‘କରୋନା’ ଓ ‘ଫନୀ’

ଶରତ କୁମାର ରାଉତ

ରାକେଶ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ସେଇ ବର୍ଷ ମଇ ମାସରେ ଅଚାନକ ବଡ଼ ଧରଣର ଲଘୁଚାପ ସୃଷ୍ଟି ହେଲା ବଙ୍ଗୋପ ସାଗରରେ । ସରକାର ସତର୍କ କରାଇଲେ ଯେ, ଏହା ବାତ୍ୟାର ରୂପ ନେଉଛି । ହେଲେ ବାତ୍ୟା ହେବ ବୋଲି କାହାରି ବିଶ୍ୱାସ ନଥିଲା । ଅଧିକଂଶ ଲୋକେ ସରକାରଙ୍କ ଏହି ସତର୍କତାକୁ ହସରେ ଉଡ଼ାଇ ଦେଲେ । ମଇ ମାସରେ ପ୍ରଚଣ୍ଡ ଗରମ ହେବା କଥା ସତ, ଆଉ ବାତ୍ୟା?….ସେତେବେଳକୁ ବାତ୍ୟାର ନାମ ବି ଦିଆସରିଥିଲା “ଫନୀ”!
ସତକୁ ସତ ସରକାରୀ ଘୋଷଣା ଅନୁଯାୟୀ ସକାଳୁ ସକାଳୁ ଆରମ୍ଭ ହୋଇଗଲା ବାତ୍ୟା! ତାଣ୍ଡବ ସୃଷ୍ଟି ହେଲା ଉପକୂଳବର୍ତ୍ତୀ ଅଞ୍ଚଳରେ । ଘଂଟା ପ୍ରତି ୨୬୦ କି.ମି. ବେଗରେ ପବନ ବୋହିଲା । ସମୁଦ୍ରରୁ ଉଠିଆସିଲା ୧୨ ଫୁଟ ଉଚ୍ଚର ଲୁଣି ଜୁଆର । କେହି କାହା କଥା ଜାଣି ପାରିଲେନି । ଅନେକ କୋଠାଘର ଭୁଷୁଡ଼ି ପଡ଼ିଲା । ବିଜୁଳି ଖୁଂଟ ଉପୁଡ଼ିଲା । କଟିଗଲା ଲାଇନ୍ । ମୋବାଇଲ୍ ଟାୱାର ଗୁଡ଼ିକ ଭାଙ୍ଗି ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଲା । ଚାରିଆଡ଼େ ପାଣି ଓ ପବନର ଖେଳ!……ଧ୍ୱସଂସ୍ତୁପରେ ପରିଣତ ହେଲା ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ! ଖରାଦିନିଆ ଫସଲ ସମୂଳେ ନଷ୍ଟ । ଗୋଟିଏ ବି ଚାଳଘର ଅକ୍ଷତ ନଥିଲା । ମଣିଷ, ପଶୁ, ପକ୍ଷୀଙ୍କର ଶବ ପୋକ, ମାଛି ଭଳି ଭାସୁଥିଲା ପାଣିରେ । କେତେକ ଗାଁର ଚିହ୍ନବର୍ଣ୍ଣ ବି ନଥିଲା । ଆଉ ମହା ତାଣ୍ଡବଲୀଳା ସହ ସଂଘର୍ଷ କରି ପାଣିଘେର ମଧ୍ୟରେ ଥିବା ଯେଉଁ ହତଭାଗ୍ୟ ମାନେ ବଂଚି ଯାଇଥିଲେ, ସମସ୍ତେ ଥିଲେ ଅନାହାର ମୃତ୍ୟୁ ଅପେକ୍ଷାରେ ।
ବାତ୍ୟାର ଚତୁର୍ଥ ଦିନ ସୁଦ୍ଧା କେତେକ ଅନାହାର ମୃତ୍ୟୁର ଶିକାର ହୋଇଥିବାବେଳେ କେତେକ ଗଛର ଡ଼ାଳ, ପତ୍ର ଚୋବେଇ ‘ଜୀ’ ରହିବାକୁ ଚେଷ୍ଟା କରୁଥିଲେ । ଉପରେ ମାଳମାଳ ହେଲିକପ୍ଟର ପଇଁତରା ମାରୁଥିଲେ । ତଥାପି ଉପାୟଶୂନ୍ୟ, ତଳେ ଖାଲି ପାଣି ତ ପାଣି । ତାଣ୍ଡବ ଲୀଳା ସମୟରେ ଯିଏ ଯେମିତି ଅବସ୍ଥାରେ ଥିଲା-ଏବେ ବି ସେମିତି ଅଛି ।
କୌଣସି ପ୍ରକାରେ ସନାତନ, ମିନତୀ ଓ ରାକେଶ ସିନା ବଂଚିଯାଇ ଥିଲେ, ହେଲେ ବୁଢ଼ା ବାପକୁ ବଂଚେଇ ପାରିନଥିଲେ । ପବନର ବେଗ ବଢୁଥିବା ବେଳେ ସନାତନ ଜଣଜଣକୁ ଧରି ନିମାଇର ଆଠଖୁଂଟିଆ ଖଞ୍ଜାଘରକୁ ନେଇଆସୁଥିଲା । କିନ୍ତୁ ବୁଢ଼ା ବାପକୁ ଆଣିବାବେଳେ ପଛରୁ ବୁଢ଼ା ଉପରେ କୋଉ କାଳର ପ୍ରକାଣ୍ଡକାୟ ବରଗଛଟି ଉପୁଡ଼ି ପଡ଼ିଗଲା! ଏତିକିବେଳେ ପବନର ଝୁଙ୍କ ଆରମ୍ଭ ହୋଇଯାଇଥିଲା । ଆଉ ତା’ପରେ ‘ଆହା’ ପଦେ କହିବାକୁ ସନାତନ ପାଇଁ ସୁଯୋଗ ନଥିଲା । ବାତ୍ୟା ପରେ ମଧ୍ୟ ଜନ୍ମ କଲା ବାପର ଶବଟାକୁ ସେ ଠାବ କରିପାରିନଥିଲା ।………..
ଏହା ଭିତରେ ଗୋଟିଏ ବର୍ଷ ବିତିଗଲାଣି । ଖାଲି ସନାତନ ନୁହେଁ, ସମସ୍ତଙ୍କ ମନରେ“ଫନୀ”ର ତାଣ୍ଡବ ଲୀଳା ଆଜି ବି ଜୀବନ୍ତ ହୋଇ ରହିଛି । ଲୋକଙ୍କ ମନରୁ “ଫନୀ”ର ଭୟାବହତା ନ ଲିଭୁଣୁ ଏବେ ସାରା ବିଶ୍ୱରେ ‘କରୋନା’ଭଳି ଏକ ମାରାତ୍ମକ ଭୂତାଣୁର ଉତ୍ପାତ ଆତଙ୍କ ଖେଳାଇ ଦେଇଛି ସବୁଠି । ଅତୀତର ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ବଳି ଯାଇଛି ଏହି ଅଦୃଶ୍ୟ ଭୂତାଣୁର ତାଣ୍ଡବ । ସୃଷ୍ଟି ଆରମ୍ଭରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କିଛି ନିର୍ଦ୍ଦିଷ୍ଟ ଅଂଚଳରେ କ୍ଷତି କରିଛି, ହେଲେ “କରୋନା” ଭୂତାଣୁ ସାରା ବିଶ୍ୱରେ ମହା ତାଣ୍ଡବ ରଚିଛି ।
ଏହି ମାରାତ୍ମକ ଭୂତାଣୁ ଚୀନ୍ ରେ ଜନ୍ମ ନେଇ ସାରା ପୃଥିବୀକୁ ବ୍ୟାପିଛି । ଭୂତାଣୁ ସଂକ୍ରମଣରେ ହଜାର ହଜାର ଲୋକେ ମରୁଛନ୍ତି । ସାରା ବିଶ୍ୱରେ କାମଧନ୍ଦା ବନ୍ଦ । ରୋଗ ପାଇଁ ଔଷଧ ବାହାରି ନାହିଁ । ସଂକ୍ରମିତ ମଣିଷ ସହ ମିଶିଲେ ବା ତାକୁ ଛୁଇଁଲେ ସୁସ୍ଥ ମଣିଷଟି ବି କରୋନା ରୋଗୀ ହୋଇ ଯାଉଛି । ଏହା ମଣିଷ ଦେହରୁ ମଣିଷ ଦେହକୁ ସଂକ୍ରମିତ ହେଉଛି । ସଂକ୍ରମଣ ନହେବା ପାଇଁ କେବଳ ସାମାଜିକ ଦୂରତା ଓ ଆବଦ୍ଧ ଘର ଭିତରେ ରହିବା ଆବଶ୍ୟକ । ସେଥିପାଇଁ ଅନେକ ଦିନ ତଳୁ ସାରା ଦେଶ “ତାଲାବନ୍ଦୀ” ଅବସ୍ଥାରେ ଥିଲା । ଏବେ ଅବସ୍ଥା ଟିକେ ସୁଧୁରିଛି । ଅଧିକାଂଶ ଘରେ ଅତ୍ୟାବଶ୍ୟକ ଜିନିଷ ନାହିଁ । ସମସ୍ତେ ଭୋକା । ଧନୀ, ଦରିଦ୍ର, ନେତା, ମନ୍ତ୍ରୀ, ଅଫିସର ସମସ୍ତେ ଏବେ ନିଃଶ୍ୱ, ଅସହାୟ!
ଲୋକଙ୍କୁ ରିଲିଫ୍ ଦେବାକୁ ଏବେ ଏଠାରେ ଖାଦ୍ୟ ସାମଗ୍ରୀ ପହଂଚିଛି । ମୁଣ୍ଡପିଛା ହିସାବରେ ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ ବଂଟାଗଲା । ସନାତନକୁ ମଧ୍ୟ ରିଲିଫ୍ ମିଳିଲା । ବାପ, ମା, ପୁଅ ସମସ୍ତଙ୍କ ପାଇଁ ବକ୍ତେ ଭଲରେ ଚଳିଗଲା ।
ଆଜି ସକାଳୁ କେହି କିଛି ଖାଇ ନାହାଁନ୍ତି । ସନାତନ ପହଂଚିଲା ପୂର୍ବତନ ସରପଂଚ ପାଖରେ । ସେ କହିଲେ, “ସରକାର ଯାହା ଦେଲେ, ସମସ୍ତଙ୍କୁ ବାଂଟିଦେଲୁ! ସମସ୍ତଙ୍କ ଅବସ୍ଥା ତ ଖରାପ, କାହା ଘରେ କଅଣ ଅଛି? ବର୍ତର୍ମାନର ଅବସ୍ଥା ଦେଖୁନୁ? କିଏ କାହାକୁ ଦେବ?…. ଆଗକୁ ଖରାପ ସମୟ ଆସୁଛି! ଆରେ, ତମ ତିନିଜଣକୁ ତ ଅତିକମ୍‌ରେ ପାଂଚକିଲୋ ଚାଉଳ, ପାଂଚ ଶହ ଗ୍ରାମ୍ ଡ଼ାଲି ଆଉ ଅନ୍ୟ ଜିନିଷ ବି ମିଳିଥିବ?….”
“ନାଇଁ, ମାତ୍ର କିଲେ ଚାଉଳ ମିଳିଛି!”
“ତା’ ହେଲେ ତମ ୱାର୍ଡସଭ୍ୟକୁ ପଚାର ।”
ସନାତନ ୱାର୍ଡ଼ସଭ୍ୟକୁ ପଚାରିବାରୁ ସେ କହିଲା, “ଆରେ ବୋକା, ଆମେ ଲୋକ ପ୍ରତିନିଧିଟି! ଆମେ ତ ଚାହୁଁଛୁ, ଆମ ଲୋକ ପାଆନ୍ତୁ, ଯାହା ମିଳିଲା, ମୁଁ ପରା ନିଜେ ଆଣି ବାଂଟିଛି! ଅପେକ୍ଷା କର, ଟଙ୍କା, କପଡ଼ା ଓ ଆଉରି କେତେ କ’ଣ ମିଳିବ! ବ୍ୟସ୍ତହେଲେ ଚଳିବ?.. ଯା’…”
ପରଦିନ ସନ୍ଧ୍ୟାକୁ ଭୋକରେ ଆଉଟୁ ପାଉଟୁ ଅର୍ଦ୍ଧ ନଗ୍ନ ଦେହର ପୁଅକୁ ଧରି ସନାତନ ପହଂଚିଲା ଗାଁ ମୁଣ୍ଡ କ୍ଲବ ପିଣ୍ଡାରେ । ଚାଉଳ, ଡ଼ାଲି, ପାଉଁରୁଟି, ବିସ୍କୁଟ୍‌, ଚୁଡ଼ା, କପଡା଼, ସପ, ମଶିଣା, କେତେ କଅଣ ଆସିଥିଲା । ଲୋକେ ଆନନ୍ଦରେ କୁରାଳି ଉଠୁଥିଲେ । ଏଭଳି ଦୁର୍ବିପାକ ବେଳେ ସରକାର ଆବଶ୍ୟକ ସାହାଯ୍ୟ ଯୋଗାଇ ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ୍ ଦିଆଯାଉଥିଲା । କିନ୍ତୁ ସନାତନକୁ ମିଳିଲା ତିନିକିଲୋ ଚାଉଳ ଓ ଅଳ୍ପ କିଛି ଡ଼ାଲି! ସନାତନ ୱାର୍ଡସଭ୍ୟଙ୍କୁ ପଚାରିଲା, “ସବୁଦିନ ତ ରିଲିଫ୍ ଆସୁଛି! ଦେଖୁଛ, ମୋ ପୁଅଟା ସେଇ ଚିରାଖଣ୍ଡିକ ପିନ୍ଧିଛି! ଘରର ଛାଉଣୀ ନାହିଁ! ଖୋଲା ଆକାଶତଳେ ରାସ୍ତା ଉପରେ ପଡ଼ିଛୁ । ଆମକୁ କ’ଣ ଆଉ କିଛି ସାହାଯ୍ୟ ମିଳିବନି?…”
“ଆରେ, ଏତେ ଲୋଭ ଠିକ୍ ନୁହେଁ? କାହାକୁ କ’ଣ ଦିଆଯିବ, ନେତା ପରା ନାଁ ଲେଖେଇ ପଠଉଛନ୍ତି! ….”
“ସତ କହୁଛି, ଘରେ ଖାଇବାକୁ ନାହିଁ । ଆମେ ରାସ୍ତା ଉପରେ ପଡ଼ିଛୁ!” ସନାତନ କାନ୍ଦି ପକାଇଲା । ବାପର କାନ୍ଦଣା ଦେଖି ରାକେଶ ବି‘ଭୋଭୋ’ କାନ୍ଦିଲା,“ହଁ ବାବୁ, ଆମେ କିଛି ଖାଇନୁ । କରୋନା ରୋଗ ଯୋଗୁ ବାପାକୁ ଆଉ ମଜୁରୀ ମିଳୁନାହିଁ!…..” କିନ୍ତୁ ଅସହାୟ ଭୋକାପିଲାଟିର ହୃଦୟସ୍ପର୍ଶୀ ଶବ୍ଦଗୁଡ଼ା କାହା ହୃଦୟକୁ ଛୁଇଁ ପାରିଲା ନାହିଁ । ତଥାପି ସନାତନ ନିଜକୁ ଆଶ୍ୱାସନା ଦେଲା । ଆଜି ନହେଲେ କାଲି ସେ ନିଶ୍ଚୟ ସରକାରୀ ସାହାଯ୍ୟ ପାଇବ ବୋଲି ମନେ ମନେ ଭାବିଲା ।
କରୋନା ରୋଗ ଆରମ୍ଭରେ ସମସ୍ତ ଅସହାୟ ଓ ଗରିବ ଲୋକଙ୍କୁ ଚାରି ମାସ ଚଳିବା ପାଇଁ ଏକସଙ୍ଗରେ ଆର୍ଥିକ ସାହାଯ୍ୟ ଓ ବିଭିନ୍ନ ଭତା ଆଦିଯିବାକୁ ଘୋଷଣା ହୋଇଥିଲା । ରିଲିଫ୍ ଦିଆଯିବାର ସପ୍ତାହକ ପରେ ଯେତେବେଳେ ବିଭିନ୍ନ ଭତା ଓ ଆର୍ଥିକ ସାହାଯ୍ୟ ବଂଟାଗଲା, ସେତେବେଳେ ଜଣାପଡ଼ିଲା ଯେ, ଗାଁର ୭୨ଟି ପରିବାର ମଧ୍ୟରୁ କେବଳ ୨୪ପରିବାର ଏହି ସୁବିଧା ପାଇଛନ୍ତି । ହେଲେ ସାହାଯ୍ୟର ସଂଖ୍ୟା ଥିଲା ସମାନ ୭୨ଟି । ୱାର୍ଡ଼ସଭ୍ୟଙ୍କର ଏକଲା ଥିଲା ୬ଟି, ତାଙ୍କର ବାପା, ଦୁଇ ଭାଇ ଓ ଦୁଇପୁଅଙ୍କ ନାମରେ ମଧ୍ୟ ମିଳିଥିଲା ଭତା ଓ ଆର୍ଥିକ ସାହାଯ୍ୟ । ହେଲେ ସନାତନ ଭଳି ଅନେକ ଦରିଦ୍ର ମଣିଷ ଧନୀ ବୋଲି ପରୋକ୍ଷରେ ସରକାରୀ ରିପୋର୍ଟ କହୁଥିଲା । ନଚେତ୍ ସନାତନ କ’ଣ ଆଥିଁକ ସାହାଯ୍ୟ ପାଇ ନଥାନ୍ତା?..ବାର୍ଦ୍ଧକ୍ୟ ଭତା ତାକୂ ମିଳିନଥାନ୍ତା? ..ସନାତନ ଭଳି ଏମିତି ଅନେକ ଅସହାୟ-ଦରିଦ୍ର ପରିବାରଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିଲା ନାହିଁ!
“ଆମକୁ, କେବେ ସାହାଯ୍ୟ ମିିଳିବ ବାପା? ” କିଛି ବୁଝି ନ ବୁଝି ପାରିବା ଭଳି ରାସ୍ତାରେ ପଚାରିଲା କୋମଳମତି ରାକେଶ ।
“ ତୁ ବୁଝିପାରିଲୁନି, ଆମ ଦେଶର ଶାସନ ପଦ୍ଧତିକୁ? ଆରେ, ଆମର ମିଳିବନି! ଆମେ କ’ଣ ଗରିବ?.. ଆମେ କ’ଣ ଏ ଦେଶର ନାଗରିକ?…..ଆରେ ବୋକା ତୁ ବୁଝିପାରୁନୁ?…” ଭାରି ହୃଦୟରେ ସନାତନ ନିଜ ଭାଗ୍ୟକୁ ନିନ୍ଦୁଥିଲା ।
“ବାପା ….!” ରାକେଶର ମୁହଁ ବିଷର୍ଣ୍ଣ ହୋଇଗଲା । କଅଁଳ ଚମ ତା’ର ଲାଲ ପଡିଗଲା । ସେ ଜଣାପଡୁଥିଲା ଯେମିତି ଏଇନେ ସେ ଯାଇ ସେହି ସରକାରୀ ଦଲାଲ୍ ମାନଙ୍କୁ ଖୁନ୍ କରିବ!…..
ବିଧାୟକ ଓ ମନ୍ତ୍ରୀମାନେ ବୁଲିଗଲେଣି । ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଶାର ସଂଚାର ହୋଇଛି ଅସହାୟ ମଣିଷ ମନରେ । ବର୍ଷକ ବସି ଖାଇଲେ ବି ସରିବନି । ଅନେକ ଜାତୀୟ ଓ ଆନ୍ତଜାର୍ତୀୟ ସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସିବାରେ ଲାଗିଲେଣି । ସେମାନେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ସହ କପଡ଼ା, ପିଲାଙ୍କ ପାଇଁ ପାଠ୍ୟ ଉପକରଣ ଆଦି ଯୋଗାଇ ଦେବେ ।
ଏକଥା ଶୁଣି ସନାତନ ବାମନଟିଏ ହୋଇଗଲା । ସେ ନିଶ୍ଚୟ ସାହାଯ୍ୟ ପାଇବ ବୋଲି ଭାବି ବସିଲା । ନେତା ସିନା ମିଛ କହନ୍ତି, ହେଲେ, ସ୍ୱେଚ୍ଛାସେବୀମାନେ ତ ଦୁଃଖୀର ଡାକ ଶୁଣନ୍ତି । ଅସହାୟକୁ ସାହାଯ୍ୟ ଯୋଗାଇ ଦିଅନ୍ତି । ଏଇଥିପାଇଁ ତ ସ୍ୱେଚ୍ଛାସେବୀଙ୍କ ଉପରେ ସମସ୍ତଙ୍କର ଅଗାଧ ବିଶ୍ୱାସ ।
“ମୋର ଚାଳଛପର ଘରଟିଏ ଅଛି ସିନା, କିନ୍ତୁ ଜମିବାଡ଼ି କି ରେଜଗାର ନାହିଁ! ଦିନେ ଖାଇଲେ, ଦିଦିନ ଉପାସ! ନିହାତି ଦରିଦ୍ର! କରୋନା ପାଇଁ ଚାରିଆଡ଼େ କାମଧନ୍ଦା ବି ବନ୍ଦ୍‌! ଆପଣଙ୍କ ସହଯୋଗ ଆମର ଦରକାର!” ନିଶୁଆ ମୋଟା ଲୋକଟାକୁ ଅତି ଅନୁନୟ ହୋଇ କହିଲା ସନାତନ । ବାପାର ବାଁ ହାତ ଧରି ପାଖରେ ଛିଡା ହୋଇଛି ହାଡ଼ କଙ୍କାଳ ଭଳି ଦିଶୁଥିବା ରାକେଶ ।
“ଆରେ ଯା’…ଯା’… ତମେ ସତ କହୁଛ ବୋଲି ଆମେ ଜାଣିବୁ କେମିତି? ସାକ୍ଷୀ ଦରକାର ସାକ୍ଷୀ! ସମସ୍ତେ ତ ମିଛୁଆ! ସ୍ୱେଚ୍ଛାସେବୀ ଅନୁଷ୍ଠାନର ପଇସା ନେଇ ଜମା ଭୋଗ କରିପାରିବ ନାହିଁ! ..”
“ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଛି ବାବୁ, ଆମେ ବହୁତ ଗରିବ! ବହିପତ୍ର ନାହିଁ! …”
“ଆରେ, ଏଠି କେବଳ ଦରିଦ୍ର ପିଲାଙ୍କୁ ବହି ବଂଟାଯାଏ ।”ରୁକ୍ଷ ଗଳାରେ କହିଲା ଜଣେ ସ୍ୱଚ୍ଛାସେବୀ ।
“ମୁଁ ଗରୀବ ପିଲା ବାବୁ! ଦି’ ଦିନ ହେଲା ଖାଇନି!”
“ଆରେ ତମେ ଦରିଦ୍ର ବୋଲି କାଗଜପତ୍ର ଦେଖାଅ?…….”
ନିରାଶ ବାପ, ପୁଅ ଦୁହେଁ କୌଣସି ଜଣେ ସ୍ୱେଚ୍ଛାସେବୀଙ୍କ ଠାରୁ ଆହା ପଦେ ଶୁଣିଲେ ନାହିଁ ।
‘କରୋନା’ର ଉତ୍ପାତ ସିନା ଥମି ଯାଇଥିଲା, ହେଲେ ନେତା ଓ ଏଇଭଳି ସଂସ୍ଥା ମାନଙ୍କର ଉତ୍ପାତ ଚରମ ସୀମା ପାର କରିଥିଲା ।
ଏମିତି ଅନେକ ସନାତନ ଓ ରାକେଶର ଅସହାୟ ପରିବାର ସରକାରୀ ରିପୋର୍ଟର ଆଢ଼ୁଆଳରେ ଚାପି ହୋଇ ରହିଗଲେ ।
ଲଗାତାର ଅନାହାର ଓ ଅଳ୍ପାହାରରେ ବିତୁଥିବା ମୁହର୍ତ୍ତ ଗୁଡ଼ିକ ଆଦୌ ସନାତନର ସପକ୍ଷରେ ନଥିଲେ । ଚାରିଆଡେ ଭୋକର ଉତ୍ପାତ ବଢ଼ୁଥିଲା ଓ ସଂକ୍ରାମକ ରୋଗର ଆତଙ୍କ ଜାରିଥିଲା । ତଥାପି ପେଟକୁ ମୁଠାଏ ଅନ୍ନ ପାଇଁ କାମ ନଥିଲା । ଦାରିଦ୍ର‌୍ୟ ଓ ଅନାହାର ସହ ସଂଗ୍ରାମ କରି କରି ସନାତନ ଓ ମୀନତି ପୁରା ଥକି ଯାଇଥିଲେ ।
“ଅପେକ୍ଷା କର ବାପା, ମୁଁ ବହୁତ ପାଠ ପଢ଼ିବି-ଅଫିସର ହେବି! ସମସ୍ତଙ୍କୁ ସାବାଡ୍ କରିବି!”
“ନା, ନା, ଆରେ ତୁ ଦେଖିଲୁଣି ଅଫିସରଙ୍କୁ, ସେମାନେ କେମିତି ସାବାଡ୍ କରନ୍ତି ଲୋକମାନଙ୍କୁ, ଚୁଁ ଚୁଁ କରି ପିଅନ୍ତି ମଣିଷର ରକ୍ତକୁ?….”
“ରାଜନୀତି କରିବି ବାପା, ବଡ଼ ନେତା ହେବି!”
“କ’ଣ କହିଲୁ, ନେତା ହେବୁ? ଆରେ, ଆମର ଏଇ ଅବସ୍ଥା ତ ନେତାଙ୍କ ପାଇଁ! ଯାହା ସବୁ ହୋଇଯାଇଛି ଓ ହୋଇ ଚାଲିିଛି ଆଉ ଆଗାମୀ ଦିନରେ ହେବାର ଅଛି, ସବୁ ଏ ଦେଶର ନେତା ମୁଖାପିନ୍ଧା ବର୍ବର ମଣିଷ ମାନଙ୍କ ପାଇଁ …. ତେବେ ତୁ ଯାହା ବି କର, ମୁଁ ତ କିଛି କରିପାରିଲିନି, ହେଲେ ତତେ କିନ୍ତୁ ଶିକାର କରିବାକୁ ପଡିବ ଆମ ଭଳି ଅସହାୟ-ନିଷ୍ପେଶିତ-ଦରିଦ୍ର ମଣିଷର ରକ୍ତ ପିଆ ମଣିଷ ମାନଙ୍କୁ!!! ଉଚିତ୍ ଶିକ୍ଷା ଦେବାକୁ ପଡିବ ଦେଶର ସ୍ୱାର୍ଥପରମାନଙ୍କୁ! ….”


କୋରିଅପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା-୭୫୪୨୧୭, ମୋ:୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *