ଧାଡ଼ିଏ ଲିଭେଇଦେଲା ପରେ

ସଂଘମିତ୍ରା ସାମନ୍ତରାୟ

ଗୋଟେ ଧାଡ଼ି ଲେଖାକୁ
ଲିଭେଇଦେଲି,
କାହିଁକି ଲିଭେଇଲିର କାରଣରେ
ଉତ୍ତର ଥିଲା : ମୋ ଅନ୍ୟମନସ୍କତା

ସେ ଅନ୍ୟମନସ୍କତା ହେଉ
ବା ହେଉ ମୋ ଭାବପ୍ରବଣତା
ଯା’ର ବାଚାଳପଣରେ ଲିଭିଗଲେ ସେମାନେ
ହଜିଗଲା
ସେମାନଙ୍କ ସହିତ କେତେଗୁଡି଼ଏ ମହକିତ ଅକ୍ଷର
ହଜିଗଲେ ବି
ସମୟର ସ୍ରୋତରେ କେତେଗୁଡ଼ିଏ ଭାବପୂର୍ଣ ଶବ୍ଦ ..

ହୁଏତ ଲିଭେଇ ନଥିଲେ ତାଙ୍କୁ
ସାଜିଥାନ୍ତେ ସେମାନେ
କବିତାର ନିର୍ଝରିଣୀ,
ବା କଥାର ସାଗର
କିମ୍ବା ହୋଇଥାନ୍ତେ ସୁରିଲା ଗୀତରୁ
ପଦେ କି ଦି’ପଦ !

କଲମର ତ ନୁହେଁ,
ମୋ ନିର୍ଦ୍ଦୟପଣରେ ଅସହାୟ ସେମାନେ,
ଉଃ ଆଃ ବି କଲେନି,
ହୁଏତ ଚିତ୍କାର କରିବାର
ପ୍ରୟାସ ପାଇଁ ବି ସମୟ ନଥିଲା,
ପ୍ରତିବାଦ କରିବାର ଯୁ’ବି ନଥିଲା ..
ଫଳରେ ସେମାନଙ୍କୁ କଲମ ମୁନରେ
ଖିନ୍ ଭିନ୍ କରି ହତ୍ୟାକରିବା ଖୁବ୍ ସହଜ ଥିଲା,
ସେମାନଙ୍କ ଏଭଳି ନିରବି ଯିବାରେ ହୁଏତ
ଗୁଡ଼ାଏ ଦୁର୍ବଳତା ମୋର,
ଲୁଚି ଯାଉଥିଲା ଅନ୍ଧକାରର କାଳିମା ଭିତରେ ।

ବାସ୍, ଏତକ କାରନାମା ପରେପରେ
ଯେଉଁସବୁ ଅକ୍ଷରର ସମାହାରରେ
ଶବ୍ଦର ମାଳା ଗୁମ୍ଫନ ହେବ
ହୁଏତ ସେ ଶବ୍ଦମାନେ ଫର୍ଦ୍ଦେ ହେଉ
ଅବା ଅଧ୍ୟାୟେ ..
କେଉଁଠି ନା କେଉଁଠି ବଞ୍ଚି ରହିବାର ଉତ୍କଣ୍ଠାରେ
କଲମ ମୁନରୁ ଝରି ଆସିବେ,
କେତେକେତେ ନୂଆ ରୂପ ଓ ରଙ୍ଗରେ
ସେମାନଙ୍କ ଭବିଷ୍ୟତ ହୁଏତ
ନିହିତ ହେବ କବିତା ଅବା ଗଳ୍ପ
କିମ୍ବା ଗୀତ ଓ ଗଜଲ୍ ରେ,
ନହେଲେ କିଛି ଅବୁଝା
ଓ ଅନାବନା ଭାବନାର ଉଦ୍ଭଟ ପରିପ୍ରକାଶରେ ।

ଭୁବନେଶ୍ଵର, ମୋବାଇଲ – ୯୯୩୭୬୧୪୧୬୨

ଲେଖକ ପରିଚୟ

ସ୍କୁଲ ହେଉ ଅବା କଲେଜ, ପଢ଼ା ସମୟରେ କିଛି କିଛି ଲେଖୁଥିଲି ହେଲେ ପ୍ରକୃତ ଲେଖିବା ନିଶା ଘାରିଲା ୧୯୯୫ ମସିହାରୁ । ଅଧିକାଂଶ କବିତା ମୋର ପ୍ରଜାତନ୍ତ୍ର, ସାପ୍ତାହିକି ଓ ଅଫିସ୍ ମ୍ୟାଗାଜିନ୍ ରେ ଗୁଡ଼ିକରେ ପ୍ରକାଶିତ ହୋଇଛି ଓ ହେଉଛି ବି । ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ । ଚାକିରିରୁ ଯେତେବେଳେ ବି ସମୟ ମିଳିଲା ଲେଖିବା ଆରମ୍ଭ ହୋଇଯାଏ ଓ ତାହା କ୍ରମେ ନିଶାରେ ପରିଣତ ହୋଇଗଲା । “ମଉଳା ମନର ମୁକୁଳା କଥା”, “ନଈ ସେପାଖ ସଞ୍ଜ”, “ଟିପେ ପୃଥିବୀର ମୋହ” ନାମରେ ଏଯାବତ୍ ତିନୋଟି କବିତା ସଂକଳନ ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *