ଅରବିନ୍ଦ ଦାସ

କିଛି ଲୋକଙ୍କ ହାତରେ ଜୋରରେ ବାଜୁଥିବା ଘଣ୍ଟ ଶବ୍ଦ ଶୁଣି ନଈ କୂଳରେ ଥିବା ବଡ଼ବଡ଼ ଗଛ ଉପରେ ମାଙ୍କଡ଼ଗୁଡ଼ାକ, ଭୟରେ ଗୋଟେ ଗଛରୁ ଅନ୍ୟ ଗଛକୁ ଡିଆଁ ମାରୁଥିବାର ଦେଖି ଜଣେ ପ୍ରଶ୍ନ କଲା,

– ଘଣ୍ଟଘଣ୍ଟା ଶବ୍ଦ ଶୁଣି ଏ ମାଙ୍କଡ଼ ପଲ କାହିଁକି ଏମିତି ଦୌଡ଼ି ପଳାନ୍ତି ?

ଅନ୍ୟଜଣେ ହସିଦେଇ କହିଲା,
– ମାଙ୍କଡ଼ କଲିଜା ପରା ! ଏଗୁଡ଼ାକ ସିନା ଦାନ୍ତ ନିକୁଟି ଖତେଇ ହୁଅନ୍ତି, ହେଲେ ଏକଦମ ଡରୁଆ ।

ପ୍ରଥମ ବ୍ୟକ୍ତି ପୁଣି କହିଲା ,
– ପିଲାବେଳେ ମାଙ୍କଡ଼, କୁମ୍ଭୀର ଗପରୁ ଶୁଣିଥିଲି ଯେ ମିଠା ଜାମୁକୋଳି ଖାଇ ମାଙ୍କଡ଼ର କଲିଜା ମିଠା ହୋଇଥିବ ବୋଲି ତାକୁ ଖାଇବା ପାଇଁ ମଝି ନଈକୁ ନେଇ ଯାଇଥିଲା କୁମ୍ଭୀର, ହେଲେ ଚାଲାକ୍ କରି ମାଙ୍କଡ଼ କୂଳକୁ ଚାଲି ଆସି ନିଜ ଜୀବନ ବଞ୍ଚାଇଥିଲା । କୁମ୍ଭୀର ମୁହଁରୁ ବଞ୍ଚି କି ଆସିବା କଣ ସହଜ ?ମୋତେ ଲାଗେ ମାଙ୍କଡ଼ ସାହାସୀ । ଏମାନେ ପ୍ରଭୁ ହନୁମାନଙ୍କ ବଂଶଜ ପରା !

ଫେଁ କିନା ହସି ଦେଇ ଅନ୍ୟଜଣେ କହିଲା,
– ଗପ କଣ କେବେ ସତ ହୁଏ ? ସବୁ ମାଙ୍କଡ଼, ପ୍ରଭୁ ହନୁମାନ ନୁହନ୍ତି । ଗୋଟେ ବାଣ ଆଣି ଫୁଟାଇ ଦେଲେ, ଦାନ୍ତ ନିକୁଟି ଖତେଇ ହୋଇ, ସାଧାରଣ ଲୋକଙ୍କୁ ଡରାଉଥିବା ମାଙ୍କଡ଼ ପଲ, ଭୟରେ ସାଙ୍ଗେସାଙ୍ଗେ ଉଭାନ ହୋଇଯିବେ ।

ଅନ୍ୟଜଣେ କହିଲା,
– ଆଗରୁ ମାଙ୍କଡ଼ଗୁଡ଼ାକ ଜଙ୍ଗଲରେ ରହି, ଫଳ, ମୂଳ, ପତ୍ର ଖାଉଥିଲେ ବୋଲି ସେମାନଙ୍କ କଲିଜା ଦମ୍ଭିଲା ହେଉଥିବ । ହେଲେ ଏବେ ମାଙ୍କଡଗୁଡ଼ାକ ବି ମଣିଷଙ୍କ ଭଳି ଅଳସୁଆ ହୋଇ, କଷ୍ଟ କରି ଖରା ବର୍ଷାରେ ବନ ଜଙ୍ଗଲରେ ରହି ଖାଦ୍ୟ ସଂଗ୍ରହ କରିବା ବଦଳରେ ଜନବସତିକୁ ଚାଲିଆସି, ମଣିଷଙ୍କ ଖାଦ୍ୟ ଖାଉଛନ୍ତି । ରାସ୍ତାଘାଟ, ମନ୍ଦିର ଅଥବା ପିକନିକ ସ୍ପଟରେ ଲୋକଙ୍କ ହାତରୁ ପ୍ୟାକେଟ ଖାଦ୍ୟ ଖାଇବା ଓ ମୃଦୁ ପାନୀୟ ନେଇ ପିଇ, ସେଲ୍ଫି ଉଠାଇବାରେ ଅଭ୍ୟସ୍ତ ହୋଇଗଲେଣି । ସେମାନେ ବି ମଣିଷଙ୍କୁ ହନୁକରଣ କଲେଣି । ସେଥିପାଇଁ ଦେଖୁନ କେମିତି ନିଜ ନିଜ ଭିତରେ, ମାଡ଼ଗୋଳ, କାମୁଡ଼ା କାମୁଡ଼ି ହୁଅନ୍ତି ?

