ସତ୍ୟନାରାୟଣ ଗନ୍ତାୟତ

‘ସୁୁନ୍ଦର’ ଶବ୍ଦଟି ଆଗରେ ‘ଅ’ ଯୋଡ଼ି ଦେଖନି, କେମିତି ଛାଏଁ ‘ଅସୁନ୍ଦର’ ହୋଇଯିବ ! ଅବିକଳ ସେଇମିତି ‘ଲୋଡ଼ା’ ବି ‘ଅଲୋଡା’ !! ଏହି ‘ଅ’ ଏଠେଇଁ ଅଭାବିତ ବା ଅନାପେକ୍ଷିତ ଭାବେ ଯୋଡ଼ି ହୋଇ ଯାଇଥାଏ । ତେଣୁ ଅଲୋଡ଼ା ପ୍ରତେ ହେଉଥିଲେ ହେଉପଛେ ଆମର ଏଇ କିଞ୍ଚିତ ମଗଜ ମନ୍ଥନର ଅବତାରଣା କରୁଛୁ ।

ନୋହିଲେ ତ’ ସେଇ ପୁରୁଣା ଗୀତାନୁଯାୟୀ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବରେ ମନ…ପୁରୁଣା ହେବ” ଜାତୀୟ ସମୟାତୀତ ହୋଇଥିଲେ ମାମଲାକୁ ଏକାନଟେ ଫତେ କରତଃ ଆମେ ମଧ୍ୟ ଭିନ୍ନ ଦିଗେ ମୁହାଁଇ ଥାନ୍ତୁ । କିନ୍ତୁ ସେଇଆ ନୁହେଁ ପରା !

ଅଚାନକ କିଛି କଥା କିଛି ଚିଜ ଅକାରଣେ ‘ଥାଇ ବି ନଥିବା ପରି’ ରହି ଯାଆନ୍ତେ ଆପେ ଅଲୋଡ଼ା ବୋଲା ଯାଆନ୍ତି । ଥାଇ ନଥିବା ଅର୍ଥ ଲୋଡ଼ା ବି ଅଲୋଡ଼ା ହୋଇଯାଏ ପୁଣି ଅଲୋଡ଼ା ବି ଲୋଡ଼ା ହୋଇପାରେ ।

ହଁ, ଏଥକୁ ଆପଣଙ୍କ ମଥା ଗରମି ଯିବା ଥୟ ।

ବୋଲି ପାରନ୍ତି, ଏସବୁ ତଥାକଥିତ ଶ୍ରେଷ୍ଠ ପ୍ରାଣୀ ମଣିଷର ହିଁ ଭିଆଣ । ହଁ, ସେଇ ମଣିଷ ନିଜେ ଜଣେ ନାରୀର ଗର୍ଭରୁ ଜନମି ଥାଏ । ପୁଣି ନାରୀଟିଏ ଲୋଡ଼ା ହୁଏ ତା’ ହାତକୁ ଦି’ ହାତ କରିବା ପାଇଁ । ତଦୁତ୍ତାରେ କିନ୍ତୁ ସେଇ ନାରୀ ଗର୍ଭରୁ କନ୍ୟା ସନ୍ତାନଟିଏ ଜାତ ହୋଇଗଲେ ଯେତେ ବାହାରିଆ ‘ଲକ୍ଷ୍ମୀ ଆସିଲେ’ କହିଲେ ବି ଅନ୍ତରର କୋଉ ଏକ କୋଣରେ ଘର ଲୋକଙ୍କ ଭିତରୁ କାହାର ନା କାହାର ବିଚାରାନୁସାରେ ସେ ନିଷ୍ପାପ ଶିଶୁ କନ୍ୟାଟି ଅଲୋଡ଼ା ଇ । ଏନେଇ ଯେତେ ସଚେତନତା ଜାଗ୍ରତ ହେଉଥିଲେ ସୁଦ୍ଧା ପୁତ୍ର ସନ୍ତାନଟିଏ ଇ ଅନେକଙ୍କ ଲୋଡ଼ା, ପୁତ୍ ନାମଧେୟ ସେଇ କଳ୍ପିତ ନର୍କରୁ ଉଦ୍ଧାର ପାଇଁ ।

ଜନ୍ମରୁ ଏମିତି ଲୋଡ଼ା ଅଲୋଡ଼ା ନେଇ ମଣିଷ ସୃଷ୍ଟ ଝିଞ୍ଜଟ ଆଜୀବନ ଚାଲୁ ରହିଥାଏ । ପିଲାଦିନେ ତା’ “କୋଳ ଝୁଲଣା”ରେ ଝୁଲିଝୁଲି ବଢିଥିବା ମାଆର ବୟସ ବଢିବଢି ଯାଆନ୍ତେ ସେ ଆଉ କାହାର ଲୋଡ଼ା ହୁଏନି । ହାତ ଧରି ବାଟ ଚାଲିଥିବା ବାପାଙ୍କ ଅବସ୍ଥା ବି ଅନୁରୂପ ହୋଇଗଲେ ମାଆବାପା ଦୁହେଁ ହିଁ ଅଗତ୍ୟା ଜଣେ ଜଣକ ପାଇଁ ଲୋଡ଼ା ହେବା ଛଡ଼ା ଅନ୍ୟ ସଭିଙ୍କ ପାଇଁ ଅଲୋଡ଼ା ହୋଇଯାଆନ୍ତି ।

ଏବେ ତ ସମ୍ପର୍କ ଏଡ଼େ ଘାଏଁ ବଦଳି ଯାଇଛି ଯେ କେହି କାହାର ନୁହଁନ୍ତି, ଯଦିଓ ସଭିଏଁ ସଭିଙ୍କର ବୋଲାଇ ସମାଜରେ ଆତଯାତ ହେଉଥାନ୍ତି । ଜଣେ ଜଣକୁ ନିଜର କିଛି ଇଚ୍ଛା ପୂରଣାର୍ଥେ ଏ ଘଡ଼ି ଲୋଡ଼ିଲା ତ’ ସେତିକି ସରୁସରୁ ଆର ଘଡ଼ିରେ ଇ ସେ କିଏ ନା ଇଏ କିଏ ? ଲୋଡ଼ିବାପଣ ତତ୍କାଳେ ଇ ଗାଏବ୍ । ଏ ବେଭାର ପୁରାପୁରି ପାରସ୍ପରିକ, ସୁତରାଂ ଏହା ଭିତରେ ଆପଣାପଣ ଟିକକ ଲୋଡ଼ିବା ବିରଳାଦପି ବିରଳ ଅଟଇ । ବରଂ “ସମ୍ପଦ ବେଳେ ସର୍ବେ ସଖା, ବିପଦେ ନଦିଅନ୍ତି ଦେଖା” ବୋଲି, ସରି, ବାହୁନି ଆପଣାକୁ ପ୍ରବୋଧିବା ସାର ହୁଏ ।

ଯେବେ ମଣିଷ ମଣିଷ ଭିତରେ ଲୋଡ଼ା ଅଲୋଡ଼ା ଭେଦ ଏଡ଼େ ଜଟିଳ, ତେବେ ମଣିଷ ପାଇଁ କେତେବେଳେ କେଉଁ ଚିଜ ଲୋଡ଼ା ବା ଅଲୋଡ଼ା ହୋଇଯାଏ ସେ ବ୍ୟାପାର ବି ସମାନୁପାତିକ ଭାବେ ଅଭାବିତ ଓ ଅନେକଟା ଅପରିହାର୍ଯ୍ୟ ମନେ ହୁଏ । ସଭ୍ୟତା, ସଂସ୍କୃତି, ବୁଦ୍ଧି, ବିଜ୍ଞାନ, ଆଦିରେ କ୍ରମାଗତ ଉନ୍ନତିର ଫଳସ୍ୱରୂପ ଅନେକ କିଛି ଅପାଙ୍କ୍ତେୟ ହୋଇଯିବା ଗତାନୁଗତିକ ମନେହୁଏ । ଯେମିତି ଆଗର ଅନେକ ପୁରୁଣା ଯନ୍ତ୍ରପାତି ଓ ପୁରୁଣା ଚିଜ ଏବେ ଅଲୋଡ଼ା ।

କଥା ଏଠେଇଁ ସରି ଯାଇଥାନ୍ତା, ଯଦି ତଥାକଥିତ ଅଲୋଡ଼ା ଚିଜଙ୍କୁ ଘେନିଯିବା ଏବ କାଳରେ ବି ଏକ ଆଗ୍ରହର ବିଷୟ ହୋଇ ନଥାନ୍ତା । ହେଇ ତ’ ! ଫି’ ଦିନ ସକାଳ ହେଉହେଉ ପୌରପାଳିକାର ଅଳିଆ ବୁହା ଗାଡ଼ି ପଛେ କଦା ଦା ଅନିୟମିତ ହୋଇ ରେ, ହେଲେ “ଆପଣଙ୍କ ଘରେ ଥିବା ଅଲୋଡ଼ା ଜିନିଷଙ୍କୁ ନେଇ ଧନ୍ଦି ହୁଅନ୍ତୁ ନାହିଁ, ଅଲୋଡ଼ା ପୁରୁଣା କାଗଜ, ଖାତାଠୁ ଆରମ୍ଭ କରି ସକଳ ଅଲୋଡ଼ା ଜିନିଷ ଘେନିଯିବା ପାଇଁ ଆମେ ଖୋଦ୍ ହେଇ ଆମ ଗାଡ଼ି ଧରି ଆପଣଙ୍କ ଦୁଆର ପାଖକୁ ଆସି ଯାଇଛୁ” ବୋଲି କଳ ଗାଉଣାରେ ମଧ୍ୟେମଧ୍ୟେ ଆକର୍ଷକ ଡି.ଜେ. ଗୀତ ମାନ ବଜାଇ ଘୋଷଣା କରିକରି ମାଲବୁହା ଅଟୋ ରିକ୍ସାଟାଏ ଘୂରି ଯାଉ ନଥାନ୍ତା ! ଅତଃ ଏଇଆ କହିହେବ ଯେ ଅଲୋଡ଼ା ବି ବାରାନ୍ତରେ ଲୋଡ଼ା, ହୁଏତ ‘ଆବର୍ଜନାରୁ ଆସବାବ’ ପ୍ରସ୍ତୁତି ଭଳି ବିଜ୍ଞ କର୍ମ ସମ୍ପାଦିବା ପାଇଁ ।

ପୁଣି ଲୋଡ଼ା ଅଲୋଡ଼ା ଯେ ନିହାତି ଆପେକ୍ଷିକ ବିଷୟ ଏକଥା ସଜୋର କହି ବ । କାରଣ ଏକ ସମୟର ଲୋଡ଼ା ସମୟାନ୍ତରରେ ଯେମିତି ଅଲୋଡ଼ା, ସେମିତି ଏକଦା ଅଲୋଡ଼ା ଯେ ଆନକ୍ଷଣେ ଆଦୌ ଲୋଡ଼ା ନପଡ଼ି ସମ୍ପୂର୍ଣ୍ଣ ଅପସରି ଯିବ ଏକଥା କହିହେବ ନାହିଁ । ଜଣକ ପାଇଁ ଅଲୋଡ଼ା ଆଉ କାହା ପାଇଁ ନିହାତି ଲୋଡ଼ା ପଡୁଥିବାରୁ ସିନା “ଆପଣଙ୍କ ଅଲୋଡ଼ା ଜିନିଷ ଏଠି ରଖି ଦିଅନ୍ତୁ ଅନ୍ୟର ବ୍ୟବହାର ପାଇଁ” ବୋଲି ଠାବେଠାବେ ଲେଖି ରଖାଯାଇ “ଦେବା”କୁ ଏକ ମହତ କର୍ମ ବୋଲି ଦର୍ଶାଇବା ସମକାଳରେ ଗତାନୁଗତିକ ହୋଇପାରିଛି ! ହଁ, ପ୍ରାଚୁର୍ଯ୍ୟର ପତିଆରା ପ୍ରଦର୍ଶନାର୍ଥେ ଯାହା ପ୍ରତିବନ୍ଧକ ବା ଅଲୋଡ଼ା, ତାହା କିନ୍ତୁ ଦାରିଦ୍ର୍ୟର କଷାଘାତେ ଜର୍ଜରିତାବସ୍ଥା ନିରାକରଣ ପାଇଁ ମୁଲାଏମ ମଲମ ପରି ଲୋଡା !

ସୁତରାଂ ସରଳ ଭାବରେ ବଖାଣିଲେ ମଣିଷ ନିଜେ ନିଜକୁ ଯେତେ ପାରିବାର ମଣିଲେ ବି ତା ପାଇଁ ସବୁ ଲୋଡ଼ା ! ସେ ମଣିଷକୁ ଅଲୋଡ଼ା କରି ତାଠୁ ଦୂରେଇ ଗଲେ ପୋଷା ବିଲେଇ, କୁକୁର, ଶୁଆ, ସାରୀ ଆଦି ପଶୁପକ୍ଷୀ ତାକୁ ଜୀବନ ଜୀଇବା ପାଇଁ ଲୋଡ଼ା ହେବା ଅବଧାରିତ ହୋଇ ଯାଏନି କି ? ସେମିତି ତା ପାଇଁ ମାଟି ଲୋଡ଼ା କାରଣ ସେ ମାଟି ଗଢି ପାରିବନି, ମାଟି ଥିଲେ ତା ଉପରେ ଗଛବୃଛ ଜଙ୍ଗଲ ଥିଲେ ସିନା ମେଘ ବର୍ଷିବ ଓ ପାଣି ମିଳିବ ଯେ ମଣିଷ ପିଣ୍ଡରେ ପ୍ରାଣ ରହିଥିବ !

ସୁତରାଂ ମଣିଷ ନିଜେ ଏଡ଼ିକି ବକଟେ ହୋଇଥିବା ସତ୍ତ୍ୱେ ନିଜକୁ ମିଛେ ମିଛେ ଏଡ଼େ ବଡ ପ୍ରକାଣ୍ଡଟେ ବୋଲି ଧରାକୁ ସରା ମଣିବା ଭଳି ଅଲୋଡ଼ା ଚିନ୍ତା ମାନ ବେଳହୁଁ ଛାଡ଼ିବା ହିଁ ଲୋଡ଼ା । ଆଉ ମଣିଷ ତା’ର ମାଟି ଘଟ ମାଟିରେ ମିଶିବା ଯାଏ ଅନ୍ତତଃ ପକ୍ଷେ ମାଟି, ପାଣି, ଗଛବୃଛ, ପବନ ଓ ଆକାଶାଦିଙ୍କୁ ଅଲୋଡ଼ା ମଣିଲେ କିନ୍ତୁ ତା’ ‘ଜୀବ ଯିବ ନାଶ ହୋଇ, ରେ ବାପଧନ !’

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *