ଲଲାଟେନ୍ଦୁ କବି

ମଧୁର ବସନ୍ତ କାଳ ବିରାଜିଲା ଆସି
ସୁମନ ସୁଗନ୍ଧେ ଦେଖ ଭ୍ରମରଟି ମାତେ,
କହ କେତେ ଥିବି ଆଉ ଏକାଟିଆ ବସି,
ଭାଇ ନାହିଁ ଆଉ ମୋର ଖେଳିବାକୁ ସାଥେ | -୧

ଟହ ଟହ ହସୁଅଛି ପ୍ରଜାପଚି ଗୋଟି
ଜଳଜଳ ତପନର ସୁନେଲି କିରଣେ,
ବଳୁ ନାହିଁ ମନ ଯାଇ ଧରିବାକୁ ସେଟି ,
ମୋ ଭାଇର ମୁହଁ ଖାଲି ଆସୁଛି ସ୍ମରଣେ -୨

ଲଗାଇ ଯେ ଥିଲୁ ଆମେ ବଗିଚାରେ ଫୁଲ ,
ଫୁଟି ଦୋଳୁ ଅଛି ଧୀର ମଳୟ ଵତାସେ ,
ଫୁଲ ଭାରେ ତଳେ ଲୋଟି ପଡୁଅଛି ଡାଳ ,
କାହିଁ ସେ ଯାଇଛି, ଥରେ ଡାକି ଆଣ ପାଶେ |”-୩

“ସିଏ ତ ଶୁଣୁନି ତୋ’ର ମଧୁର ଵଚନ,
ଯାଇଛି ସେ, ଆସିବନି ଆଉ ତୋ’ର ପାଶ ,
ସେ ଦିନ ଯେ ହସୁଥିଲା କଇଁଫୁଲ ସମ ,
ନ ଦିଶିବ ପୃଥଵୀରେ ଆଉ ତା’ର ହସ | -୪

ଦୁଇ ଦିନ ପାଇଁ ଫୁଟି ଯାଇଛି ସେ ଝଡି ,
ସୁଗନ୍ଧିତ ସମୁଜ୍ଜ୍ଵଳ ପ୍ରସୂନ ସମାନ ,
ଖେଳୁଛି ତାରାଙ୍କ ମେଳେ ଆକାଶରେ ଉଡି,
ସେ ଲାଗି ଏକାକୀ ତୁହି ଖେଳିବୁ ରେ ଧନ |”-୫

“ଛାଡି ସେ ଯାଇଛି ତେବେ ଫୁଲ ସବୁ ତା’ର,
ନେଇନି କି ପାଇଁ ପକ୍ଷୀ ଯେତେକ ସଙ୍ଗତେ ?
ଡାକିବା ଯେତେ କି ସବୁ ଵୃଥା ହେବ ମୋର,
ଥରେ ସେ ଆସିବ ନାହିଁ ଏ ଦୀର୍ଘ ଵସନ୍ତେ ? -୬

ନଦୀ ତଟ ଆଡେ ଆଉ ଯିବା ନାହିଁ ବୁଲି,
ବୁଲିବାନି ବିଲ, ଵଣ, ସବୁଜ ପ୍ରାନ୍ତର,
କିଆଁ ଭାଇ ଆସୁ ନାହୁଁ, କି ଦୋଷ ମୁଁ କଲି,
ଊଣା କିରେ ହେଲା ସ୍ନେହ, ଆଦର ମୋହର ?”-୭

ମୂଳ ଲେଖା : “The Child’s First Grief” by Felicia D Hemans

ଲାଲଟେନ୍ଦୁ କବି, ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ । 

Related Posts

Leave a Reply

Your email address will not be published. Required fields are marked *