କିଏ ଜଣେ କହିଲା,
– ସେମାନେ ପରା ଆମ ପୂର୍ବପୁରୁଷ !

ସମସ୍ତେ ଉଚ୍ଚ ସ୍ଵରରେ ହସିଲେ । ସିଗାରେଟ ଖାଇ ଧୂଆଁ ଛାଡୁଥିବା ଜଣେ ଯୁବକ କହିଲା,
– ପଶୁ ସବୁବେଳେ ପଶୁ । ସେମାନେ କଦାପି ମଣିଷଙ୍କ ସମକକ୍ଷ ହୋଇ ପାରିବେନି । କାରଣ କେବଳ ଆମର ବିବେକ ଓ ଭଲମନ୍ଦ ବିଚାର କରିବାର ଶକ୍ତି ଅଛି ।

ଏଇ ସମୟରେ ହଠାତ ଦୁଇଟା କାର ରାସ୍ତାରେ ଅଟକିଲା । କାର ଭିତରୁ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି କିଛି ଗୁଣ୍ଡା ଭଳି ଦେଖାଯାଉଥିବା ଯୁବକ ବାହାରି, ପ୍ରଥମେ ରାସ୍ତାରେ ଚାଲିଚାଲି ଯାଉଥିବା ଏକୁଟିଆ ଜଣେ ଯୁବତୀକୁ ଅଶ୍ଳୀଳ ଇଙ୍ଗିତ କଲେ ଓ ପରେ ତା ହାତ ଓ ପୋଷାକକୁ ଟଣାଓଟରା କରିବାକୁ ଲାଗିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ, ଛକରେ ଉପସ୍ଥିତ କିଛି ବ୍ୟକ୍ତି ପ୍ରତିବାଦ କରିବାରୁ ସେଇ ଗୁଣ୍ଡା ଯୁବକମାନେ ବନ୍ଧୁକରୁ ଆକାଶ ଆଡ଼କୁ ଚାହିଁ ବ୍ଲାଙ୍କ ଫାୟାରିଂ କଲେ ଓ ଖଣ୍ଡା ଭୁଜାଲି ବୁଲାଇ ଲୋକଙ୍କୁ ଭୟଭୀତ କରାଇ ବଡ଼ ପାଟିରେ କହିଲେ,
– ଯିଏ ଆଗକୁ ଆସିବ, ତା’ ମୁଣ୍ଡ କାଟି ଦେବୁ ।

ଦେଖଣାହାରୀ ଲୋକମାନେ ଡରିଯାଇ ପଛକୁ ଫେରିଗଲେ । ଗୁଳି ଶବ୍ଦ ଶୁଣି ମାଙ୍କଡ଼ଗୁଡ଼ାକ, ଗଛ ଉପରେ ଡିଆଁଡିଇଁ କରି ଦୂରକୁ ପଳାଇ ଯାଉଥିଲେ ।
ଗୁଣ୍ଡାମାନେ ସେଇ ଝିଅଟିର ମୁହଁକୁ ହାତରେ ଚାପି, ତାକୁ ଟେକିନେଇ କାରରେ ବସାଇ ଚାଲିଯିବା ଆଗରୁ କହିଲେ,
– କିଏ ଯଦି ପୋଲିସ ଆଗରେ ଏ ଘଟଣା ବିଷୟରେ ସାକ୍ଷୀ ଦେବ, ତେବେ ତାକୁ ଓ ତା ପରିବାରକୁ ନିଶ୍ଚିହ୍ନ କରିଦେବୁ ।

କାର ଦୁଇଟା ଚାଲିଗଲା ପରେ, ଜଣେ ବୃଦ୍ଧ ପାଟି କରି କହିଲେ,
– ଆରେ କିଏ ଜଣେ ପୋଲିସକୁ ଖବର ଦିଅ । ସେ ଝିଅର ଇଜ୍ଜତ ଓ ଜୀବନକୁ ବିପଦ ଅଛି ।

ଟିକେ ଆଗରୁ ଫୁଟାଣି ମାରି କଥା କହୁଥିବା ସେଇ ଯୁବକ କହିଲା,
– ମଉସା ! ପୋଲିସକୁ ଡାକି କିଏ ଅଯଥାରେ ଝାମେଲାରେ ଫସିବ ?

ଅନ୍ୟଜଣେ କହିଲା,
– ଏ ଗୁଣ୍ଡାଙ୍କୁ କି ବିଶ୍ୱାସ ? ଜେଲରୁ ବାହାରି ଆମ ପଛରେ ତଥା ଆମ ପରିବାର ପଛରେ ପଡିବେ । ସେ ଝିଅ କିଏ ଆମେ ଜାଣିନୁ । ତା’ଛଡ଼ା ହୁଏତ ସେ ଝିଅର କୌଣସି ଟୋକା ସହିତ ଚକ୍କର ଥିବ । ଅଜଣା ମଣିଷ ପାଇଁ ନିଜ ଜୀବନକୁ କାହିଁକି ବିପଦରେ ପକାଇବା ?

ଛକ ମୁଣ୍ଡ ପାନଦୋକାନୀ କହିଲା,
– ଏମିତି ଅଯଥା ଝାମେଲା, ପୋଲିସ କେସରେ ଫସିଲେ ଥାନା, କଚେରୀ ଦୌଡ଼ିଦୌଡ଼ି ମଣିଷ ନୟାନ୍ତ ହେବ ।

ବୁଢ଼ା ଲୋକଟି ବ୍ୟସ୍ତ ହୋଇ କହିଲେ ,
– ହେଲେ ଆମେମାନେ ତ ଘଟଣାକୁ ନିଜ ଆଖିରେ ଦେଖିଛେ । ଆମ ଛଡ଼ା କିଏ ପୋଲିସକୁ ସାକ୍ଷୀ ପ୍ରମାଣ ଦେବ ?

ଅନ୍ୟଜଣେ ଧୀର ସ୍ଵରରେ କହିଲା,
– ମଉସା ! ମାଙ୍କଡ଼ମାନେ ବି ଏ ଘଟଣା ଦେଖିଛନ୍ତି, ସେମାନେ ସାକ୍ଷୀ ଦିଅନ୍ତୁ । ତା’ଛଡ଼ା ମଉସା ! ତୁମର ସିନା ଆଉ ଅଳ୍ପ ଆୟୁଷ, ହେଲେ ଆମର ଢେର ଜୀବନ ବାକି ଅଛି ।

ହସିଦେଇ ଅନ୍ୟଜଣେ କହିଲା,
– ମାଙ୍କଡ଼ କଲିଜା ପରା ! ଗୁଳି ଶବ୍ଦ ଶୁଣି ମାଙ୍କଡ଼ମାନେ ଫେରାର । ଡରୁଆ, ଛେରୁଆ କେଉଁଠିକାର ।

ଏଇ ସମୟରେ କିଏ ଜଣେ ପାଟି କରି କହିଲା,
– ହେଇ ଦେଖ ! ଗୋଟେ କୁମ୍ଭୀର । ନଈ ପାଣିରେ ଖସି ପଡ଼ିଥିବା ଗୋଟେ ମାଙ୍କଡ଼କୁ ଧରିବାକୁ କେମିତି ଯାଉଛି ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ନଈ ପାଣି ଭିତରେ ମାଙ୍କଡ଼ଟି, କୁମ୍ଭୀର ମୁହଁରୁ ନିଜ ଜୀବନକୁ ବଞ୍ଚାଇବାକୁ ପହଁରି ପହଁରି ନଦୀର ଅପର କୂଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା କରୁଥିଲା । ଏଇ ସମୟରେ ଏକ ଅସମ୍ଭବ ଘଟଣା ଘଟିଲା । ମାଙ୍କଡ଼ପଲର ଅନ୍ୟସମସ୍ତ ସଦସ୍ୟ, ଜଣଙ୍କ ପରେ ଜଣେ, ନଈ ପାଣିକୁ ଡେଇଁ କୁମ୍ଭୀରକୁ ଘେରି ତା ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ । ଏକାସାଙ୍ଗରେ ଏତେଗୁଡ଼ାଏ ମାଙ୍କଡ଼ଙ୍କୁ ଦେଖି କୁମ୍ଭୀର ବି ବୋଧେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମାଙ୍କଡ଼ ଦଳ ଯେମିତି କୁମ୍ଭୀର ବିରୁଦ୍ଧରେ ମେଳି କରିଥିଲେ । କିଏ ତା ଲାଞ୍ଜ ଟାଣୁଥିଲା ତ କିଏ ତା ପିଠିରେ ବସି ଯାଉଥିଲା । ଚକ୍ରାକାରରେ ବୁଲି ବୁଲି କୁମ୍ଭୀର ଅନ୍ୟ ମାଙ୍କଡ଼ମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲା । କିଛି ମାଙ୍କଡ଼ ଆହାତ ହୋଇଥିଲେ ବି କୁମ୍ଭୀର କବଳରୁ ନିଜ ସାଥୀକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥିଲେ ।

