ସାହିତ୍ୟରେ ଭୋଜ ବାଜି

ସତ୍ୟନାରାୟଣ ଗନ୍ତାୟତ

ବ୍ୟାଙ୍କ ଅଫିସର ଭାବେ ଚାକିରି କରିବା ସହ ଲେଖାଲେଖି ମଧ୍ୟ କରି ସାହିତ୍ୟ ସହ ଜଡ଼ିତ ହୋଇ ରହି ଆସିଥିବା ଆମ ପିଲାଦିନର ସାଙ୍ଗ ସତ୍ୟଜିତ ଅଚାନକ ସେଦିନ ଆମ ଘରେ ପହଞ୍ଚି ଯାଇ ସିଧାସିଧା କହି ଉଠିଲା : ମନେ ପଡୁଛି ଗଡ଼ଗଡ଼ା ସହରରେ ରହୁଥିବା ଆମ ପିଲାଦିନର ସାଙ୍ଗ ଭୂଷଣ୍ଡା କଥା ? ଆଜି ମୋ ସହ ଫୋନରେ ଗପିବା ଭିତରେ ସିଏ ମୋତେ ଗୋଟେ ଅଫର୍ ଦେଲା !

ଆମେ କହିଲୁ ଭୂଷଣ୍ଡା ମାନେ, ଗ୍ରାଜୁଏସନ ପରେ ସେଇ ଗଡ଼ଗଡ଼ା ସହରରେ ହିଁ ଥିବା ତାଙ୍କ ପାରିବାରିକ ବିଦେଶୀ ମଦ ବ୍ୟବସାୟ ସମ୍ଭାଳୁଛି, ସିଏ ତ ?

: ହଁ ସେଇ ! କହିଲା ସତ୍ୟଜିତ । ଆମେ ପଚାରିଲୁ,
କଣ କହୁଥିଲା, କି’ ଅଫର୍ ଫେର୍ ସିଏ ଦେଲା ଅଫିସ ଓ ଘର କାମ ବାଦ୍ ସାହିତ୍ୟ ଭିତରେ ଡୁବି ରହୁଥିବା ତୋ ଭଳି ଲୋକକୁ ?

: ଶୁଣ୍ ତାହା ହିଁ କହିବାକୁ ପରା ଆସିଛି ତୋ ପାଖକୁ । ଶୁଣିଲେ ଛୋବ ଖାଇଯିବୁ ଯେ !

ସତ୍ୟଜିତ ଆରମ୍ଭ କଲା : ଜାଣିଥିବୁ ତ ମଦ ବେପାର ଦୟାରୁ ଭୂଷଣ୍ଡାର ଉଭା ଯେତେ, ପୋତା ତତୋଃଧିକ ! ତେବେ ବଡ଼ ଚତୁରରେ, ଆମର ଏ ଭୂଷଣ୍ଡାଟି ! ବେଶ୍ କିଛି ବର୍ଷ କାହାରିକୁ ତା’ ଦିହର ମଳି ସୁଦ୍ଧା ନଦେଇ, କଥା କଥାକେ ଦାନ୍ତ ନିକୁଟି ଶୁଖିଲାରେ ହେଁହେଁ ହୋଇ ସଭିଙ୍କୁ ଆପଣେଇ ପାରିଚି ବୋଲି ମନେମନେ ଭାବୁଥିଲା ସିନା, ବଳେ ଜାଣିଗଲା ଯେ ଅସଲରେ ସଭିଏଁ ତାକୁ ଶୁଣ୍ଠା ମଦ ବେପାରୀଟେ ଭାବେ ହିଁ ଗ୍ରହଣ କରୁଛନ୍ତି । ତେଣୁ ସେ ଧୀରେ ଧୀରେ ତା’ ଖୋଷଣି ଅଳ୍ପଅଳ୍ପ ଫିଟାଇ ତହିଁରୁ କିଛି ସଲିଳ ସିଞ୍ଚି ମାନ ସମ୍ମାନ ଗୋଟାଇ ଆଣି ସେସବୁକୁ ତା ବେପାରୀ ଭାବମୂର୍ତ୍ତୀରେ ବୋଳିବାର ମହତ ଉଦ୍ଦେଶ୍ୟ ନେଇ ପହିଲେ ପଲିଟିକ୍ସରେ ପଶିଲା । ହେଲେ ତହିଁରେ ଥିବା ଗୋଡ଼ ଟଣାଟଣିର ଧକ୍କା ଖାଇ ଖୁବ୍ ବେଶୀ ଆଗେଇ ପାରିଲାନି । ବରଂ ମୋଫତରେ ତାଠୁ ମାଲ୍ ପିଇ “ଭୂଷଣ୍ଡା ବାବୁ” ଡାକୁଥିବା ଲୋକେ ପରେ ନିଶା ଉତୁରି ଯାଆନ୍ତେ ସେ “ଯୋଉ ଭୂଷଣ୍ଡାକୁ ସେଇ ଭୂଷଣ୍ଡା” ହେବା ସାର ହେଲା ।

ଆମେ ଆଗ୍ରହ ସହକାରେ ସତ୍ୟଜିତର ଏସବୁ କଥାମାନ ଶୁଣି ତା’କୁ ଆହୁରି ଗପିବାକୁ ଉସକାଇଲୁ ।

ସେ କହିଲା, ଶୁଣ ! ଏଣିକି ଭୂଷଣ୍ଡା କମ୍ ଖର୍ଚ୍ଚରେ ବେଶୀ ହାସଲ ପାଇଁ ଏକ ବଢିଆ ଯୋଜନା କରିଛି । ସେ ଏବେ କୁଆଡ଼େ ସାହିତ୍ୟରେ ପଶିବ । ବର୍ଷକୁ ଥରେ ଅଧିକାଂଶ ପତ୍ରିକାଙ୍କ ଭଳି ପତ୍ରିକାଟେ ଛାପି ନିଜେ ତା’ର ସଂପାଦକ ହୋଇଯିବ ।

: ଏଁ, ଭୂଷଣ୍ଡା ସାହିତ୍ୟ ପତ୍ରିକାର ସମ୍ପାଦକ ହେବ ?

ଆମେ ସତରେ ଛୋବ ଖାଇବା ପରିକା ହୋଇ ପଚାରନ୍ତେ ସତ୍ୟଜିତ କହିଲା : ଏ ନେଇ ହିଁ ମୋର ସହଯୋଗ ଲୋଡ଼ି ସେ ପରା କହିଲା : ଦେଖ ସତ୍ୟଜିତ ଭାଇ ! କଲେଜବେଳେ ତମମାନଙ୍କୁ ଦେଖି କବିତା ନାମରେ କଣକଣ ସବୁ ଲେଖି ପକାଇଥିଲି ସିନା, ତା ପରଠୁ ଜାଣିଥିବ ତ ଏ ନିଶା ବିତରଣ ବେଉସା ଭିତରେ କବିତା, ସାହିତ୍ୟ ଆଦିଠୁ ମୁଁ କାହିଁ କେତେ ଦୂରରେ ! ତେଣୁ ତମ ପରି ସଚ୍ଚା ଲେଖକ ମୋର ଓ ମୋ ପତ୍ରିକାର ଉପଦେଷ୍ଟା ରହିଲେ ହିଁ ମୋ ସ୍ୱପ୍ନ ସାକାର ହୁଅନ୍ତା ।

ଏଥର ଆମେ ବୁଝିଗଲୁ ଯେ ସାହିତ୍ୟ ଯେମିତି ଆଜିକାଲି ଏକ ଆଗ୍ରହର ବିଷୟ ଅପେକ୍ଷା ବେଉସାର ବିଷୟ ପାଲଟି ଯାଇଛି, ତହିଁରେ ଭୂଷଣ୍ଡା ଭଳି ଚତୁର ମଦ ବେପାରୀ ବି ତା’ ଧନ ରାଜନୀତି ଓ ସର୍ବୋପରି ବୋତଲ ବଳରେ ଗଡ଼ଗଡ଼ା ଭଳି ପଛୁଆ ଅଞ୍ଚଳରୁ ସାହିତ୍ୟ ପତ୍ରିକା କରିବା ଆଳରେ ମୋଟା ଚାନ୍ଦା ଓ ବିଜ୍ଞାପନ ମାନ ଆଦାୟ କରିବା ସହ ସାହିତ୍ୟର ମିଛିମିଛିକା ତ୍ରାଣକର୍ତ୍ତା ଭାବେ ତା’ ଭାବମୂର୍ତ୍ତୀ ବାଗେଇବା ମତଲବରେ ରହିବା ଆଦୌ ବିଚିତ୍ର ନୁହେଁ ।
ତ’ ଆମର ଏ ମନ କଥା ସାଙ୍ଗ ସତ୍ୟଜିତକୁ ଜଣାଇବାରୁ ସେ କହିଲା :” ଠିକ ଠଉରାଇଛୁ । ତେବେ ମୁଁ ତାକୁ ସଫାସଫା କଣ କହିଦେଲି ଶୁଣ୍ । ମୁଁ କହିଲି ଯେ ମୁଁ ତା’ର ସେଇ ପତ୍ରିକା ପାଇଁ ଅତି ବେଶୀରେ ଲେଖା ଦେବା ଛଡ଼ା ଆଉ କିଛି ବି କରି ପାରିବିନି ।

ତେବେ ତାକୁ କହିଲି : ଶୁଣ ! ଭୂଷଣ୍ଡା ଭାଇ ! ତୁମେ ମୋତେ ଲୋଡ଼ିଲ, ତା’ ମୋ ସୌଭାଗ୍ୟ । ତେବେ ମୋତେ ତୁମ ସେ ପତ୍ରିକାର ଉପଦେଷ୍ଟା ରଖିଲେ କିଛି ଲାଭ ନାହିଁ । ବରଂ ଆଜିକାଲି ଯେମିତି ଚାଲିଛି ସେଇ ବାଟରେ ଯାଇ କେବଳ ଉପଦେଷ୍ଟା ହିଁ ନୁହେଁ, ବରଂ ତୁମ ପତ୍ରିକା ପାଇଁ ମାଳମାଳ ସହଯୋଗୀ ସମ୍ପାଦକ, ସହ ସମ୍ପାଦକ ଇତ୍ୟାଦି ପଦମାନ ସୃଷ୍ଟି କରି ସାହିତ୍ୟକୁ ଟେକି ଧରିଥିବା ମୁଣ୍ଡି ତୁଣ୍ଡି ଓ ଶକ୍ତିକେନ୍ଦ୍ର ଜାତୀୟ ମହାନୁଭବମାନଙ୍କୁ ତହିଁରେ ରଖି ନିୟମିତ ବ୍ୟବଧାନରେ ସେମାନଙ୍କୁ ସିଞ୍ଚନ ମନ୍ଥନ ଓ ତୈଳ ମର୍ଦ୍ଦନାଦିରେ ଆପ୍ୟାୟିତ କଲେ ସେମାନଙ୍କ ଅତି ପାଖଲୋକ ହୋଇପାରିବ । ଫଳତଃ ବହୁ ନାମୀଦାମୀ ଅନୁଷ୍ଠାନରେ ପଦପଦବୀ ପାଇବା ସହ ପଦକ ଫଳକ ମାନପତ୍ର ଓ ଉପାଧି ଆଦି ଲାଭ କରି ଅଚିରେ ସାହିତ୍ୟରେ କେବଳ ଜଣେ ମହାନୁଭବ ହିଁ ନୁହଁ, ବରଂ ନିଜର ଏକ କ୍ରମ ବର୍ଦ୍ଧିଷ୍ଣୁ “ପାଦଚଟା ତଥା ଯଶ ଓ ମଞ୍ଚ କାଙ୍ଗାଳ ବାହିନୀ” ଗଢି ତୁମେ ନିଜେ ହିଁ ଏକ ଏକକ ଅନୁଷ୍ଠାନ ରୂପେ ଉଭା ହୋଇଯିବ ।

“ଆଉ ଭାତ ଫିଙ୍ଗିଲେ କୋଇ କାଉ ଅଭାବ ଯେ ?” ବାଗିଆ କଥା ହେଉଛି ଲେଖା ପାଇବା । ଯାଚ୍ଛାତା ଲେଖି ପଠାଇ ଦେଲେ ବି ତୁମ ପତ୍ରିକାରେ ଶୁଦ୍ଧାଶୁଦ୍ଧ ନପରଖି ଯଥାତଥା ସଫଟୋ ଛାପିବାର ଗ୍ୟାରେଣ୍ଟି ମିଳିଲେ ଦେଖିବ ରାଇଜ ଓ ରାଇଜ ବାହାରର ବଡ଼, ମଝିଆ, ସାନ ତଥା ନାମକୁ ମାତ୍ର ସକଳ କିସମର ବିକଳ ଲେଖକେ ତମ ପତ୍ରିକାରେ ସ୍ଥାନିତ ହେବା ପାଇଁ ନିଉଛାଳି ହୋଇ ଲେଖା ପଠାଇ ପୋତି ପକାଇବେ ।”

ଫେର୍ ତମେ ଯେଉଁ ପତ୍ରିକା ବାଲାଙ୍କ ଲେଖା ଛାପିଥିବ, ଦେଖିବ ସେସବୁ ପତ୍ରିକା ବାଲା ବି ତମ ଲେଖା ଛାପି ତମକୁ ମହାଲେଖକ ବନାଇ ଦେବେ । ତମେ ବେପାରୀ ଲୋକ, ଆମ କଥା ମାନି ଏ ଦିଗରେ ଅନ୍ୟମାନଙ୍କ ଆଡ଼ିକି ଟିକେ ନିଘା କଲେ ସେମାନଙ୍କ କଳା କାରନାମା ଓ କୌଶଳ ସବୁ ଜାଣିଯିବ । ସେସବୁ ଆପଣାଇଲେ ଅଚିରେ ଜାଣିଯିବ ଯେ କେମିତି ତମ ପାଇଁ ଲେଖାଲେଖି ଦେବାକୁ, ଅନୁବାଦ କରି ଦେବାକୁ, ବହି ଛପାଇ ଦେବାକୁ ଓ ସଭାରେ ବକିବା ପାଇଁ ଗୁଗୁଲ, ଏଆଇ ଓ ବିଭିନ୍ନ ସହାୟକ ଗ୍ରନ୍ଥସୂଚୀ ଆଦି ଦରାଣ୍ଡି ଘାଣ୍ଟଚକଟ କରି ଆବଶ୍ୟକତାନୁରୂପ ଭାଷଣମାନ ଲେଖିଦେବା ଭଳି ସେବକସୁଲଭ କର୍ମମାନ ସମ୍ପାଦନ ସହ ତମର ଯାବତ ପେଞ୍ଚ ଓ ପ୍ରପଞ୍ଚ ବିଷୟରେ ଜାଣି ବି ଚବିଶ ଗୁଣନ ସାତ ଦାନ୍ତ ନିକୁଟି ତମ ଗୁଣଗାନ କରିବାକୁ ଖାନଦାନୀ ଭୃତ୍ୟୋପମମାନେ “ମୁଁ ଏକା ତୁମର” ବୋଲି ତୁମ ଆଗରେ ଘୋଷି ତୁମ ଦିହରେ ଘଷି ହେଉଥିବେ !!”

ସତ୍ୟଜିତର କଥାଗୁଡ଼ା ଉପରକୁ ଚାଲୁ ମନେ ହେଉଥିଲେ ବି ଅସଲରେ ଏତେ ଓଜନିଆ ଥିଲା ଯେ ଆମେ ଅନାୟାସେ ଜାଣିଗଲୁ, ଶୁଦ୍ଧ ପୂତ ଓ ସମର୍ପିତ ଭାବେ ସାହିତ୍ୟର ନିଷ୍କାମ ସେବା କରି ଆସିଥିବା ସତ୍ୟଜିତର ଅନ୍ତରାତ୍ମା ଭୂଷଣ୍ଡା ଭଳି ଛଦ୍ମ ବେଶୀଙ୍କ ଦ୍ଵାରା ଅଧ୍ୟୂଷିତ ସମସାମୟିକ ସାହିତ୍ୟିର ପ୍ରଦୂଷିତ ପରିବେଶରେ କେମିତି ଭୀଷଣ ଭାବେ ବ୍ୟଥିତ ହୋଇ ସେଥିରୁ ନିଷ୍କୃତି ଖୋଜୁଛି । ସମ୍ଭବତଃ ଏହି କାରଣରୁ ସେ ଆମ ପିଲାଦିନ ସାଙ୍ଗ ଭୂଷଣ୍ଡାକୁ ପାଇ ତା ଅନ୍ତର ଚିପୁଡ଼ି ଏସବୁ ଅନର୍ଗଳ କହି ପକାଇଛି । ଆମେ ଆମର ଏଇ ଅନୁମାନକୁ ନେଇ କିଛି କହିବା ଆଗରୁ ଏ କଣ ? ଦେଖିଲୁ ସତ୍ୟଜିତ ଆଖିରୁ ଲୁହ ଝରୁଛି ଓ ସେ ପିଲାଙ୍କ ଭଳି ସୁଁସୁଁ ହୋଇ ଧକେଇ ଧକେଇ କାନ୍ଦୁଛି !!

ଆମେ ତା’କୁ ସାଷ୍ଟାମ କରିବାକୁ ତା’ ପାଖକୁ ଯାଇ ତା’କୁ ଛାତିରେ ଜାବୁଡି ଧରି ତା’ ପିଠି ଥାପୁଡିବା ଆରମ୍ଭ କରନ୍ତେ ସେ ଧୀରେଧୀରେ ଧକେଇବା ବନ୍ଦ କଲା ସିନା, ସେମିତି କୋହ ଭରା କଣ୍ଠରେ ଥରଥର ହୋଇ କହିଲା : ଛାଡ୍ ଭାଇ, ସେଇ ଏକା ସହରରେ ପଢିବଢି ମଣିଷ ହୋଇଛି ମୁଁ । ପ୍ରକୃତ ସମ୍ପାଦନା ପରେ ନିୟମିତ ଭାବରେ ପତ୍ରିକା ପ୍ରକାଶନ କରିବାକୁ ଯାଇ ପତ୍ନୀଙ୍କ ମଙ୍ଗଳସୂତ୍ର ସୁଦ୍ଧା ବିକ୍ରି କରି ଓ ଋଣ ଗ୍ରସ୍ତ ହୋଇ ପ୍ରେସ ବି କରି ପତ୍ରିକା ପ୍ରକାଶନାଦି ମାଧ୍ୟମରେ ମୋ ଭଳି ଅନେକଙ୍କ ଲେଖାଲେଖି ଜୀବନ ଗଢିଥିବା ଅଧୁନା ଦିବଙ୍ଗତ ସେବେଳର ସେଇ ମହାନ ସାହିତ୍ୟିକମାନେ ମନେ ପଡ଼ିଗଲେ ତ, ଆବେଗ ସମ୍ଭାଳି ପାରିଲିନି ଭାଇ । ସେ ଭୂଷଣ୍ଡାକୁ ଆଉ କେହି ମିଳିଲାନି ଯେ ମୋରି ପାଖକୁ ଆସି ତା’ ଉଦ୍ଦେଶ୍ୟ ଜଣାଇଲା ଓ ସାହିତ୍ୟ ନାମରେ ଚାଲିଥିବା ଏସବୁ ଭୋଜବାଜିକୁ ନେଇ ଭାଳି ହେଉଥିବା ମୋ ଭଳି ଦୁଃଖୀଟିକୁ ଆହୁରି ଦୁଃଖ ଦେଲା !”

କ୍ଷଣେ ରହି ପୁଣି ସତ୍ୟଜିତ କହିଲା : ତୁ ହିଁ ଭଲ ଭାଇ । ଆଜୀବନ ଧର୍ମ ମତ ସମ୍ପ୍ରଦାୟର ଊର୍ଦ୍ଧ୍ୱରେ ରହି ଅଧ୍ୟାତ୍ମିକ ସାହିତ୍ୟର ମହାସ୍ରୋତରେ ଶାଶ୍ୱତ ଆନନ୍ଦ ମଧ୍ୟରେ ରହି ଆସିଛୁ । ଆଉ ମୋତେ ଦେଖ, ସାହିତ୍ୟ ନାମରେ କେମିତି ୟ୍ୟାଡୁସ୍ୟାଡୁ ଜାତୀୟ ଲେଖି ସମୟ ସହ ତାଳ ଦେଇ ନପାରି ସାହିତ୍ୟର ତଥାଚର୍ଚିତ ମୁଖ୍ୟ ସ୍ରୋତରେ ନରହି ମୂର୍ଖସ୍ରୋତରେ ରହିଛି । ଯେକେହି ବି ଆଜିକାଲି ଆଗ ଧାଡ଼ିର ବୋଲି ଦାବି କରୁଥିବା ବେଳେ ଆଗରେ ରହି ନପାରି ଖୁଚୁରା ଲେଖକଟେ ବୋଲାଇ ରହିଛି ଧାଡ଼ିର ସବା ଶେଷରେ !!

ଏବେ ଆମେ ସତ୍ୟଜିତକୁ ପୁଣିଥରେ ଆହୁରି ନିବିଡ଼ ଆଶ୍ଳେଷରେ ଜାବୁଡ଼ି ଧରିଲୁ । “ହେଇଟି, ଶୁଣ ମ ! ଆମ ଏ ସତ୍ୟଜିତଟିର ମୁଡ୍ ବାଗେଇ ପାରିବା ପରି ବେଶୀ କଡ଼ା ଓ ଅଳ୍ପ ମିଠା ଗରମାଗରମ ମସଲା ଚା’ କପେ ଦେବଟି, ବିଚରା ସାହିତ୍ୟକୁ ନେଇ ଖୁସି ନହୋଇ ଦୁଃଖୀ ହେବା ଶୀଘ୍ର ବନ୍ଦ କରିବାକୁ ହେବ” ପତ୍ନୀ ସୁରମାଙ୍କ ଉଦ୍ଦେଶ୍ୟରେ ଏତିକି କହି ବସିବା ସ୍ଥାନରୁ ଉଠି ଆମ ବହି ଆଲମାରୀରୁ ବହିଟାଏ ଆଣି ସତ୍ୟଜିତକୁ କହିଲୁ :

“ସାହିତ୍ୟର ଏ ଭଳିକିଭଳି ଭୋଜ ବାଜିଙ୍କୁ ନେଇ ଆଉ ନଭାଳି ବରଂ ସତ୍ ସାହିତ୍ୟରେ ସାଇତା ଶାଶ୍ୱତ ସାରସ୍ୱତାନନ୍ଦ ଲାଭ ପାଇଁ ନେ’, ପଢି ସାରି ଫେରାଇ ଦେଲେ ଆଉ ଏକ ମହାନ ଗ୍ରନ୍ଥ ଦେବି” କହି ତା’ ହାତରେ ଧରାଇ ଦେଲୁ “ଶ୍ରୀଅରବିନ୍ଦସ୍ ଫ୍ୟୁଚର ପୋଏଟ୍ରି” ଶୀର୍ଷକ ଗ୍ରନ୍ଥଟି !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

Leave a Reply

Your email address will not be published. Required fields are marked *