‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ୯ମ ଯୁବ ଲେଖକ ସମ୍ମାନ

ଭୁବନେଶ୍ଵର : ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ୯ମ ଯୁବ ଲେଖକ ସମ୍ମାନ ସମାରୋହ ହୋଟେଲ ଶୀତଲରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ ଏଭଳି ପ୍ରୟାସ ତରୁଣଙ୍କ ମନରେ ଆଶା ଓ ଆତ୍ମବିଶ୍ଵାସ ବୁଦ୍ଧିରେ ଏହା ସହାୟକ ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ‘କାଦମ୍ବିନୀ’ର ସମ୍ପାଦକ ଇତିରାଣୀ ସାମନ୍ତ ଯୋଗଦେଇ ସଂଘର୍ଷ ନଥିଲେ ସଫଳତା ମିଳେ ନାହିଁ ବୋଲି କହିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ସମ୍ମାନର ପ୍ରବର୍ତ୍ତକ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ଧୈର୍ଯ୍ୟ ଓ ଆତ୍ମସମୀକ୍ଷା ଜଣେ ଲେଖକର ସବୁଠୁ ବଡ଼ ଅଳଙ୍କାର । ଏହି ସ୍ଵତନ୍ତ୍ର ଉତ୍ସବରେ ୧୦ ଜଣ ଯୁବ ଲେଖକ ସେମାନଙ୍କ ପାଣ୍ଡୁଲିପି ନିମନ୍ତେ ୨୦୨୫ ମସିହା ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଅନୁରୂପ ଭାବେ ୨୦୨୪ରେ ସମ୍ମାନିତ ଲେଖକଙ୍କ ପୁସ୍ତକ ମଧ୍ୟ ଏ ଅବସରରେ ପ୍ରକାଶ ପାଇଥିଲା ।

ଗଳ୍ପ ପାଣ୍ଡୁଲିପି ‘ଡେଣା ନଥିବା ଚଢେଇ’ ନିମନ୍ତେ ଶୁଭାଶିଷ ପଟ୍ଟନାୟକ, ‘ଭୟଙ୍କର ବର୍ଷା ରାତି’ ପାଇଁ ପ୍ରତିମା ପାତ୍ର, ‘ଦହି ହାଣ୍ଡି’ ପାଇଁ ଜିତେନ୍ଦ୍ର ସାହୁ, ପାଣ୍ଡୁଲିପି ‘ଟିସୁ ପେପର’ ପାଇଁ ସ୍ରୋତସ୍ଵନୀ ପରିଡ଼ା, ‘ଶେଷ ରାକ୍ଷୀ ଓ ଅନାନ୍ୟ ଗଳ୍ପ’ ପାଇଁ ସୁବ୍ରତ ପାତ୍ର, ‘ସ୍କେଚ’ ପାଇଁ ଶିବ ଚରଣ ମହାପାତ୍ର, ଉପନ୍ୟାସ ପାଣ୍ଡୁଲିପି ‘ଅଜ୍ଞାତବାସ’ ପାଇଁ ଜନ୍ମେଜୟ ପଣ୍ଡା, କବିତା ପାଣ୍ଡୁଲିପି ‘ତ୍ୟାଗର ଈଶ୍ଵରୀ’ ପାଇଁ କୌଶିକ ଗିରି, ‘କେହିଜଣେ ପ୍ରେମିକ ପୁରୁଷ’ ପାଇଁ ଶୁଭସ୍ମିତା ତ୍ରିପାଠୀ ଓ ‘ଫୁଲ ଫୁଟିବାର ବେଳ’ ପାଇଁ ଶୁଭଶ୍ରୀ ତନିମା ନାୟକ ‘ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ ୨୦୨୫’ ଗ୍ରହଣ କରିଛନ୍ତି । ଅନୁରୂପ ଭାବେ ୨୦୨୪ ମସିହାରେ ୮ମ ସଂସ୍କରଣରେ ସମ୍ମାନିତ ହୋଇଥିବା ଜୀନାତମାମ ଦର୍ଜୀଙ୍କ କବିତା ସଂକଳନ ‘ମୋତେ ଖୋଜୁଛ କି ଈଶ୍ଵର’, କହ୍ନେଇ ସାହୁଙ୍କ କବିତା ସଂକଳନ ‘ଦେଶ ଓ ଦେହ’, ବୈଜୟନ୍ତୀ କରଙ୍କ କବିତା ସଂକଳନ ‘ଭାବନା କୁହୁକ’, ବିଶ୍ଵ ମହାପାତ୍ରଙ୍କ କବିତା ସଂକଳନ ‘ସାବଳିକା’, ରଶ୍ମିତା ବେହେରାଙ୍କ ଗଳ୍ପ ସଂକଳନ ‘କାଗକ ବାଘ’, ଅନିତା ଦାସଙ୍କ ଗଳ୍ପ ସଂକଳନ ‘ଏକ୍ସ ବୟଫ୍ରେଣ୍ଡ ଓ ଅନ୍ୟାନ୍ୟ ଗଳ୍ପ’, ସତ୍ୟରଞ୍ଜନ ସାହୁଙ୍କ ଗଳ୍ପ ସଂକଳନ ‘ଇନ୍ଦ୍ରଧନୁ’, ରୋଜାଲିନ ମୁଦୁଲିଙ୍କ ଗଳ୍ପ ସଂକଳନ ‘ଦର୍ପଣ’, ଅମିତ କୁମାର ସାହୁଙ୍କ ଗଳ୍ପ ସଂକଳନ ‘ଈଶ୍ଵରଙ୍କ ଭାଷା ଓ ଅନ୍ୟାନ୍ୟ ଗଳ୍ପ’, ଶାଶ୍ଵତ ଅଭିଜ୍ଞାନମ୍ ଙ୍କ ଗଳ୍ପ ସଂକଳନ ‘ହ୍ବିସ୍ପର୍ସ ଥ୍ରୋ ଦ ହ୍ଵାଇଟ କୋଟ୍’ ଉନ୍ମୋଚିତ ହୋଇଥିଲା ।

୨୦୨୫ ପାଇଁ ମୋଟ ୬୪ଟି ପାଣ୍ଡୁଲିପି ଗ୍ରହଣ କରାଯାଇଥିବା ବେଳେ ବିଚାରକ ମଣ୍ଡଳୀ ଦ୍ଵାରା ୧୦ଟି ପାଣ୍ଡୁଲିପିକୁ ଚୟନ କରାଯାଇଛି । ଜଣାଶୁଣା କଥାକାର ପ୍ରକାଶ ମହାପାତ୍ର, ପ୍ରବୀଣା ମହାନ୍ତି ଓ ଆଶିଷ କୁମାର ଗଡ଼ନାୟକ ଏଥର ବିଚାରକ ରହିଥିଲେ । ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ର ସହମହାପ୍ରବନ୍ଧକ ପବିତ୍ର ମୋହନ କର କାର୍ଯକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *