ସାଇ ଦୁର୍ଗାପ୍ରସାଦ
ଜଗନ୍ନାଥପୁରର ଲୋକେ କୁହନ୍ତି ତାଙ୍କ ଅଞ୍ଚଳର “ଖୋଜ ଖବର” ଦୈନିକ ସମ୍ବାଦପତ୍ରର ବିତରକ ବାବୁଲି ଜେନାର ଟିକେ ମୁଣ୍ଡଦୋଷ ଅଛି । ହେଲେ ସେଇ ଦୋଷ କେବେ କାହାର ଅନିଷ୍ଟ କରିନି କି ତା ସମ୍ବାଦପତ୍ର ବଣ୍ଟାରେ କେବେ କଣ୍ଟା ହେଇକି ଠିଆ ହେଇନି । ଘରେ ଗରିବ ବୁଢ଼ୀ ବିଧବା ମାଆ । ମୁଣ୍ଡ ଦୋଷ ପାଇଁ ଭେଣ୍ଡାଟେ ହେଲେ ମଧ୍ୟ ହାତକୁ ଦି’ ହାତ ଏଯାଏଁ ହେଇନି । ସେକଥାଟା ହିଁ ବୁଢ଼ୀ ମାଆର ଦୁଃଖ । ସେ ଯାହାହେଉ ଲୋକ ସିନା ତାକୁ ପାଗଳ କୁହନ୍ତି, ହେଲେ ତା’ ମାଆ ଜଣିଛି ଯେ ତା’ ପୁଅ କାମରେ କେବେ ବି ଅବହେଳା କରିନି । କି ଝଡ଼, କି ବର୍ଷା, କି ଶୀତ, କି କାକର ସବୁବେଳେ ସକାଳୁ ସେ ଲୋକଙ୍କ ପାଖକୁ ତାଙ୍କ ପ୍ରିୟ ଖବରକାଗଜ ପହଞ୍ଚାଇ ଦିଏ । “ଖୋଜ ଖବର”ର ଜିଲ୍ଲା ପ୍ରତିନିଧି ସାହୁ ବାବୁଙ୍କ ଘର ବାବୁଲି ଜେନାର ଘର ପାଖରେ । ତା ମାଆର କାକୁତିମିନତୀ ଶୁଣି ପିଲାଟାକୁ ଦେଇଛନ୍ତି କାମଟି । ମାସକୁ ଦୁଇ ହଜାର ଟଙ୍କା ଦିଅନ୍ତି ବାବୁଲିକୁ । ସୁଖଦୁଃଖରେ ପରିବାର ଚଳେ ତାର ।
କେଉଁଆଡୁ ଅକସ୍ମାତ ଏଇ କରୋନା ପଳେଇ ଆସିଲା ଯେ ଆଖି ପିଛୁଳାକେ ସାରା ବିଶ୍ଵରେ ନିଜ କାୟା ବିସ୍ତାର କରିଦେଲା । ଧନଜୀବନ ସବୁରେ ପ୍ରଭାବ ପକେଇଲା । ଲୋକେ ହେଇଗଲେ ଗୃହବନ୍ଦୀ, କେବେ ଶୁଣି ନଥିବା ଶବ୍ଦ ସବୁ ପ୍ରତିଦିନ ଶୁଣିଲେ ଆଉ କହିଲେ ମଧ୍ୟ । ବନ୍ଦୀ ଜୀବନ ତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଲା । ବିଭିନ୍ନ ସୁଖ ସୁବିଧାରୁ ବଞ୍ଚିତ ହେଲେ ।
ଏ ସବୁ ଘଟଣା ଭିତରେ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଭବ କଲେ ଯେ କିଛି ବ୍ୟକ୍ତିବିଶେଷ ନିଜ କର୍ମ ଆଧାରରେ ନିଜ କର୍ତ୍ତବ୍ୟରେ ହେଳା କରୁନାହାନ୍ତି । ଏ ବିଷମ ମହାମାରୀରେ ମଧ୍ୟ ନିଜ କାମ କରୁଛନ୍ତି । ଯେମିତିକି ଡାକ୍ତର, ସାମ୍ବାଦିକ, ପୋଲିସ, ଖବରକାଗଜ ବିତରକ ଇତ୍ୟାଦି । ତେଣୁ ସରକାର ଏମାନଙ୍କୁ କରୋନା ଯୋଦ୍ଧା ଘୋଷଣା କଲେ ଏବଂ କାମ କରିବା ସମୟରେ ଏମାନଙ୍କ ମୃତ୍ୟୁ ହେଲେ, ପରିବାର ପାଇଁ କିଛି ଧନରାଶିର ସାହାଯ୍ୟକୁ ଅନୁମୋଦନ କଲେ ।
ବାବୁଲି ଯେବେଠାରୁ ଜାଣିବାକୁ ପାଇଛି ଯେ ସେ ବି କରୋନା ଯୋଦ୍ଧା, ତାର ଖୁସି କହିଲେ ନସରେ । ସେ ଯାହାହେଉ କରୋନାକୁ ନଡରି ସେ ଯୋଦ୍ଧାଟିଏ ଭଳି, ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇବାରେ ଲାଗିଥାଏ । ଜ୍ୟେଷ୍ଠ ମାସର ଖରା । ସକାଳ ୯ ଟାରେ ବି ଘରୁ ବାହାରିବାକୁ ସାହସ ପାଏ ନାହିଁ । ସବୁଦିନ ପରି ସେଦିନ ମଧ୍ୟ ବାବୁଲି ସକାଳୁ ବାହାରି ପଡ଼ିଲା ଖବରକାଗଜ ବିତ୍ତରଣ କରିବା ପାଇଁ । କରୋନା ପାଇଁ କିଛି ଘର ସାହୁବାବୁଙ୍କୁ ମନା କରିଦେଇଥିଲେ “ଖୋଜ ଖବର”କୁ ନେବା ପାଇଁ । ବାକି କିଛି ଲୋକ ନେଉଥିଲେ । ସେଦିନ ଖବରକାଗଜ ବିତ୍ତରଣ କରିବା ସରି ଆସୁଥାଏ, ଖରା ବି ବଢୁଥାଏ । ବାବୁଲିକୁ ଶୋଷ ଲାଗିଲାଣି । ପାଣିର ଆଶାରେ ଯେଉଁ ଘର କବାଟ ସବୁ ବାଡେଇଲା ସବୁ ଗାଳି କଲେ, କିଛି ତ କବାଟ ବି ଖୋଲିଲେ ନାହିଁ । ସବୁ କରୋନା ଡରରେ । ଶନିବାର ଥିବାରୁ ସପ୍ତାହନ୍ତ ସଟଡାଉନ । ଦୋକାନ ବଜାର ବନ୍ଦ । ବାଟରେ ଥିବା ନଳକୂପଟା ବି ଅଚଳ ହେଇପଡିଛି । ବାବୁଲିର ତଣ୍ଟି ଶୁଖି ଯାଉଥାଏ । ହେଲେ ଜୋରରେ ସାଇକେଲ ପେଡାଲ ମାରୁଥାଏ ଘରକୁ ଯାଇ ପାଣି ପିଇବା ପାଇଁ । କିଛି ସମୟ ପରେ ତା’ ଘର ଦେଖାଗଲା, ହେଲେ ଘରେ ପହଞ୍ଚିବା ପୂର୍ବରୁ ସେ ସେଇଠି ପଡିଗଲା । ପାଖରେ ଠିଆ ହେଇଥିବ ଲୋକ ସବୁ ପାଟିଗୋଳ କଲେ । ବାବୁଲିର ମାଆ ଯାଇ ସେଠାରେ ପହଞ୍ଚିଲାବେଳକୁ ତା’ ଭେଣ୍ଡା ପୁଅର ଜୀବନ ଯାଇସାରିଥିଲା । ବୁଢ଼ୀର ଛାତିଫଟା କାନ୍ଦ ଭିତରୁ ସେଇଠି ଥିବା ୧୩-୧୪ ବର୍ଷର ଝିଅଟେ ତା’ ବାପାକୁ ପଚାରି ପକାଇଲା ଯେ ବାବୁଲି ଭାଇ ତ କରୋନା ଯୋଦ୍ଧା, ତା ବୁଢ଼ୀ ମାଆକୁ ସହାୟତା ରାଶି ମିଳିବ । ଏକଥା ଶୁଣି ସେ ଝିଅର ବାପା ଓ ଅନ୍ୟମାନେ କହିପକାଇଲେ, ବାବୁଲି “କରୋନା ଯୋଦ୍ଧା ନୁହେଁ ପଗେଳାଟା ।”
କଲେଜ ସ୍କୋୟାର, ଘଟଗାଁ, କେନ୍ଦୁଝର, ୭୫୮୦୨୭
ଲେଖକ ପରିଚୟ
ଇଂରାଜୀରେ ସ୍ନାତକୋତ୍ତର କରି ବି ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କ ଅବଦାନ ଉଲ୍ଲେଖନୀୟ । ଓସିଏ ଶ୍ରେଷ୍ଟ ଯୁବ ନିର୍ଦ୍ଦେଶକ/ନାଟ୍ୟକାର-୨୦୧୭, ଗଳ୍ପଝର ସମ୍ମାନ-୨୦୧୯, ଉଦୟରାଗ ସମ୍ମାନ-୨୦୨୦ ଆଦି ତାଙ୍କ ଲେଖକୀୟ ଜୀବନର ପାଥେୟ ପାଲଟିଥିଲାବେଳେ ନାନା ଗଳ୍ପ ଓ କାହାଣୀ ଲେଖି ସେ ସାଉଁଟି ପାରିଛନ୍ତି ସବୁ ବର୍ଗର ପାଠକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ । ନିକଟରେ ତାଙ୍କ ରଚିତ ଏକ କାହାଣୀକୁ ନେଇ ଜାପାନରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ସିନେମା ।