ସତ୍ୟନାରାୟଣ ଗନ୍ତାୟତ

ବହି ପଢିବା ଓ ଗୀତ ଶୁଣିବା ଭଳି ଅଙ୍ଗୁଳି ଗଣତି କତିପୟ ନିଶା ବାଦ୍ ମୋର ଆଉ ଏକ ମହାର୍ଘ ନିଶା ହେଲା ଚା’ ପିଇବା ! ଏଥର ଆପଣ କଳ୍ପନା କରନ୍ତୁ ବହି ପଢିବା ଓ ଗୀତ ଶୁଣିବାବେଳେ ହାତରେ ଉଷୁମ ଚା’ର କପ ଧରି ପିଇବା କେଡ଼େ ମାତବରିଆ ନୁହେଁ, ସତରେ ! ଏମିତି ଏଇ ତିନୋଟି ନିଶା ମୋ ଭିତରେଏକଠାବ ରହି ଅଛନ୍ତି । ସୁତରାଂ ମୋ ପାଇଁ ଚା’ ପିଇବା ନେଇ ବୋଳାବେଳ ନଥାଏ, ଇଂରାଜୀରେ ବୋଇଲା ପରି ଯେ କୌଣସି ସମୟ ମୋ ପାଇଁ ଚା’ ପିଆ ସମୟ ଅଟଇ ।
ଇଦାନୀଂ ମୋ ପରି ଅଗଣନ ଜନଙ୍କର ଅତ୍ୟନ୍ତ ପସନ୍ଦର ପାନୀୟ ଚା’ । ଏହାର ଉଦ୍ଭବ କେବେ ସିନା ଚୀନରେ ହୋଇଥିଲା, କିନ୍ତୁ ଏହାର ଆଦର କୁଆଡେ ସୂର୍ଯ୍ୟାସ୍ତ ନଥିବା ଅତୀତର ଇଂଲଣ୍ଡାଧିବାସୀଙ୍କ ବିଶ୍ୱବ୍ୟାପୀ ରାଜୁତି ମାଧ୍ୟମରେ ଜଗତ ସାରା ବଢିଗଲା । ଏଥିରୁ ଜାଣିବା କଥା ଇଂରେଜ ଓ ଚା’ କେମିତି ଐକାନ୍ତିକ ଭାବେ ଜଡ଼ିତ । ଆପଣଙ୍କୁ ଏନେଇ ଉଦାହରଣଟିଏ ଦେବା କଥା ଭାବୁଭାବୁ ଆମ ମନକୁ ଛାଏଁ ଆସିଗଲା କେମିତି ଇଂରାଜୀରେ ଅବଲୀଳାକ୍ରମେ ଚା’ କଥା ଉଠାଇ ବଡ ଅନାୟାସେ କହି ପକାଇଥାନ୍ତି “ଏହା ମୋ କପର ଚା’ ନୁହେଁ” ବୋଲି !
ଆପଣ ଆମକୁ ବୁଝାଇବା ଲୋଡା ନାହିଁ, କାରଣ ଆମେ ଆଚ୍ଛା କରି ଜାଣୁ ଯେ କୌଣସି ଚିଜ ବା କାମ ଆପଣା ପସନ୍ଦ, ସାମର୍ଥ୍ୟ ବା ପ୍ରକୃତିକୁ ସୁହାଇବା ଭଳି ନଲାଗିଲେ ଏମିତି ଚା’ କପ ଆଦିଙ୍କ ମାଧ୍ୟମରେ ଜଣାଇ ଦିଆ ଯାଇଥାଏ ।
ତେବେ ଆମେ ମୂଳରୁ ଏତେ ଗହୀରିଆ ଭାବେ ଆମ ପୈତୃକ ମଥାଟି ନଘୂରାଇ ଠିକେଠିକେ ସୁଦ୍ଦୁ ଆମ କପ୍, ଆମ ଚା ଠେଇଁ ପହିଲେ ଅଟକି ଗଲୁ । କପ୍ ଧରି ଯଦିଓ ସଭିଏଁ ଚା’ ପିଇଥାନ୍ତି, ତେବେ କେହିକେହି କିନ୍ତୁ କପରୁ ଚା’ ପ୍ଲେଟରେ ଢାଳି ପିଇଥାନ୍ତି ବୋଲି ସିନା ଅଧିକାଂଶ ସ୍ଥଳେ ଚା’ ଭର୍ତ୍ତି କପ ସହ ପ୍ଲେଟ୍ ବି ଥୁଆ ହୋଇଥାଏ । ଫେର୍ ପ୍ରତି ଘରେ କିଛି ବୟସ୍କ ଲୋକ ତ’ ଗ୍ଲାସରେ ହିଁ ଚା’ ପିଇଥାନ୍ତି । କେତେକଙ୍କ ବେଲାଏ ଚା’ ସହ ମୁଢି ଖାଇବା ପ୍ରସଙ୍ଗ ତ’ ଆହୁରି ରୋଚକ, ଶୁଣୁଶୁଣୁ ନିଶ୍ଚେ କହିବେ ଆପଣ । ଆଉ ଚା’ ଷ୍ଟଲ୍ ମାନଙ୍କରେ କପ୍ ଯୋଗେ ଚା’ ପ୍ରାୟତଃ ଦିଆ ଯାଉଥାଏ । ତା’ ସତ୍ତ୍ୱେ ଛୋଟ କାଚ ଗ୍ଲାସରେ ଚିରାଚରିତ ଢଙ୍ଗରେ ବି ଚା’ ଦିଆଯିବା ତଥାପି ଚାଲୁ ରହିଥାଏ ।
ସତରେ ଚା’ ଢଳା ଯାଉଥିବା କପ୍ ବିଷୟରେ ଯେବେ ଏତେ କଥା, କପ୍ ଭିତରର ଚା’ ବି କିଆଁ ଭଳିକି ଭଳି ନୋହିବ ଯେ ? ତେଣୁ ତ’ କିଏ ଗରମ ବାମ୍ଫ ଉଠା ଚା’କୁ କଳି ଯୁଗର ଅମୃତ ମଣି ଫୁଙ୍କିଫୁଙ୍କି ପିଅନ୍ତି ତ’ ଆଉ କିଏ ଥଣ୍ଡା ହେଲାପରେ ଯାଇ ପିଅନ୍ତି । କାହା ଚା’ ରେ ଚିନି ପଡିବ ନା ଗୁଡ ନା ସୁଗାର ଫ୍ରି ପଡିବ ସେ ନେଇ ବି ରହିଛି କେତେ କଥା । ଫେର୍ ସେସବୁ ଯାହା ବି ପଡିବ କେତେ ପଡିବ ତା’ର ବି ଭାଗମାପ କାଇଁରେ କଣ ! ଚା’ ଗାଢା ଓ କଡା ହେବା ନେଇ ବି ପସନ୍ଦ ଅଲଗା ଅଲଗା । କେହି କେହି ତ’ ଚା’ରେ ଅଦା, ଗୋଲମରିଚାଦି ମିଶାଇ ଥାନ୍ତି ତ’ ଏ ପସନ୍ଦର ଏକ ଭିନ୍ନ ରୂପ ଭାବେ ଅଳାଇଚ ଲବଙ୍ଗ ଆଦି ମସଲା ମଧ୍ୟ ପଡି ତଥାକଥିତ ମସଲା ଚା ବି ପ୍ରସ୍ତୁତ ହୋଇଥାଏ । ଲେମ୍ବୁ ଦିଆ ଚା’, ତଥାଚର୍ଚ୍ଚିତ ମହୁ ମିଶା ଗ୍ରୀନ ଚା’, କ୍ଷୀର ନପଡି କେବଳ ହର୍ବାଲ ନାଲି ଚା’ ବି ବହୁ ଜନେ ଲୋଡିଥାନ୍ତି । ତେଣୁ ବୋଧେ ବଡବଡିଆଙ୍କୁ ଚା’ ଦେବାବେଳେ ବଡ ଯତନରେ ଗୋଟେ ଟ୍ରେରେ କପ୍ ପ୍ଲେଟ୍ ଚିନି ଆଦି ଚିଜଙ୍କ ସହ ଥର୍ମୋ ଫ୍ଲାସ୍କ ବା ତଦନୁରୂପ କେଟଲିରେ ଚା’ ଭରି ରଖି କୁର୍ଣ୍ଣୀସ କରତଃ ପୁଚ୍ଛା ଯାଏ “ମହାଭାଗ, ଆପଣଙ୍କ ଚା’ କେମନ୍ତ ? ” ନୋହିଲେ ଯଦି ଆପଣ ଆପଣଙ୍କ ମତେ ଚା ଧରାଇ ଦେଲେ ତ’ ସେ ନିଶ୍ଚେ “ଇଏ ମୋ କପର ଚା ନୁହେଁ “କହିବା ଥୟ, ନା ନାହିଁ ?”

କପ୍ ଓ ଚା’ ନେଇ ଉପର ଠାଉରିଆ ଭାବେ ବଖାଣୁବଖାଣୁ ଆମ କଥା ଆପଣଙ୍କୁ କେମିତି ଲାଗୁଛି କେଜାଣି ଆମେ ନିଜେ କିନ୍ତୁ ଗହୀରକୁ ପ୍ରବେଶିବା ପ୍ରାୟେ ଅନୁଭବିଲୁଣି । ସୁତରାଂ ଆମକୁ କେହି ଆପଣାକୁ ଅଙ୍ଗ୍ରେଜ ଅଙ୍ଗ୍ରେଜ ମଣି “ମୋ କପର ଚା’ ନୁହଁ”ର ଗୂଢ ତତ୍ତ୍ୱର ଅନୁକରଣ ପୂର୍ବକ ପଚାରିବେ, “ବାବୁ ହେ, ଚାଲୁନା, ପାଖ ଆଇନେକ୍ସରେ ଗୋଟେ ଜବରଦସ୍ତ ହରର ଫିଲ୍ମ ପଡିଛି, ଦେଖି ଆସିବା”, ତ’ ଆମକୁ ଆମ ପରିଚିତ ନାଟ୍ୟ ମଣ୍ଡପରେ ଆମ ପସନ୍ଦର କଳାକାର ସଙ୍ଘଙ୍କ ଦ୍ଵାରା ଆୟୋଜିତ ହେବାକୁ ଯାଉଥିବା ଜଣେ ମହାନ ନାଟ୍ୟରଥୀଙ୍କ ଜୀବନ ଆଧାରିତ ମଞ୍ଚ ନାଟକ “ନାଟ୍ୟପ୍ରାଣ” ଦେଖିବା ବରଂ ବେଶୀ ଆଗ୍ରହ ଉପୁଜାଇବ ଓ ଆମେ ନିଶ୍ଚେ କହିବୁ “ହରର୍ ଫିଲ୍ମ ? ଫୁଃ ! ତା’ ମୋ କପର ଚା ନୁହଁ ଆଜ୍ଞା !” ସେମିତି ଆପଣ ଆମ ପତ୍ନୀ ମହୋଦୟାଙ୍କୁ ଶାଢୀ ଛାଡି ସାଲୁଆର୍ ପିନ୍ଧିବାକୁ ମୋଫତ ପରାମର୍ଶ ଦେଇ ଦେଖନ୍ତୁ ତ’, ସେ କେମିତି ଏହେ ବଡ ମୁହଁ କରି କହିବେ, “ନା ନା ମୁଁ ଏମିତି ଶାଢୀ ପିନ୍ଧି ମାଆ ହୋଇ ହିଁ ଠିକ୍ ଅଛି !” ଅବିକଳ ଏହି ପସନ୍ଦର ପିନ୍ଧିବା କଥାରେ ଆମ ଜେନ୍ ଜି ଝିଅଟିକୁ “ଅନାରକଲି” ଭଳି ଝିଅ ପିଲାଙ୍କ ଡ୍ରେସ୍ ପିନ୍ଧିବା କଥା କହିଲେ ମୁହଁ ମୋଡି “ମୋତେ ମିଲେନିୟାଲ ଠଉରାଇଲଣି ?” କହିବା ସହ ସେ ଛଟକି ନିଜ ପାଇଁ “ବ୍ୟାଗୀ ଜିନ୍ସ”, ସର୍ଟ୍ ବ୍ୟାକଲେସ୍ କୁର୍ତି ଓ ଓଭର ସାଇଜ୍ ଟି ସାର୍ଟ” ଇଚ୍ଛିବ ଇ ଇଚ୍ଛିବ । ଆଉ ଆମ ଜେଜେଙ୍କ କଥା ଶୁଣିଲେ ତ’ ଆପଣ ଛୋବ ଖାଇଯିବେ । ସମ୍ପୂର୍ଣ୍ଣ ନିରୋଗ ଓ ସୁସ୍ୱାସ୍ଥ୍ୟଧାରୀ ଜେଜେ ମହୋଦୟ ଆଜୀବନ ବ୍ୟଞ୍ଜନ କ୍ରମରେ କେବଳ ପରିବା ସଂତୁଳା ଓ ଡାଲମା ଭିନ୍ନ ଆଉ ଯେତେ ଯାହା ଯାଚିଲେ ବି ଉହୁଁଉହୁଁ କରି ଆଡେଇ ଆସିଛନ୍ତି ।
ଏମିତି ଫି କ୍ଷେତ୍ରରେ ପ୍ରତ୍ୟେକ ନିଜନିଜ ପସନ୍ଦର କଥା କାମ ଓ ଚିଜକୁ ହିଁ ଆପଣାଇଥାନ୍ତି । ହେଲେ ନିଜ ପସନ୍ଦ ଭିନ୍ନ ଆଉ କିଛି ସାମନାକୁ ଆସିଲେ ସଚରାଚର ଚିଡା ମାଡିବା ସ୍ୱାଭାବିକ । ତେବେ ସେଥକୁ କୁଆଡେ ଏମିତି ଅଙ୍ଗ୍ରେଜୀୟ ଇଷ୍ଟାଇଲରେ “ଇଏ ମୋ କପର ଚା ନୁହେଁ” ସଧୀରେ କହିହୁଏ ।
ଏନେଇ ନିଜଆଡୁ ଆମେ ଖୋଦ୍ କହିବୁ ଯେ ଆମକୁ ଏମିତି ୟାଡୁସ୍ୟାଡୁ ଜାତୀୟ ଗାରେଇ ତୁଚ୍ଛା ଖୁଚୁରା ଲେଖାଳିଟେ ବୋଲାଇ ହେବା ଇ ସାଜେ ! ସୁତରାଂ ଆମକୁ ରୀତିମତ ସାରସ୍ୱତ ସାଧନା ମଗ୍ନ ହେବାକୁ ଭୁଲରେ କହି ପକାଇବେ ତ’ ଆମେ ବି ନିହାତି ବିନୀତ ଭାବେ ଏଇଆ କହିବୁ,”ତା’ କଦାଚିତ୍ ଆମ କପର ଚା’ ନୁହେଁ, ମହାଭାଗ !”
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