ନଈ କୂଳରେ ଠିଆ ହୋଇଥିବା କିଛି ଲୋକ ନିଜ ମୋବାଇଲରେ କୁମ୍ଭୀର ମାଙ୍କଡ଼ ଛକାପଞ୍ଝା ଦୃଶ୍ୟର ଭିଡ଼ିଓ ରେକର୍ଡିଂ କରୁଥିଲେ । ପାଖରେ ଠିଆ ହୋଇଥିବା ସେଇ ବୃଦ୍ଧ ଜଣଙ୍କ ବଡ଼ ପାଟିରେ ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ,
– ଦେଖ କେମିତି ନିଜ ଦଳର ସାଥୀ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ମାଙ୍କଡ଼ପଲ । ସଫଳ ହେବେ କି ନହେବେ ସେକଥା ଚିନ୍ତା ନକରି, ଚେଷ୍ଟା ତ କରୁଛନ୍ତି । ହେଲେ ତୁମେ ସବୁ ଗୁଣ୍ଡାଙ୍କ କବଳରେ ପଡ଼ିଥିବା ଗୋଟେ ଅସହାୟ ଝିଅକୁ ସାହାଯ୍ୟ କରିବାକୁ ଡରୁଛ ? ସେ ବି କାହା ଝିଅ/ଭଉଣୀ ହୋଇଥିବ । ଛିଃ !!! କିଛି ହେଲେ ଶିଖନ୍ତ ମାଙ୍କଡ଼ ମାନଙ୍କଠାରୁ । ଅସଲରେ ମାଙ୍କଡ଼ କଲିଜା ତୁମମାନଙ୍କର ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବୃଦ୍ଧଜଣଙ୍କ ପାନ ଦୋକାନ ସାମ୍ନାରେ ଥିବା କଏନ୍ ଗଳା ଲ୍ୟାଣ୍ଡଲାଇନ ପେ’ ଫୋନରୁ, ୧୦୦ ନମ୍ୱର ଡାଏଲ କରି କହୁଥିଲେ,
– ହାଲୋ, ପୋଲିସ ଷ୍ଟେସନ….!!!

ମହାରାଣୀପେଟା, ଆନ୍ଧ୍ରପ୍ରଦେଶ

ଲେଖକ ପରିଚୟ

ନିଜକୁ ସବୁବେଳେ ଜଣେ ଛାତ୍ର ହିସାବରେ ଦେଖୁଥିବା ଗାଳ୍ପିକ ପ୍ରତିଦିନ ଗୋଟାଏ ଗପ ଲେଖିବାକୁ ଚେଷ୍ଟା କରନ୍ତି ଓ ତାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି । ଯେତିକି ସହଜ ଶବ୍ଦ ସେତିକି ଭାବର ଗଭୀରତା ଭରିଥାଏ ଗଳ୍ପରେ ଯାହା ସହସ୍ରାଧିକ ପାଠକଙ୍କୁ ଛୁଏଁ । ଏଯାବତ୍ ‘ପ୍ରଜାପତିର ନୂଆ ଠିକଣା’, ‘ବିଅର’, ‘ପେଦାପୁରମର ପଦ୍ମା’, ‘ବିଧର୍ମୀ’ ଭଳି ମୋଟ ୧୩ ଗୋଟି ଗଳ୍ପ ସଂକଳନ ତାଙ୍କର ପ୍ରକାଶିତ ହୋଇସାରିଛି । ଗଳ୍ପ ବ୍ୟତୀତ ଦୁଇଟି ଉପନ୍ୟାସ ମଧ୍ୟ ସେ ଲେଖି ସାରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *