକ ଲାଇକ୍ କମେଣ୍ଟ୍ ଓ ସେୟାର୍ କରିବାକୁ ସହାସ୍ୟ ନିବେଦନାନ୍ତେ ସେ ବିତରଣ କରିଥିବା କଥାମୃତ ଗଳଗଳ ପାନ କରି ନିଜନିଜକୁ କୃତାର୍ଥ ମଣୁଥିବା ଶ୍ରୋତାମାନଙ୍କ ସହ ସେଲଫି ଉଠାଇ ଆପଣାର ମହାନତା ପ୍ରଦର୍ଶନ କରିବାକୁ କୁଆଡ଼େ ଆଦୌ ଭୁଲି ନଥିଲେ ।
ସମ୍ପ୍ରତି ପ୍ରକୃତ ଜ୍ଞାନର ବଣ୍ଟନ ବିଡ଼ମ୍ବିତ ହେବାର ଅନ୍ୟ କାରଣମାନଙ୍କ ମଧ୍ୟରେ ରହିଛି ଗୁଗୁଲ ଗୁରୁ ଓ ଏ.ଆଇ. ଆଜ୍ଞାଙ୍କଠୁ ସହଜେ ଉପଲବ୍ଧ କିସମ କିସମ ଜ୍ଞାନର ବିପୁଳ ଭଣ୍ଡାର । ତଥାଚର୍ଚ୍ଚିତ ହ୍ୱ।ଟସ ଆପ୍ ୟୁନିଭର୍ସିଟି ବା ଇନଷ୍ଟାଗ୍ରାମ ଇନଷ୍ଟିଚ୍ୟୁଟ୍ ସୌଜନ୍ୟରୁ ଅହର୍ନିଶ ମିଳୁଥିବା ଚିଜମାନ ତ’ ଏବର ମହାଜ୍ଞାନ । ଏସବୁକୁ ଜଣେ ଆରଜଣକୁ ଏକରକମ ହାଉଳା, ବାଉଳା, ଉତ୍ତଳା ହୋଇ ବଣ୍ଟନ କରି ଚାଲିଥାଏ । ଏବଂ ଏସବୁକୁ ଘୋଷି ପକାଇ ଘଷରା ବଖାଣ କରୁଥାନ୍ତି ଆଜିକାଲିକା ସର୍ବଜ୍ଞମାନେ !
ଫଳତଃ ପ୍ରକୃତ ଜ୍ଞାନୀଗୁଣୀ ଜନେ ଅଗତ୍ୟା ସ୍ୱଅର୍ଜିତ ସକଳ ଜ୍ଞାନ ଗରିମାକୁ ଆପଣାର ଅନ୍ତଃକରଣରେ ସେମିତି ସମାହିତ କରି ପିକ ପାଲଟି ନିରବ ରହି, ଏତିକି ପକଡ଼ି ଏତେ ଦେଖାଇ ହେଉଥିବା ଦର୍ଦ୍ଦୁରଙ୍କୁ ତଥାପି ନଥକି ରାବିବାକୁ ଛାଡ଼ି ଦେଇଥାନ୍ତି । ଏଥକୁ ଦୁଃଖ ଏଇଆ ଯେ ଜ୍ଞାନ ବଣ୍ଟନ ପ୍ରତିହତ ହୋଇ ପ୍ରକୃତ ଜ୍ଞାନର ପ୍ରଦୀପ ଏକରୁ ଅନେକ ହୋଇ ନପାରି ଆଲୋକର ବିତରଣ ସୁଦୂର ପରାହତ ହୋଇଯାଏ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
