ସତ୍ୟନାରାୟଣ ଗନ୍ତାୟତ

ହଁ, ବୋଇତାଳୁ ଗୋଟେ ଫଳର ନାମ । ପରିବା ଭାବେ ବ୍ୟଞ୍ଜନ ପ୍ରସ୍ତୁତି ବେଳେ ଏହା ଲୋଡ଼ା ପଡ଼ିଥାଏ । ଆମ ଅଞ୍ଚଳରେ ଏହା ବୋଇତାଳୁ ଭାବେ ନାମିତ । ଅଞ୍ଚଳ ଭେଦରେ ଏହା କେଉଁଠି କଖାରୁ ତ କେଉଁଠି କୁମୁଡ଼ା ତ’ ଫେର୍ କେଉଁଠି ମାଖନ୍ !

ତେବେ ଲୋକ ମୁଖରେ ଏହାକୁ ଅନେକ କଖାରୁ ହିଁ କହିଥାନ୍ତି । କାରଣ ଏହା କଖାରୁ ଜାତୀୟ । ତେବେ କଖାରୁ କହିଲେ ଶୁଦ୍ଧ ଭାଷାରେ କୁଷ୍ମାଣ୍ଡ ଫଳ । ସେମିତି ଆଞ୍ଚଳିକ ଭାଷାରେ ବୋଇତାଳୁ ନାମକ ଏହି ଫଳଟି ବର୍ତ୍ତୁଳ କୁଷ୍ମାଣ୍ଡ ହୋଇଯାଏ ଶୁଦ୍ଧ ଭାଷାରେ । ରକ୍ଷା ହୋଇଛି, ସାଧାରଣରେ କେହି ସେଭଳି କହନ୍ତିନି, ନୋହିଲେ ଆମେ ବୁଝିପାରି ନଥାନ୍ତେ । କିନ୍ତୁ ଏହାକୁ ବୋଇତି କଖାରୁ ବି କୁହାଯାଏ, ଯାହା ବି ପ୍ରାୟ ସବୁ ଅଞ୍ଚଳରେ ବହୁଜନଙ୍କ ଗ୍ରହଣୀୟ ହୋଇଆସୁଛି ।

ଏତେବେଳକୁ ଆମେ ଠିକେଠିକେ ଅନୁଭବି ପାରୁଛୁ ଯେ ଆପଣ ହୁଏତ ଭାବୁଥିବେ ଯେ ଆମେ ଅଚାନକ ଏଇ ବୋଇତାଳୁ ବିଷୟକ ଆଲୋଚନା କିଆଁ କରୁଛୁ । ଆପଣ ବି କହିପାରନ୍ତି ଯେ ବରଂ ଏହି ପରିବା ଲୋଡ଼ା ପଡୁଥିବା ଘାଣ୍ଟ ତରକାରି, ନୋହିଲେ ନଚଳେ ମନେ ହେଉଥିବା ଆମ୍ବିଳ ଓ କାଞ୍ଜି ସମେତ ବୋଇତାଳୁର ଚାଉଳ ବଟା ଗୋଳା ପିଠଉ ଭଜା ଜାତୀୟ ଭଳିକି ଭଳି ବ୍ୟଞ୍ଜନଙ୍କ କଥା ଏଠେଇଁ ଉଠାଇଥିଲେ ବରଂ ଆଲୋଚନାଟି କିଞ୍ଚିତ ରୋଚକ ଲାଗିଥାନ୍ତା ।

ହଁ ଆଜ୍ଞା, ଆପଣଙ୍କୁ ଜଣାଇ ଦେବାରେ ଜମା ଲାଜ କରିବୁନି ଯେ ଆମେ ସୁଦ୍ଦୁ ଖାଉରା ଅଟୁ । ତା ପୁଣି ଶୁଦ୍ଧ ଶାକାହାରୀ । ସୁତରାଂ ଆମ ପାଇଁ ସବୁ ଭକ୍ଷ୍ୟ । ତହିଁକି ଆମ ଜେଜେମା’ କହିବା ପ୍ରାୟେ “ସରକ ସାରିଲେ ନରକ ସୁଦ୍ଧା ସୁଆଦିଆ କୁଆଡ଼େ”, ଏହି କଥାରେ ଆହୁରି ଲଥାଏ ଯୋଡ଼ି ସେ ଏଇଆ ବି କହିବା ଶୁଣିଛୁ ଯେ ଜଣେ ପକ୍କା ଘରଣୀ ହୋଇଥିଲେ ଘାସକୁ ସୁଦ୍ଧା କାଇଦାରେ ଚଟଣି କରି ଖୁଆଇ ଘର ଚଳାଇ ଦେଇପାରିବ ।

ଏମିତିରେ ଆମେ ବୋଇତାଳୁରୁ ପ୍ରସ୍ତୁତ ବିବିଧ ବ୍ୟଞ୍ଜନ ଖାଇବା କ୍ରମରେ ବୋଇତାଳୁ ପତ୍ରର ଖରଡ଼ା, ବୋଇତାଳୁ ଡଙ୍କର ରାଇ ଓ ବୋଇତାଳୁ ଫୁଲର ଚାଉଳ ବଟା ଦିଆ ପିଠଉ ଭଜା ଏସବୁ ତ ଖାଇଛୁ, ହେଲେ ନିକଟରେ ଆମର ଜନୈକ କ୍ୟାଟରିଂ ବ୍ୟବସାୟୀ ମିତ୍ରଙ୍କ ଏକ ପାରିବାରିକ ଭୋଜିରେ” ପମ୍ପକିନ୍ ଚିଲ୍ଲୀ” ନାମରେ ପରଷା ଯାଇଥିବା ବୋଇତାଳୁ ଚିଲ୍ଲୀ ଆଇଟମଟି ଖାଇବା ପରେ ଆମ ଭିତରେ ବୋଇତାଳୁକୁ ନେଇ ନାନା ଚିନ୍ତା ସ୍ୱତଃ ଉଦ୍ରେକ ହୋଇ ଆମ ମଗଜକୁ ମନ୍ଥିବାରମ୍ଭ କଲା ।

ତହୁଁ ଅବଲୀଳା କ୍ରମେ ଜାଣିଗଲୁ ଯେ ବୋଇତାଳୁ ନାମଧେୟ ଏହି ପରିବାଟି ଆମ ଦିହପା’ ସଜାଡ଼ିବା ପାଇଁ କେଡ଼େ ଘାଏଁ ସମର୍ଥ ଅଟଇ ! ଡାଳ ଡଙ୍କ ବାଦ୍ ଏହାର ମଞ୍ଜି ଭିତରେ ଏତେ ଏତେ ଔଷଧୀୟ ଗୁଣ ଖୁନ୍ଦାଖୁନ୍ଦି ହୋଇରହିଛି ଯେ କହିଲେ ନସରେ ! ସୁତରାଂ ଏସବୁ ତଥ୍ୟ ଜାଣିବା ପରେ ବୋଇତାଳୁ ପ୍ରତି ଆମର ଆଗର ପୀରତି ଆହୁରି ବଢିଗଲା । ସେହିକ୍ଷଣି ବୋଇତାଳୁକୁ କେବଳ ଏକ ସୁପର ଫୁଡ୍ ଇ’ ନମଣି ବରଂ ଜବରଦସ୍ତ ଗୋଟେ ସୁପର୍ ଡୁପର୍ ଫୁଡ୍ ଭାବେ ଯଥୋଚିତ ମର୍ଯ୍ୟାଦା ଦିଆଯିବା ଉଚିତ ବୋଲି ଆମର ହୃଦବୋଧ ହେଲା ।

କିନ୍ତୁ ବିଚରା ବୋଇତାଳୁର ଭାଗ୍ୟ ଦେଖନ୍ତୁ, ତା ନାଁ ଭିତରେ ଆଳୁ ଭଳି ଏକ ରାଜନୈତିକ ପରିବାର ନାଁ ସାଇତି ରଖିଥବା ସତ୍ତ୍ୱେ ତା’ର କାଣିଚାଏ ରାଜକୀୟ ଆଦର ସେ ପାଇନଥାଏ, ଆଃ !

ଆମେ ଏମିତି ମନେମନେ ଭାଳି ହେଉଥିବାବେଳେ ମନ ଭିତରକୁ ଏକରକମ ଧସେଇ ପଶିଗଲା କଖାରୁ ଗୋତ୍ରୀୟ ବୋଇତାଳୁର ସାର୍ବଜନୀନ ନାମ ବୋଇତି କଖାରୁ ! ଆମକୁ ଲାଗିଲା ଏଇ ନାଆଁଟି ହିଁ ଆପାତତଃ ଠିକ୍, କାରଣ କଖାରୁ କହିଲେ ପାଣିକଖାରୁ ବି ଅଛି ନା ! ତାହା ବି କୋଉ କମ୍ ନୁହେଁ ଯେ !

ତେବେ ବୋଇତାଳୁକୁ ଏମିତି ବୋଇତି କଖାରୁ ବୋଲାଯିବା ନେଇ ଯେଉଁ କଥାଟି ଆମେ ଜାଣିଲୁ, ତାହା ନିଶ୍ଚେ ପ୍ରଣିଧାନ ଯୋଗ୍ୟ ଅଟଇ । ଏଥର ଆପଣ ଫେରିବା ହେଉନ୍ତୁ ଆମ ଐତିହ୍ୟ ଓ ପରମ୍ପରାର ବାହକ ସାଧବ ପୁଏ ବଣିଜାର୍ଥେ କରୁଥିବା ଦରିଆ ପାରି ଯାତ୍ରା ପାଖକୁ । ସେମାନେ ବୋଇତରେ ଏଠୁ ସେଠି ବିପଣନ ପାଇଁ ନେଉଥିବା ଚିଜଙ୍କ ଭିତରେ କୁଆଡ଼େ ବରାବର ରହୁଥିଲା ଏଇ କଖାରୁ ଜାତୀୟ ବୋଇତାଳୁ । ସୁତରାଂ ସେଇ ସ୍ମୃତିର ପ୍ରତୀକ ସ୍ୱରୂପ ଜନ ମୁଖରେ ଏହି ଫଳଟି ହୋଇ ଯାଇଛି ବୋଇତି କଖାରୁ !

ବୋଇତାଳୁ ବିଷୟକ ଆମର ଏତେଏତେ କଥାମାନ ବକବାସ ଧର୍ମୀ ଲାଗିପାରେ, ଜାଣୁ । ତଥାପି ଆପଣ ଯେବେ ମନ କର୍ଣ୍ଣ ପ୍ରଦାନ ପୂର୍ବକ ଶୁଣି ସାରିଲେଣି, ଆମ ସାନ କଥାଟେ ମାନି ଆମ ବୋଇତାଳୁ ବା ବୋଇତି କଖାରୁକୁ ଯେଉଁ ନାଆଁରେ ଡାକନ୍ତୁନା କାହିଁକି ଆଗରୁ ଭଲ ପାଉଥିଲେ ଏଣିକି ତା’ ଗୌରବ ଗାଥା ଶୁଣିବା ପରେ ଆଉଟିକେ ଅଧିକ ଭଲପାଇବେ । ଆଉ ଆମ ମିତ୍ରବର ତାଙ୍କ ଭୋଜିରେ ବୋଇତାଳୁ ଚିଲ୍ଲୀ ଭଳି ଆଇଟମ୍ ମାନ ପ୍ରସ୍ତୁତ କରି ସଭିଙ୍କୁ ଚମକାଇବାକୁ ଯେମିତି ଭୁଲି ଯିବେନି !

କେବଳ ଆଳୁକୁ ହିଁ ରାଜକୀୟତା ଦେଇ ଚାଲିଲେ ଚଳିବ ? ଏଣିକି ବୋଇତାଳୁ ବି ସେଥକୁ ଭାଜନ ହେଉ ! ନା, କଣ ଭାବୁଛନ୍ତି ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *