ମୁକୁନ୍ଦ ଶତପଥୀ
ସକାଳୁ ସକାଳୁ ସେ ଚଢେଇ ଦି’ଟାର ଶବ୍ଦରେ ଉଠୁଥିଲି ମୁଁ । ମୋ ରୋଷେଇଘରର ଝରକାରେ ତାଙ୍କ ଥଣ୍ଟରେ ଖୁମ୍ପି ଏକ ମୃଦୁ ଶବ୍ଦ ତିଆରି କରିବା ତାଙ୍କର ଏକ ଅଭ୍ୟାସ ହେଇ ଯାଇଥିଲା । ପ୍ରଥମେ ଟୁକ.. ତାପରେ ଟୁକ ଟୁକ.. ତାପରେ ଟୁକ..ଟୁକ..ଟୁକ । ବାସ । ମୁଁ ଉଠିବା ପର୍ଯ୍ୟନ୍ତ । ପ୍ରଥମେ ଆସୁଥିଲା କୁଆଟି.. ତାପରେ ପାରାଟିଏ… କେବେକେବେ ଦି’ଜଣ ଝରକାର ଦି’ପାଖରେ ବସୁଥିଲେ ଆଉ ଆରମ୍ଭ କରିଦେଉଥିଲେ ଟୁକ.. ଟୁକ..ଟୁକ । ବହୁତ ଦିନ ତାଙ୍କ ଉପରେ ଅସନ୍ତୁଷ୍ଟ ହେଉଥିଲି । ମାରିବାକୁ ହାତ ଉଠେଇ ହୁସହୁସ କରୁଥିଲି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେମାନେ ଉଡ଼ି ଯାଉଥିଲେ ଆଉ ପୁଣି କିଛି ସମୟ ପରେ ଆସି ବସି ଆରମ୍ଭ କରି ଦେଉଥିଲେ ଟୁକ..ଟୁକ । ମୋତେ ଲାଗୁଥିଲା ସେମାନେ ମୋତେ ବିଦ୍ରୁପ କରୁଛନ୍ତି । ମୋ ଅହଂକୁ ଖୁବ ବାଧୁଥିଲା । କିନ୍ତୁ କାହିଁକି କେଜାଣି କିଛି ଦିନପରେ ମୁଁ ନିଷ୍ପତ୍ତି ନେଲି ବରଂ ସେମାନେ ମୋତେ ଠିକ ସମୟରେ ଉଠେଇ ମୋତେ ସାହାଯ୍ୟ କରୁଛନ୍ତି । ଏଣୁ ସେମାନେ ଯାହା ଭାବନ୍ତୁ ପଛକେ ବିବଶତାକୁ ସୁଯୋଗରେ ପରିଣତ କରିଦେଲେ କ୍ଷତି କଣ ? ଯାହା ଆମେ ସାଧାରଣତଃ କରି ପାରିନଥାନ୍ତି । ମୁଁ ଉଠିଲାପରେ ସେମାନେ କେତେ ଖୁସି ହେଉଥିଲେ ମୁଁ ଜାଣିନି, କିନ୍ତୁ ମୋତେ ଟିକେ ଭାବୁକ କରିଦେଉଥିଲେ । କଣ ହେଇପାରେ ସେମାନଙ୍କ ଉଦେଶ୍ୟ ! କିଛି ଖାଇବାକୁ ମାଗିବା ନା ମୋ ଅହଂ ପ୍ରତି ତାତ୍ସଲ୍ୟ କରିବା ?
ଏଇ କିଛି ଦିନ ହେବ ସେମାନେ ଜୋରରେ ଟୁକ ଟୁକ କରିବା ଆରମ୍ଭ କରି ଦେଇଥିଲେ । ଏଥର ସେମାନଙ୍କ ଶବ୍ଦର କାରଣର ଭାଷା ମୋ ପାଇଁ ବଦଳି ଯାଇଥିଲା । ମୋର ମନେହେଲା ବୋଧହୁଏ ସେମାନେ ପ୍ରଶ୍ନଟିଏ ପଚାରିବାକୁ ଚାହୁଁଛନ୍ତି । ମା କଣ ନାହାନ୍ତି କି ? ଏଇ କେତେଦିନ ହେବ ମା’ଙ୍କୁ ଦେଖୁନୁ ? ଅବଶ୍ୟ ଏକଥା ବି ସତ ଏ ଘରେ ସେମାନେ ବେଶୀ ଦେଖିଛନ୍ତି ମା’ଙ୍କୁ । ମୋତେ ଯଦିଓ ଦେଖିଛନ୍ତି ଖୁବ ଅଳ୍ପ, ତା ପୁଣି ମୋ ବେଖାତିରିଆ ପଣିଆ ଭିତରେ । ଆଉ ମୋ ପୁଅ ଝିଅକୁ ଖୁବ କମ ଦେଖିଥାଇ ପାରନ୍ତି, ନଦେଖି ଥାଇପାରନ୍ତି ବି, ମୋର ଠିକ ମନେପଡୁନି ।
ଏଇ କେତେଦିନ ହେବ ମୋର ପତ୍ନୀ ଥିଲେ ଡାକ୍ତରଖାନାରେ । ବୋଧହୁଏ ସେଇ କଥାଟି ସେମାନେ ବେଶୀ ଜାଣିବାକୁ ଚାହୁଁଥିଲେ । କାରଣ ମୁଁ ଦେଖିଛି ସେମାନେ ଗତରାତିର ବାସି ରୁଟି ପତ୍ନୀଙ୍କ ହାତରୁ ଖାଉଥିଲେ । ଅଳ୍ପ ଖାଉଥିଲେ ବଦମାସୀ କରୁଥିଲେ ବେଶି । ଥିବେ ଥିବେ ଖାଇବା ଫିଙ୍ଗି ଦେବେ । ଗାଳି ଶୁଣୁଥିବେ, ଉଡ଼ି ଯାଉଥିବେ.. ପୁଣି ଆସି ବସୁଥିବେ । ଯୋଉଦିନ ବାସି ରୁଟି ନଥିବ ସେଦିନ ମୁଢି ମୁଠେ ଦେଲେ ଖାଉ ନଥିବେ । ମୋର ବି ମନେହେଉଥିଲା ତାଙ୍କ ଏ ପିଲାଳିଆମୀକୁ ପତ୍ନୀ ଉପଭୋଗ କରୁଥିଲେ । ଯଦିଓ କେବେ ପଚାରିନି, ତଥାପି ଅନୁମାନ କରୁଥିଲି ହୁଏତ ପିଲା ଦିଟା’କୁ ସେ ଦେଖୁଥିଲେ ତାଙ୍କ ଭିତରେ । ନହେଲେ ଯୋଉଦିନ କୁଆଟା ନିରବରେ ବସୁଥିଲା ସେଦିନ ଆମେରିକାରେ ଥିବା ପୁଅକୁ ବା ବାଙ୍ଗାଲୋରରେ ଥିବା ଝିଅକୁ ଫୋନ କଲ କରୁଥିଲେ କାହିଁକି ?
ସେ ଯାହାହେଉ ଏଇ ଦିନ କେତେଟାରେ ସେମାନେ ଆପଣେଇ ନେଲେଣି ମୋତେ । ମୋତେ କିନ୍ତୁ ଭରସି ପାରନ୍ତିନି । ଚୁପଚାପ ଖାଇଦେଇ ଉଡ଼ି ଯିବେ । ଦୂରରୁ ଦେଖିବେ । ମୁଁ ଯେତେ ସ୍ନେହରେ ଡାକିଲେ ବି ପାଖକୁ ଆସିବେନି କି ହାତରୁ ଖାଇବେନି । ବୋଧହୁଏ ସେମାନେ ପ୍ରେମକୁ ତଉଲି ପାରିବାରେ ବିଫଳ ହେଉଥିଲେ ବା ମୁଁ ଯେ ଭଲ ପାଇପାରେ ଏଇମିତି ଏକ ଧାରଣାଟିଏ ତିଆରି କରି ପାରୁନଥିଲେ ମନରେ । ମୁଁ ବି ବେଳେବେଳେ କଥାଟି ଭାବୁଥିଲି । ଛାର ଚଢେଇଟିଏ ଯଦି ମୋତେ ଠିକ ବୁଝିପାରୁନି ତାହେଲେ ପୃଥିବୀରେ ଅନ୍ୟମାନେ ମୋତେ ଠିକରେ କାହିଁକି ବୁଝିବେ ଯେ ! ମୋର ଏଯାବତ ଏକ ଧାରଣା ଥିଲା ଯେ ମୋତେ ଭଲପାଇବା ଫେରେଇବାରେ ଅନ୍ୟମାନେ କଞ୍ଜୁସି କରନ୍ତି ବା ଏକରକମ ରୁକ୍ଷ ଭାଷାରେ ବେଇମାନି କରନ୍ତି । ତା ସତ୍ତ୍ୱେ ମୁଁ ଭଲପାଇବାରେ କେବେ ବି ଊଣା କରୁନଥିଲି । କିନ୍ତୁ ଏ ଚଢେଇ ଦି’ଟା ବି ?
ଆଜି ସକାଳୁ ସକାଳୁ ବର୍ଷା । ହସ୍ପିଟାଲ କାମ ଆଜି ଝିଅ ଉପରେ । ସତରେ ଗୋଟାଏ ବର୍ଷା ପାଗ ଆଉ ମୁଁ ଏକା ..। ଏହାକୁ ଏକ ଅମୂଲ୍ୟ ସମୟ ବୋଲି ମୁଁ ଧରି ନେଇଥାଏ । କାରଣ ଚା’ କପେ ପିଇ ଓଶୋଙ୍କୁ ପଢିହେବ । କାହାକୁ ବି ଫୋନ କରିହେବ । ଏଇମିତି ବର୍ଷା ପାଗରେ ଆମାଜନରେ ଆସିଥିବା ବହିଗୁଡ଼ାକ ମୋତେ ଚାହାନ୍ତି, ସେ କାଫକା ହୁଅନ୍ତୁ ବା ମାନବ କାଉଲ । ଅବଶ୍ୟ ମନ ଖୁସି ଥିଲେ ଗପଟାଏ ଫେସବୁକରେ ଲେଖେ । ଗପ ଲେଖିବା ପଛରେ ବି କାହାଣୀଟିଏ ଅଛି । ମୋର ବି କିଛି ପାଠକ ଅଛନ୍ତି । ସେମାନେ ମୋ ଗପ ନପଢିଲେ ବାର୍ତ୍ତା ଦିଅନ୍ତି ଆଉ ଅନୁରୋଧ କରନ୍ତି, ମୁଁ କାହିଁକି ଗପ ଲେଖୁନି ବୋଲି । ସତରେ ପାଠକ ନାହିଁ ବୋଲି କାନ୍ଦୁଥିବା ମଣିଷଙ୍କୁ ମୁଁ ଗ୍ରହଣ କରିପାରେନି । କାରଣ ମୋ ପରି ଏକ ଅର୍ବାଚୀନର ଗପ ପାଇଁ ଯଦି ଅନୁରୋଧ ଆସେ, ତେବେ ପାଠକ ନାହିଁ ବୋଲି କେମିତି କହିବି ଯେ ! ହଁ ଏକଥା ହେଇପାରେ ଯେ, ତାକୁ ଗପର ମାନ୍ୟତା ଦେବାରେ କେହି କୁଣ୍ଠାବୋଧ କରିପାରନ୍ତି । ସତ କହିବାକୁ ଗଲେ ଭଲ ଲେଖୁଥିବା ବୋଲି ଦାବି କରୁଥିବା ଗାଳ୍ପିକଙ୍କୁ ମୁଁ କୋଉ ମାନ୍ୟତା ଦେଉଛି ଯେ !
ସତରେ ଗପଟିଏ ଲେଖିଲା ବେଳେ ଉପକାହାଣୀ ଗୁଡ଼ିକ ବି ମୂଳ କାହାଣୀଠାରୁ ବେଳେବେଳେ ବଡ଼ ହେଇଯାନ୍ତି । ଏଥିରେ ଲେଖକଟି ବିବିଶ ହେଇଯାଏ । ଏଣୁ କ୍ଷମା ଚାହିଁବି । ମୋଟ କଥା ହେଲା, ଆମ ଚଢେଇ ଦି’ଟି ଆଜି ବର୍ଷା ପାଇଁ ବାହାରକୁ ବୋଧହୁଏ ଯାଇ ପାରିନଥିଲେ । ସେମାନେ ଟୁକ ଟୁକ କରି ଚୁପଚାପ ବସିଥିଲେ । ମୁଁ ହାତରେ ଦେଲି କାଲିର ରୁଟି ଖଣ୍ଡେ । ସେମାନେ ଖାଇଲେ । ମୋତେ ଲାଗିଲା ସେମାନେ ମୋତେ ଡରୁନାହାନ୍ତି । ମୋ ମୁହଁକୁ ଚାହିଁଲେ । ମୋତେ ଲାଗିଲା ସେମାନେ ମୋ ସହ କଥା ହେବେ । ସତରେ ଅଫିସରେ ହୁକୁମ ଦେଇଦେଇ ମୁଁ ଭଲରେ କଥାହେବା ଭୁଲି ଯାଇଥିଲି । ୟାର ଅର୍ଥ ନାହିଁ ଯେ ମୋ ଭିତର ହୃଦୟଟି ଲୁତୁପୁତୁ ନଥିଲା । ବରଂ ମୋତେ ବହୁତ କଷ୍ଟ ହେଉଥିଲା ଅନ୍ୟ ପାଖରେ ପହଞ୍ଚିବା ପାଇଁ । ସମସ୍ତଙ୍କ ଦୁଃଖରେ ମୁଁ ବି କାନ୍ଦୁଥିଲି । କିନ୍ତୁ ଟିକେ ଦୂରରେ । ବୋଧହୁଏ ସେଇଥିପାଇଁ ମୋତେ ବୁଝିବାରେ ସମସ୍ତେ ବିଫଳ ହେଉଛନ୍ତି ବୋଲି ଧାରଣାଟି ଏଯାଏଁ ବି ମୋତେ ମାଡ଼ି ବସିଥିଲା ।
ମୋତେ ଲାଗିଲା ସେମାନେ ମୋତେ ଡରୁ ନାହାନ୍ତି । ମୋ ହାତର ଖାଇବା ଫିଙ୍ଗି ଦେଉଛନ୍ତି । ଶେଷରେ କୁଆଟା ମୋ ହାତରେ ଦୁଇ କରିଦେଲା । ମୋର ଅହଂ କଷ୍ଟ ପାଇଲା । ଛାର ଚଢେଇ ! ତାର ପୁଣି ଏତେ ସାହସ..! ମୁଁ କାହିଁକି ଜେଜାଣି ଆଉ ସହିବାକୁ ପ୍ରସ୍ତୁତ ନଥିଲି । ମୁଁ ଧୀରେଧୀରେ ମୋ ଅଜାଣତରେ ରାଗିବା ଆରମ୍ଭ କରି ଦେଇଥିଲି । କିନ୍ତୁ ସେମାନେ ଆହୁରି ଚାଲାକ ଥିଲେ । ସେମାନେ ମୋତେ ଦେଖି ଉଡ଼ି ଯାଉଥିଲେ । ପୁଣି ଆସି ବସି ପଡୁଥିଲେ । ଅଳ୍ପ ଦୂରରେ…। ବୋଧହୁଏ ମୋତେ ଚିଡ଼େଇ ମୋ ଅହଂକୁ ପରୀକ୍ଷା କରିବାକୁ ଚାହୁଁଥିଲେ । ମୋର ଧୈର୍ଯ୍ୟ ଭଙ୍ଗ ହେଉଥିଲା । ସାମାନ୍ୟ ଚଢେଇ ଦି’ଟା…! ସେମାନେ ବି ଅସ୍ଵୀକାର କରିପାରନ୍ତି ମୋ ଅସ୍ତିତ୍ଵକୁ…! ଏଥର ମୋ କ୍ରୋଧ ଚରମରେ ପହଁଚିଲା । ରୋଷେଇ ଘରୁ ପରିବାକଟା ଛୁରୀଟା ଫିଙ୍ଗିବାକୁ ଉଦ୍ୟତ ହେଲି । କିନ୍ତୁ ଏ କଣ ? ସେମାନେ ଉଡ଼ି ଯାଉଛନ୍ତି । ସେମାନେ ଉଡ଼ି ଯାଉଛନ୍ତି ଏତେ ବର୍ଷାରେ ବି ମୋତେ ବେଖାତିର କରି । ମୁଁ ଏବେ ଦ୍ଵନ୍ଦରେ ସେମାନଙ୍କୁ ସହିନେବି ବା ସେମାନଙ୍କୁ ଗାଳିଦେବି ?
ତା ପରଦିନ ମୁଁ ସକାଳୁ ଉଠି ପ୍ରଥମେ ଚଢେଇ ଦି’ଟିକୁ ଖୋଜିଲି । କିନ୍ତୁ ସେମାନେ ସେଠାରେ ନଥିଲେ । ଆଉ ଠୁକ ଠାକ କରିନଥିଲେ । ମୋ ଅଜାଣତରେ ଲୁହ ଟୋପେ ଗଡ଼ିଆସିଲା ଆଖିରୁ । ମୁଁ ପୁରା ଝରକା ଖୋଲି ବାହାରକୁ ଚାହିଁଲି । ଖୋଜିଲି । ଭାବିଲି କହିବି ତମେ ମୋତେ କାଲିର ଘଟଣା ପାଇଁ କ୍ଷମା କରିଦିଅ । ନାଁ । ସେମାନେ ନଥିଲେ । ମୋତେ ଲାଗିଲା ସେମାନେ ମୋର ଅହଂକୁ ଭାଙ୍ଗିରୁଜି ଚୁରମାର କରି ଦେଇଛନ୍ତି । ସେମାନେ ମୋତେ ହରେଇ ଦେଇଛନ୍ତି । ମୁଁ ଭାବୁଥିଲି ସତରେ ଏତେ ସହଜରେ କେହି କାହାକୁ ବି ହରେଇ ଦେଇପାରେ ?
ଗ୍ୟାରେଜ ଛକ, ଭୁବନେଶ୍ୱର, ମୋ – ୮୨୪୯୫୫୧୭୫୯
ଲେଖକ ପରିଚୟ
ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯାହାଙ୍କ ନିଶା ‘ସାହିତ୍ୟ’ । ଭଲ ପାଠକ ହେବା ସହିତ ସେ ଜଣେ ସାହିତ୍ୟ ଆଲୋଚକ ମଧ୍ୟ । ଏହାବ୍ୟତୀତ ଲେଖକ ଜଣଙ୍କ ନାଟ୍ୟକାର, ଅଭିନେତା ଓ ନିର୍ଦେଶକ ଭାବରେ ମଧ୍ୟ ପରିଚିତ । ଯଦିଓ ତାଙ୍କର କୌଣସି ପୁସ୍ତକ ଏଯାବତ ପ୍ରକାଶ ପାଇନାହିଁ ତଥାପି ତାଙ୍କ ଲେଖାର ପାଠକ ତଥା ପ୍ରଶଂସଙ୍କ ସଂଖ୍ୟା କମ ନୁହେଁ । ସୋସିଆଲ ମିଡ଼ିଆରେ ସେ ସକ୍ରିୟ ଥାଆନ୍ତି ।